Unknown

 

 

 

 

 

 

 

 

 

 

 

ଆଶା ଅସିତ

ଶ୍ରୀ ଦୟାଲାଲ ଯୋଷୀ

 

 

 

 

 

 

 

 

 

 

 

ମୋର ଦୁର୍ଦ୍ଦିନର ସାଥୀମାନଙ୍କୁ

 

ଲେଖକ

Image

 

ଏକ

 

ନାରାୟଣପୁର

ପୂଜ୍ୟାସ୍ପଦ କାକା !

 

ପ୍ରଣାମ ଗ୍ରହଣ କରିବେ ।

 

ଏହି ପତ୍ର ପାଇ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମୟ ଓ ସ୍ଥାନର ଦୂରତା ମନୁଷ୍ୟର ସ୍ମୃତିକୁ କ୍ଷୀଣ କରିଥାଏ । ୨୦ ବର୍ଷପରେ ୧୫୦୦ ମାଇଲ୍‌ ଦୂର ଭାରତର ପଶ୍ଚିମାନ୍ତରୁ ଆପଣଙ୍କୁ ଏହି ପତ୍ର ଲେଖୁଛି । ଏହି ସମୟ ମଧ୍ୟରେ ଦେଶ ଓ ଜାତିର ଯେପରି ବିରାଟ ପରିବର୍ତ୍ତନ ହୋଇଛି, ସେପରି ଆମର ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ପରିରବର୍ତ୍ତନ ହୋଇଛି । ଆଜି ମୋ ବୟସ ୫୦ ପୂରିଲା, ମୋର ମନେହୁଏ, ଆପଣଙ୍କୁ ପ୍ରାୟ ୬୦ ହୋଇଥିବ ।

 

ରଜନୀର ଚାରୋଟି ପିଲା ହେଲେଣି । ତା’ ସ୍ୱାମୀ ମଧୁପୁରରେ ସରକାରୀ ଚାକିରୀ କରି ୪୫୦ ଟଙ୍କା ଦରମା ପାଉଛନ୍ତି । ମଧୁ. ବି.ଏ. ପାଶ୍‌ କରି ବାହାହୋଇ ବର୍ତ୍ତମାନ ଡେପୁଟୀ କାମ କରୁଛି । ତା’ର ତିନୋଟି ପିଲା–ଦିଓଟି ପୁଅ, ଗୋଟିଏ ଝିଅ । ରାମ ଇଞ୍ଜିନିୟରିଂ ପଢ଼ି ବର୍ତ୍ତମାନ ବମ୍ବେର ଗୋଟିଏ ଇଞ୍ଜିନିୟରିଂ କମ୍ପାନୀରେ ଚାକିରୀ କରୁଛି, ୫୦୦ଟଙ୍କା ବେତନ ପାଉଛି । ତା’ର ମଧ୍ୟ ତିନୋଟି ପିଲା–ଗୋଟିଏ ପୁଅ ଓ ଦିଓଟି ଝିଅ । ଗୋପାଳ ଡାକ୍ତରୀ ପାଶ୍‌ କରି ସରକାରୀ ଡାକ୍ତରଖାନାରେ ଚାକିରୀ କରୁଛି, ତା’ର ଦିଓଟି ପୁଅ । ଗୋବିନ୍ଦ ସବୁଠୁ ସାନ, ଓକିଲାତି ପାଶ୍‌ କରି ଅହମଦାବାଦରେ ଓକିଲାତି କରି ବେଶ୍‌ ସୁନାମ କଲାଣି । ତା’ର ଗୋଟିଏ ଝିଅ ।

 

ଆଜି ସମସ୍ତେ ଏଇଠି ଜମା ହୋଇଛନ୍ତି । ନିଜ ନିଜ ଭିତରେ ଠିକଣା କରି ମୋର ଅଜଣାରେ ଆଜି ମୋର ସ୍ୱର୍ଣ୍ଣଜୟନ୍ତୀ ପାଳନ କରୁଛନ୍ତି । ଦିନସାରା ଭାରି ହଟ୍ଟଗୋଳ କରି ମୋତେ ବସେଇଉଠେଇ ଦେଇ ନାହାନ୍ତି । ତେରଟି ନାତି–ନାତୁଣୀ, ଝିଅ–ଜୁଆଇଁ ପୁଅ–ବୋହୂ ହୋଇ ତେଇଶି ଜଣ । ସକାଳୁ ମୋତେ ହଠାତ୍‌ ଆସି ଉପହାର ଦେବା ଆରମ୍ଭ କଲେ । କିଏ ଦେଉଛି ଶାଢ଼ୀ ତ କିଏ ଦେଉଛି ମାଳୀ, ମୁଁ ପଚାରିଲାରୁ ସମସ୍ତେ ହେଁ ହେଁ ହସି କହିଲେ, –ଆଜି ତୁମର ‘ସ୍ୱର୍ଣ୍ଣଜୟନ୍ତୀ’ । ଅବାକ୍‌ ହେଲି, କହିଲି, ‘‘ଏସବୁ କାହିଁକି ଓ କିପରି କଲ ?’’ ସେମାନେ କହିଲେ ‘‘ତୁମକୁ ହଠାତ୍‌ ଆମର ସ୍ନେହ–ଉପହାର ଦେଇ ଆଶ୍ଚର୍ଯ୍ୟ କରିବୁ ଭାବି ସମସ୍ତେ ଚିଠିପତ୍ର ଆଦନାପ୍ରଦାନରେ ସବୁ ସ୍ଥିର କରି ଯେ ଯାହା କର୍ମ ସ୍ଥାନରୁ ଆସିଛୁଁ । ଆଜି ଆମେ ତୁମର ପୂଜା କରିବୁଁ । ତୁମେ ହିଁ ଆମକୁ ମଣିଷ କରିଛ । କ’ଣ ତୁମପ୍ରତି ଆମର କିଛି କର୍ତ୍ତବ୍ୟ ନାହିଁ ? ମୁଁ ଆନନ୍ଦରେ ଗଦ୍‌ଗଦ ହେଲି । ଆଜି ଭାରି ଜୋର୍‍ ଖାଇବାପିଇବା ଦେଲା, ଦରିଦ୍ରଭୋଜନ କଲେ । ବୋହୂ ଓ ଝିଅ କେତେ ଗୀତ ଶୁଣେଇଲେ । ରଜନୀର ଝିଅ କୁନିର ନେତୃତ୍ୱରେ ନାତି–ନାତୁଣୀମାନେ ମିଳି ଗୋଟାଏ ବିଚିତ୍ରାନୁଷ୍ଠାନ କରି ଗାଁରେ ବନ୍ଧୁବାନ୍ଧମାନଙ୍କୁ ଡାକି ଦେଖାଇଲେ ।

 

ଆଜି ଦିନସାରା ସମସ୍ତେ ବ୍ୟସ୍ତ । ବର୍ତ୍ତମାନ ମୁଁ ଥକାମାରି ବସିଛି । ଜୀବନର ସନ୍ଧ୍ୟାସମୟରେ ଏହିସବୁ ମାୟା–ମମତା, ସ୍ନେହ-ଶ୍ରଦ୍ଧା, ସୁଖ ସମ୍ଭୋଗପାଇଁ ମନରେ ଆନନ୍ଦର ଢେଉ ଖେଳୁଛି; କିନ୍ତୁ ଏହି ଆନନ୍ଦର ଢେଉପଛରେ ଅଛି ଗୋଟାଏ ଅଲିଭା ସ୍ମୃତି–‘ମୋ ଜୀବନର ଇତିହାସ ।’

 

ସାଂସାରିକ ଦୃଷ୍ଟିରୁ ମୁଁ ଅତି ସୁଖରେ ଅଛି । ଆର୍ଥିକ, ସାମାଜିକ, ପାରିବାରିକ କୌଣସି ସମସ୍ୟା ନାହିଁ । ପିଲାଏ ସମସ୍ତେ ଯୋଗ୍ୟ, ନିଜେ ନିଜେ ତାଙ୍କର ସଂସାର ସୁଖରେ ଚଳାଇନେଉଛନ୍ତି । ଟଙ୍କା–ପଇସା, ଘରଦ୍ୱାର, ଚାକର-ଚାକରାଣୀ କୌଣସି ଜିନିଷର ଅଭାବ ନାହିଁ-

 

ପୁଅ–ବୋହୂ, ଜିଅ-ଜୁଆଇଁ, ନାତି-ନାତୁଣୀ ସମସ୍ତେ କୁଶଳରେ ଅଛନ୍ତି । ମୋପ୍ରତି ତାଙ୍କର ସ୍ନେହ ଓ ଶ୍ରଦ୍ଧା ଅଶେଷ । ମୋ ଆଈମା’ ପ୍ରାୟ ପାଞ୍ଚ ବର୍ଷ ହେଲା ଇହଧାମ ତ୍ୟାଗ କଲେଣି । ତାଙ୍କର ମୋପ୍ରତି ସ୍ନେହ-ସହାନୁଭୂତି ଆପଣଙ୍କୁ ଭଲଭାବରେ ଜଣା । ପିଲାଦିନୁ ସେ ହେଲେ ମୋର ପ୍ରକୃତ ମା । ସେ ମୋତେ ଲାଳନ–ପାଳନ କରିଥିଲେ ଓ ଶେଷ-ପର୍ଯ୍ୟନ୍ତ ତାଙ୍କର ସେହି ସ୍ନେହ–ମମତା ଅକ୍ଷୁଣ୍ଣ ଥିଲା । ତାଙ୍କ ଶେଷବେଳକୁ ଯଥାସାଧ୍ୟ ସେବା କରିପାରି ନିଜକୁ ଧନ୍ୟ ମଣୁଛି ।

 

ରଜନୀର ବାପା ବର୍ଷକତଳେ ଆମକୁ ଛାଡ଼ି ଚାଲିଯାଇଛନ୍ତି । ସେ ଥିଲେ ମନୁଷ୍ୟରୂପରେ ଜଣେ ଦେବତା । ଆପଣ ଜାଣନ୍ତି–କି ଉଦାର ସେ ! ଦୁଃଖ–ଦାରିଦ୍ର୍ୟ ଓ ଜୀବନର ଝଡ଼-ଝଞ୍ଜା ତାଙ୍କୁ କେବେ ହେଲେ ବିଚଳିତ କରିପାରିନଥିଲା । କର୍ମମୟ ଜୀବନ ତାଙ୍କର; ମନୁଷ୍ୟର ଦୋଷ ଦୁର୍ବଳତାକୁ ସେ କେଡ଼େ ଉଦାର ହୃଦୟରେ କ୍ଷମା କରିପାରୁଥିଲେ, ତା’ ଆପଣ ଜାଣନ୍ତି ! ଜୀବନର ଆରମ୍ଭରେ ଯେତେ କଷ୍ଟ ପାଇଥିଲେ ସୁଦ୍ଧା ତାଙ୍କ ଶେଷଜୀବନ ଭଗବାନ୍‌ ସୁଖମୟ କରିଥିଲେ । ମୁଁ ମୋର ସର୍ବସ୍ୱ ଉତ୍ସର୍ଗ କରି ଚେଷ୍ଟା କରିଥିଲି ମୋର ପାପର ପ୍ରାୟଶ୍ଚିତପାଇଁ । ଜାଣେନା କେତେଦୂର କରିପାରିଛି । ମଲାବେଳକୁ କହିଥିଲେ, ‘‘ଆଶା, ତୁମେ ଆଇନାଭଳି ଶୁଭ୍ର, ସ୍ୱଚ୍ଛ ଓ ପବିତ୍ର ।’’

 

ମୁଁ କାନ୍ଦିଲି, କହିଲି–‘‘ମୋର ଅପରାଧ କ୍ଷମା କରନ୍ତୁ ।’’

 

ସେ କହିଲେ-‘‘ତୁମର କିଛି ଅପରାଧ ନାହିଁ । ଯଦି ବା ଥାଏ, ତା’ ଅନେକ ଦିନରୁ କ୍ଷମା ପାଇସାରିଛି । ତା’ ଅପରାଧ ନୁହେଁ ଆଶା ! ତା’ ହେଉଛି ପରିସ୍ଥିତିର ପ୍ରତିକ୍ରିୟା । ମନୁଷ୍ୟ ଏକ ସାମାଜିକ ଜୀବ, ବନ୍ଧୁପରିବାରଶୂନ୍ୟ, ସମାମଜର ଶୃଙ୍ଖଳା–ଦାୟିତ୍ୱବିହୀନ ଏକାକୀ ଜୀବନରେ ଶୂନ୍ୟତା ଆସିବା ସ୍ୱାଭାବିକ । ଅନେକ ସମୟରେ ସେହି ଶୂନ୍ୟତାକୁ ପୂରଣ କରେ ସ୍ୱେଚ୍ଛାଚାରିତା ।

 

‘‘ଆମେ ଗୋଟାଏ ସାମାଜକୁ ଛାଡ଼ି, ଅନ୍ୟ ସମାଜରେ ନିଜକୁ ମିଶାଇ ନ ପାରିବା ହିଁ ହେଲା ଆମର ଦୋଷ । ସେହି ନୂତନ ସମାଜର ସୁଖ ଦୁଃଖରେ ଯଦି ଭାଗି ହୋଇପାରିଥାନ୍ତୁ, ତାରି ବନ୍ଧନରେ ନିଜକୁ ବାନ୍ଧି ରଖିପାରିଥାନ୍ତୁ, ତାହା ହେଲେ ସେସବୁ କଦାପି ଘଟି ନ ଥାନ୍ତା । ଅବଶ୍ୟ ତାହା କରିନପାରିବା ପଛରେ ମଧ୍ୟ ଅନେକ କାରଣ ଅଛି; କିନ୍ତୁ ଛାଡ଼ ସେସବୁ, ତୁମର କିଛି ଦୋଷ ନାହିଁ । ଛି–ତୁମେ କାନ୍ଦୁଛ ! କାନ୍ଦୁଛ କାହିଁକି ? ମୋର ଶେଷସମୟରେ ତୁମକୁ ମୁଁ ହସହସ ମୁହଁରେ ଦେଖିବାକୁ ଚାହେଁ । ପିଲାଏ ସମସ୍ତେ ମଣିଷ ହେଲେଣି: ଆଉ ଚିନ୍ତା କରିବାର କିଛି ନାହିଁ । ତା’ପରେ ଏଇଟା କିଛି ନୂଆ ନୁହେଁ । ମନୁଷ୍ୟ ଜନ୍ମ ହେଲେ ଦିନେ ନା ଦିନେ ମରିବ । ତହିଁରେ ଏତେ ଦୁଃଖ କଲେ ଚଳିବ କିପରି ? ଅବଶ୍ୟ ଜୀବନସାଥୀ ହରେଇଲାବେଳକୁ ଦୁଃଖ ଲାଗେ, ତା’ ସ୍ୱାଭାବିକ; କନ୍ତୁ ଭାଙ୍ଗିପଡ଼ିବା କଥ ନୁହେଁ । କିଏ ଆଗ, କିଏ ବା ପଛ ।’’

 

ତାଙ୍କ କଥା ଶୁଣି ମୋର କାନ୍ଦ ବଢ଼ୁଥାଏ ସିନା–କମୁ ନଥାଏ । ମନେ ହେଉଥାଏ, ମୋର ଏହି ଆଖିପାଣି, ମୋର ଏଇ କଳଙ୍କ ଧୋଇଦେବ । ଭଗବାନ୍‌ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ-

 

ଏହିସମସ୍ତ ସୁଖସମ୍ଭୋଗ ମଧ୍ୟରେ ମୋର ଗୋଟିଏ କଥାପାଇଁ ସବୁବେଳେ କଷ୍ଟ ହେଉଛି । ଆପଣଙ୍କଠାରେ କ୍ଷମାପ୍ରାର୍ଥନା ଆଜିପର୍ଯ୍ୟନ୍ତ କରିପାରି ନାହିଁ ବା ମୋର ହୃଦୟର କୃତଜ୍ଞତା ଜ୍ଞାପନ କରିପାରି ନାହିଁ । ଆଜି ଜୀବନରେ ଯାହା କିଛି ପାଇଛି ବା ଭୋଗ କରୁଛି, ସେ ଆପଣଙ୍କପାଇଁ । ଆପଣ ମୋତେ ଉଦ୍ଧାର କରିଥିଲେ, ମୋତେ ଭୁଲ୍‌ ରାସ୍ତାରୁ ଟାଣିଆଣି ଠିକ୍‌ ବାଟ ଦେଖାଇଥିଲେ, ମୋର ଜୀବନରେ ନୂତନ ସ୍ପନ୍ଦନ ଆଣି ଦେଇଥିଲେ ଆପଣ । ମୁଁ ମୋର ସାଂସାରିକ ଜୀବନ ଫେରିପାଇଛି–ଆପଣଙ୍କପାଇଁ । ରଜନୀବାପାଙ୍କୁ ଆପଣ ହିଁ ବୁଝାଇଥିଲେ । ବାପା–ମା ତ ଛାଡ଼ି ଚାଲିଯାଇଥିଲେ, ମୋର ବୋଲି ଏଜଗତରେ କେହି ନ ଥିଲେ ଆଈଙ୍କ ବ୍ୟତୀତ । ଆଇମା’ ମୋର ଲାଳନ–ପାଳନ କରି ବଢ଼ାଇଥିଲେ ସତ; କିନ୍ତୁ ଆପଣ ମୋର ଦୂରସଂପର୍କୀୟ ହୋଇ ମଧ୍ୟ ମୋପାଇଁ ଯେଉଁ କଷ୍ଟ ସହ୍ୟ କରିଛନ୍ତି, ଯେଉଁ ବିପଦର ସମ୍ମୁଖୀନ ହୋଇ ମୋତେ ଉଦ୍ଧାର କରି ଠିକ୍‍ ରାସ୍ତା ଦେଖେଇଛନ୍ତି, ତା’ପାଇଁ ମୁଁ ଯଦି ମୋର କୃତଜ୍ଞତା ଜ୍ଞାପନ ନ କରି, କ୍ଷମା–ପ୍ରାର୍ଥନା ନ କରି ମରିଯାଏ, ତାହାହେଲେ ମୋର ପରକାଳ ଯେ କ’ଣ ହେବ, ତାହା ଭାବିପାରୁ ନାହିଁ । ବୟସ ହେଲାଣି, ଶୁଖିଲାପତ୍ର, କେବେ ଝଡ଼ିଯିବ ତା’ର ଠିକଣା ନାହିଁ । ତେଣୁ ତା’ପୂର୍ବରୁ ମୁଁ ମୋର କର୍ତ୍ତବ୍ୟ କରିବାକୁ ଚାହେଁ । ଆପଣ ମୋତେ ଇହକାଳର ବିପଦରୁ ଉଦ୍ଧାର କଲେ ପରକାଳରୁ କରିବେ ନାହିଁ ? ଇହକାଳରେ ଠିକ୍‌ ରାସ୍ତା ଦେଖାଇଲେ, ପରକାଳପାଇଁ ଠିକ୍‌ ରାସ୍ତା ମୋପାଇଁ ସୁଗମ କରିବେ ନାହିଁ ? ମୋର ଆଶା, ଆପଣଙ୍କଭଳି ଉଦାରଚେତା ଓ ପରହିତୈଷୀ ଲୋକ ନିଶ୍ଚୟ କରିବେ । ମୁଁ ଅନେକ ଅନ୍ୟାୟ କରିଛି, ଅଭିଶାପ ଦେଇଛି, ଆପଣଙ୍କର କ୍ଷତି କରିବାପାଇଁ ଚେଷ୍ଟା କରିଛି; କିନ୍ତୁ ଆପଣ ହିମାଳୟପରି ସ୍ଥିର ଓ ଅଟଳ ରହି, ମୋର ସମସ୍ତ ଦୋଷ–ତ୍ରୁଟିପ୍ରତି ଦୃଷ୍ଟି ନ ଦେଇ, ନିଜ ଜୀବନ ପ୍ରତି ଭ୍ରୂକ୍ଷେପ ନ କରି, ଯାହା କରିଛନ୍ତି ତା’ପାଇଁ ଭଗବାନ ହିଁ ଆପଣଙ୍କର ଉଚିତ ପୁରସ୍କାର ଦେଇପାରିବେ । ମୋଭଳି ପାପୀ ଯେତେ କୃତଜ୍ଞତା ଜ୍ଞାପନ କରି ଯେତେ କ୍ଷମାଭିକ୍ଷା କଲେ ସୁଦ୍ଧା, ଆପଣଙ୍କ ତ୍ୟାଗର ମୂଲ୍ୟ ଶୁଝିପାରିବ ନାହିଁ । ଅବଶ୍ୟ ଆପଣ ଯେ ମୂଲ୍ୟ ଚାହାନ୍ତି. ତା’ ନୁହେଁ । ତ୍ୟାଗର ତ ମୂଲ୍ୟ ନଥାଏ । ଯେ ତ୍ୟାଗ କରେ, ସେ ମୂଲ୍ୟ ଲୋଡ଼େ ନାହିଁ; କାରଣ, ତାହା ଅମୂଲ୍ୟ । ସ୍ନେହ, ତ୍ୟାଗ, ସତ୍ୟ, ଧର୍ମ, ଦୟା, କ୍ଷମା ଆଦି ଯେତେକ ଐଶ୍ୱରିକ ଗୁଣ ଅଛି, ତା’ର ମୂଲ୍ୟ ଏହି ଲୌକିକ ପ୍ରଥାନୁସାରେ ଚିତ୍ରିତ କରାଯାଇନପାରେ । ଏହିସବୁ ଗୁଣ ଆପଣଙ୍କର ପ୍ରକୃତିଗତ । ଗଛ ଛାୟା ଦିଏ; କିନ୍ତୁ ସାଧାରଣ ଲୋକ ତାକୁ ଟେକା ମାରେ, ତା’ ପ୍ରତି ବଦଳରେ ସେ ପୁଣି ଫଳ ଦିଏ । ସେ ଚାହେଁନା ଛାୟାର ମୂଲ୍ୟ ବା ଫଳର ମୂଲ୍ୟ । ତାହା ତା’ର ପ୍ରକୃତିଗତ । ଆପଣ ମୋପାଇଁ ଯାହା କରିଛନ୍ତି, ତାହା ପ୍ରତି ଉପକାରପାଇଁ ନୁହେଁ; କାରଣ ମୁଁ ବାଆପଣଙ୍କର କି ଉପକାର କରି ପାରିଥାନ୍ତି ? ବରଂ ଆପଣଙ୍କର ସୁନାମ ଓ ସୁଖ୍ୟାତିରେ ମୋ ପରି ଜଣେ ପାପୀ କଳଙ୍କ ସିନା ଲଗାଇପାରେ, ଭଲ କରିପାରିବ ନାହିଁ । ତଥାପି ଆପଣ ଦୁନିଆର ନାମ, ବଦନାମ ବା ଯଶଃ ଖ୍ୟାତିପ୍ରତି ଭ୍ରୂପେକ୍ଷ ନ କରି ଯେ ମୋର ଉପକାର କରିଛନ୍ତି, ସେଇଟା ହିଁ ଆପଣଙ୍କର ମହାନୁଭବତାର ପରିଚୟ ।

 

ଅନେକ ଦିନ ତଳର କଥା; କିନ୍ତୁ ଆଜି ତାହା ମୋର ମନେ ପଡ଼ିଲେ ଲଜ୍ଜା ଓ କ୍ଷୋଭରେ ମୁଣ୍ଡ ନଇଁଯାଏ । ଆପଣ ସେତେବେଳେ ଠିକ୍‌ କହିଥିଲେ ଯେ ସମାଜବନ୍ଧନ ହିଁ ମୋତେ ମୋର ଭୁଲ୍‌ ରାସ୍ତାରୁ ଫେରାଇ ଆଣିପାରିବ । ଗୋଟିଏ ସମାଜକୁ ଛାଡ଼ି, ଅନ୍ୟ ସମାଜରେ ନିଜକୁ ଖାପ୍‌ଖୁଆଇ ତାକୁ ନିଜର କରିନପାରିଲେ ମନୁଷ୍ୟ ଚଳିପାରେ ନା । ମନୁଷ୍ୟ ଗୋଟାଏ ସାମାଜିକ ଜୀବ, ସେ ଯେଉଁଠାକୁ ଯାଉ ନା କାହିଁକି, ତା’ର ସମାଜବନ୍ଧନ ଦରକାର । ସରକାରୀ ନିୟମ–କାନୁନ ବା କୋଟ୍‍ ଅଦାଲତ ମନୁଷ୍ୟକୁ ସଂଯତ କରିପାରେନା; ତାକୁ ସଂଯତ କରେ ସମାଜର ସାମାଜିକ ଶୃଙ୍ଖଳା ଓ ସାମାଜିକ ବନ୍ଧନ । ତହିଁରେ ଥାଏ ସ୍ନେହ, ସୌହାର୍ଦ୍ୟ ସହାନଭୂତି ଓ ସମାଲୋଚନା । ସେହି ବନ୍ଧନ, ସେହି ଶୃଙ୍ଖଳା ଯେ କୌଣସି ଏକଛତ୍ରବାଦୀ ସରକାରଠାରୁ ଅଧିକ କଠୋର ଓ ଦୃଢ଼; ଯେ କୌଣସି ଗଣତନ୍ତ୍ରବାଦ ଅପେକ୍ଷା ଅଧିକ ସହାନୁଭୂତିଶୀଳ । ସୁଧାରକ ସମାଜର ବନ୍ଧନ ହିଁ ମନୁଷ୍ୟକୁ ଠିକ୍‌ ରାସ୍ତାରେ ଚଳାଇନିଏ । ତାହା ହିଁ ତାକୁ ସଂଯତ କରି ରଖେ । କାରଣ, ତା’ ପଛରେ ଜେଲ୍‌-ଜରିମାନା, ପୋଲିସ୍‌–ଅଦାଲତ ବା ଫାଶିର ଭୟ ନଥାଏ, ଥାଏ ପ୍ରେମ, ସୌହାର୍ଦ୍ଦ୍ୟ, ସ୍ନେହ, ସମ୍ମାନ ହରାଇବାର ଆଶଙ୍କା ।

 

ଆପଣ ଏଠାକୁ ମୋତେ ପଠାଇବାପରେ ପୁଣି ମୁଁ ମୋ ଆଈମା’ ପାଖରେ ରହିଲି । କେବେ ସେ ମୋତେ ଏ ବିଷୟ ପଚାରି ନ ଥିଲେ । ବୋଧ ହୁଏ ଆପଣ ତାଙ୍କୁ ଜଣାଇଥିବେ । କେବଳ ସେ ଦେଇଥିଲେ ସ୍ନେହ, ପ୍ରେମ, ମାତୃଭାବ । ଗାଁର ଲୋକେ ମଧ୍ୟ ଜାଣି ନ ଥିଲେ ବୋଧ ହୁଏ-ମୋର ସେହି ଦୁଷ୍କର୍ମ । ତେଣୁ ମୁଁ ସେମାନଙ୍କଠାରୁ କେବେ ହେଲେ ଭର୍ତ୍ସନା ପାଇ ନାହିଁ । ଧୀରେ ଧୀରେ ମୋ ଆଈମା’ ଗାଁ-ଲୋକଙ୍କ ସ୍ନେହ ଓ ସମାଜର ନିତିନିୟମ ଏପରିଭାବରେ ମୋତେ କୋଳକୁ ଟାଣିନେଲେ ଯେ, ବର୍ଷେ ଦୁଇବର୍ଷଭିତରେ ବୁଝିନେଲି ମୋର ଭୁଲ । ବୁଝିଲି, ମୁଁ କେଉଁ ରସାତଳକୁ ଖସିଯିବା ଉପରେ ଥିଲି । ବୁଝିଲି, ଆପଣଙ୍କର ମହାନୁଭବତା । ରଜନୀର ବାପା ବରାବର ଟଙ୍କା ପଠାଉଥାନ୍ତି; କିନ୍ତୁ ଚିଠିପତ୍ର ଆଦାନ ପ୍ରଦାନ ପ୍ରାୟ ନଥାଏ । ବର୍ଷେ ଦୁଇବର୍ଷପରେ ରଜନୀପାଇଁ ଗୋଟିଏ ବରପାତ୍ରର ବନ୍ଦୋବସ୍ତ କରିବାକୁ ହେଲା । ଆଈମା’ ଠକ୍‌ କଲେ । ବିବାହ, ପୂର୍ବରୁ ମୁଁ ଚିଠି ଲେଖିଲି ରଜନୀ ବାପାଙ୍କୁ । ଭୁଲ ସ୍ୱୀକାର କରି କ୍ଷମା ମାଗିଲି ଓ ଅନୁରୋଧ କଲି ଯେ, ମୋପାଇଁ ନ ହେଲେ ସୁଦ୍ଧା, ଅନ୍ତତଃ ରଜନୀର ମଙ୍ଗଳପାଇଁ ଆପଣ ନିଶ୍ଚୟ ଆସନ୍ତୁ । ରଜନୀକୁ କନ୍ୟାଦାନ କରିବାକୁ ହେବ । ଯଦି ବାପା ମା ବଞ୍ଚି ଥାଉଁ ଥାଉଁ, ଅନ୍ୟ କେହି କନ୍ୟାଦାନ କରେ, ତା’ହେଲେ ଲୋକେ କ’ଣ କହିବେ ? ସମାଜ କ’ଣ ଭାବିବ ? ତା’ପରେ ରଜନୀର କେତେ ଦୁଃଖ ବା ନ ହେବ ?

 

ରଜନୀର ବାପା ବିବାହର ଠିକ୍‌ ପୂର୍ବଦିନ ଆସିଲେ । ମୋ ଛାତି ଧଡ଼୍‌ ଧଡ଼୍ ହେଉଥାଏ ତାଙ୍କୁ ଦେଖିଲାରୁ । ଦେଖିଲି ଯେ, ସେ କିନ୍ତୁ ସ୍ୱାଭାବିକ ବ୍ୟବହାର କରୁଛନ୍ତି ସମସ୍ତଙ୍କ ସଙ୍ଗରେ । ତାଙ୍କ ଆସିବାରେ ବିଳମ୍ବ ହେବାର କୈଫିୟତ୍‌ ସେ ଦେଉଛନ୍ତି ଓ ହସୁଛନ୍ତି । ସମସ୍ତଙ୍କ ସହିତ ଭେଟ ହେଉଛନ୍ତି–ସତେ ଯେପରି କିଛି ହୋଇ ନାହିଁ । ମନ ଟିକିଏ ଆଶ୍ୱସ୍ତ ହେଲା; କିନ୍ତୁ ରାତିରେ ନବବିବାହିତା ବଧୂପରି ମନ ମୋର ଘାଣ୍ଟିଚକଟି ହେଉଥାଏ । ଆଶା, ଆନନ୍ଦ, ନିରାଶା, ଆଶଙ୍କା ଓ ଦୁଃଖର ସଂମିଶ୍ରଣରେ ମୋର ମନଟା କ’ଣ ଯେ ହେଉଥାଏ, କହିପାରିବି ନାହିଁ ।

 

ଘରକୁ ଆସିବାକ୍ଷଣି ମୁଁ ତାଙ୍କ ଗୋଡ଼ଧରି କାନ୍ଦିଲି, କେତେବେଳ ପଡ଼ିରହିଲି, କେତେ କାନ୍ଦିଲି–ଜଣା ନାହିଁ; କାରଣ, ମୁଁ ଅଚେତ ହୋଇଯାଇଥିଲି । ସେ ମୋତେ ଉଠାଇ ଖଟରେ ଶୁଆଇ ଦେଇଥିଲେ । ସକାଳୁ ହସି ହସି କହିଲେ, ‘‘କ’ଣ ତୁମେସବୁ କରୁଛ ମୁଁ କିଛି ବୁଝିପାରୁ ନାହିଁ । ଏତେବାଟ ଆସି ଭାବିଥିଲି ଶାନ୍ତିରେ ଶୋଇବି ବୋଲି; କିନ୍ତୁ ରାତିସାରା ହଇରାଣ କରି ମାରୁଛ ।’’ ମୁଁ କିଛି କହିପାରିଲି ନାହିଁ । ଜାଣିଲି, ଦେବତାଙ୍କଠାରୁ କ୍ଷମା ପାଇସାରିଛି ।

 

ଝିଅର ବିବାହପରେ ତାଙ୍କୁ କହିଲି –‘ଏଇଠି ଗୋଟାଏ ଚାକିରୀ କର, ଏତେ ଦୂରକ କାହିଁକି ଯିବ ? ସମୟ ସଙ୍ଗେ ସଙ୍ଗେ ଭାଗ୍ୟର ପରିବର୍ତ୍ତନ ହୋଇଥାଏ । ସେ ମଧ୍ୟ ଆଉ ପିଲାଛୁଆ ଛାଡ଼ି ଏତେ ଦୂରକୁ ଯିବାକୁ ଚାହୁଁ ନ ଥିଲେ । ଭଲ ଚାକିରୀ ଖଣ୍ଡେ ପାଇଲେ । ତା’ପରେ ପୁଣି ଆମର ସୁଖର ସଂସାର ଫେରିଆସିଲା । ସେହିଦିନଠାରୁ ଆପଣଙ୍କ ପାଖକୁ ଚିଠି ଦେବି ଦେବି ବୋଲି ଭାବୁଥିଲି; କିନ୍ତୁ କ୍ଷୋଭ ଓ ଲଜ୍ଜାରେ ଲେଖିପାରୁ ନ ଥିଲି । ବୟସରେ ଅଧିକ ତାରତମ୍ୟ ନ ଥିଲେ ସୁଦ୍ଧା ଆପଣ କେଡ଼େ ମହତ୍‌, ବୁଦ୍ଧିମାନ୍‍ ଓ ଦୂରଦ୍ରଷ୍ଟା ତାହା ବୁଝିଲି ସେହିଦିନ, ଯେଉଁଦିନ ଖବରକାଗଜରେ ପଢ଼ିଲି–‘ଦଳେ ଲୋକ ଧରାପଡ଼ିଛନ୍ତି–ପିଲା ବିକିବା ଓ ସ୍ତ୍ରୀ କ୍ରୟବିକ୍ରୟ କରିବା ଅପରାଧରେ ଏବଂ ସେହି ଦଳର ସେ ଜଣେ ।’

 

ପ୍ରକୃତରେ ଆପଣ ଯଦି ମୋ ଭ୍ରାନ୍ତ ଗତିପଥରେ ବାଧା ଦେଇ ନ ଥାନ୍ତେ, ତାହା ହେଲେ ମୋର ଯେ ଆଜି କ’ଣ ହୋଇଥାନ୍ତା–ଭାବିଲା ବେଳକୁ ମୁଣ୍ଡ ଘୂରିଯାଉଛି । ଆପଣ ସେତେବେଳେ ଯାହା କହିଥିଲେ –ତା’ର ସତ୍ୟତା ପୂରାପୂରି ଉପଲବ୍‌ଧି କଲି । ମୁଁ କେଡ଼େ ନୀଚ ! ମୁଁ ଆପଣଙ୍କୁ କେଡ଼େ ନୀଚ ବୋଲି ଭାବିଥିଲି । ମୋ ସୁଖ ସଂସାରକୁ କିପରିଭାବରେ ଆପଣ ଚୂନା କରିବାକୁ ଲାଗିଛନ୍ତ ବୋଲି ଭାବୁଥିଲି; କିନ୍ତୁ ପରେ ବୁଝିଲି ତାହା ସୁଖର ସଂସାରପାଇଁ ନୁହେଁ, ବରଂ ଘୋର ନରକଯନ୍ତ୍ରଣା ଆଡ଼କୁ ମୁଁ ଟାଣିହାଇ ଯାଉଥିଲି । କିନ୍ତୁ ଆପଣଙ୍କ ଦୃଢ଼ ଗମ୍ଭୀର ମୁହଁ ମୋ ସାମନାକୁ ଚାଲିଆସେ ଓ ସଙ୍ଗେ ସଙ୍ଗେ ମୋ ସାହସ ଉଭେଇଯାଏ, ମୋର ଛାତି ଥରିଉଠେ । ଭାବେ, ଏଡ଼େ ମହାନ୍‌ ବ୍ୟକ୍ତିଙ୍କୁ କ’ଣ ବୋଲି ଲେଖିବି ? କ୍ଷମା ପାଇବାପାଇଁ ମୋର କି ଅଧିକାର ଅଛି ? କୃତଜ୍ଞତା ବ୍ୟକ୍ତ କରିବାପାଇଁ ମୋ ପାଖରେ ଭାଷା ନାହିଁ ?

 

ସବୁବେଳେ ମନରେ ଦୁଃଖ ଯେ, ଯଦି ମୁଁ ଆପଣଙ୍କଠାରୁ କ୍ଷମା ନ ପାଏ, ତାହା ହେଲେ ଭଗବାନ୍‌ ମଧ୍ୟ ମୋର ପାପରୁ ମୋତେ ଉଦ୍ଧାର କରିପାରିବେ ନାହିଁ । ପୂର୍ବଜନ୍ମର ପୁଣ୍ୟବଳରେ ହେଉ ବା ମୋ ଭାଗ୍ୟର ପରିବର୍ତ୍ତନ ସମୟଯୋଗୁଁ ହେଉ, ଭଗବାନ୍‌ କିନ୍ତୁ ଆପଣଙ୍କ ଜରିଆରେ ମୋତେ ସତ୍‌ପ୍ରେରଣା ଦେଲେ । ମୋ ଜୀବନ ରୀକ୍ଷା ପାଇଲା ।

 

ତ’ପରେ ମନେ ମନେ ସାହସ ବାନ୍ଧେ, ମନ ଟାଣ କରେ ଆପଣଙ୍କୁ ଚିଠି ଲେଖି କ୍ଷମା ମାଗିବାପାଇଁ, କୃତଜ୍ଞତାଜ୍ଞାପନ କରିବାପାଇଁ । ଦିନପରେ ଦିନ, ମାସପରେ ମାସ, ବର୍ଷ ପରେ ବର୍ଷ ଗଡ଼ିଚାଲେ; କିନ୍ତୁ ସାହସ ବାନ୍ଧିପାରେ ନାହିଁ । ହୁଏତ ଆପଣ ଏ ଘଟଣକୁ ଭୁଲି ଯାଇଥିବେ–ତା’ ମଧ୍ୟ ସ୍ୱାଭାବିକ । କାରଣ, ଆପଣଙ୍କ କର୍ମମୟ ଓ ପରୋପକାରୀ ଜୀବନରେ ଏଇଟା ଗୋଟାଏ ଦୁର୍ଘଟଣା ହୋଇପାରେ; ମାତ୍ର ମୋପାଇଁ ତାହା ନୁହେଁ । ଆଜି ଏଇ ଆନନ୍ଦ । ନାତି–ନାତୁଣୀ, ଝିଅ–ଜ୍ୱାଇଁ, ପୁଅ-ବୋହୂଙ୍କ ସ୍ନେହ ଶ୍ରଦ୍ଧା, ଭକ୍ତି ବୟସର ପ୍ରୌଢ଼ତ୍ୱ ମୋତେ ସାହସିନୀ କରିଛି–ମୋର ପାପର ପ୍ରାୟଶ୍ଚିତପାଇଁ । ଭଗବାନ୍‌ ମୋ ମନର ସମସ୍ତ ବାସନା ପୂର୍ଣ୍ଣ କରିଛନ୍ତି, ଏହି ଗୋଟାଏ ବାସନା କାହିଁକି ଅପୂର୍ଣ୍ଣ ରଖନ୍ତେ; ତେଣୁ ଆଜି ସାହସ ବାନ୍ଧି ଏ ଚିଠି ଲେଖିପାରୁଛି । ମୋର ଆଶା;ନିଶ୍ଚୟ ଆପଣ ମୋତେ କ୍ଷମା କରିବେ । ଏତେସବୁ ଆପଣଙ୍କୁ ଲେଖିଲି ; କିନ୍ତୁ ମୋର ମାତୃତୁଲ୍ୟ ଖୁଡ଼ୀଙ୍କପାଇଁ ତ କିଛି ଲେଖିଲି ନାହିଁ ? ମୋ ଉଦ୍ଧାରରେ ତାଙ୍କର ତ ଭୂମିକା କିଛି କମ୍‌ ନୁହେଁ । ପ୍ରକୃତରେ ଆପଣଙ୍କର ଯଥାର୍ଥ ସହଧର୍ମ୍ମିଣୀ ସେ । ସେ ଯେଉଁ ଆଶ୍ୱାସନା ଦେଇଛନ୍ତି, ସ୍ନେହ-ଶ୍ରଦ୍ଧା ଦେଖାଇଛନ୍ତି, ତା’ ତ କିଛି କମ୍‌ ନୁହେଁ ! ଆପଣ ଜାଣିଥିବେ ଖୁଡ଼ୀ ଓ ମୁଁ ପ୍ରାୟ ସମବୟସ୍କା, ବୋଧ ହୁଏ ସେ ମୋଠୁ ପ୍ରାୟ ଦୁଇବର୍ଷ ବଡ଼ ହୋଇପାରନ୍ତି । ଗୋଟାଏ ଗାଁରେ ଏକା ସ୍କୁଲରେ ପାଠ ପଢ଼ିଛୁଁ, କେତେ ଖେଳିଛୁଁ । ଭାଗ୍ୟକୁ ସେ ଆପଣଙ୍କୁ ବାହା ହୋଇ ମୋର ଖୁଡ଼ୀ ହେଲେ ସିନା, ପ୍ରକୃତରେ ସେ ଥିଲେ ମୋର ସଙ୍ଗିନୀ, ସ୍କୁଲ ଛାଡ଼ିଲାପରେ ଆଉ ବିଶେଷ ସମ୍ପର୍କ ନଥାଏ । ସେ ବଡ଼ ଲୋକ ଘର ବୋହୂ ହେଲ, ମୁଁ ଜଣେ ସାମାନ୍ୟ ଚାକିରୀଜୀବୀ ଘର ବୋହୂ । ଆକାଶ ପାତାଳ ପ୍ରଭେଦ; କିନ୍ତୁ ସେ ବାଲ୍ୟସଙ୍ଗିନୀ ଅନୁରୂପ ବ୍ୟବହାର ନ କରି ପ୍ରକୃତରେ ଯେ ମୋ ମା’ପରି ହେବେ ଏବଂ ମୋର ଉଦ୍ଧାରପାଇଁ ଆପଣଙ୍କୁ ଏତେ ସହାଯ୍ୟ କରିବେ, ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ମୋର ଭୟ ଥାଏ–ସେ ମୋତେ ଘୃଣା କରିବେ-। ଭାବିଥିଲି, ସଙ୍ଗିନୀ ବୋଲି ତ ସେ କେବଳ ମର୍ମାହତ ହେବେ ନାହିଁ, ଭର୍ତ୍ସନା କରି ମୋତେ ଆହୁରି ତଳକୁ ଠେଲିଦେବେ; କିନ୍ତୁ ପ୍ରକୃତରେ ସେ ଦେବୀ ! ମୋତେ ତଳକୁ ଠେଲି ନ ଦେଇ, ହାତ ଧରି ଉପରକୁ ଉଠାଇଲେ । ଅବାଟରୁ ବାଟକୁ ଆଣି ସାନ୍ତ୍ୱନା ଦେଇ କେତେ ଯେ’ ବୁଝାଇଲେ, ସେ ଏସବୁ ମୋତେ ଉପହାସ କରିବାପାଇଁ କରୁଛନ୍ତି ବୋଲି ସେତେବେଳେ ମୁଁ ଭାବୁଥିଲି । କିନ୍ତୁ ବର୍ତ୍ତମାନ ବୁଝୁଛି, ସେ କେଡ଼େ ଉଦାର, କେଡ଼େ ମହାନ୍‌ ! ତାଙ୍କଠାରେ ମଧ୍ୟ ମୋର କ୍ଷମାଭିକ୍ଷା କରିବା ଦରକାର, କୃତଜ୍ଞତା ଜ୍ଞାପନ କରିବା ବିଧେୟ । ଆପଣ ଦୁହେଁ ଆଦର୍ଶ ଦାମ୍ପତ୍ୟ ଜୀବନର ଚରମ ସାର୍ଥକତା ପ୍ରତିପାଦନ କରିଅଛନ୍ତି ।

 

ଖୁଡ଼ୀଙ୍କୁ ମୋର ନମସ୍କାର, ଆଶାକରେ ଭାଇ-ଭଉଣୀମାନେ ନିଶ୍ଚୟ ଭଲରେ ଥିବେ । ଚିଠିପାଇଁ ଅପେକ୍ଷାରେ ରହିଲି; ଦୟାକରି ଚିଠି ଦେବେ । ଆପଣଙ୍କ ଚିଠି ନ ପାଇବା ଯାଏ ମନରେ ଶାନ୍ତି ପାଇ ପାରିବି ନାହିଁ । ଇତି ।

 

ଆପଣଙ୍କର

‘ଆଶା’

 

ଦୀନେଶବାବୁ ଏ ଦୀର୍ଘ ପତ୍ରଟି ପଢ଼ିସାରି ଟିକିଏ ଗମ୍ଭୀର ହୋଇ ଭାବିବାକୁ ଲାଗିଲେ । ତା’ପରେ ଢାକିଲେ–‘‘ହଇହେ କୁନିମା, କୁନିମା, ଏଇ ନିଅ ଚିଠି ।’’ କୁନିମା ଆସି ପଚାରିଲେ, ‘‘କାହା ଚିଠି ?’’ ସେ କହିଲେ, ‘‘ସେହି ପାଗଳୀର ।’’ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ବାହାରକୁ ଚାଲିଗଲେ । ପୂର୍ବ ସ୍ମୃତି ଫେରିଆସିଛି; ମନେ ମନେ ଭାବୁଥାନ୍ତି ସେ ଯାହା କରିଥିଲେ ତାହା ଯୌବନର ଉଚ୍ଛୃଙ୍ଖଳତା ଓ ଦାମ୍ଭିକତା ଯୋଗୁଁ, ନା, ପ୍ରକୃତ ସୌଜନ୍ୟ ସୌହାର୍ଦ୍ୟ ଯୋଗୁଁ !

 

କୁନିମା ଚିଠି ପଢ଼ିଲେ । ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି ଚୁପ୍‌ ହୋ ବସିରହିଲେ । ମନରେ ଜାଗିଉଠିଲା ସେଦିନ କଥା ।

Image

 

ଦୁଇ

 

ଭାରତର ସୁଦୂର ପଶ୍ଚିମାନ୍ତ; ଗୁଜୁରାତର କଚ୍ଛ ଜିଲାର ଗୋଟିଏ ଗାଁ ଗୋପାଳପୁର । ତହିଁରେ ଗୋଟାଏ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଆଶାର ଜନ୍ମ । ବାପା ମାଙ୍କର ଗୋଟିଏ ବୋଲି ଝିଅ । ପିଲାଦିନୁ ଅତି ସ୍ନେହରେ ଲାଳିତାପାଳିତା । କାକା, ବାପା ଅଲଗା ହୋଇ ସାରିଥାନ୍ତି । ଆଶା ବାପାଙ୍କର କିଛି ଜମି ଥାଏ । ତା’ପରେ ସେ ତାଙ୍କ ଗାଁରେ ଆୟୁର୍ବେଦିକ ଚିକିତ୍ସା ଆଦିକରି ବେଶ୍‌ ସୁଖର ସଂସାର ଚଳାଇ ନେଉଥିଲେ । ହାତଯଶ ଥାଏ । କବିରାଜ ହିସାବରେ ଆଖପାଖ ଗାଁଗୁଡ଼ିକରେ ନାମ ଥାଏ । ଆଶା ତାଙ୍କର ଏକମାତ୍ର ସନ୍ତତି ହୋଇଥିବାରୁ, ତା’ର କୌଣସି ଇଚ୍ଛା ଅପୂର୍ଣ୍ଣ ରହେନା । ଘରେ ସ୍ତ୍ରୀ ମଧ୍ୟ ଅତି ସୁଗୁଣ ସମ୍ପନ୍ନା । ଆଶା ହେଉଛି, ସେ ଦୁହିଁଙ୍କର ନୟନପିତୁଳା ।

 

ଉମାବାବୁ ଘରକୁ ଆସିଲାବେଳକୁ, ଆଶାପାଇଁ ନିଶ୍ଚୟ କିଛି ନା କିଛି ଆଣନ୍ତି, ଖେଳନା ହେଉ ବା ଖାଇବା ଜିନିଷ ହେଉ । ଭାଇମାନଙ୍କ ସହିତ ତାଙ୍କର ଭଲ ପଡ଼ୁ ନଥାଏ, କାରଣ ସେ ତାଙ୍କ ସଂସାର ବେଶ୍‌ ତୁଲାଇ ନେଇ ସୁଖରେ ଦିନ କାଟୁଥିଲେ ।

 

ଆଶା ୫ବର୍ଷର ହେଲାବେଳକୁ ତାକୁ ଗାଁ ଚାଟଶାଳୀକୁ ପଠାଇ ଦିଆଗଲା । କବିରାଜଙ୍କ ଝିଅ । ଲୋକେ ମାନନ୍ତି । ତେଣୁ ଶିକ୍ଷକମାନେ ଆଶା ପ୍ରତି ଅତି ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତି । ଆଶା ମଧ୍ୟ ବେଶ୍‌ ବିଚକ୍ଷଣା; ରୂପରେ ଯେପରି ସୁନ୍ଦର, ଗୁଣରେ ମଧ୍ୟ ସେହିପରି । ଶିକ୍ଷକମାନଙ୍କ ସହାନୁଭୂତି ପାଇବା ସ୍ୱାଭାବିକ । ସାଙ୍ଗମାନଙ୍କ ସହିତ ଖେଳାଖେଳି କରି ବେଶ୍‌ ଦିନ କଠିଯାଏ ।

 

ଘରେ ବାପା ମା ଏବଂ ତା’ ମାର ମା ଆଈ । ରାତିରେ ଆଈ ତାକୁ ଗପ କହି ଶୁଣାନ୍ତି । ଆଶାକୁ କେତେ ସ୍ନେହ କରନ୍ତି, କାରଣ ଆଶାର ମା କାଶୀ ତାଙ୍କର ଏକମାତ୍ର ଝିଅ ଓ ବରାବର ସେ ତାଙ୍କରି ସାଥିରେ ରହନ୍ତି ।

 

ସୁଖ ପରେ ଦୁଃଖ ଲାଗି ରହିଛି । ସୁଖର ସଂସାରକୁ ମନୁଷ୍ୟ କ’ଣ, ଦେବତାମାନେ ମଧ୍ୟ ସହିପାରନ୍ତି ନାହିଁ । ଆଶାକୁ ୯ ବର୍ଷ ହେଲାବେଳକୁ ତା’ ମା ଇହଧାମ ତ୍ୟାଗ କଲେ । ତା’ର ସମସ୍ତ ଭାର ପଡ଼ିଲା ଆଈମା’ ଉପରେ । ବାପା ଉମାବାବୁ ସବୁବେଳେ ପ୍ରାୟ ବାହାରେ । ଘରକୁ କେବଳ ଖାଇବା ଶୋଇବା ପାଇ ଆସନ୍ତି । ସମୟ ସମୟରେ ଅଥବା ଛୁଟିଦିନମାନଙ୍କରେ ଆଶାକୁ ସାଙ୍ଗରେ ନେଇ ବୁଲନ୍ତି । ଘର ସହିତ ତାଙ୍କର ଏକମାତ୍ର ସଂପର୍କ ହେଲା ଆଶା । କାଶୀ ମଲାପରେ, ଆଶା ଆହୁରି ସ୍ନେହ ପାଇଲା ବାପାଙ୍କଠୁ । ଆଶାର ବୟସ ୧୨।୧୩ ହେଲା । ଉମାବାବୁଙ୍କ ଚିନ୍ତା ଆରମ୍ଭ ହେଲା–ତା’ପାଇଁ ଗୋଟିଏ ସୁଯୋଗ୍ୟ ପାତ୍ର ଓ ଘର ଠିକ୍‌ କରିବା ଲାଗି-। ଉମାବାବୁ ଆଶାର ଆଈମା’ଙ୍କୁ ଏ ବିଷୟରେ ଦିନେ କହିଲେ, ‘‘ଆଶା ବଡ଼ ହେଲାଣି, ତା’ପାଇଁ ଗୋଟାଏ କିଛି ବ୍ୟବସ୍ଥା କରି ପାରିଲେ ଭଲ ହୁଅନ୍ତା ।’’ ତା’ପରେ ଖୋଜାଖୋଜି ଚାଲିଲା-। ଏଆଡ଼େ ଆଶା ଗାଁ ସ୍କୁଲରେ ମାଇନର୍‌ ପାସ୍‌ କରି ପଢ଼ା ଛାଡ଼ି ଘରକରଣା ଶିଖିବାରେ ଲାଗିଲା । ଆଈକୁ ସାହାଯ୍ୟ କରେ ରନ୍ଧାବଢ଼ା କରେ ।

 

କନକପୁରର ରେଭିନ୍ୟୁ ଇନ୍‌ସପେକ୍ଟର ଚୈତନ୍ୟବାବୁଙ୍କ ପୁଅ ଅସିତ । ମେଟ୍ରିକ୍‌ ପାସ୍‌କରି ସେହିବର୍ଷ ଚାକିରୀ ବାକିରୀ ଯୋଗାଡ଼ରେ ଲାଗିଥାଏ । ପିଲାଟି ବେଶ୍‌ ବୁଦ୍ଧିମାନ, ବିନୟୀ ଓ ସୁନ୍ଦର । ଉମାବାବୁ ପିଲାକୁ ଦେଖିବାପାଇଁ ଗଲେ । ପିଲା ମନକୁ ପାଇଲା । ଚୈତନ୍ୟବାବୁଙ୍କ ସଙ୍ଗରେ କଥାବାର୍ତ୍ତା ପକ୍‌କା ହେଲା । ଚୈତନ୍ୟବାବୁ ତାଙ୍କ କାମ ନେଇ ଗୋପାଳପୁରକୁ ଅନେକ ଥର ଆସି ଆଶାକୁ ଦେଖିଥାନ୍ତି ଓ ଉମାବାବୁଙ୍କ ସହିତ ତାଙ୍କର ବେଶ୍‌ ସଦ୍‌ଭାବ ଥାଏ । ଦୁଇବର୍ଷ ପରେ ବିବାହ ହେବା ସ୍ଥିର ହେଲା, କାରଣ ଚୈତନ୍ୟବାବୁ ବା ଉମାବାବୁ ବାଲ୍ୟବିବାହ ପ୍ରଥାକୁ ପସନ୍ଦ କରୁନଥିଲେ ।

 

ଅସିତ ଚୈତନ୍ୟବାବୁଙ୍କ ପ୍ରଥମ ସ୍ତ୍ରୀର ପୁଅ । ବର୍ତ୍ତମାନ ଚୈତନ୍ୟବାବୁଙ୍କ ଦ୍ୱିତୀୟପକ୍ଷ । ସାଧାରଣତଃ ଦ୍ୱିତୀୟପକ୍ଷ ପ୍ରାୟ ଉଗ୍ର ପ୍ରକୃତିର ହୁଅନ୍ତି । ଚୈତନ୍ୟବାବୁଙ୍କୁ ମଧ୍ୟ ସେହି ଉଗ୍ରମୂର୍ତ୍ତିର ମନଧରି ଚଳିବାକୁ ହୁଏ । ତେଣୁ ଅସିତକୁ ଆଉ ଆଗକୁ ନ ପଢ଼ାଇ ଚାକିରୀ ଖୋଜିବାପାଇଁ ନିର୍ଦ୍ଦେଶ ଦେଲେ । ଅସିତ ପ୍ରତି ତାଙ୍କର ଯଥେଷ୍ଟ ସ୍ନେହ ଥିଲେ ସୁଦ୍ଧା ସେ ତାହା ପ୍ରକାଶ କରିବାକୁ ସାହସ କରୁନଥିଲେ । ଘରେ ସବୁବେଳେ ତାଙ୍କ ସ୍ତ୍ରୀ ଲଗାଇଥାନ୍ତି–‘‘ଏଡ଼େ ବଡ଼ ହେଲାଣି, ବସି ବସି ଖାଉଛି, କିଛି କାମ କରୁନାହିଁ ।’’ ଏହି ଧରଣର କେତେ କଥା । ତହିଁରୁ ରକ୍ଷା ପାଇବାପାଇଁ ଚୈତନ୍ୟବାବୁ ଅସିତର ଚାକିରୀ ଓ ବାହାପାଇଁ ବ୍ୟଗ୍ର ।

 

କାଶୀ ମଲା ପରଠାରୁ ଉମାବାବୁ ସାଂସରିକ ଜୀବନ ପ୍ରତି ବୀତସ୍ପୃହ ହୋଇଉଠିଲେ । ଚିନ୍ତାକଲେ, ଖାଲି ଆଶାର ହାତକୁ ଦି ହାତ ହୋଇଗଲେ ସେ ବାନପ୍ରସ୍ଥ କରନ୍ତେ । ସାଂସାରିକ ବିଷୟରେ ମନ ଆଉ ଲାଗୁ ନଥାଏ । ତେଣୁ ସେସବୁବେଳେ ହଜିଲା ହଜିଲା ପରି ମନଧରି ବୁଲୁଥାନ୍ତି । କେବଳ ସଂସାର ଭିତରକୁ ଆଶା ତାଙ୍କୁ ଟାଣି ଧରିଥାଏ । ସେ ମନେ ମନେ ଭାବୁଥାନ୍ତି–ଆଶାର ବିବାହ କୌଣସି ସୁଯୋଗ୍ୟ ପାତ୍ର ସଙ୍ଗରେ ହୋଇଗଲେ, ସେ ସଂସାରାଛାଡ଼ି କିଛି ତୀର୍ଥ ଆଦି କରି ଭଗବତ୍‌ ସେବାରେ ଦିନ କଟାନ୍ତେ । ତେଣୁ ସେସବୁବେଳେ ଆଶାର ବିବାହପାଇଁ ଏତେ ବ୍ୟଗ୍ର ।

 

ଅସିତ ଗୋଟାଏ ବାଣିଜ୍ୟ ଅନୁଷ୍ଠାନରେ ଏସିଷ୍ଟେଣ୍ଟ ଏକାଉଣ୍ଟେଣ୍ଟ ଚାକରୀ ପାଇଲେ । ମାସକୁ ଏକଶତ ଟଙ୍କା ବେତନ । ଦୁଇବର୍ଷ ମଧ୍ୟରେ ସେ ଏକାଉଣ୍ଟେଣ୍ଟ ହେଲେ । ତାଙ୍କର ବିବାହ ଆଶା ସହିତ ଅତି ସମାରୋହରେ ସମାହିତ ହେଲା । ଆଶା ଓ ଅସିତଙ୍କ ବିବାହରେ ସମସ୍ତେ ସନ୍ତୁଷ୍ଟ ଥାନ୍ତି । କାରଣ, ଆଶା ଯେପରି ସୁନ୍ଦରୀ ଓ ବୁଦ୍ଧିମତୀ, ଅସିତ ଠିକ୍‌ ସେହିପରି ସୁନ୍ଦର ଓ ବୁଦ୍ଧିମାନ୍‌ । ଏହା କେବଳ ଅସିତଙ୍କ ସାବତମା’ଙ୍କ ପସନ୍ଦ ହେଲା ନାହିଁ । ପୁଅ ବୋହୂଙ୍କ ପ୍ରଶଂସା ତାଙ୍କୁ ବଡ଼ ମର୍ମାହତ କଲା । ତା’ପରେ ନିଜର କୌଣସି ସନ୍ତାନ ନ ଥିବାରୁ ଈର୍ଷା ଆହୁରି ବଢ଼ିଲା ।

 

ଆଶାକୁ ବାହା ଦେବା ପରେ ଜମି ଭାଗ ଲଗାଇ ଆଶାର ଆଈଙ୍କ ବ୍ୟବସ୍ଥା କରି ଉମାବାବୁ ବାହାରିପଡ଼ିଲେ, ତୀର୍ଥପର୍ଯ୍ୟଟନ ଉଦ୍ଦେଶ୍ୟରେ । ଆଶା ତ ମା’ଙ୍କୁ ହରେଇଥାଏ, ବର୍ତ୍ତମାନ ବାପାଙ୍କୁ ମଧ୍ୟ ହରାଇଲା ।

 

ଅସିତବାବୁ ଓ ଆଶା ମଧ୍ୟରେ ବେଶ୍‌‌ ସଂସାର ଚଳିଥାଏ । ଆଶା ଯେତେବେଳେ ତା’ ମା ବାପାଙ୍କୁ ମନେପକାଇ କାନ୍ଦେ, ଅସିତ ତାକୁ ଆଶ୍ୱାସନା ଦିଅନ୍ତି । ଅସିତ ଓ ଆଶାର ଏହି ପ୍ରେମ ସାବତ ମା’ଙ୍କର ଅସହ୍ୟ ହୁଏ । ଧୀରେ ଧୀରେ ସେ ସୁବିଧା ସମୟ ଉଣ୍ଡି ଆଶା ପ୍ରତି ଖରାପ ବ୍ୟବହାର ଆରମ୍ଭ କଲେ । ଆଶା ପ୍ରଥମେ ପ୍ରଥମେ ସବୁ ସହି ଯାଉଥାଏ; କିନ୍ତୁ ପରେ ସେ ମଧ୍ୟ ତାଙ୍କୁ ଉତ୍ତର ଦେବା ଆରମ୍ଭ କଲା । ଅସିତ ସବୁ ଦେଖି ବୁଝି ଆଶାକୁ ସମର୍ଥନ କରନ୍ତି । କାରଣ ସେ ବେଶ୍‌ ବୁଝି ପାରିଥିଲେ– ସାବତ ମା’ଙ୍କ ପ୍ରକୃତି, ଈର୍ଷାଜନିତ ଅସଦ୍‌ ବ୍ୟବହାର ।

 

ଦିନପରେ ଦିନ ସାଂସାରିକ ସଂଘର୍ଷ ବଢ଼ିବାରେ ଲାଗିଲା । ନିଆଁ କୁହୁଳି କୁହୁଳି ଉଠିଲା-। ପଡ଼ୋଶୀମାନେ ପକ୍ଷପାତ ନେବା ଆରମ୍ଭ ହେଲା । ଅସିତ କିନ୍ତୁ ତୁନି ହୋଇ ରହିଥାନ୍ତି, କାହାକୁ କିଛି କହନ୍ତି ନାହିଁ । ଦିନେ ଆଶା ରନ୍ଧାବଢ଼ା କଲାବେଳକୁ କାଚ ବାସନଟିଏ ଭାଙ୍ଗିଗଲା । ଶାଶୁ ତାକୁ ଅକଥ୍ୟ ଭାଷାରେ ଗାଳିଦେବାରୁ ସେ କାନ୍ଦିଲା, ରନ୍ଧାବଢ଼ା ବନ୍ଦ । ଅସିତ ଘରକୁ ଆସି ଦେଖିଲେ ଯେ, ଘର ଶୂନ୍‌ଶାନ୍‌ । ଆଶାକୁ ଡାକିଲେ, ଆଶା ଥାଏ ତା’ କୋଠରୀରେ । ମା’ଙ୍କୁ ଖୋଜିଲେ, ମା’ ତାଙ୍କ ବଖରାରେ । ଘର ଖାଲି ପଡ଼ିଛି, ରନ୍ଧା ଘର ମଧ୍ୟ ସେହିପରି ଖାଲି ।

 

ଆଶାକୁ ପଚାରିଲେ–‘‘କଥା କ’ଣ ?’’ ଆଶା କାନ୍ଦି କାନ୍ଦି କହିଲା–‘‘ବାପା ଘରେ କେହି ନାହାନ୍ତି, ନ ହେଲେ ମୁଁ ସେଠାକୁ ଚାଲି ଯାଆନ୍ତି, ଏଠାରେ କ୍ଷଣେ ସୁଦ୍ଧା ରହିବା ଅସମ୍ଭବ ।’’ ଚୈତନ୍ୟବାବୁ ମଫସଲରୁ ଫେରି, ଖୋଜାଖୋଜି କରି ସ୍ତ୍ରୀଙ୍କୁ ଭେଟିଲେ । ତାଙ୍କ ସ୍ତ୍ରୀ ବାଘୁଣୀ ପରି ଗର୍ଜ୍ଜନ କରି କହିଲେ, ‘‘ଏ ଦୁଇଜଣ ଯଦି ଏ ଘରେ ରହିବେ, ମୁଁ ଦଉଡ଼ି ଲଗାଇଦେବି । ତାଙ୍କୁ ଘରୁ ବାହାର କର ।’’ ଚୈତନ୍ୟବାବୁ ବହୁତ ବୁଝାସୁଝା କଲେ; କିନ୍ତୁ ଫଳ କିଛି ହେଲାନାହିଁ । ଭାରି ଶାନ୍ତି ଲୋକ ସେ । ଦେଖିଲେ ଆଉ ଉପାୟ ନାହିଁ । ସ୍ତ୍ରୀଙ୍କୁ କହିଲେ–‘‘ହେଉ ହେଉ ଯାହା ହେବାର ତ ହେଲା, ନିଶ୍ଚୟ କିଛି ଗୋଟାଏ ବ୍ୟବସ୍ଥା କରିବା । ଏପରି ଅଶାନ୍ତିରେ କ’ଣ ଚଳିହେବ ? କାଲି ସକାଳୁ ଅସିତ ସହିତ କଥାବାର୍ତ୍ତା କରି କିଛି ଗୋଟାଏ ନିଷ୍ପତ୍ତି କରିବି ।’’ ରାତିରେ ସମସ୍ତେ ଭୋକ ଉପାସରେ ଶୋଇଲେ । ସକାଳୁ ଉଠି ଚୈତନ୍ୟବାବୁ ଅସିତକୁ ବୈଠକ ଘରକୁ ଡାକି କହିଲେ, ‘‘ଆରେ ଅସିତ ! ଏପରି ଅଶାନ୍ତି କେତେଦିନ ଚାଲିବ ? କ’ଣ କରିବା କହିଲୁ ? ତୋ ମା କହୁଛି–ଦଉଡ଼ି ଲଗାଇ ମରିବ । ଅବଶ୍ୟ ସତରେ କ’ଣ ସେ ଦଉଡ଼ି ଲଗାଇବ ? ଯେ ଲଗାଏ, ସେ କାହାରି ଅନୁମତିପାଇଁ ଅପେକ୍ଷା କରେନା । ତଥାପି କିଛି ଗୋଟାଏ ବାଟ ସ୍ଥିର କରିବା କଥା । ଏପରି ଅଶାନ୍ତି ଆଉ ଭଲ ଲାଗୁନାହିଁ । ଏସବୁ କେବଳ ଭଗାରୀହସା ହେବା କଥା ସିନା ।’’

 

ଅସିତ ବାପାଙ୍କର ନିଃସହାୟ ଅବସ୍ଥା କଥା ଭଲଭାବରେ ବୁଝି ପାରୁଥାଏ । ସେ କହିଲା, ‘‘ବାପା, ଆପଣ ଯାହା କହୁଛନ୍ତି, ତାହା ଠିକ୍‌ । ଏପରି ଭାବରେ ଚଳିବା କଷ୍ଟକର । ଯଦି କିଛି ନ ଭାବିବେ ଗୋଟାଏ କଥା କହିବି ।’’

 

‘‘କହୁନୁ’’ ଚୈତନ୍ୟବାବୁ କହିଲେ ।

 

‘‘ମୋର ଜଣେ ସାଙ୍ଗ, ଓଡ଼ିଶାର ସମ୍ବଲପୁରରେ ଚାକିରୀ କରେ, ତାକୁ ମୁଁ ଚିଠି ଦେଇ କିଛି ଗୋଟାଏ ଚାକିରୀ ବ୍ୟବସ୍ଥା ହୋଇ ପାରିବ କି ବୋଲି ପଚାରିଥିଲି, ତା’ ଚିଠି କାଲି ପାଇଛି । ସେ ଲେଖିଛି, ଗୋଟାଏ ଦୋକାନରେ ମୁନିମ୍‌ କାମ ଖାଲି ଅଛି । ଶହେ ପଚାଶ ଟଙ୍କା ଦରମା, ଆପଣ ଯଦି ଅନୁମତି ଦିଅନ୍ତି, ତାହାହେଲେ ଆମେ ସେଠାକୁ ଚାଲିଯାନ୍ତୁ । ପାଖରେ ଥିବା ଯାଏ ଶାନ୍ତି ମିଳିବ ନାହିଁ ।’’

 

ଚୈତନ୍ୟବାବୁ କିଛି ସମୟ ଚୁପ୍‌ କରି ରହିଲେ, ‘‘ଆରେ ଅସିତ, ଏତେ ଦୂରକୁ ଚାଲିଯିବ ! ସେଠାରେ ତୋର ବନ୍ଧୁଜଣକ ବ୍ୟତୀତ ଜଣାଶୁଣା ଆଉ କିଏ ଅଛି ? ତା’ପରେ ସେ ଆଜି ଅଛି ତ କାଲି ଅନ୍ୟ କୁଆଡ଼େ ଚାଲି ଯାଇପାରେ । ପୁଣି ତୁ ସେ ଅଞ୍ଚଳର ଭାଷା ଜାଣି ନାହୁଁ । ଗତି ରୀତି ଅଜଣା, କେମିତି ଚଳିବ ? ଗୋଟାଏ ସମାଜ ଛାଡ଼ି, ଅନ୍ୟ ଗୋଟାଏ ନୂତନ ସମାଜରେ ମିଶି ଚଳିପାରିବ ତ ?’’

 

ଅସିତ କହିଲା–‘‘କାହିଁକି ନ ଚଳିବୁ ? ହୁଏ ତ ପ୍ରଥମେ ପ୍ରଥମେ କିଛି ଅସୁବିଧା ହେବ । ପରେ ସବୁ ଠିକ୍‌ ହୋଇଯିବ ନାହିଁ ? ଆଜିକାଲି ଆଉ ଆଗ କଥା ଅଛି କି ? ଭାଷା ଗୋଟାଏ ବଡ଼ ସମସ୍ୟା ନୁହେଁ । ଭାଷା ଅତି ଅଳ୍ପ ସମୟ ମଧ୍ୟରେ ଶିଖାଯାଇପାରେ । ତା’ପରେ ଗତି ରୀତି କଥାରେ ଅଛି କ’ଣ ? ଦେଖୁଛ ତ, ଭାରତର ଲୋକେ ବିଲାତ–ଆମେରିକା ଯାଇ ବିଦେଶୀୟ ସମାଜରେ ମଧ୍ୟ ଚଳିପାରୁଛନ୍ତି । ଆଉ ଆମେ କ’ଣ ଭାରତର ଗୋଟିଏ, ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇ ଚଳିପାରିବୁ ନାହିଁ ?’’

 

ଚୈତନ୍ୟବାବୁ କହିଲେ–‘‘କଥାରେ ଓ ତର୍କରେ ସବୁ ସତ; କିନ୍ତୁ ତୁମେ ସେହି ସମାଜରେ ଜଣେ ହୋଇ ଚଳିପାରିବ ତ ? ସେ ସମାଜର ସଂସ୍କାର, ସେଠାର ଚାଲିଚଳନ, ମୂଲ୍ୟବୋଧ, ଆଚାର ବ୍ୟବହାର ଓ ଆଶା-ଆକାଙ୍‌କ୍ଷା ସହିତ ନିଜକୁ ମିଶାଇ ଦେଇ ପାରିବ ତ ?’’

 

ଅସିତ କହିଲା, ‘‘ନ ପାରିବୁଁ କାହିଁକି ? ସେଠି ତ ପୁଣି ଅନେକ ମାରଓ୍ୟାଡ଼ି, ଗୁଜୁରାଟୀ ଅଛନ୍ତି ?’’

 

ଚୈତନ୍ୟବାବୁ କହିଲେ–‘‘ହଁ ଅଛନ୍ତି; ମୁଁ ଜାଣେ, କିନ୍ତୁ ସେମାନେ ଯେପରି ଭାବରେ ଅଛନ୍ତି, ସେପରି ତୁମେ ଚଳିପାରିବ ନାହିଁ । ସେମାନେ ଅଛନ୍ତି କେବଳ ବ୍ୟବସାୟ ସ୍ୱାର୍ଥପାଇଁ । ସେ ସମାଜର ସୁଖ ଦୁଃଖ, ଆଶା–ଆକାଙ୍‌କ୍ଷାର ସଙ୍ଗୀ ନୁହନ୍ତି । ପକ୍ଷୀଯେପରି ଖାଦ୍ୟର ଯୋଗାଡ଼ କରିବାକୁ ଯାଇ କୌଣସି ବଗିଚାକୁ ଯାଏ, ଖାଦ୍ୟ ଯୋଗାଡ଼ ସରିଗଲେ, ପୁଣି ଉଡ଼ି ଚାଲିଆସେ, ସେହିପରି ସେମାନେ ଅଛନ୍ତି, ତାଙ୍କର ବ୍ୟବସାୟ ହିଁ ସବୁ । ତାଙ୍କର ବ୍ୟବସାୟପାଇଁ ଯେତିକି ଦରକାର, ସେ ସମାଜ ସହିତ ସେମାନଙ୍କର ସେତିକି ମାତ୍ର ସମ୍ପର୍କ । ସେଥିଲାଗି ସେମାନେ ନିଜର ଅଲଗା ସମାଜ ଗଢ଼ିଛନ୍ତି । ବ୍ୟବସାୟୀ ସମାଜର ମୁଖ୍ୟ ବିଷୟ ହେଲା ଧନ । ଧନ ହିଁ ତାଙ୍କ ମାପକଠି, ଧନଦ୍ୱାରା ହିଁ ସେମାନେ ତାଙ୍କ ସମାଜ ଓ ସ୍ଥାନୀୟ ସମାଜର ଯେଗ-ସୂତ୍ର ସ୍ଥାପନ କରିଛନ୍ତି । କିନ୍ତୁ ତୁମ ପକ୍ଷରେ ସେସବୁ ସମ୍ଭବ ନୁହେଁ । ତୁମେ ଚାକିରୀଜୀବୀ । ବ୍ୟବସାୟୀ ସମାଜରେ ତୁମର ସ୍ଥାନ ନାହିଁ । ତୁମେ ଯଦି ସ୍ଥାନୀୟ ସମାଜର ସ୍ନେହ ସୌହାର୍ଦ୍ଦ୍ୟ, ସହାନୁଭୂତି ନ ପାଅ ତାହାହେଲେ ତୁମେ ଗୋଠଛଡ଼ା ହାଇଯିବ । ତୁମେ ଏକା ହୋଇ ଖଣ୍ଡେ କୁଟାଖିଅ ପରି ପବନ ମୁହଁରେ ଇତସ୍ତତଃ ଉଡ଼ି ବୁଲିବ । ତୁମ ଚେର ମୂଳ ବା’ ଶାଖା ପ୍ରଶାଖା କିଛି ନ ଥିବ ।’’

 

ଅସିତ କହିଲା–‘‘ବ୍ୟବସାୟୀ ସମାଜରେ ନ ହେଲେ ମଧ୍ୟ ସେଠାରେ ଶିକ୍ଷିତ ସମାଜରେ କ’ଣ ମିଶି ଚଳିପାରିବୁଁ ନାହିଁ ?’’

 

ଚୈତନ୍ୟବାବୁ ଟିକିଏ ଗମ୍ଭୀର ସ୍ୱରରେ କହିଲେ, ‘‘ହ, ତୁମେ ବୋଧହୁଏ ଜାଣି ନାହଁ, ଭାରତରେ ଏହି ପ୍ରାଦେଶିକତା ଧର୍ମ୍ମ ଓ ଜାତି ବିଭେଦ ଆଦି ମାରାତ୍ମକ ରୋଗର ବୀଜାଣୁ ପ୍ରବଳ ହୋଇଉଠୁଛି । ତମର ତଥାକଥିତ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ସମାଜ ହିଁ ତୋହାର ଚରାଭୂଇଁ । ଶିକ୍ଷତ ବୋଲି ନିଜକୁ ପରିଚୟ ଦେଇ, ନିଜର ସ୍ୱାର୍ଥ ସାଧନପାଇଁ, ରାଜନୈତିକ ଫାଇଦା ଉଠାଇବାପାଇଁ, ସେହିମାନେ ହିଁ କେବଳ ପ୍ରାଦେଶିକତା ଓ ଧର୍ମ ବିଦ୍ୱେଷ ସୃଷ୍ଟିକରି ସରଳ ଜନସାଧାରଣଙ୍କୁ ନିଜର କ୍ରୀଡ଼ନକ କରି ରଖୁଅଛନ୍ତି । ତୁମେ କ’ଣ ଦେଖି ପାରୁନାହଁ, ଏଠାର ଅବସ୍ଥା କ’ଣ ? ଗାନ୍ଧି ଧାମରେ ଚାରିଲକ୍ଷ୍ୟ ସିନ୍ଧି ରିଫ୍ୟୁଜି ଆସି ବସବାସ କରୁଛନ୍ତି । ସେମାନେ ସମାଜରେ କୌଣସି ବାଧା ସୃଷ୍ଟି କରୁ ନାହାନ୍ତି ବା କାହାକୁ କୌଣସି ଅସୁବିଧାରେ ପକାଉ ନାହାନ୍ତି । ସାଧାରଣ ଲୋକେ ବରଂ ତାଙ୍କ ଜରିଆରେ ଦୁଇ ପଇସା ରୋଜଗାର କରୁଅଛନ୍ତି; କିନ୍ତୁ ତାଙ୍କ ବିରୋଧ କରୁଛି କିଏ ? ସେହି ଅଳ୍ପସଂଖ୍ୟକ ତଥାକଥିତ ଶିକ୍ଷିତ ସମାଜ । କାହିଁକି ? ନିଜ ଫାଇଦା ଉଠାଇବାପାଇଁ, ସେମାନେ ସତ ମିଛ କରି ପ୍ରଚାର ଚଳାଇ ଅଛନ୍ତି–‘‘ଗଲା, ଦେଶ ଭାସିଗଲା, ସବୁ ଲୁଟି ନେଇ ଚାଲିଗଲେ ।’’ ଆରେ ଦେଶ କୁଆଡ଼େ ଯିବ ? ଆକୁମାରୀ-ହିମାଚଳ ଭାରତ ସମସ୍ତଙ୍କର ଦେଶ । ଏହାକୁ ଲୁଟି ନେଇ କିଏ କୁଆଡ଼େ ଯିବ ? ଭାରତର କୌଣସି ଅଂଶର ସମୃଦ୍ଧି କ’ଣ ଭାରତର ସମୃଦ୍ଧି ନୁହେଁ ? ସାଧାରଣ ଲୋକେ କ’ଣ ତାଙ୍କ ପରିଶ୍ରମରୁ ଲାଭବାନ ହୋଇ ଜୀବିକା ନିର୍ବାହ କରୁନାହନ୍ତି ? ତା’ହେଲେ କାହିଁକି ଏସବୁ ? ଏକମାତ୍ର କାରଣ, ତଥାକଥିତ ଏହି ଶିକ୍ଷିତ ସମାଜ । ସେମାନେ ପରମୁଣ୍ଡରେ ଅଠାବୋଳି ବଡ଼ ଲୋକ ହେବେ ବୋଲି ବାହାରିଛନ୍ତି । ସେଥିରେ ଯଦି ଭାରତର ଐକ୍ୟ ଓ ସଂହତିର କଥାପଡ଼େ, ତାହାହେଲେ ତାଙ୍କର ଯାଏ ଆସେ କେତେ ? ସେମାନେ ଜାତୀୟ ଐକ୍ୟ ଓ ସଂହତିପାଇଁ ସଭାରେ ବଡ଼ ବଡ଼ ବକ୍ତୃତା ଦିଅନ୍ତି । କିନ୍ତୁ ପ୍ରକୃତରେ କରନ୍ତି କ’ଣ ? ତେଣୁ ସେମାନଙ୍କ ଅପେକ୍ଷା, ସାଧାରଣ ଲୋକଙ୍କ ସମାଜ ସହିତ ମିଶି ତାଙ୍କରି ସୁଖ ଦୁଃଖରେ ସାଥୀ ହୋଇ ଚଳିବା ବରଂ ଭଲ, ପ୍ରଥମେ ଟିକିଏ କଷ୍ଟ ବୋଧ କରିପାର; କିନ୍ତୁ ଜୀବନର ପୂର୍ଣ୍ଣତା ଲାଭ କରିବାକୁ ହେଲେ କୃତ୍ରିମ ବ୍ୟବସାୟୀ ସମାଜ ବା ତଥାକଥିତ ଶିକ୍ଷିତ ସମାଜ ଅପେକ୍ଷା ଯେଉଁ ସମାଜ ମନୁଷ୍ୟକୁ ମନୁଷ୍ୟଭାବରେ ଦେଖେ, ସେହି ସମାଜରେ ନିଜକୁ ମିଶାଇ ଦେବା ଭଲ । ସେ ସମାଜରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଧନୀ, ଦରିଦ୍ର, ମଧ୍ୟବିତ୍ତ, ମାଲିକ, ଚାକର ବା ଗୁଜୁରାଟୀ, ବଙ୍ଗାଳୀ, ପଞ୍ଜାବୀ ସମସ୍ତେ ସମାନ ଭାବରେ ମଣିଷ ପରି ଚଳିପାରିବେ ।’’

 

ଅସିତ କହିଲା–‘‘ଦେଖିବାକୁ ଗଲେ ସମାଜର ପ୍ରତ୍ୟେକ ସ୍ତର ଓ ବିଭାଗରେ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅଛନ୍ତି । ତାହାହେଲେ କ’ଣ ସେଥିରେ ଆମ ପରି ଲୋକଙ୍କ ସ୍ଥାନ ନାହିଁ ? ଅଛି, ଆମେ କ’ଣ ଆମର ଗୋଟାଏ ନୂଆ ସମାଜ ଗଢ଼ିପାରିବୁ ନାହିଁ ?’’

 

ଚୈତନ୍ୟବାବୁ କହିଲେ–‘‘ହଁ ପାରିବ ନାହିଁ କାହିଁକି ? ଗୋଟାଏ ଚାକିରୀଜୀବୀ ସଂଘ ଗଢ଼ି, ମାଲିକଠାରୁ କମ୍‌ କାମ ବା ବିନା କାମରେ ଅଧିକ ଦରମା ଦାବୀ କରିପାରିବ, ଧର୍ମଘଟ-କରିପାରିବ, ଖବର କାଗଜରେ ନାଁ ବାହାର କରିପାରିବ; କିନ୍ତୁ ତହିଁରେ ତୁମ୍ଭର ମୂଳ ଭିତ୍ତି ଦୃଢ଼ କରିପାରିବ ନାହିଁ, ଜୀବନରେ ପୂର୍ଣ୍ଣତା ଲାଭ କରିପାରିବ ନାହିଁ । ତୁମର ମାନସିକ ବିକାଶରେ ବାଧା ପଡ଼ିବ । ତେଣୁ ବୃହତ୍ତର ସମାଜରେ ନିଜକୁ ମିଶାଇ, ତାହାରି ସୁଖ ଦୁଃଖରେ ଭାଗୀ ହୋଇ ଚଳିବାକୁ ହେବ । ନ୍ୟସ୍ତସ୍ୱାର୍ଥ ଲୋକ ସମାଜର ସବୁ ସ୍ତରରେ ଅଛନ୍ତି ବୋଲି କହୁଛ । ତାହା ସତ୍ୟ; କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ଓ ସମୂହସ୍ୱାର୍ଥ ମଧ୍ୟରେ ପ୍ରଭେଦ ଅଛି । ବ୍ୟକ୍ତିଗତ ସ୍ୱାର୍ଥରେ ଥାଏ ସମାଜର ସମସ୍ତଙ୍କୁ ତଳକୁ ପକାଇ ନିଜେ ଉପରକୁ ଉଠିବାପାଇଁ ଉଦ୍ୟମ, ସମୂହସ୍ୱାର୍ଥରେ ସେସବୁ ଅପଚେଷ୍ଟା ନଥାଏ । ନିଜ ସ୍ୱାର୍ଥପାଇଁ ଲୋକ ନିଚସ୍ତରୀୟ ହୀନ କାମ କରେ; ମାତ୍ର ସମଗ୍ର ସମାଜକୁ ଉଠାଇବାକୁ ହେଲେ ନୀଚ ଓ ହୀନ ମନୋବୃତ୍ତି ନେଇ କେହି କିଛି କରିପାରିବ ନାହିଁ । ଯଦି ବା କେହି ଚେଷ୍ଟାକରେ, ତା’ହେଲେ ତାହା ହେବ କ୍ଷଣସ୍ଥାୟୀ । ତେଣୁ ଏହି ଛୋଟ ଛୋଟ ସଂଘ, କୃତ୍ରିମ ସମାଜ ଗଠନର ଅର୍ଥ–ଅଳ୍ପ କେତେଜଣଙ୍କ ସ୍ୱାର୍ଥସିଦ୍ଧିର ପ୍ରଚେଷ୍ଟା । ତହିଁରେ ମାନବ ଜାତିର ବିକାଶ ହେବା ସମ୍ଭବ ନୁହେଁ । ହଁ, କିଏ ନେତା ହୋଇପାରେ ବା’ କିଏ ବେଶୀ ଦରମା ଦାବୀ କରି ପାଇପାରେ; କିନ୍ତୁ ସେ କ’ଣ ମାନବିକତା ପାଇପାରିବ ? କଦାପି ନୁହେଁ । ପଦବୀ ବା ଅର୍ଥ ଯେ ମନୁଷ୍ୟ ଜୀବନରେ ସବୁ, ତାହା ମଧ୍ୟ ନୁହେଁ, ତାହା ଜୀବନର ଗୋଟାଏ ଅତି ଛୋଟ ଅଂଶ; କିନ୍ତୁ ଏହି ମେସିନ୍‌ ସଭ୍ୟତା ବର୍ତ୍ତମାନ ସେହି ଛୋଟ ଅଂଶକୁ ହିଁ ଗୁରୁତ୍ୱ ଦେଇ ପ୍ରକୃତ ମାନବିକତାକୁ କ୍ଷୁଣ୍ଣ କରୁଛି । ଆଜି ପ୍ରକୃତ ମାନବିକତାର ମୂଲ୍ୟ ମଧ୍ୟ ସେହି ପଦବୀ ଓ ଅର୍ଥର ମାପକାଠିରେ ମପାଯାଉଛି, ତୁମେ କହିପାର, ମୁଁ ଆଦର୍ଶ ବାଦରେ ଭାସିଯାଉଛି । ହୋଇପାରେ । ଜୀବନରେ କିଛି ନା କିଛି ଆଦର୍ଶ ଥିବା ଦରକାର । ମନୁଷ୍ୟ ଯଦି ଆଦର୍ଶ ଓ ବିଶ୍ୱାସବିହୀନ ହୋଇପଡ଼େ, ତା’ହେଲେ ତା’ର ଓ ପଶୁ ମଧ୍ୟରେ ବିଶେଷ ପାର୍ତକ୍ୟ ରହେ ନାହିଁ । କିନ୍ତୁ ଏକଥା ଠିକ୍‌ ଯେ, ଭାରତରେ ବର୍ତ୍ତମାନ ମଧ୍ୟ ଗୋଟାଏ, ଗୁପ୍ତ ଗଙ୍ଗା ବହୁଛି । ସେହି ମୂକ ଜନତା ବର୍ତ୍ତମାନ ସୁଦ୍ଧା ମାନବିକତାର ମୂଲ୍ୟାଙ୍କନ, ପଦବୀ ବା ଧନର ମାପକାଠି ଜରିଆରେ କରୁନାହିଁ, ତା’ର ମାପକାଠି ହେଉଛି ସ୍ନେହ ସୌହାର୍ଦ୍ୟ, ଭ୍ରାତୃଭାବ, ସଚ୍ଚରିତ୍ର, ସତ୍ୟ, ଧର୍ମ, ଦୟା, କ୍ଷମା । ସେ ହେଉଛି ପ୍ରକୃତ ସମାଜ, ସେ ହେଉଛି ମାନବ ସଭ୍ୟତା । ଯେଉଁଦିନ ଆମେ ସେହି ସମାଜ ସଙ୍ଗରେ ମିଶି ସେହି ଗଙ୍ଗାରେ ନିଜକୁ ଭସାଇ ଦେବୁ, ସେଦିନ ଯାଇ ଆମ ଆତ୍ମାର ପ୍ରକୃତ ଶାନ୍ତି ଆସି ପାରିବ । ସ୍ଥାନ ବିଶେଷରେ ଲୌକିକ ପ୍ରଥା ନେଇ ସମାଜ ସମାଜ ମଧ୍ୟରେ ଯତ୍‌ ସାମାନ୍ୟ ପ୍ରଭେଦ ଥାଇପାରେ; କିନ୍ତୁ ତାହା କେବଳ ଗୋଟାଏ ଆବରଣ ମାତ୍ର । ନ ହେଲେ ମନୁଷ୍ୟ ସବୁଠି ସମାନ, ସେ ଭାରତୀୟ ହେଉ ବା ବିଦେଶୀୟ ହେଉ, ସେଇ ଲୌକିକ ପ୍ରଥାର ଆବରଣ ଭିତରକୁ ଦୃଷ୍ଟି ଦେଇ ପ୍ରକୃତ ମନୁଷ୍ୟକୁ ଦେଖିବାକୁ ହେବ ଏବଂ ତା’ରି ମାଧ୍ୟମରେ ସମାଜ ସଙ୍ଗରେ ନିଜକୁ ଖାପ ଖୁଆଇ ଚଳିବାକୁ ହେବ । ଯେପରି ଆମ ସମାଜରେ ଅନେକ ଭଲ ଓ ଖରାପ ପ୍ରଥା ଅଛି, ଠିକ୍‌ ସେହିପରି ପ୍ରତ୍ୟେକ ସମାଜରେ ଅନେକ ଭଲ ଓ ଖରାପ ପ୍ରଥା ରହିଛି । ଭଲ ପ୍ରଥାକୁ ନିଜର କରି ଖରାପ ପ୍ରଥାକୁ ସୁଧାରିବାପାଇଁ ଚେଷ୍ଟା କରିବାକୁ ହେବ । କେବଳ ଖରାପ ପ୍ରଥାକୁ ଦେଖି ସମସ୍ତ ଜାତିକୁ ବଦନାମ କରିବାର ଚେଷ୍ଟା କଲେ, ସେ ଜାତି ବା ସମାଜର କ୍ଷତି କିଛି ହେବ ନାହିଁ, ବରଂ ନିଜର କ୍ଷତି ହେବ, କାରଣ ସେହି ଜାତିର ଭଲ ପ୍ରଥାରୁ କିଛି ଆଉ ଶିଖି ହେବ ନାହିଁ ଓ ସେମାନଙ୍କଦ୍ୱାରା ଘୃଣିତ ହେବାକୁ ପଡ଼ିବ । ପଳରେ ନିଜର ମାନସିକ ବିକାର ବୃଦ୍ଧି ପାଇବ ମାତ୍ର ।’’

 

କଥା ହେଉଁ ହେଉଁ ବଡ଼ ବଡ଼ ଆଦର୍ଶବାଦର କଥା ଆସିଗଲା । ଚୈତନ୍ୟବାବୁ ଭାବପ୍ରବଣ ହୋଇ ପଡ଼ିଲେ । ପ୍ରକୃତ ସମସ୍ୟା ଓ ତା’ର ସମାଧାନ କଥା ଭୁଲି ଯାଇଛନ୍ତି । ଅସିତ ମଧ୍ୟ କଲେଜରେ ଲେକ୍‌ଚର ଶୁଣିଲାଭଳି ଚୁପ୍‌ ହୋଇ ଶୁଣୁଥାଏ । ଏପରି ସମୟରେ ଚୈତନ୍ୟଙ୍କ ସ୍ତ୍ରୀ ପଦ୍ମା ହଠାତ୍‌ ଆସି କର୍କଶ ସ୍ୱରରେ କହିଲେ, ‘‘ତୁମେ କେବଳ ବକ୍ତୃତା ଦେବା ଜାଣ, ନା ଆଉ କିଛି ? ବକ୍ତୃତା ଦେବାପାଇଁ ଯଦି ଏତେ ସଉକ, କୌଣସି ରାଜନୈତିକ ଦଳରେ ଯୋଗ ଦେଉ ନା କାହିଁକ ? ଘର ବୁଡ଼ି ପାଣି ଆଣ୍ଠୁଏ, ବାବୁ ପୁଅକୁ ଆଦର୍ଶବାଦ ଶିକ୍ଷା ଦେଉଛନ୍ତି । କ’ଣ ବ୍ୟବସ୍ଥା ହେଲା ? ନ ହେଲେ ମୁଁ ଚାଲିଲି । ମୋର ଜୀବନକୁ ମୁଁ ତୁଚ୍ଛ କରି, ପୁଅ ବୋହୂଙ୍କଠାରେ ହୀନମାନ ହୋଇ ଚଳିପାରିବି ନାହିଁ ।’’

 

ପତ୍ନୀଙ୍କଠାରେ ଚୈତନ୍ୟବାବୁଙ୍କ ସବୁ ଆଦର୍ଶ ଫେଲ୍‌ ମାରେ । ଇଲେକ୍‌ଟ୍ରିକ୍‌ ସକ୍‌ ଲାଗିଲା ଭଳି ସେ ଚମକି ପଡ଼ିଲେ, ତଥାପି ତାଙ୍କ ମୁହଁ ଫିଟିଲା ନାହିଁ ।

 

ଅସିତ କହିଲା–‘‘ମୁଁ ଓଡ଼ିଶାରେ ଗୋଟିଏ ଭଲ ଚାକିରୀ ପାଇଛି ଯେ, ସେହି ବିଷୟରେ କଥାବାର୍ତ୍ତା ହେଉଥିଲୁଁ । ଭଲ ଦିନ ବାର ଦେଖି ଅତି ଶୀଘ୍ର ସେଠାକୁ ଆମେ ଚାଲିଯିବୁଁ ।’’

 

ପଦ୍ମା କହିଲେ ‘‘ହଁ, ନ ଗଲେ ଆଉ ଚଳିବ ନାହିଁ, ସବୁଦିନ ଏପରି ଅଶାନ୍ତି ମୁଁ ଆଉ ସହିପାରିବି ନାହିଁ ।’’

 

ଚୈତନ୍ୟବାବୁ ଚୁପ୍‌ ହୋଇ ବସିଥାଆନ୍ତି । ଅସିତ ଓ ତାଙ୍କ ସ୍ତ୍ରୀ, ସମ୍ବଲପୁରକୁ ଯିବା ସ୍ଥିର ହେଲା ।

 

ଅସିତ ତାଙ୍କ ବନ୍ଧୁଙ୍କୁ ଗୋଟାଏ ଚିଠିରେ ଦିନବାର ଜଣାଇ ଦେଲେ । ତା’ପରେ ଯିବାର ଆନୁପୂର୍ବିକ ବ୍ୟବସ୍ଥା ଆରମ୍ଭ ହେଲା । ସେ ଦିନ ଯେତେବଳେ ଅସିତ ଓ ଆଶା ଘରୁ ବାହାରିଲେ, ଚୈତନ୍ୟବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ଅସିତ ମୁଣ୍ଡରେ ହାତ ବୁଲାଇ ସେ କିଛି କହିବାକୁ ଚେଷ୍ଟାକଲେ, କିନ୍ତୁ ‘ଭଗବାନ ତୋର ମଙ୍ଗଳ କରନ୍ତୁ’ ଏତିକି ବ୍ୟତୀତ ଆଉ କିଛି କହିପାରିଲେ ନାହିଁ । ଆଶା ମୁଣ୍ଡିଆ ମାରିବାକୁ ଆସିଲା । ଚୈତନ୍ୟବାବୁ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିଲେ ଓ କହିଲେ ‘ମା, ତୋର ମଙ୍ଗଳ ହେଉ ।’ ତାଙ୍କର ଏପରି କାନ୍ଦ ଦେଖି, ପଦ୍ମା ଅତି ବିରକ୍ତ ହୋଇ ତାଙ୍କ ହାତଧରି ଭିତରକୁ ଟାଣି ନେଉ ନେଉ କହିଲେ-‘‘ବୁଢ଼ା ହେଲଣି, ଲାଜ ଲାଗୁ ନାହିଁ ? ଏପରି ଅଭିନୟ କରୁଛ ।’’

 

ଆଶା, ଅସିତ ବଳଦ ଗାଡ଼ିରେ ଚାଲିଲେ । ରେଳଷ୍ଟେସନ ପ୍ରାୟ ଦଶ ମାଇଲ ଦୂର । ଅନିଶ୍ଚିତ ଭବିଷ୍ୟତ । ଅଚିହ୍ନା ସ୍ଥାନ, ଆତ୍ମୀୟ ସ୍ୱଜନ ବନ୍ଧୁ ସହୋଦର ଶୂନ୍ୟ, ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ।

Image

 

ତିନି

 

ଭୁଜ ଷ୍ଟେସନରେ ରେଳ ଟିକଟ କଟାଇ, ବଳଦଗାଡ଼ିବାଲକୁ ବିଦାୟ କରି ଅସିତ କହିଲେ, ‘‘କାକା ! ବାପାଙ୍କୁ କହିଦେବ, ଭଲରେ ଗଲେ ।’’

 

ଗାଡ଼ିବାଲା କହିଲା, ‘‘ସେଠାରେ ପହଞ୍ଚି ଖବର ଦେବୁ, ଭଗବାନ ମଙ୍ଗଳ କରନ୍ତୁ, ତୁମେ ଭଲରେ ଘରକୁ ପୁଣି ଫେରିଆସ ।’’

 

ଛଳ ଛଳ ଆଖିରେ ତା’ର ଯିବା ପଥକୁ ଚାହିଁ ରହିଲେ ଉଭୟେ । ରେଳର ତୃତୀୟ ଶ୍ରେଣୀ କମ୍ପାଟମେଣ୍ଟରେ ପଶି, ଜିନିଷପତ୍ର ସଜଡ଼ାସଜଡ଼ି କରି ଆଶା ଓ ଅସିତ ବସିଲେ । ଦୁଇଘଣ୍ଟା ବାଟ, ତା’ପରେ କଣ୍ଡଲା ବନ୍ଦର, ସେଇଠି କଚ୍ଛ ଉପସାଗର ଷ୍ଟିମ୍‌ ଲଞ୍ଚରେ ପାରି ହୋଇ ନବଲକ୍ଷୀ ବନ୍ଦର ଦେଇ ଆଗକୁ ଯିବାକୁ ହେବ । ଅସିତ ତୁନିହୋଇ ବସି ଭାବୁଛନ୍ତି, ସେମାନେ କେଉଁ ବାଟେ ଯିବେ, କିପରି ଯିବେ । ଆଶା ଭାବୁଛି-ତା’ର ବାଲ୍ୟକାଳ, ତା’ର ମାତୃବିୟୋଗ ଆଦି-। ଗାଁ କେବେ ଛାଡ଼ି ନ ଥିଲେ ଦୁହେଁ । ସେ ସ୍ଥାନର ଅନେକ ଲୋକ ବାହାରେ ବସବାସ କରନ୍ତି, ତାଙ୍କଠୁ ସେମାନେ ଅନେକ ସ୍ଥାନ, ଯଥା:–ବମ୍ବେଇ, କଲିକତା, ମାନ୍ଦ୍ରାଜ, ଦିଲ୍ଲୀ, ଏପରି କି ଦକ୍ଷିଣ ଆଫ୍ରିକା, ଟାଙ୍ଗାନିକା, ଇରାକ୍‌, ଇରାନ୍‌, ଇଂଲଣ୍ଡ, ଆମେରିକାର କଥା ଅନେକ ଶୁଣିଛନ୍ତି, କିନ୍ତିୁ ଜନ୍ମସ୍ଥାନ ଛାଡ଼ିବାର ବାସ୍ତବ ଅନୁଭୂତି ତାଙ୍କ ଜୀବନରେ ଏହି ପ୍ରଥମ ।

 

ରେଳଗାଡ଼ି ଚାଲିଲା,ବାଲୁକା ସ୍ତୂପ, ପାହାଡ଼, ଶୁଷ୍କନଦୀ, ବାଜରା ଜୁଆର କ୍ଷେତ ଦେଇ । ସେହିପରି ଏ ଦୁଇଜଣଙ୍କ ଚିନ୍ତାଧାରା ମଧ୍ୟ ଚାଲିଲା–ଅନେକ ଭୂତଭବିଷ୍ୟତ ବିଷୟ ଚିନ୍ତା କରି କରି-। ବାଟରେ ଷ୍ଟେସନମାନଙ୍କରେ ଗାଡ଼ି ଛିଡ଼ା ହେଲା ମାତ୍ରକେ ଲୋକେ ଚଢ଼ା ଉତୁରା କରନ୍ତି । ବସିଥିବା ଲୋକେ ନବାଗତମାନଙ୍କୁ ବାଧା ଦିଅନ୍ତି, ଝଗଡ଼ା କରନ୍ତି, ମାଡ଼ପିଟ ପର୍ଯ୍ୟନ୍ତ ମଧ୍ୟ ବେଳେବେଳ କଥା ଯାଏ; କିନ୍ତୁ ପୁଣି ଅନ୍ୟ ଷ୍ଟେସନକୁ ଗଲାବେଳକୁ ସେହି ନବାଗତମାନେ, ଆଗରୁ ବସିଥିବା ଲୋକଙ୍କ ସଙ୍ଗରେ ମିଶି ସେହି ଷ୍ଟେସନର ଯାତ୍ରୀମାନଙ୍କ ସହିତ କଳି କରନ୍ତି । ସେତବେଳେ ସେମାନେ ଆଉ ବୁଝନ୍ତି ନାହିଁ ଯେ, ଠିକ୍ ଆଗ ଷ୍ଟେସନରେ ସେମାନେ ମଧ୍ୟ ନବାଗତ ଯାତ୍ରୀ ହୋଇ ଆସିଥିଲେ । ପ୍ରତ୍ୟେକ ଷ୍ଟେସନରେ ବରାବର ଏ ଅଭିନୟ ଚାଲିଥାଏ । କମ୍ପାଟମେଣ୍ଟ ଭିତରେ ବେଶ୍‌ ଜୋର୍‍ ଜୋର୍‌ କଥା ଚାଲିଥାଏ । କିଏ ବିଡ଼ି ଟାଣୁଛି ତ, କିଏ ତାସ୍‌ ଖେଳିବାପାଇଁ ଡାକୁଛି । କାହାରି କିଛି ଚିନ୍ତା ନାହିଁ । ସତେ ଯେମିତି, ଏହା ସେମାନଙ୍କର ଦୈନନ୍ଦିନ ଜୀବନଯାତ୍ରା; କିନ୍ତୁ ଅସିତ ଓ ଆଶା ନୀଡ଼ହରା ଓ ଦିଗହଜା ଦୁଇଟି ପକ୍ଷୀ ପରି ତୁନି ହୋଇ ବସିଥାଆନ୍ତି ।

 

କଣ୍ଡଲା ବନ୍ଦର ଆସିଲା, ସମସ୍ତେ ଓହ୍ଲାଇ ଡେକ୍‌ ପାଖକୁ ଯାଇ ଟିକଟ୍‌ କିଣି ତରବର ହୋଇ ଲଞ୍ଚରେ ବସିଲେ । ଲାଞ୍ଚ୍‌ଟି ବେଶ୍‌ ବଡ଼ । ତାକୁ ଛୋଟ ଷ୍ଟିମର୍‌ କହିଲେ ଚଳେ । କାହାରି କଥା କହିବାକୁ ତର ନଥାଏ । କୁଲିମାନଙ୍କ ଦୌରାତ୍ମ୍ୟ କହିଲେ ନ ସରେ । ତାଙ୍କର ହରବର ବେଶୀ, କାରଣ ସେମାନେ ଯେତେ ହରବର ହେବେ, ସେତିକି ବେଶୀ ଲୋକଙ୍କ ସାମାନ ବୋହିପାରିବେ । କେବଳ ତା’ ନୁହେଁ, ସେ’ତରବର କରି ଯାତ୍ରୀମାନଙ୍କୁ ତ୍ରସ୍ତ କରିପାରିଲେ, ମଜୁରୀ ପଇସା ମଧ୍ୟ ବେଶୀ ପାଇବେ । ନୂଆଁ ହେଉ ବା ପୁରୁଣା ହେଉ, ସେଠାରେ ସବୁ ଯାତ୍ରୀଙ୍କ ଅବସ୍ଥା ସମାନ । ଯଦି ସେମାନେ ଦେଖିଲେ, ଯାତ୍ରୀ ସହଜେ ତ୍ରସ୍ତ ହେବାର ଲୋକ ନୁହେଁ, ତେବେ ତାଙ୍କୁ ଅପମାନସୂଚକ କଥା କହି କଳି ଅବ୍ୟାହତି ପାଇବାପାଇଁ ହେଉ, ଯାତ୍ରୀ ତାଙ୍କ କହିବା ଅନୁସାରେ ପଇସା ଦେବା ସୁନିଶ୍ଚିତ । ସରକାର ଦରଧାର୍ଯ୍ୟ କରିଛି ସତ, ହେଲେ ସରକାରୀ ଦର କିଏ ମାନୁଛି ଯେ, ସେମାନେ ମାନିବେ ?

 

କଣ୍ଡଲାରୁ ନବଲକ୍ଷୀ ବନ୍ଦର ୩,୪ ଘଣ୍ଟା ଲାଗେ । ଲଞ୍ଚରେ ପ୍ରାୟ ୩୬ ମାଇଲ ପଡ଼େ । କଚ୍ଛ ଉପସାଗର ଆରବ ସାଗରର ଗୋଟିଏ ଅଂଶ । ନବଲକ୍ଷୀକୁ ପହଞ୍ଚିଲାବେଳକୁ ଅପରାହ୍ନ ୪ଟା । ସେଠାରେ ପୁଣି ସେହିପରି ହରବର । ଲଞ୍ଚ୍‌ରୁ ଜିନିଷପତ୍ର ନେଇ ଧାଇଁ ଧାଇଁ ଷ୍ଟେସନକୁ ଯିବାକୁ ହେବ, କାରଣ ରେଲ ସଙ୍ଗେ ସଙ୍ଗେ ଛାଡ଼ିବ ।

 

ଅସିତ ଓ ଆଶା ସମୁଦ୍ର କୂଳରେ ଛିଡ଼ା ହୋଇ ସମୁଦ୍ର ଆର ପାରିକୁ କିଛିକ୍ଷଣ ନଜର ପକାଇଲେ । ଦୁଇଜଣଙ୍କ ଚକ୍ଷୁ ଅଶ୍ରୁଭାରାକ୍ରାନ୍ତ । ଶୂନ୍ୟରେ ପ୍ରଣତି କଲାବେଳକୁ କୁଲି କହିଲା–‘‘କ’ଣ ସମୁଦ୍ରକୂଳ ହାଓ୍ୟା ଖାଇବାକୁ ଆସିଛ ? ନା ବିଦେଶ ଯିବାକୁ ଆସିଛ ? ଚାଲ ଚାଲ, ପରେ ଜାଗା ନ ମିଳିଲେ ବସି କାନ୍ଦୁ‌ଥିବ ।’’

 

ସେମାନେ ତରବର ହୋଇ ଚାଲିଲେ ଷ୍ଟେସନକୁ । ଗୋଟାଏ ଥାର୍ଡ଼ କ୍ଳାସ୍‍ କମ୍ପାଣ୍ଟ୍‌ମେଣ୍ଟରେ ଜିନିଷପତ୍ର ରଖି ବସିଲେ । ଦେଖିଲେ ସେଠି କେବଳ କଚ୍ଛି ନାହାନ୍ତି, ତା’ ସାଙ୍ଗକୁ କାଠିଆବାଡ଼ିମାନେ ମଧ୍ୟ ବସିଛନ୍ତି । ତାଙ୍କ ଭାଷା ଟିକିଏ ଅଡ଼ୁଆ ଅଡ଼ୁଆ ଲାଗୁଥାଏ । କମ୍ପାଟ୍‌ମେଣ୍ଟରେ କଚ୍ଛିପାସେଞ୍ଜର ଅନେକ ଥାଆନ୍ତି, ସେମାନେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ । ବିରମଗାମ୍‌ କେତେବେଳେ ପହୁଞ୍ଚିବ, ସେଇଠୁ ଟ୍ରେନ୍‍ କେତେବେଳେ ମିଳିବ ଇତ୍ୟାଦି ।

 

ଗୁଜରାଟ ଗୋଟିଏ ପ୍ରଦେଶ ହେଲେ ସୁଦ୍ଧା, ସେଠା ଲୋକଙ୍କ ଭିତରେ ଟିକିଏ ଟିକିଏ ପ୍ରଭେଦ ଅଛି । କଚ୍ଛି, କାଠିଆବାଡ଼ି, ଗୁଜୁରାଟୀ ଭାଷାରେ ବେଶୀ ପ୍ରଭେଦ ନ ଥିଲେ ସୁଦ୍ଧା ସେମାନେ ନିଜ ନିଜକୁ ଅଲଗା ବୋଲି ଭାବନ୍ତି । ପୁରାଣ ଯୁଗରୁ ଏ ତିନିଟା ଅଲଗା ରହି ଆସିଛନ୍ତି, ଯଦି ଓ ଭାଷା, ସଂସ୍କୃତି, ଚାଲିଚଳନ ପ୍ରାୟ ସମାନ । ‘‘ଗୁର୍ଜରେ କଚ୍ଛ ସୌରାଷ୍ଟ୍ରେ’’ ଏହି ଶ୍ଳୋକ ପୁରାଣରେ ମିଳେ । କଟକୀ, ସମ୍ବଲପୁରୀ, ଗଞ୍ଜାମୀ ଭଳି ତାଙ୍କ ତାଙ୍କ ଭିତରେ ସଂଘର୍ଶ ଲାଗି ରହିଥାଏ । କଚ୍ଛିମାନେ କାଠିଆବାଡ଼ି ବା ଗୁଜରାଟୀମାନଙ୍କୁ ବିଶ୍ୱାସ କରନ୍ତି ନାହିଁ । ସେମାନେ ମଧ୍ୟ ନିଜ ନିଜ ଭିତରେ ସେହିପରି ଲାଗିଥାନ୍ତି । ଗୋଟାଏ ରାଜ୍ୟ ହେଲେ ମଧ୍ୟ ସେଭାବ ବର୍ତ୍ତମାନ ସୁଦ୍ଧା ଅଛି ।

 

ରାତି ୧୨ଟାରେ ବିରମଗ୍ରାମ୍‍ ଜଙ୍କସନରେ ଟ୍ରେନ୍‌ ପହୁଞ୍ଚିଲା । ସେଇଠୁ ପୁଣି ବମ୍ବେ ମେଲରେ ବସିବାକୁ ହେବ । ବିରମଗାମରେ କାଠିଆବାଡ଼ ଶେଷ । ସେଇଠ ଗୁଜରାଟ ଆରମ୍ଭ । ବମ୍ବେ ମେଲରେ ଗୋଟାଏ କଲିକତା ବଗି ଲାଗେ । ତହିଁରେ ବସି ପଡ଼ିଲେ ଆଉ କୌଣସି ସ୍ଥାନରେ ରେଲ୍‌ ବଦଳାଇବା ଦରକାର ପଡ଼େ ନାହିଁ । ସିଧା ସଳଖ ଝାରସୁଗୁଡ଼ାରେ ଓହ୍ଲାଇବାକୁ ପଡ଼େ । ଅସିତର ବନ୍ଧୁ, ତାଙ୍କୁ ସେହି ବଗିରେ ବସି ଆସିବାପାଇଁ ଲେଖିଥିଲେ । କୁଲିକୁ ଅଧିକ ଦେବାକୁ ପଡ଼େ ସିନା, ସେ ବଗିରେ ସ୍ଥାନ ମିଳିଲେ ଆଉ ଚିନ୍ତା ନାହିଁ । ଅସିତ କୁଲିକୁ କହି ଯେନତେନ ପ୍ରକାରେଣ କଲିକତା ବଗିରେ ବସି ପଡ଼ିଲେ । ସେହି ବଗିରେ ବସି ନ ପାରିଲେ ସୁରାଟ, ଭୁଷାବଲଠାର ପୁଣି ଗାଡ଼ି ବଦଳ କରିବାକୁ ପଡ଼ନ୍ତା, ବଡ଼କଷ୍ଟ ।

 

ତା’ପରେ ଧୀରେ ଧୀରେ ନିଜ ନିଜ ସ୍ଥାନ ଜମାଇ, ଶୋଇବାସ୍ଥାନ ଠିକଣା କରିବାପାଇଁ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । କିଏ ସିଟ୍‌ ଉପରେ, କିଏ ତଳେ, କିଏ ଉପରେ ଜିନିଷ ରଖା ସ୍ଥାନରେ, ଏପରି ଭାବରେ ଶୋଇବା ଆରମ୍ଭ କଲେ । ପ୍ରଥମେ ବସିବାକୁ ସ୍ଥାନ ନ ଥିଲା, କିନ୍ତୁ ଗାଡ଼ି ଚାଲିଲାକ୍ଷଣି ସମସ୍ତେ ମିଳିମିଶି ଶୋଇବା ସ୍ଥାନ ମଧ୍ୟ କରି ପକାଇଲେ । ଅସିତ ଓ ଆଶାପାଇଁ ସିଟ୍‌ ଉପରେ ଶୋଇବା ବନ୍ଦୋବସ୍ତ ଆଖପାଖ ଲୋକେ କରିଦେଲେ । ସଙ୍ଗରେ ସ୍ତ୍ରୀ ଲୋକ ଥିଲେ, ରେଲ୍‍ଯାତ୍ରାରେ ଏହି ଟିକିଏ ସୁବିଧା ମିଳେ ।

 

ଭୁଜରୁ ସମ୍ବଲପୁର, ଭାରତର ପଶ୍ଚିମରୁ ପୂର୍ବକୁ ପ୍ରାୟ ୪ଦିନ ରାସ୍ତା । ବାଟରେ ନାନା ପ୍ରକାର ଲୋକଙ୍କ ଚଢ଼ା ଉତୁରା ଲାଗିଥାଏ । ଗୁଜରାତୀ, ପଞ୍ଜାବୀ, ସିନ୍ଧି, ମରାଠୀ, ବଙ୍ଗାଳୀ, ମାନ୍ଦ୍ରାଜୀ, ସମସ୍ତଙ୍କ ରଙ୍ଗ ଢଙ୍ଗ ଦେଖି ଦେଖି ଆଶା ଓ ଅସିତ ଚାଲିଥାନ୍ତି ତାଙ୍କ ଗନ୍ତବ୍ୟ ସ୍ଥାନକୁ । ବାଟରେ ତାଙ୍କ ସହିତ କଥାବାର୍ତ୍ତା ଦରକାର ପଡ଼ିଲେ ଟିକିଏ ଅସୁବିଧା ହୁଏ । କାରଣ ଅସିତ– ଆଶା ସ୍କୁଲରେ ଯାହା କିଛି ହିନ୍ଦୀ ଶିକ୍ଷା ପାଇଥିଲେ ସେତିକି । ହିନ୍ଦୀରେ କଥାବାର୍ତ୍ତା କରିବାର ଅଭ୍ୟାସ ସେମାନଙ୍କର ନଥାଏ । ଭଙ୍ଗା ଭଙ୍ଗା ହିନ୍ଦୀ କହି କାମ ଚଳାଇ ନେଉଥିଲେ । ଶିଖ୍‌ ଲୋକ, ପଞ୍ଜାବ ତା’ର ଆଜନ୍ମରୁ ଦେଖି ନ ଥିଲେ ସୁଦ୍ଧା ପଞ୍ଜାବୀ କହୁଛି ‘‘ହମାରା ଦେଶ୍‌ ମେ ଐସା ହୋତା ହୈ, ହମାରା ଦେଶ୍‌କା ଆଦ୍‌ମି ଫୌଜ୍‌ ମେ ଯାତା ହୈ ।’’ ମରାଠୀ ତା’ଦେଶର ପ୍ରଶଂସାରେ ବ୍ୟସ୍ତ-। ସିନ୍ଧି ବିଚାରା ମୁହଁ ଶୁଖାଇ କହୁଛି, ‘‘ମୋ ଦେଶ ପାକିସ୍ଥାନ ହୋଇଗଲା ।’’ ବଙ୍ଗାଳୀଙ୍କ କଥା ନିଆରା । ଏଠି ଯେପରି ସେମାନେ ଓଡ଼ିଆ ଜାଣି ସୁଦ୍ଧା ବଙ୍ଗଳାରେ କହନ୍ତି, ସେଇଠି ସେପରି ଚଳିବ ନାହିଁ । ତେଣୁ ସେହି ଭଙ୍ଗା ରୁଜା ହିନ୍ଦୀ ଓ ବଙ୍ଗଳା ମିଶା ଭାଷାରେ କଥା କହନ୍ତି । ଦରକାର ପଡ଼ିଲେ ‘‘ରବି ଠାକୁର, ଆମରା କାକା କା, ମାମୁ କା, ଶାଲା କା, ଭତିଜା କା, ଦୋସ୍ତ କା, ଗାଓଁ କା ହେଁ ।’’ କହିବାରେ ମଧ୍ୟ ପଛଉ ନାହାନ୍ତି । ତାଙ୍କ ଦେଶ ବିଷୟରେ ସତେ ଯେପରି ଆଉ କିଛି କଥା ନାହିଁ ।

 

ଅସିତ ଚୁପ୍‌ ହୋଇ ଶୁଣୁଥାଏ । ମନେ ମନେ ଭାବୁଥାଏ, ଏ କି କଥା ? ଭୁଗୋଳରେ ତ ଏତେ ଗୁଡ଼ିଏ ଦେଶ କଥା ପଢ଼ା ହୋଇ ନାହିଁ ! ଏସବୁ ଦେଶ ଆସିଲା କେଉଁଠୁ ? ଭାରତ ପରା ଗୋଟାଏ ଦେଶ । ଆଉ ଏସବୁ ଗୋଟାଏ ଗୋଟାଏ ରାଜ୍ୟ । ତା’ହେଲେ ‘ଆମ ଦେଶ, ଆମ ଜାତି’ ବୋଲି ଏମାନେ କ’ଣ କହୁଛନ୍ତି ? ରବି ଠାକୁର ଭାରତୀୟ, ରଣଜିତ୍‌ ସିଂ ଭାରତୀୟ, ଗାନ୍ଧି ବି ତ ସେହି ଭାରତୀୟ । ତା’ହେଲ ଏ କ’ଣ ? ରାମାୟଣ, ମହାଭାରତ ଓ ସେହି ବେଦ ବେଦାନ୍ତ ଉପନିଷଦ ଗୀତାରୁ ସମସ୍ତଙ୍କ ସଂସ୍କୃତିର ଜନ୍ମ । ଗଙ୍ଗା ଯମୁନା ସମସ୍ତଙ୍କପାଇଁ ପବିତ୍ର । ହିମାଳୟ ସମସ୍ତଙ୍କପାଇଁ ‘ନଗାଧିରାଜ’, ଗୋଦାବରୀ, କୃଷ୍ଣା, କାବେରୀ ସମସ୍ତଙ୍କର । ତଥାପି କାହିଁକି ଆମର ଦେଶ ଆମର ଦେଶ ହେଉଛନ୍ତି । ଭାରତର ଦୁର୍ଦ୍ଦିନରେ ସମସ୍ତେ ସମାନ ଦୁଃଖ ପାଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ସମସ୍ତଙ୍କ ତ୍ୟାଗ ସମାନ ରହିଛି । ଆଉ ଆଜି ଏ ଭେଦଭାବ କାହିଁକି ? ଅସିତ ମନେ ମନେ ଭାବୁଥାଏ ସିନା, କାହାକୁ କିଛି କହୁ ନଥାଏ । କେବଳ କୌଣସି କଥା କିଏ ଯଦି ତାକୁ ପଚାରେ, ଅଳ୍ପ କହି ଉତ୍ତର ଦିଏ ମାତ୍ର । ଆଶା କିନ୍ତୁ ଏସବୁ ନ ଭାବି, ଆଖି ସମାନାକୁ ଯାହା ଆସେ ଦେଖେ, ପୁଣି ତାହା ଚାଲିଗଲେ ଭୁଲିଯାଏ । ସିନେମା ଦେଖିଲା ପରି ସେ କେବଳ ଦୃଶ୍ୟ ଦେଖୁଥାଏ । କୌଣସି କଥାରେ ତା’ର ଆଗ୍ରହ ନଥାଏ । ଯଦିଓ ତା’ପକ୍ଷରେ ସବୁ ନୂଆ, କଥାଭାଷା, ଲୋକଙ୍କ ପରିଧାନ, ଜମିର ପ୍ରକାର, ଭିନ୍ନ ଭିନ୍ନ କିସମର ଫସଲ, ସବୁ ତା’ପାଇଁ, ନୂଆ-। ବାଜରା, ଜୁଆରକ୍ଷେତ ଯାଇ କ୍ରମେ ଗହମ ଓ ଧାନକ୍ଷେତ, ଶୁଷ୍କ ନାଳ ଯାଇ ବିରାଟ ବିରାଟ ନଦୀ, ଘଡ଼ିକେ ଘଡ଼ି ଭାଷା ବଦଳୁଛି, ତାକୁ କେମିତି ଖାପଛଡ଼ା ଖାପଛଡ଼ା ଲାଗୁଥାଏ । କିନ୍ତୁ ତା’ ସଙ୍ଗେ ସଙ୍ଗେ ନୂଆ ଜିନିଷ ଦେଖିବାର ମୋହ ତା’ ମନକୁ ଟାଣି ନେଉଥାଏ । ପିଲାଦିନେ ଥରେ ତା’ ବାପା ସାଙ୍ଗରେ ଯାଇଥିଲା ଭୁଜରୁ ଅଞ୍ଜାରକୁ ରେଲରେ । ସେ ପ୍ରାୟ ଘଣ୍ଟାଟିଏ । ଫେରିଲା ବେଳକୁ ବସରେ ଫେରିଥିଲା । ରେଲ୍‌ଯାତ୍ରା ଅନୁଭୂତି ତା’ର ସେତିକି । ବର୍ତ୍ତମାନ କିନ୍ତୁ ତା’ର ଅସରନ୍ତି ଯାତ୍ରା । ପ୍ରଥମେ ସେ ଗୋଟାଏ କଣରେ ଯାକି ହୋଇ ବସିଥିଲା । ଧୀରେ ଧୀରେ ତା’ ସାହସ ବଢ଼ିଲା । ଯାତ୍ରୀମାନଙ୍କ ଗତି ରୀତି ଦେଖି ତା’ ମନରେ ନାନା ପ୍ରକାର ଭାବ ଜାଗେ । ଲୋକଙ୍କ କଥା ଶୁଣି ବୁଝିବାକୁ ଚେଷ୍ଟା କରେ । ମାଇନର୍‍ ପର୍ଯ୍ୟନ୍ତ ବହିପାଠ ଓ ଭାରତର ପ୍ରକୃତ ଚିତ୍ର ମଧ୍ୟରେ କି ପାର୍ଥକ୍ୟ, ତାହା ଅନୁଭବ କରିବାକୁ ଚେଷ୍ଟା କରୁଥାଏ । ହିନ୍ଦୀ ବୁଝେ; କିନ୍ତୁ କହି ପାରେନା । ତା’ ପାଖରେ ଆଉ ଜଣେ ଗୁଜରାତୀ ମହିଳା ଓ ମହାରାଷ୍ଟ୍ରର ଜଣେ ମହିଳା, ତାଙ୍କ ପିଲାଛୁଆଙ୍କୁ ନେଇ ବସିଥାନ୍ତି । ଗୁଜରାତୀ ମହିଳାଙ୍କ ରଙ୍ଗଢଙ୍ଗରୁ ଜଣା ପଡ଼ୁଥାଏ, ସେ ଅନେକ ଥର ରେଲରେ ଯିବା ଆସିବ କରିଛନ୍ତି । ତେଣୁ ରେଲ୍‌ଯାତ୍ରା ବିଷୟରେ ତାଙ୍କର ବେଶ୍‌ ଅନୁଭୂତି ଓ ଅଭିଜ୍ଞତା ଅଛି । ପୁଣି ସେ ବୟସରେ ଅଭିଜ୍ଞା, ତେଣୁ ବରାବର ସେ ଆଶାକୁ ରେଲ୍‍ଯାତ୍ରା ଓ ତା’ର ସୁବିଧା ଅସୁବିଧା ଆଦି ନାନା କଥା ବୁଝାଇ କହୁଥିଲେ । ଆଉ ତା’ ସହିତ ତାଙ୍କର ପୂର୍ବଯାତ୍ରୀମାନଙ୍କର ବର୍ଣ୍ଣନା ମଧ୍ୟ କରୁଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହିତ ଯାଉଥିଲେ ନାଗପୁରକୁ-। ସେମାନେ ଆଶାକୁ ନୂତନ ଯାତ୍ରୀ ବୋଲି ଜାଣି ସହାନୁଭୂତି ପ୍ରଦର୍ଶନ କରୁଥିଲେ ।

 

ନାଗପୁରରେ ସେମାନେ ଓହ୍ଲାଇଗଲେ । ଦୀର୍ଘ ଦୁଇଦିନ ଏକା ସାଥିରେ ରହି, ସେମାନଙ୍କ ମଧ୍ୟରେ ଟିକିଏ ମାୟା ମମତା ଜାତ ହୋଇଯାଇଥିଲା । ସେଇହେତୁ ନିଜ ନିଜ ମଧ୍ୟରେ ଠିକଣା ଦିଆ ନିଆ ହୋଇ ଚିଠିପତ୍ର ଆଦାନ ପ୍ରଦାନ କରିବାକୁ ସ୍ୱୀକୃତ ହେଲେ । ନାଗପୁରରୁ ଝାରସୁଗୁଡ଼ା ପ୍ରାୟ ୧୨ ଘଣ୍ଟାର ବାଟ । ନାଗପୁରରେ ଗୋଟାଏ ବଙ୍ଗାଳୀ ପରିବାର ସେହି କମ୍ପାଟ୍‌ମେଣ୍ଟ୍‍କୁ ଉଠିଲେ । ସ୍ୱାମୀ, ସ୍ତ୍ରୀ ଓ ଜଣେ ବୃଦ୍ଧା । ବୋଧହୁଏ ବୃଦ୍ଧାଟି ସ୍ୱାମୀଙ୍କ ମା । ଆଉ ତାଙ୍କର ଦିଓଟି ପିଲା । ସ୍ୱାମୀ, ସ୍ତ୍ରୀ ମା ଓ ପିଲାଙ୍କୁ ଆଶା ପାଖରେ ବସାଇ ନିଜେ ଅଲଗା ପୁରୁଷମାନଙ୍କ ସହିତ ବସିଲେ । ନାଗପୁରରେ ଅନେକ ଦିନ ରହି ହିନ୍ଦୀକଥା ବେଶ୍‌ କହିପାରୁଥିଲେ-। ବଙ୍ଗାଳୀ ସ୍ତ୍ରୀ ଲୋକ, ଆଶାକୁ ହିନ୍ଦୀରେ ପଚାରିଲେ –‘‘ତୁମେ କେଉଁଠି କି ଯାଉଛ-?’’ ଆଶା କହିଲା–‘‘ସମ୍ବଲପୁର’’ । ଏହିପରି ଅନେକ କଥାବାର୍ତ୍ତା ହେବାପରେ ବଙ୍ଗାଳୀ ମହିଳା ଜାଣିପାରିଲେ ଯେ, ଆଶା ଓ ତା’ର ସ୍ୱାମୀ, ଏହି ପ୍ରଥମଥରପାଇଁ ଘର ଛାଡ଼ିଛନ୍ତି, ତା’ପରେ ସେ ଆଶାପ୍ରତି ବଡ଼ ସହାନୁଭୂତି ଦେଖାଇଲେ । କହିଲେ, ‘‘ନାଗପୁରରେ ଆମର ପଡ଼ୋଶୀ ଗୋଟାଏ ଗୁଜରାଟୀ ପରିବାର, ଭାରି ଭଲ ଲୋକ ।’’ ଗୁଜରାଟୀ ପରିବାରରେ ପ୍ରଶଂସା ଶୁଣି ଆଶା ଟିକିଏ ଖୁସି ହେଲା-। କେଉଁ ଅଜଣା ଅଶୁଣା ପରିବାରପାଇଁ ତା’ର ମମତା ଜାଗ୍ରତ ହେଲା । କାହିଁକି ନା ସେ ଗୁଜରାଟୀ-। ତା’ପରେ ବଙ୍ଗାଳୀ ମହିଳା ତାଙ୍କ ଦେଶ ବଙ୍ଗଳା ଓ ଆଶା ତାଙ୍କ ଦେଶ ଗୁଜରାଟର ପ୍ରଶଂସା କରିବାରେ ପ୍ରତିଯୋଗିତା ଆରମ୍ଭ କଲେ । ଆମେ ଜାଣୁ ନା ପ୍ରତିଯୋଗିତାରେ କିଏ ଜୟଲାଭ କଲେ ।

 

ରାତି ୧୨ଟାରେ ଗାଡ଼ି ଆସି ଝାରସୁଗୁଡ଼ାରେ ପହଞ୍ଚିଲା । ଆଶା ଓ ଅସିତ ଓହ୍ଲାଇଲେ-। ଭାଗ୍ୟକୁ ତାଙ୍କ ବନ୍ଧୁ, ପତ୍ରର ତାରିଖ ଅନୁସାରେ ଝାରସୁଗୁଡ଼ାକୁ ଆସିଥିଲେ । ବିଛଣା ଆଦି ତଳକୁ ଆଣି ମୁସାଫିରଖାନାକୁ ଯାଇ ସେସବୁ ରଖିଲେ । ତା’ପରେ ଖାଇବା ପିଇବା ଓ ଶୋଇବା ବ୍ୟବସ୍ଥା କରିବାରେ ତାଙ୍କ ବନ୍ଧୁ ଓ ଅସିତ ଲାଗିପଡ଼ିଲେ । ଆଶା ଜିନିଷପତ୍ର ପାଖରେ ବସିଥାଏ । ତାକୁ ଭୋକ ଓ ନିଦ ହେଉଥାଏ । କାରଣ ରେଳରେ ଯେତେ ସୁବିଧା ମିଳିଲେ ସୁଦ୍ଧା ତୃତୀୟଶ୍ରେଣୀ ଗାଡ଼ିରେ ତିନିଦିନ ତିନିରାତି କଟାଇବା ସହଜ କଥା ନୁହେଁ–ବିଶେଷତଃ ଅନଭ୍ୟସ୍ତ ଯାତ୍ରୀ ପକ୍ଷରେ-

 

ଖାଇବା ବ୍ୟବସ୍ଥା ହେଲା । ଖାଇବା ବେଳକୁ ଷ୍ଟେସନ କୁକୁରମାନେ ସୁଦ୍ଧା ଭାଗ ନେବାକୁ ଆଗେଇ ଆସୁଥାନ୍ତି । ତାଙ୍କ ସମ୍ବର୍ଦ୍ଧନା ମଧ୍ୟ ହେଉଥାଏ । ଖାଇପିଇ ସାରି ମୁସାଫିର୍‌ଖାନାରେ ବିଛଣା ଖୋଲିଦେଲେ ଅସିତ । ଆଶାକୁ କହିଲେ–‘‘ତୁମେ ଶୋଇପଡ଼, ମୁଁ ଓ ରମେଶ ଗଳ୍ପ କରି ରାତିଟା କଟାଇ ଦେବୁ ।’’ ଜିନିଷପତ୍ର ନ ଜଗିଲେ ବିପଦ ।’’

 

ଆଶା ଶୋଇଲା, ତା’ମୁଣ୍ଡ ଧମ୍‌ ଧମ୍‌ କରୁଥାଏ । ରେଳଡବାରେ ଶୋଇଲା ବେଳକୁ ଯେମିତି ଦେହସାରା ହଲେ, ତାକୁ ଠିକ୍‌ ସେହିପରି ଲାଗୁଥାଏ । ଯାହାହେଉ କ୍ଳାନ୍ତିପାଇଁ ସେସବୁବାଧା ସତ୍ତ୍ୱେ ନିଦ ହୋଇଗଲା ।

ରାତିରେ ରମେଶ ଓ ଅସିତ ସ୍ଥିର କରିଥାନ୍ତି ଯେ, ଅନ୍ୟ ଘର ନ ମିଳିବା ପର୍ଯ୍ୟନ୍ତ ସେମାନେ ରମେଶ ବସାରେ ଚଳିଯିବେ । ସକାଳ ୬ଟାରେ ଝାରସୁଗୁଡ଼ାରୁ ସମ୍ବଲପୁର ଗାଡ଼ି ଛାଡ଼େ । ୫ଟାରେ ଆଶାକୁ ଅସିତ ଉଠାଇଦେଲେ । ନିତ୍ୟକର୍ମ ପରେ ଜିନିଷପତ୍ର ସଜାଡ଼ି ଓ ବନ୍ଧାବନ୍ଧି କରି ସମ୍ବଲପୁର ରେଳରେ ଯାଇ ବସିଲେ ।

ରମେଶ ଘରେ ଯଥା ତଥା ଚଳିବା ଅର୍ଥ ହେଉଛି–ତା’ଘରେ ଥିବା ଯୋଡ଼ାଏ ମାତ୍ର କାମେରାରେ ଚଳିବା । ଘରେ ସେ ଓ ତା’ର ସ୍ତ୍ରୀ ବ୍ୟତୀତ ଆଉ କେହି ନାହାନ୍ତି । ତେଣୁ ଦୁହେଁ ଗୋଟାଏ ଗୋଟାଏ କାମେରାରେ ଚଳିଯିବେ । ସମ୍ବଲପୁର ପହୁଞ୍ଚି ସେମାନେ ରମେଶ ବସାକୁ ଗଲେ । ରମେଶର ସ୍ତ୍ରୀ ସେମାନଙ୍କୁ ଅପେକ୍ଷା କରିଥିଲେ । ଖୁସିରେ ଖିଆପିଆ ହେଲା । ତା’ପରେ ରମେଶ ଅସିତକୁ ତା’ ନୂଆ ମାଲିକ ପାଖକୁ ନେଇଗଲା ।

ସମ୍ବଲପୁରରେ କଚେରୀ ପାଖକୁ ଅନେକଗୁଡ଼ିଏ ଘର । ତହିଁରେ ପ୍ରାୟ ସମସ୍ତେ ଗୁଜରାଟୀ ବସବାସ କରନ୍ତି । ସବୁ ଘର ମଝିରେ ଗୋଟାଏ ବଡ଼ ଘର । ତହିଁରେ ଘର ମାଲିକ ରହନ୍ତି । ସେ ଜଣେ କଣ୍ଟ୍ରାକ୍ଟର । ତାଙ୍କ ଘର ଚାରିଆଡ଼େ ଛୋଟ ଛୋଟ ଲାଇନ୍‌ ବନାଇ ଦେଇଛନ୍ତି–ଭଡ଼ାପାଇଁ । ସମ୍ବଲପୁରରେ ବିଶେଷ ଘର ଅଭାବ । ଭଡ଼ା ମଧ୍ୟ ବେଶ୍‌ ଗୋଟାଏ ଲୋଭନୀୟ ଆୟ । ଏପରି ଗୁଜରାଟୀ କଲୋନୀ ସହରରେ ପ୍ରାୟ ୪।୫ଟା ଅଛି । ସବୁ ସେହି ପ୍ରକାର । ଜଣେ ଜଣେ ଧନୀ ବ୍ୟବସାୟୀ ଜମି କିଣି ନିଜପାଇଁ ଘର ତୋଳି, ତା’ର ଚାରିପାଖ ହେଉ ବା ଆଖପାଖରେ ହେଉ, ଛୋଟ ଛୋଟ ଘର ସବୁ ତିଆରି କରି ଦେଇଛନ୍ତି ଓ ତହିଁରେ ଗୁଜରାଟୀ ମଧ୍ୟବିତ୍ତ ଶ୍ରେଣୀର ଲୋକ ବା ଚାକିରୀଜୀବୀମାନଙ୍କୁ ଭଡ଼ାରେ ରଖିଛନ୍ତି । ଭଡ଼ାପାଆନ୍ତି । କେବଳ ସେତିକି ନୁହେଁ । ନିଜ ମନ ମୁତାବକ ପଡ଼ୋଶୀ ରଖି ସେମାନେ ଗୋଟିଏ ଗୋଟିଏ ଗୁଜରାଟୀ ବସ୍ତି କରି ରଖିଛନ୍ତି । ସେହି ରାଜ୍ୟରେ ସେହିମାନେହିଁ ରାଜା । ତେଣୁ ବ୍ୟବସାୟ କାରବାର ଛଡ଼ା ବାହାର ଦୁନିଆଁ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥାଏ । ଅବଶ୍ୟ ଗୁଜରାଟୀ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ କଲୋନୀ ସଂଖ୍ୟା ବଢ଼ୁ ନାହିଁ । ଯେଉଁ ପୁରୁଣା କଲୋନୀମାନ ରହିଛି–ସେତିକି । ତେଣୁ ଆଜିକାଲି ଅନେକ ଚାକିରୀଜୀବୀ ଗୁଜରାଟୀ ମାରଓ୍ୟାଡ଼ିପଡ଼ା ବା ବଡ଼ବଜାର, କିମ୍ବା ଫାଟକ ଆଡ଼େ, ଆଉ ଗୋଲ ବଜାର ଆଡ଼େ ରହିଲେଣି ।

ଅସିତ ତାଙ୍କ କର୍ମମକ୍ଷେତ୍ରକୁ ଯାଇ ସବୁ ଦେଖାଦେଖି କରି ଆରଦିନଠୁ କାମ ଆରମ୍ଭ କରିବ କହି, ବଜାରରୁ ଗୋଟିଏ ଜନତା କୁକର୍‌ କିଣି ଆଣିଲା । ତା’ପରେ ଘରେ ଆଶା ସଙ୍ଗେ କଥାବାର୍ତ୍ତା ହୋଇ, ଚାଉଳ ଘିଅ, ତେଲ, ଅଟା ଆଦି କିଣିଆଣି ତାଙ୍କ କାମେରାର ଗୋଟିଏ କୋଣରେ ରନ୍ଧାରନ୍ଧି କରିବା ସରଞ୍ଜାମ ରଖିଲା । ଆଉ ଗୋଟିଏ କୋଣରେ ସୁଟକେଶ୍‌, ବିସ୍ତର, ଗୋଟିଏ ଖୋଲା କାନ୍ଧ ଆଲମାରୀରେ ଦର୍ପଣ ପାନିଆଁ ପ୍ରଭୃତି ରଖି ନିଜର ନୂଆ ଘର-ସଂସାର ଅସ୍ଥାୟୀରୂପେ ସେଇଠି ଜମାଇ ଦେଲା–ପରଦିନ ବଡ଼ି ସକାଳୁ ଉଠି ଗାଧୁଆ ପାଧୁଆ କରି ୭ଟାରେ ସେ କାମକୁ ବାହାରିପଡ଼ିଲା ।

ଅସିତ ଗଲାପରେ ଆଶା କପଡ଼ାରେ ସାବୁନ ମାରି ଧୁଆଧୋଇ କରିବାରେ ଲାଗିଲା । କପଡ଼ା ଧୁଆ ସରିଲା ବେଳକୁ ପ୍ରାୟ ୧୦ଟା । ଅଗଣାରେ ରସି ଲାଗିଥାଏ । ତରତର ହୋଇ ତହିଁରେ ସବୁ କପଡ଼ା ଶୁଖାଇ ଘରକୁ ଫେରିଲା । ରେଳରେ ଆସିବାବେଳେ ସବୁ କପଡ଼ା ମଇଳା ହୋଇଯାଇଥିଲା ।

ଘରେ ଗୋଟିଏ ମାଠିଆରେ କୂଅରୁ ପାଣି ଆଣି ରଖି, ଘରସଫା ସୁତୁରା କରି, ଜନତା କୁକରରେ ରନ୍ଧାରନ୍ଧି ଆରମ୍ଭ କଲା । ଦିନ ୧୨ଟାରେ ଅସିତ ଘରକୁ ଫେରିଲେ । ତାଙ୍କୁ ଖାଇବାକୁ ଦେଇ, ସେ ଖାଇ ସାରିବାପରେ ନିଜେ ଖାଇଲା । ଅସିତ ଗୋଟିଏ ଦରି ବିଛାଇ ଟିକିଏ ଗଡ଼ିବାରେ ଲାଗିଲେ । ଖାଇ ସାରି ଆଶା ସମସ୍ତ ଏଲୁମୁନିୟମ୍‌ ବାସନ କୂଅ ପାଖକୁ ନେଲା, ମଜା ଘସା କରିବାପାଇଁ । ଘସି ମାଜି ସାରିଲାରେ ଶୁଖାଇଥିବା କପଡ଼ା ଅଗଣାରୁ ଆଣି ସଜାଡ଼ି ରଖିଲା ।

୧୪ଟା ହେଲାରୁ ଅସିତ କହିଲେ–‘‘୨ଟାରେ ଯିବାକୁ ହେବ । ଚା’ ଟିକିଏ କରିଦିଅ, ମୁଁ ଯିବି ।’’ ଲୁଗାପଟା ଚଉତା ଛାଡ଼ି, ଆଶା ଚା’ ତିଆରି କଲା । ଚା’ ଖାଇ ଅସିତ ତାଙ୍କ ଦୋକାନକୁ ଗଲେ । ଆଶା ତାହାର ଆଉ ସବୁ କାମ ସାରି, ଦରିରେ ଟିକିଏ ଗଡ଼ିପଡ଼ିଲା ।

କିଛି ସମୟ ପରେ ରମେଶର ସ୍ତ୍ରୀ ଉମା ଆସି ପହଞ୍ଚିଲା । କଥାବାର୍ତ୍ତା ଆରମ୍ଭ କରି କହିଲା–‘‘ଆଶା, ଚାଲ ଯିବା, ସାଇପଡ଼ିଶା ସମସ୍ତଙ୍କ ସହିତ ତୁମର ପରିଚୟ କରାଇ ଦିଏଁ ।’’ ଆଶା କହିଲା–‘‘ବସ ଭଉଣୀ, ଟିକିଏ ଚା’ ଖାଇବା, ତା’ପରେ ଯିବା ।’’

ପୁଣି ଚା’ ତିଆରି ହେଲା, ଦୁହେଁ ଖାଇ ପାଖପଡ଼ୋଶୀଙ୍କ ଘର ଆଡ଼େ ଚାଲିଲେ ।

ସମସ୍ତେ ପ୍ରାୟ ଏକା ଶ୍ରେଣୀର ପରିବାର । ସମସ୍ତଙ୍କ ମଧ୍ୟରେ ମିଳାମିଶା ସହଜ । ନାନ କଥା ପଡ଼ିଲା । ପରେ ଘର ମାଲିକ ଘରକୁ ତାଙ୍କ ସହିତ ପାଖ ପଡ଼ିଶା କେତେଜଣ ସ୍ତ୍ରୀ ଲୋକ ମଧ୍ୟ ଚାଲିଲେ ।

ଘର ମାଲିକ ବେଶ୍‌ ବଡ଼ ଲୋକ । ଘର ଭିତରକୁ ପଶିବାକ୍ଷଣି ଧନ ସମ୍ପତ୍ତିର ପ୍ରାଚୁର୍ଯ୍ୟ ଆପେ ଆପେ ଦୃଷ୍ଟିରେ ପଡ଼ିଯାଏ ।

ଗୃହସ୍ୱାମୀଙ୍କ ସହଧର୍ମ୍ମିଣୀ ପ୍ରୌଢ଼ ବୟସ୍କା । ଆଗନ୍ତୁକା ମଣ୍ଡଳିକୁ ସେ ସ୍ୱାଗତ ଜଣାଇଁ, ଚାକରାଣୀକୁ ଚା’ ତିଆରି କରିବା ଓ ସର୍ବ ପ୍ରଥମେ ଦରି ବିଛାଇବାପାଇଁ ହୁକୁମ୍‌ ଦେଲେ । ଉମା ଆଶାକୁ ଚିହ୍ନାଇ ଦେଲା ।

ଘର ମାଲିକାଣୀ ବେଶ୍‌ ସ୍ନେହପୂର୍ଣ୍ଣ କଥାବାର୍ତ୍ତା ଆରମ୍ଭ କଲେ । ଆଶାକୁ ସବୁକଥା ପଚାରି ବୁଝିଲେ । କଥାବାର୍ତ୍ତା ଚାଲିଲା, ସବୁଥିରେ କିନ୍ତୁ ଧନର ପ୍ରଚ୍ଛନ୍ନ ଗର୍ବ । ସେ ଯାହା କହୁଥାନ୍ତି ଅନ୍ୟ ସମସ୍ତେ ସେଥିରେ ହଁ ଭରୁଥାଆନ୍ତି । ଏସବୁ ଦେଖି ଆଶା ମନେମନେ ଭାବୁଥାଏ, ଏଠି ରହିବାକୁ ହେଲେ ଭଡ଼ା ଦେବା ସଙ୍ଗେ ସଙ୍ଗେ–ବୋଧହୁଏ ମାଲିକାଣୀଙ୍କ ମରଜି ଜଗି ଚଳିବାକୁ ହେବ ।

ନାନା କଥାବର୍ତ୍ତା ଚାଲିଲା, ତା’ରି ମଧ୍ୟରେ ଆଶା କହିଲା–‘‘ମା ! ଆମକୁ ଘର ଖଣ୍ଡେ ଦେଲେ ଭଲ ହୁଅନ୍ତା ।’’

ମାଲିକାଣୀ ଉତ୍ତର ଦେଲେ ‘‘ବର୍ତ୍ତମାନ ତ ଘର ନାହିଁ, କିଛି ଦିନ ରହ ତା’ପରେ ଦେଖିବା । କିନ୍ତୁ ମୋର ମନେ ହେଉନାହିଁ ଯେ, ଏଠି ଘର ମିଳିବ, ବରଂ ବାହାରେ ଚେଷ୍ଟାକଲେ ଭଲହେବ ।’’

ସମସ୍ତେ ଉଠି ଯେ ଯାହା ଘରକୁ ଚାଲିଲେ । ସେତେବେଳକୁ ସନ୍ଧ୍ୟା ହୋଇ ସାରିଥାଏ-। ଘରେ ବତୀ ଲଗାଇ ପୁଣି ଦଳେ ଯୁଟି ଗପ ଆରମ୍ଭ କଲେ । ସମସ୍ତଙ୍କ ଗୃହସ୍ଥ ତ ରାତି ୮ଟା ପୂର୍ବରୁ ଫେରିବ ନାହିଁ । ଏତିକିବେଳୁ ଆଉ କ’ଣ କରିବେ ? ରାତି ୮ଟା ପରେ ଅସିତ ଫେରିଲା ହାତ ଗୋଡ଼ ଧୋଇ ଖାଇବସିଲା । ଆଶା ତାକୁ ସବୁକଥା କହିଲା ।

ଅସିତ ମଧ୍ୟ ଦିନମାନର ତାହାର ଖବର ଆରମ୍ଭକଲା । ମାଲିକ ଜଣେ ବୁଢ଼ା ଲୋକ । ସବୁବେଳେ ଦୋକାନରେ ବସିଥାନ୍ତି । କାମ ଆଦାୟ କରିବାରେ ବାହାଦୁର । ଅସିତ କହିଲା, ‘‘ତାଙ୍କ ଦୋକାନରେ କାମ କରୁଥିବା ସବୁ ଲୋକଙ୍କପାଇଁ ଘର ଯୋଗାଇବେ ବୋଲି ସେ କହିଛନ୍ତି-। ପରଦିନ ସକାଳୁ ଅସିତ ତା’ ବାପାଙ୍କ ପାଖକୁ ଚିଠି ଲେଖିଲା ।

ସମ୍ବଲପୁର

ପୂଜ୍ୟପାଦ ବାପା !

ତୁମଠୁ ବିଦାୟ ନେଇ ଆମେ ଏଠାରେ ଭଲରେ ପହଞ୍ଚିଲୁ । ଆମ ବିଷୟରେ କିଛି ଚିନ୍ତା କରିବେ ନାହିଁ । ଅବଶ୍ୟ ଘରଛାଡ଼ି, ତୁମର ଛାତ୍ରଛାୟା ଛାଡ଼ି, ୧୫୦୦ ମାଇଲ୍‌ ଦୂର ଏହି ଅଜଣା ରାଜ୍ୟକୁ ଆସି ଆମକୁ ଟିକିଏ ଅଡ଼ୁଆ ଅଡ଼ୁଆ ଲାଗୁଛି । ତଥାପି ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ମନେ ହେଉଛି । କାମରେ ଲାଗିଲିଣି । ଗୋଟିଏ ଲୁଗା ଦୋକାନରେ ମୁଁ ହିସାବ ଆଦି କାମରେ ଯୋଗ ଦେଇଛି । ମାଲିକ ଜଣେ ଗୁଜରାତୀ । ଅହମଦାବାଦରେ ତାଙ୍କ ଘର । ତାଙ୍କ ବେପାର ବହୁତ ବଡ଼ । ମୋ ଭଳି ଅନେକ ଲୋକ ତାଙ୍କ ଦୋକାନରେ କାମ କରୁଛନ୍ତି ।

ସମ୍ବଲପୁର ବେଶ୍‌ ବଡ଼ ସହର । ପ୍ରାୟ ୩୦।୪୦ ହଜାର ଜନସଂଖ୍ୟା । ମହାନଦୀ କୂଳରେ ଅବସ୍ଥିତ । ଭାରତର ବିଖ୍ୟାତ ହୀରାକୁଦ ବନ୍ଧ ଏଠାରୁ ପ୍ରାୟ ୯ ମାଇଲ । ଏ ପର୍ଯ୍ୟନ୍ତ ଆମେ ହୀରାକୁଦ ଦେଖି ନାହୁଁ । କିନ୍ତୁ ଛୁଟି ଦିନରେ ଯଦି ସୁବିଧା ହୁଏ, ତେବେ ଥରେ ଦେଖି ଆସିବୁ । ଏହି ସହରରେ ମାରଓ୍ୟାଡ଼ି, ଗୁଜରାତୀ, ବଙ୍ଗାଳୀ, ପଞ୍ଜାବୀ, ଦକ୍ଷିଣ ଭାରତୀୟ, ତେଲଙ୍ଗା, ତାମିଲ, କେରଳୀ, ମୁସଲମାନ, ଖ୍ରୀଷ୍ଟିୟାନ୍‌, ଶିଖ୍‌ ସବୁ ପ୍ରକାର ଲୋକ ଅଛନ୍ତି । ସମସ୍ତେ ନିଜେ ନିଜେ ଗୋଟାଏ ଗୋଟାଏ ସମାଜ ଗଢ଼ି ବସିଛନ୍ତି । କାହା ସଙ୍ଗରେ କାହାରି କିଛି ସମ୍ପର୍କ ନାହିଁ । କେବଳ ବ୍ୟବସାୟ ସୂତ୍ରରେ ଯେତିକି ଦରକାର ସେତିକି । ସ୍ଥାନୀୟ ଲୋକେ ତାଙ୍କ ସାଙ୍ଗରେ ବ୍ୟବସାୟ ଛଡ଼ା ଆଉ କୌଣସି ସମ୍ପର୍କ ରଖିଲା ଭଳି ବୋଧ ହେଉନାହିଁ । ଏମାନଙ୍କ ମଧ୍ୟରେ ପୁଣି ଏକତା ନାହିଁ । ବିକାନୀର, ବିୟାନୀ, ରୋହତକର ମାରଓ୍ୟାଡ଼ି ଅଲଗା ଅଲଗା । କଚ୍ଛି, କାଠିଆବାଡ଼ୀ, ଗୁଜରାତୀମାନେ ସ୍ୱତନ୍ତ୍ର; ହିନ୍ଦୁ ପଞ୍ଜାବୀ, ଶିଖ୍‌ ପଞ୍ଜାବୀ ଭାଗ ଭାଗ । ଏମିତି ସବୁ ଜାତି ମଧ୍ୟରେ ପୁଣି ବିଭାଗ । ସ୍ଥାନୀୟ ଲୋକେ ବେଶ୍‌ ଭଲ, ପାଠ ଶାଠ ବିଷୟରେ ବେଶ୍‍ ଆଗ୍ରହୀ, ବ୍ୟବସାୟ ଦିଗରେ ସେତେ ନୁହେଁ । ତଥାପି ସେମାନଙ୍କ ଭିତରେ ମଧ୍ୟ ବ୍ୟବସାୟୀ ଅଛନ୍ତି । ସହରଟି ଜିଲ୍ଲାର ହେଡ଼୍‌ କ୍ୱାଟର ଅଟେ । ଅଫିସର୍‍ ମହଲ ଭିତରେ ପୁଣି ଅଲଗା ଅଲଗା ସମାଜ । ଗେଜେଟେଡ଼୍‌, ନନ୍‌ଗେଜେଟେଡ଼୍‌, ଆଇ.ଏ.ଏସ୍‌, ଓ.ଏ.ଏସ୍‌. ଭିତରେ ପାର୍ଥକ୍ୟ । ତଥାପି ନାନା ଜାତି, ଉପଜାତି ବିଭିନ୍ନ ପ୍ରଦେଶର ଲୋକ ଏ ସ୍ଥାନରେ ରହି ଚଳିଯାଉଛନ୍ତି । ଯେ ଯାହାର କାମରେ ବ୍ୟସ୍ତ ।

ଆମକୁ ଏ ସ୍ଥାନ ନୂଆ ନୂଆ ଲାଗୁଛି । କିଛିଦିନ ପରେ ଭଲ ଲାଗିବ । ସେଠାରେ ମାଆଙ୍କୁ ଆମ୍ଭର ପ୍ରଣାମ କହିଦେବ । ଇତି ।

ଆପଣଙ୍କର

‘ଆସୁ’

ଚିଠିଟା ଲେଖି ଲଫାପାରେ ବନ୍ଦ କରି ଦୋକାନକୁ ବାହାରିଲା । ପୁଣି ଚାଲିଲା କର୍ମଚିନ୍ତା-

Image

 

ଚାରି

 

ଦିନ କଟୁଥାଏ । ଘର ଖୋଜାଖୋଜି ଚାଲିଥାଏ । ରମେଶ ଘରେ ଆଶା ଅସିତ ରହିଥାନ୍ତି । ଆଶା ଓ ଉମା ଦୁଇ ଭଉଣୀ ପରି ଚଳୁଥାନ୍ତି । ତାଙ୍କ ବସ୍ତିରେ ଆଶା ଅସିତ ବ୍ୟତୀତ ଆଉ ବ୍ରାହ୍ମଣ ପରିବାର କେହି ନ ଥାନ୍ତି । ଏଣୁ ସମସ୍ତେ ତାଙ୍କୁ ମାନନ୍ତି । ମଝିରେ ମଝିରେ ମାଲିକ ଘରୁ ଖଞ୍ଜା ଆସେ ଆଶା ଘରକୁ । ଆଶା ତାହା ରଖି ନିଏ ସତ; କିନ୍ତୁ ତା’ ହୃଦୟ ଏସବୁ କଥାରେ ବିଦ୍ରୋହୀ ହୋଇଉଠେ ।

 

ପିଲାଦିନୁ ସେ ବାପ ମା’ଙ୍କର ଏକମାତ୍ର ଝିଅ । ଅତି ସ୍ନେହରେ ଲାଳିତାପାଳିତା । ସେ ଚାହେଁ ସ୍ନେହ, ଚାହେଁ ଆନ୍ତରିକତା । କାହାରି ଅଯାଚିତ ଦୟାର ପାତ୍ର ହେବାକୁ ସେ ପ୍ରସ୍ତୁତ ନୁହେଁ । ଏପରି ପଠାଇବାଟା ଦୟାର ନିଦର୍ଶନ ବୋଲି ସେ ମନେକରେ । ଭାବେ ଗରିବ ବ୍ରାହ୍ମଣ ପରିବାରକୁ ଖଞ୍ଜା ଦେଲେ ଧର୍ମ ହେବ, ଏହି ମନୋଭାବ ତ ଏହା ପଛରେ ରହିଛି । ସେ ଅନ୍ତରର ସହିତ ଏହାକୁ ଘୃଣା କରେ, କିଛି କହି ପାରେନା, ପେରାଇ ଦେଇ ପାରେନା । ମନେ ମନେ କ୍ଷୁବ୍ଧ ହୋଇ ମଧ୍ୟ ଔଦ୍ଧତ୍ୟ ବା ଅସୌଜନ୍ୟ ପ୍ରକାଶ ପାଇଯିବ ବୋଲି କିଛି କହେ ନାହିଁ ।

 

ମାଲିକଙ୍କ ଘରକୁ ଗଲେ ମାଲିକାଣୀ ଯାହା କହିବେ, ସେଥିରେ ‘ହଁ’ ଭରିବାକୁ ହେବ ବୋଲି ସେ ସେଠାକୁ ପ୍ରାୟ ଯାଏ ନା । ବାଧ୍ୟ ହୋଇ ଯିବାକୁ ପଡ଼ିଲେ ସେ ସେଇଠି ମୂକ ସାକ୍ଷୀରୂପେ ବସିଥାଏ । ମନେ ମନେ ସବୁ ଗତିବିଧି ଲକ୍ଷ୍ୟ କରୁଥାଏ । ମନେ ମନେ ନିଜର ମତାମତ ମଧ୍ୟ ଗଢ଼ୁଥାଏ ଓ ଭାଙ୍ଗୁଥାଏ । ତଥାପି କିଛି ପ୍ରକାଶ କରେ ନା ପ୍ରକାଶ କଲେ ତ ବିପଦ-। ମାଲିକାଣୀ କିଛି କହିଲେ ସେ କ’ଣ ଉତ୍ତର ଦେବ ? ତା’ପରେ ଗୋଳମାଳ ଫଳରେ ଘର ଛାଡ଼ିବାକୁ ହେବ ।

 

ଏପରି ଭାବରେ ମାସେ ଦୁଇମାସ ବିତିଗଲା । ପରେ ଅତି କଷ୍ଟରେ ଅସିତ ଗୋଟାଏ ଘର କ୍ଷେତରାଜପୁରରେ ଯୋଗାଡ଼ କରି ନେଲା । ଘର ଅତି ଛୋଟ । ପଡ଼ୋଶୀ ସମସ୍ତେ ଉତ୍ତର ପ୍ରଦେଶ ଓ ବିହାରର ଲୋକ । ତା’ର କର୍ମକ୍ଷେତ୍ରଠାରୁ ଏ ଘରଟି ପ୍ରାୟ ଦୁଇ ମାଇଲ ଦୂର । ହେଲେ ଉପାୟ କ’ଣ ? ପାଖରେ ତ ଘର ମିଳୁ ନାହିଁ ।

 

ନୂଆ ଘର ଖଣ୍ଡିକ ଖପର ଘର ଇଲେକ୍‌ଟ୍ରିକ୍‌ ଆଦି ନାହିଁ । ତଳ କଚା, ଅତି ପୁରୁଣ ଓ ଅବ୍ୟବହାର୍ଯ୍ୟ ଅବସ୍ଥାରେ ଥାଏ । ତଥାପି ସେଠାରେ ତାଙ୍କୁ ରହିବାକୁ ହେଲା । ଆଖପାଖ ଅବସ୍ଥା ଆହୁରି ଖରାପ । ପ୍ରତିଦିନ ଝଗଡ଼ା । କିଏ ମଦ ଖାଇ ଝଗଡ଼ା କରୁଛି ତ କିଏ କାହାକୁ କ’ଣ କହିଦେଲାରୁ ଝଗଡ଼ା । ଝଗଡ଼ା ହେଲା ମାତ୍ରକେ ରାତି ୧୨ଟା ପର୍ଯ୍ୟନ୍ତ ଅଶ୍ଳୀଳ ଗାଳି ଗୁଲଜର ସୁଅ ଚାଲେ । ମାସକ ଭିତରେ ଆଶା ବୁଝିପାରିଲା, ସେଠି ତାହାର ଜୀବନ ଦୁର୍ବହ ହୋଇପଡ଼ିଛି । ଘର ବଦଳି ନ କଲେ ରକ୍ଷା ନାହିଁ । ଅସିତ ରାତ୍ର ପ୍ରାୟ ୯।୧୦ରେ ଫେରିଲା ବେଳକୁ ହାଲିଆ ହୋଇ ଫେରେ । ତଥାପି ଆଶା ତାକୁ ସମସ୍ତ ବୃତ୍ତାନ୍ତ ଶୁଣାଏ । ସେ ନିଜେ ମଧ୍ୟ କିଛି ଶୁଶେ । ପୁଣି ଘର ଖୋଜା ଚାଲିଲା ।

 

ଇତି ମଧ୍ୟରେ ରମେଶ ଓ ଉମା କଲିକତା ଚାଲିଗଲେଣି । ସେଠି ତାଙ୍କୁ ଗୋଟାଏ ଭଲ ଚାକିରୀ ମିଳିଲା । ସେ ଘରଟି ପାଇବାପାଇଁ ଅସିତ ଚେଷ୍ଟା କଲା, କିନ୍ତୁ ଭଡ଼ା ଶୁଣି ଆଉ ଅଗ୍ରସର ହେଲା ନାହିଁ । କ’ଣ କରିବେ ? ବାଧ୍ୟ ହୋଇ ସେଠାରେ ରହିଲେ ।

 

କିଛି ଦିନପରେ ଆଶା ଅସିତକୁ କହିଲା, ‘‘ପାଖରେ ପରା ବରଗଡ଼ । ସେଠାରେ ମୋର ଦୂର ସମ୍ପର୍କୀୟ କକା ଅଛନ୍ତି । ସେଠାକୁ ଯାଇ କିଛିଦିନ ହେଲେ ବୁଲିଆସନ୍ତି । ରବିବାର ଦିନ ତ ତୁମର ଛୁଟି ଥିବ, ଅନ୍ୟ ଅସୁବିଧା ନ ଥିଲେ ମୋତେ ଛାଡ଼ି ଆସିଲେ ଭଲ ହୁଅନ୍ତା ।’’

 

ରବିବାର ଦିନ ଦେଖି ଆଶାକୁ ଅସିତ କକା ଘରେ ଛାଡ଼ିଆସିଲା । ଆଶା ସେଇଠି ୮।୧୦ ଦିନ ରହିଲା । ଆଉ କେତେ ଦିନ ରହିବ ? ଭଦ୍ରତା ଖାତିରରେ ଫେରିଯିବାପାଇଁ ଇଚ୍ଛା ପ୍ରକାଶ କଲା, ଯଦିଓ ତାକୁ ଆଉ କିଛି ଦିନ ରହିବାପାଇଁ କୁହାଗଲା ଏବଂ ପ୍ରକୃତରେ ତା’ର ମଧ୍ୟ ସେ ନର୍କପୁରୀକୁ ଫେରିଯିବାପାଇଁ ମନ ବଳୁ ନଥାଏ, ତଥାପି କ’ଣ କରିବ ? ବେଶୀ ଦିନ ରହିବା ଅସୁନ୍ଦର ହେବ । ତା’ପରେ ଅସିତର ଖାଇବା ପିଇବା ଅନେକ ଅସୁବିଧା କଥା ଚିନ୍ତା କଲା । ତା’ର କକା ଯେଉଁଦିନ କାମ ନେଇ ସମ୍ବଲପୁରକୁ ଆସିଲେ, ଆଶା ତାଙ୍କ ସହିତ ଫେରିଆସିଲା ।

 

X X X

 

ଦିନ ଗଡ଼ି ଚାଲିଛି, ଖରା ବର୍ଷା ଶୀତ ଆସୁଛି ଯାଉଛି । ବର୍ଷପରେ ବର୍ଷ କଟିଯାଉଛି । ଇତି ମଧ୍ୟରେ ଆଶା ଜୀବନର ୧୪।୧୫ ବର୍ଷ ସମ୍ବଲପୁରରେ କଟିଗଲାଣି । ତା’ର ଝିଅପୁଅ ହୋଇ ପାଞ୍ଚଟି ହେଲେଣି । ବଡ଼ ଝିଅ ରଜନୀର ବୟସ ୧୩ । ସମ୍ବଲପୁର ସହରରେ ଅନେକ ଘର ବିଭିନ୍ନ ପଡ଼ାରେ ବଦଳାଇ ସାରିଲେଣି, କିନ୍ତୁ କୌଣସି ଘରେ ଆଶା ଆନ୍ତରିକତା ପାଇପାରି ନାହିଁ । ସବୁ ଘରେ ସେ ବିଦେଶୀ । ତା’ର କେହି ନାହାନ୍ତି । ତା’ ବୋଲି ସେ ଯେ ମିଠା କଥା ବା ସ୍ନେହ ସଦ୍‌ଭାବ ନ ପାଇଛି ତା’ ନୁହେଁ । କମ୍‌ ବେଶୀ ସବୁଠି ପାଇଛି; କିନ୍ତୁ ପାଇନି ଗୋଟିଏ କଥା–ଆନ୍ତରିକତା । ହୃଦୟ ଖୋଲି କାହା ପାଖରେ ତା’ର ମନର ବେଦନା ଜଣାଇ ପାରିନାହିଁ । ତା’ ଜୀବନର କାହାଣୀ ଶୁଣାଇ ପାରିନାହିଁ ।

 

ଅସିତ ସକାଳୁ ଯାଇ ରାତି ୯ଟାରେ ଘରକୁ ଫେରେ । ମଝିରେ କେବଳ ୧୨ଟା ବେଳେ ଖାଇବାକୁ ଆସେ ଯାହା । ଦରଦାମ ହୁ–ହୁ ବଢ଼ିଚାଲିଛି । ଦୁଇ ପ୍ରାଣୀ ସ୍ଥାନରେ ସାନ ବଡ଼ ହୋଇ ସାତଜଣ । ଦରମା ସେହି ଦେଢ଼ଶହ । ଆଉ ବଢ଼ିବାର ଆଶା ନାହିଁ । ଅଭାବ ଉତ୍କଟତର ହୋଇ ଚାଲିଛି । ଗାଁରୁ ଚିଠିପତ୍ର ଆସେ ନାହିଁ । ଅସିତ ରାତିରେ ଆସିଲା ବେଳକୁ କଥାବାର୍ତ୍ତା କରିବାପାଇଁ ବେଳ ନଥାଏ । ଦିନ ସାରା ଆଶା ଏକାକିନୀ ହୋଇ ବସିଥାଏ । କୌଣସି ପଡ଼ୋଶୀ ସ୍ତ୍ରୀ ଲୋକ ସହିତ ଏ ଆଡ଼ୁ ସେଆଡ଼ୁ କଥା ହୁଏ ବା ତା’ ନିଜ ପିଲାଙ୍କ କାମ କରିବାରେ ବ୍ୟସ୍ତ ରହେ ।

 

ବର୍ତ୍ତମାନ ସେମାନେ ମାରଓ୍ୟାଡ଼ି ପଡ଼ାର ଗୋଟାଏ ଗଳିରେ ରହୁଛନ୍ତି । ଘରଟି ମହାନଦୀ କୂଳରେ, ପାଖରେ ଗୋଟାଏ ରାଧାକୃଷ୍ଣ ମନ୍ଦିର ।

 

ଯେତେବେଳେ ମନୁଷ୍ୟ ସବୁଆଡ଼େ ଆଶ୍ରୟ ଖୋଜି ହତାଶ ହୁଏ, ତା’ ମନରେ ଘୋର ଶୂନ୍ୟତା ବସା ବାନ୍ଧେ । ସେତେବେଳେ ଏକେତ-ସେ ଭଗବାନଙ୍କ ଆଶ୍ରୟ ନିଏ, ନ ହେଲେ ପାଗଳ ହୋଇଯାଏ । ଆଶାର ବର୍ତ୍ତମାନ ସେହି ଅବସ୍ଥା । ଉତ୍କଟ ଅଭାବ, ବନ୍ଧୁ ସହୋଦର ଶୂନ୍ୟ, ପିଲାଙ୍କ ଅଳି ଓ ସ୍ୱାମୀଙ୍କର କର୍ମବ୍ୟସ୍ତତା ଯୋଗୁ ଯତ୍ନ ନେବାରେ ଅସାମର୍ଥ୍ୟ । ଆଶାକୁ ପାଗଳୀ କରି ପକାଉଥାଏ । ଆଜିକାଲି ପ୍ରାୟ ପତିପତ୍ନୀଙ୍କ ଭିତରେ ସାମାନ୍ୟ କାରଣରୁ ସାନ ସାନ କଳି ଆରମ୍ଭ ହୁଏ; କିନ୍ତୁ ତାହା କେବେ ଭଦ୍ରତାର ସୀମା ଟପେନାହିଁ । ଅସିତ ବିଚରା ନାଚାର । କ’ଣ କରିବ ? ଦିନ ସାରା ମାଲିକ ପାଖରେ, ରାତିରେ ଆଶା ପାଖରେ ତାକୁ ଗୋଲାମୀ କରିବାକୁ ହୁଏ-। ନିରୁପାୟ, କୌଣସିଠାକୁ ଯିବାକୁ ବାଟ ନାହିଁ, ଏପରି କି କୌଣସି ସ୍ଥାନ ମଧ୍ୟ ନାହିଁ, ସବୁ ସହି ନିଏ । ଦୁଃଖ କଷ୍ଟ ଯେ ହୁଏ ନା, ତା’ ନୁହେଁ, କିନ୍ତୁ କାମରେ ମନ ଲଗାଇ ସବୁବେଦନା ଭୁଲିଯିବାକୁ ଚେଷ୍ଟା କରେ ।

 

ଆଶା ମଧ୍ୟ ବୁଝେ, ଅସିତର ଅସହାୟତା । ଏକା ଘରେ ପଡ଼ି ପଡ଼ି କାନ୍ଦେ, ବୃଥାରେ କାହିଁକି ଅସିତ ସହିତ କଳି କଲା ବୋଲି ଅନୁଶୋଚନା କରେ; କିନ୍ତୁ ପରିସ୍ଥିତି ଚାପରେ ନିରୁପାୟ ହୋଇ ଦୁହେଁ ପୁଣି କଳି କରନ୍ତି । ଗାଆଁକୁ ଫେରିଗଲେ ହୁଏତ କିଛି ଗୋଟାଏ ବାଟ ହୁଅନ୍ତା । କିନ୍ତୁ ସେମାନେ ଯିବେ କୁଆଡ଼େ ? ଆଶାର ତ ବାପା ମା ନାହାନ୍ତି । ଶାଶୁ ଶ୍ୱଶୁର ଥାଇ ନ ଥିଲାପରି । ପୁଣି ସେଠାକୁ ଯାଇ କ’ଣ ତାଙ୍କ ସମସ୍ୟାର ସମାଧାନ ହେବ ? ସେ ବିଶ୍ୱାସ ମଧ୍ୟ ନାହିଁ, ତା’ପରେ ଅର୍ଥଚିନ୍ତା; ଗାଁକୁ ଯିବାକୁ ହେଲେ ଅତି କମରେ ଦୁଇ ତିନି ଶହ ଟଙ୍କା ଦରକାର । ଏହା କେଉଁଠୁ ଆସିବ ? ସମ୍ବଳ ମଧ୍ୟରେ ଅଳଙ୍କାର କେତେଖଣ୍ଡି ଅଛି, ସେଥିରୁ ମଧ୍ୟ କେତେକ ବିକ୍ରି ସରିଲାଣି । ଯାହା ଅଛି; ବିକିଲେ ଗାଆଁ ପର୍ଯ୍ୟନ୍ତ ପାଥେୟ ହୁଏତ ହୋଇଯିବ; କିନ୍ତୁ ତା’ପରେ ସେମାନେ ଚଳିବେ କିପରି ? ଏସବୁ ଚିନ୍ତାରେ ଆଶା ଦିନସାରା ଛଟପଟ ହୁଏ ।

 

ସବୁ ଆଡ଼ୁ ନିରାଶ ହୋଇ ଆଶା ଭଗବାନଙ୍କୁ ଡାକିବା ଆରମ୍ଭକଲା । ଭଗବାନଙ୍କ ଛବି ରଖି ସକାଳସନ୍ଧ୍ୟା ଦୀପ ଜାଳି ବସେ । ତୁଳସୀ ରାମାୟଣ ପଢ଼େ । କାଳେ ଭଗବାନ ତାକୁ ସାହାଯ୍ୟ କରିବେ ଏହାହିଁ ଭରସା । ସାହାଯ୍ୟ ମିଳୁ ନ ମିଳୁ ଏଥିରେ ଟିକିଏ ମାନସିକ ଶାନ୍ତି ତାକୁ ମିଳିଥାଏ । ବିଶ୍ୱାସ ମନୁଷ୍ୟ ଜୀବନର ଗୋଟାଏ ବଡ଼ କଥା । ଆତ୍ମବିଶ୍ୱାସ ହରାଇଲେ ତା’ର ଏକମାତ୍ର ପନ୍ଥା ଈଶ୍ୱର ବିଶ୍ୱାସ । ସେହି ବିଶ୍ୱାସରେ ହିଁ ସେ ପାଏ-ମାନସିକ ଶାନ୍ତି, ସାନ୍ତ୍ୱନା, ସାହସ-। ଜୀବନରେ ଝଡ଼ ଝଞ୍ଜାର ସମ୍ମୁଖୀନ ହେବାକୁ ହେଲେ, ଈଶ୍ୱର ବିଶ୍ୱାସ ହିଁ ଶକ୍ତି ସମ୍ବଳ ଯୋଗାଇଦିଏ । ସେ ବିଶ୍ୱାସ ଭାଙ୍ଗି ପଡ଼ିଲେ ମନୁଷ୍ୟର ମେରୁଦଣ୍ଡ ଭାଙ୍ଗିପଡ଼େ ଏବଂ ବଞ୍ଚିରହିବା କଷ୍ଟକର ବୋଧହୁଏ । ବିଶ୍ୱାସ ମାନବ ସଭ୍ୟତାକୁ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ନ ହେଲେ ଯେପରି ଅନେକ ପ୍ରାଗୈତିହାସିକ ଜନ୍ତୁ ଲୋପ ପାଇ ଗଲେଣି, ମାନବ ଜାତି ମଧ୍ୟ କେଉଁକାଳୁ ଲୋପ ପାଇ ସାରନ୍ତାଣି । ତା’ର ବିଶ୍ୱାସ ଅଛି ନିଜର ଶକ୍ତିରେ, ବୁଦ୍ଧିରେ ଓ ତା’ର ଭବିଷ୍ୟତରେ । କିନ୍ତୁ ତାହା ଯେତେବେଳେ କ୍ଷୀଣ ହୋଇଯାଏ ବା ଦୁର୍ବଳ ହୋଇପଡ଼େ, ସେତେବେଳେ ଈଶ୍ୱର ବିଶ୍ୱାସ ନୂତନ ଶକ୍ତି ଯୋଗାଇଦିଏ । ସେଇଥିପାଇଁ ପୃଥିବୀରେ ଯେତେ ମହାପୁରୁଷ ଜନ୍ମ ନେଇଛନ୍ତି, ସମସ୍ତେ ଈଶ୍ୱରଙ୍କୁ ମାନନ୍ତି । ସାଧାରଣ ଲୋକଙ୍କୁ ଈଶ୍ୱର ବିଶ୍ୱାସପାଇଁ ପ୍ରେରଣା ଦିଅନ୍ତି । ମାର୍କସ୍‌ ଧର୍ମକୁ ଅଫିମ ନିଶା ଓ ଈଶ୍ୱରଙ୍କୁ ଗୋଟାଏ କଳ୍ପନାମାତ୍ର ବୋଲି କହିଛନ୍ତି ସତ ; କିନ୍ତୁ ତା’ ସାଥିରେ କମ୍ୟୁନିଷ୍ଟ ଧର୍ମ ଓ ସର୍ବହରାଙ୍କୁ ଏକଛତ୍ର ବାଦରେ ବିଶ୍ୱାସ ରଖିବାପାଇଁ କହିଛନ୍ତି । ତଥାପି ସେ ଦେଶରେ ଆଜିସୁଦ୍ଧା ଈଶ୍ୱରବିଶ୍ୱାସୀ ବହୁଲୋକ ଅଛନ୍ତି । କମ୍ୟୁନିଷ୍ଟବାଦର ଶତ ଚେଷ୍ଟା ସତ୍ତ୍ୱେ ଈଶ୍ୱରବିଶ୍ୱାସ ସେଠାରୁ ଲୋପ ପାଇ ନାହିଁ । ବରଂ ଯେତିକି ସେତିକି । ତାଙ୍କର ବିଶ୍ୱାସ ଡିକ୍ଟେଟର୍‌ ବ୍ୟବସ୍ଥା ଉପରୁ ଯେତିକି କମି କମି ଆସୁଛି; ସେତିକି ସେତିକି ଈଶ୍ୱର ବିଶ୍ବାସ ବଢ଼ି ଚାଲିଛି ।

 

ଆଶା ପୂଜାପାଠରେ ଲାଗି ପଡ଼ିଲା । ସେଥିରେ ସେ କେତେକଟା ଶାନ୍ତି ପାଏ । ତଥାପି ସମୟ ସମୟରେ ମନ ତା’ର ବିଚଳିତ ହୋଇପଡ଼େ । ତା’ର ସମସ୍ୟାର ସୀମା ନାହିଁ, କି ସମାଧାନର ବାଟ ନାହିଁ । ସମୟ ବିଶେଷରେ ପୂଜାଅର୍ଚ୍ଚନାରୁ ତା’ର ଆସ୍ଥା କମି ଆସେ । ଈଶ୍ୱରବିଶ୍ୱାସର ମୂଳ ଦୋହଲିଯାଏ; କିନ୍ତୁ ପୂର୍ବ ସଂସ୍କାର ଯୋଗୁ ହେଉ ବା ନିରୁପାୟ ହୋଇ ପୁଣି ସେ ପୁରୁଣା ବାଟକୁ ଫେରିଆସେ ।

 

ଆଶା–ନିରାଶାର ଦ୍ୱନ୍ଦ୍ୱ ମଧ୍ୟରେ, ଆଶାର ଦୁଃଖମୟ ଜୀବନ ଚାଲିଥାଏ । ତା’ସାଙ୍ଗକୁ ଘରକାମ, ଅସିତର ସେବା ଶ୍ରୁଶ୍ରୂଷା, ପିଲାମାନଙ୍କ ରୋଗ, ପୁଷ୍ଟିକର ଖାଦ୍ୟର ଅଭାବରୁ ନାନା ଜଟିଳତା ।

 

ମନର ଦୁର୍ବଳତା ବଢ଼ିବା ସଙ୍ଗେ ସଙ୍ଗେ ନାନା ଆଶଙ୍କା ଜନ୍ମେ, ଅଯଥା ଚିନ୍ତା ବୃଦ୍ଧିପାଏ-

 

ମଧ୍ୟବିତ୍ତ ଚାକିରୀଜୀବୀ ପରିବାର, ହାତରେ ବେଶୀ କାମ ନଥାଏ । ପଡ଼ୋଶୀ ଘରମାନଙ୍କୁ ବୁଲିବାକୁ ଗଲେ ସେଠି ଦେଖେ, ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ । ସେହି ଐଶ୍ୱର୍ଯ୍ୟର ଅଭିବ୍ୟକ୍ତି ତା’ର ଦାରିଦ୍ର୍ୟର ଜ୍ୱାଳାକୁ ଶତଗୁଣିତ କରି ଦେଇଥାଏ । ସେ ଦେଖେ, ବଡ଼ଘରର ପଡ଼ୋଶୀ ସ୍ତୀଲୋକ କିପରି ଶାଢ଼ୀ ପିନ୍ଧୁଛି, କିପରି ସ୍ନୋ ପାଉଡର ଲଗାଉଛି, କିନ୍ତୁ ହୁଏତ ତା’ପଛରେ ଯେ କି କରୁଣ ଜୀବନର କାହାଣୀ ଲୁଚି ରହିଛି, ଆଶା ତାହା ଜାଣିପାରେନା । ଅନୁମାନ କରିପାରେନା । ତା’ର ସମୁଦାୟ ଦୃଷ୍ଟି ନିଜ ଅବସ୍ଥା ଉପରେ ହିଁ କେନ୍ଦ୍ରୀଭୂତ ହୋଇଯାଏ । ନିଜ ପାଖରେ ନିଜର ଦୀନତା, ନିଜର ହୀନତା ଉତ୍କଟ ଆକାର ଧାରଣ କରେ । ସେଥିପାଇଁ ସେ ଧନୀଘରର ପଡ଼ୋଶୀଙ୍କ ସହିତ ମିଶିପାରେ ନାହିଁ । ସେମାନଙ୍କ ସହିତ ସମାନ ସମାନ ଭାବରେ କଥା କହିପାରେ ନାହିଁ ।

 

ତା’ଘର ପାଖରେ ଅନେକ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ମାରବାଡ଼ୀ ପରିବାର ଥାଆନ୍ତି । ଧନୀ ପରିବାର ମଧ୍ୟ ଥାଆନ୍ତି । ତାଙ୍କ ତାଙ୍କ ମଧ୍ୟରେ ସେମାନେ ସୁବିଧା ଅସୁବିଧାରେ ସାହାଯ୍ୟ ଦିଆନିଆ କରନ୍ତି । ପଡ଼ୋଶୀଭାବରେ ସେମାନେ ହୁଏତ ଆଶାକୁ ମଧ୍ୟ ସାହାଯ୍ୟ କରନ୍ତେ; କିନ୍ତୁ ସାହାଯ୍ୟ ଚାହିଁଲେ ହୁଏତ ସେମାନେ ତା’କୁ ଛୋଟ ମଣି ପାରନ୍ତି, ଏହି ଆଶଙ୍କାରେ ଆଶା ଦେବା ନେବା ବ୍ୟାପାର ଭିତରେ ପଶେନାହିଁ । ଆଶା ସହିତ ସେମାନେ ଘନିଷ୍ଠତା ସ୍ଥାପନ କରି ନିଜର କରିବାପାଇଁ ଚେଷ୍ଟା କରନ୍ତି; କିନ୍ତୁ ତଦ୍ଦ୍ୱାରା ଆଶାର ଆଶଙ୍କା ଆହୁରି ବଢ଼େ । ମନେ ମନେ ଭାବେ, ସେମାନେ ତା’ର ଦାରିଦ୍ର୍ୟକୁ ପରିହାସ କରୁଛନ୍ତି ।

 

ପାଖରେ ଜଣେ ଧନୀ ମାରବାଡ଼ୀ ପରିବାର । ସ୍ତ୍ରୀର ବୟସ ପ୍ରାୟ ୧୭-୧୮ । ତାଙ୍କ ସ୍ୱାମୀଙ୍କର ସେ ତୃତୀୟ ପକ୍ଷ । ସ୍ୱାମୀଙ୍କ ବୟସ ୬୦ରୁ ବେଶୀ । ସେ’ ଆଶାକୁ ଭଲପାଏ, ଆଶାର ଦୁଃଖ ଦେଖି ତା’ ନିଜ ଦୁଃଖରେ ଆଶ୍ୱାସନା ପାଏ, ତା’ ନାମ ଲତା । ଦେଖିବାକୁ ସୁନ୍ଦର, ପାଠ ପଢ଼ିଛି, ବେଶ୍‌ କଥାବାର୍ତ୍ତା, ଜଣାପଡ଼େ ବୁଦ୍ଧିମତା ।

 

ଆଶା ତା’ର ରୂପ ଗୁଣ ଦେଖି ତା’ପ୍ରତି ଆକୃଷ୍ଟ । ଆଶା ସବୁବେଳେ ଲକ୍ଷ୍ୟକରେ ଯେ, ସବୁଥାଇ ସୁଦ୍ଧା ଲତା ଉଦାସୀ । ବୁଝିହୁଏନା, ରୂପ ଗୁଣ ବୁଦ୍ଧି ବିଦ୍ୟା ଧନ ସମ୍ପତ୍ତି ସବୁ ଥାଇ ମଧ୍ୟ ଲତା କାହିଁକି ସବୁବେଳେ ବିମର୍ଷ ଦେଖାଯାଏ । ଲତାର ଚାକ୍‌ଚମକ୍‌ ବେଶ ନଥାଏ । ଦେହରେ ଅଳଙ୍କାର ଖୁବ୍‌ କମ୍‌, ହସେ–ଶୁଖିଲା ହସ । ମନରେ ତା’ର ଫୁର୍ତ୍ତି ଥାଏ, କାର୍ଯ୍ୟରେ ଉତ୍ସାହ ନଥାଏ-

 

ସେହି ପଡ଼ାରେ ଦୁଇ ତିନୋଟି ବିଧବା ସ୍ତ୍ରୀଲୋକ ମଧ୍ୟ ଥାନ୍ତି । ଭାଗ୍ୟଦୋଷରୁ ସେମାନେ ଯୌବନରେ ବୈଧବ୍ୟର ଶିକାର ହୋଇଛନ୍ତି । ପୁନର୍ବିବାହ ମାରଓ୍ୟାଡ଼ୀ ସମାଜରେ ଚଳେ ନାହିଁ । ଜୀବନସାରା ସେମାନଙ୍କୁ ଏହି ଅବସ୍ଥାରେ ଦିନ କାଟିବାକୁ ପଡ଼ିବ ।

 

ନିକଟରେ ଗୋଟିଏ ରାଧାକୃଷ୍ଣ ମନ୍ଦିର । ସେମାନେ ବରାବର ସେଠାକୁ ଯାଆନ୍ତି । ଭାରି ଭକ୍ତି ସେମାନଙ୍କର । ଘରେ କାମ ଦାମ, ପିଲାଝିଲାଙ୍କ ଯତ୍ନ ଆଦିର କିଛି ଚିନ୍ତା ନଥାଏ । ଭକ୍ତି ନ କରି ଆଉ କରିବେ କ’ଣ ?

 

ସାହୀର ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କ ପରି ଆଶା ମନ୍ଦିରକୁ ଯାଏନା । ସେ ଭାବେ, ଘରେ ଭଗବାନଙ୍କୁ ଡାକିଲେ ଚଳିବ ନାହିଁ ଯେ ମନ୍ଦିରକୁ ଯିବାକୁ ହେବ । ମନ୍ଦିରକୁ ଯିବା ଅର୍ଥ ଦୁନିଆଁକୁ ଦେଖାଇବା, ପ୍ରକୃତ ଭକ୍ତି ଅଲଗା କଥା । ଭକ୍ତି ହୃଦୟରେ ଥାଏ, ମନର ବିଶ୍ୱାସରୁ ତା’ର ଉତ୍ପତ୍ତି । ଲୋକ ଦେଖାଣିଆଁ ହେଲେ ତା’ ମଧ୍ୟରେ କୃତ୍ରିମତା ଆସେ, ତା’ର ମୂଲ୍ୟ କିଛି ନଥାଏ ।

 

ଆଶା ମନ୍ଦିରକୁ ଘୃଣା କରେ ନା । ସେଠାକୁ ଯିବାପାଇଁ ତା’ର ବିଶେଷ ଆପତ୍ତି ନଥାଏ-। ତଥାପି ସେ ଯାଏ ନାହିଁ । ମନ୍ଦିରର ବାହ୍ୟ ଆଡ଼ମ୍ବର ତା’ର ପସନ୍ଦ ହୁଏ ନାହିଁ । ଆଡ଼ମ୍ବରର ପ୍ରୟୋଜନ ସେ ବୁଝିପାରେ ନାହିଁ । ସେ ଭାବେ ଲକ୍ଷ ଲକ୍ଷ ଲୋକ ମୁଠାଏ ଖାଇବାକୁ ପାଉ ନ ଥିବା ବେଳେ ରୁଗ୍‌ଣ ଶିଶୁର ଚିକିତ୍ସାପାଇଁ ଲକ୍ଷ ଲକ୍ଷ ଲୋକ ଅସମର୍ଥ ହେଉଥିବା ବେଳେ ମନ୍ଦିରଗୁଡ଼ିକର ଆଡ଼ମ୍ବର ରକ୍ଷାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହା ସେ ପସନ୍ଦ କରିପାରେନାହିଁ । ଶ୍ରଦ୍ଧା ଯଦି ଥାଏ, ପଥର ଖଣ୍ଡକ ମଧ୍ୟ ଭାବନାରେ ପରିଣତ ହୁଅନ୍ତି । ସେଥିପାଇଁ ବୋଧହୁଏ ଆମ ପୂର୍ବପୁରୁଷ ପଥର ବସାଇ ତାଙ୍କୁ ହିଁ ଭଗବାନ ବୋଲି ମାନି ଭକ୍ତି କରୁଥିଲେ । ପରେ ଶିଳ୍ପୀମାନେ, ଐଶ୍ୱର୍ଯ୍ୟଶାଳୀ ରାଜା ମହାରାଜା, ଧନୀ ପୁରୁଷମାନେ ନିଜର କୃତିତ୍ୱ , ବ୍ୟକ୍ତିତ୍ୱ, କଳା ଓ ଐଶ୍ୱର୍ଯ୍ୟ ପ୍ରଦର୍ଶନପାଇଁ, ତଥା ସ୍ମୃତି ମାଧ୍ୟମରେ ଅମରତ୍ୱ ଲାଭ ସକାଶେ ମୂର୍ତ୍ତି ଓ ମନ୍ଦିର ଗଢ଼ିଥିଲେ । ସେମାନଙ୍କର ଅମରତ୍ୱ ପ୍ରାପ୍ତି ବାସନା କାଳ କିନ୍ତୁ ପଣ୍ଡ କରିଦେଇଛି । ତଥାପି ସେସବୁ ମନ୍ଦିର ଓ ମୂର୍ତ୍ତି ଏ ଦେଶର ପ୍ରାଚୀନ ସଭ୍ୟତା । ଏ ଦେଶର ପ୍ରାଚୀନ ବୈଭବର ମୂକ ସାକ୍ଷୀ ରୂପେ ବର୍ତ୍ତମାନ ସୁଦ୍ଧା ଚାରିଆଡ଼େ ଦଣ୍ଡାୟମାନ । ଆଉ ଏ ହତଭାଗା ଜାତି, ତାକୁ ହିଁ ଦେଖି ଲୁପ୍ତ ଗୌରବର କଳ୍ପନାରେ ଗର୍ବ ଅନୁଭବ କରେ । କିନ୍ତୁ କର୍ପୂର ଉଡ଼ିଯାଇଛି, କନା ପଡ଼ିଛି–ଏହି ମାତ୍ର । ମନ୍ଦିର ଧନୀ ଓ ପ୍ରଭାବଶାଳୀଙ୍କପାଇଁ, ଦରିଦ୍ରପାଇଁ ନୁହେଁ । ଭଗବାନଙ୍କ ମନ୍ଦିରରେ ମଧ୍ୟ ସାନ ବଡ଼ ଧନୀ, ଦରିଦ୍ର ଭେଦ ଭାବ ଥାଏ । ସବୁ ପ୍ରାଣୀଙ୍କ ମାଲିକ ଭଗବାନ ହେଲେ ମଧ୍ୟ ମନ୍ଦିରର ମାଲିକ ପୂଜକ । ତା’ ଇଚ୍ଛା ଅନୁସାରେ ଦିଅଁ ଦର୍ଶନ ହୋଇଥାଏ । ତାକୁ ଭଲ ଦକ୍ଷିଣା ଦେଲେ ଭଲ ଦର୍ଶନ ମିଳିବ । ଭଲ ଭୋଗ ଥାଳି ସଜାଡ଼ି ଆଣିଲେ ସମସ୍ତଙ୍କୁ ଦର୍ଶନପାଇଁ ସ୍ୱତନ୍ତ୍ର ସୁବିଧା କରି ଦିଆଯିବ-। ଯେଉଁ ଭଗବାନ ପ୍ରତି ଶ୍ରଦ୍ଧା ଭକ୍ତିର କିଣା ବିକା ଚାଲିଛି, ତା’ କେବଳ ମନ୍ଦିରରେ ସମ୍ଭବ, ଆଉ କୌଣସି ସ୍ଥାନରେ ନୁହେଁ । ତେଣୁ ମନ୍ଦିର ପ୍ରତି ଆଶାର ବେଶୀ ଆକର୍ଷଣ ନଥାଏ । ଆଶା ପକ୍ଷରେ ମନ୍ଦିର ଗୋଟାଏ ଦର୍ଶନୀୟ ସ୍ଥାନ । ସେ ଭାବେ–‘ଭାରତର ପ୍ରାଚୀନ ଇତିହାସକୁ ବଞ୍ଚାଇ ରଖିଛି ଏହି ସବୁ ମନ୍ଦିର । ଲୋକେ ଯେପରି ଚିଡ଼ିଆଖାନା, ଯାଦୁଘର ଦଷଖିବାକୁ ଯାଆନ୍ତି, ସେହିପରି ମଧ୍ୟ ଏସବୁ ଦର୍ଶନୀୟ ସ୍ଥାନକୁ ଯିବା କଥା । ଶ୍ରଦ୍ଧା ଓ ଭକ୍ତିପାଇଁ ନୁହେଁ । ଶ୍ରଦ୍ଧା ଓ ଭକ୍ତି ଘର କଣରେ, ହୃଦୟ ଭିତରେ ଭଲ ହୋଇପାରେ, ସେହିପରି ଦର୍ଶକ ଭିଡ଼ରେ ମନର ଚଞ୍ଚଳତା ଆସେ ନାହିଁ । ଭଲ ଶାଢ଼ୀର ପ୍ରୟୋଜନ ହୁଏ ନାହିଁ, ପୂଜକର କୃପାଦୃଷ୍ଟିର ଆବଶ୍ୟକତା ନଥାଏ । ଘରର ସେହି ନିଭୃତ କୋଣରେ ଏକା ସେ ଓ ତା’ର ଭଗବାନ । ସେଠି ଘଣ୍ଟ ଶଙ୍ଖର ପ୍ରୟୋଜନ ନଥାଏ; ଦକ୍ଷିଣାର ପ୍ରୟୋଜନ ନଥାଏ । କେହି ତୁମର ଅନ୍ତରର ନିବେଦନ ଶୁଣି ନେବେ, ସେ ଭୟ ମଧ୍ୟ ନଥାଏ । ସେଠି ଖୋଲା ମନରେ ନିଜର ଆପତ୍ତି, ଅଭିଯୋଗ, ଭୟ, ଆଶଙ୍କା, ଆଶା. ଆକାଙ୍‌କ୍ଷା, ପ୍ରଭୁଙ୍କ ପାଖରେ ବ୍ୟକ୍ତ କରାଯାଇପାରେ । ସେଠି ଭକ୍ତ ହସିପାରେ, କାନ୍ଦିପାରେ, ଗାଇପାରେ, ନାଚିପାରେ ।

 

ସେଥିରେ ଲୋକଙ୍କର ମତାମତ ପ୍ରୟୋଜନ ହୁଏ ନାହିଁ ବା ତାଙ୍କର ସମାଲୋଚନାକୁ ଭୟ କରିବାର କାରଣ ରହେ ନାହିଁ । ତେଣୁ ଆଶାପାଇଁ ତା’ର ଘର କଣର ଛବିଟି ହିଁ ଭଗବାନ ଏବଂ ତାହା ହିଁ ତା’ର ମନ୍ଦିର ।

Image

 

ପାଞ୍ଚ

 

ଦ୍ୱିପହର । ଖିଆ ପିଆ ସାରି ଅସିତ ନିଜ କାମକୁ ଗଲା । ଆଶା ଗଡ଼ପଡ଼ ହେଉଥାଏ । ଲତା ଆସି କହିଲା–‘‘ଶୋଇଛ ?’’

 

ଆଶା ଉଠି ବସିଲା, କହିଲା–‘‘ଆସ ଆସ, ଏତେ ଦିନ ପରେ ତୁମେ ଏ ଗରିବ ଘରକୁ କୁଆଡ଼ୁ ଆସିଗଲ ? ବଡ଼ ଲୋକର ଦୃଷ୍ଟି ଏ ଗରିବ ଉପରେ ପଡ଼ିଲା କିପରି ?’’

 

ଲତା–‘‘ଏମିତି କ’ଣ କହୁଛ ଭଉଣୀ ! ଗରିବ କିଏ, ଧନୀ କିଏ ? କିଏ ଧନରେ ଗରିବ ତ କିଏ ମନରେ । ଧନ ଥିଲେ ଯେ ଧନୀ, ତା’ତ ନୁହେଁ । ଧନ ଥାଇ ତା’ର ସଦ୍‌ବ୍ୟବହାର କରିବା ଦରକାର । ନ ହେଲେ ଟ୍ରେଜେରୀରେ ଗୁଡ଼ାଏ ଭର୍ତ୍ତିକରି ଚୌକିଦାର ପରି ଜଗି ବସିଲେ କି ଲାଭ-? ତା’ହେଲେ ତ ଷ୍ଟେଟ୍‌ ବ୍ୟାଙ୍କ୍‍ର ଚୌକିଦାର ସବୁଠାରୁ ବଡ଼ ଧନୀ । ଛାଡ଼ ସେସବୁ କଥା, ଧନ ଅପେକ୍ଷା ମନ ବେଶୀ ମୂଲ୍ୟବାନ୍‌ । ପଇସା ପଛେ ନ ଥାଉ, ମନରେ ଯଦି ପ୍ରଫୁଲ୍ଲତା ଅଛି, କାହାରି କିଛି ଉପକାରପାଇଁ ଇଚ୍ଛା କରୁଛ, ତା’ହେଲେ ତୁମେ ବଡ଼ ଧନୀ ।’’

 

ଆଶା କହିଲା, ‘‘ହଁ, କାହିଁକି ଏପରି ନ କହିବ ? ଘରେ ତ ଲକ୍ଷ ଲକ୍ଷ ଟଙ୍କା, ଦାସ ଦାସୀ । ପାଣି ମାଗିଲେ ଘିଅ ମିଳୁଛି । ତା’ପରେ ତୁମେ ଏକା, ପିଲା ଛୁଆ ନାହାନ୍ତି । ଏମିତି ବକ୍ତୃତା ତୁମେ ନ ଦେଲେ ଆଉ କିଏ ଦେବ ? ଦାରିଦ୍ର୍ୟର ରୂପ ଯଦି ନିଜେ ଦେଖନ୍ତ, ନିଜେ ଅନୁଭବ କରନ୍ତ, ତାହାହେଲେ ବୁଝିପାରନ୍ତ, କାହିଁକି ବଡ଼ ବଡ଼ ବକ୍ତୃତାରେ ଗରିବର ପେଟ ଭରେନା-।’’

 

ଲତା କହିଲା, ‘‘ନାହିଁ ଭଉଣୀ, ମନକୁ ଯାହା ଆସିଲା କହି ଦେଲି । ତୁମେ ଦୁଃଖ କରୁଛ କି ?’’

 

ଆଶା–‘‘ମନ ଦୁଃଖ କରିବ କାହିଁକି ? କ’ଣ କଥା କଥାକେ ତୁମ ଉପରେ ମନ ଦୁଃଖ କଲେ ଚଳିବ ? ତୁମେ ଆମ ନେତାମାନଙ୍କ ପରି ବକ୍ତୃତା ଆରମ୍ଭ କଲ ବୋଲି ସିନା କହିଲି ! ଚାରିଆଡ଼େ କ’ଣ ହେଉଛି, ଦେଖୁନାହଁ ? ଯାହାର ବିଶ୍ୱାସ ଜମି ନାହିଁ, ସେ କୃଷକ ସମସ୍ୟା ସମାଧାନରେ ବ୍ୟସ୍ତ । ଯେ ଜୀବନରେ ଦାରିଦ୍ର୍ୟ କ’ଣ ଜାଣିନାହିଁ, ସେ ଦାରିଦ୍ର୍ୟ ଦୂର କରିବାରେ ଲାଗିପଡ଼ିଛି, ଡିନର୍‌ ଟେବୁଲରେ ବା’ ଏୟାର କଣ୍ଡିସନ୍‌ଡ ଅଫିସ୍‌ ରୁମରେ । ସେହି ଧରଣରେ ତୁମେ ମଧ୍ୟ ଆସି ମୋତେ ଦାରିଦ୍ର୍ୟ ଗୌରବ ବିଷୟରେ ବକ୍ତୃତା ଦେଉଛ ।’’

 

ଏତା–‘‘ବକ୍ତୃତା ନୁହେଁ, ସତକଥା । ଶୁଣ, ଆମେ ଅଯଥାରେ ମନରେ ଦାରିଦ୍ର୍ୟ ସୃଷ୍ଟିକରି ପ୍ରକୃତରେ ଦରିଦ୍ର ହୋଇ ପଡ଼ୁଛୁଁ । ଧନର ଦାରିଦ୍ର୍ୟ ଅପେକ୍ଷା ମନର ଦାରିଦ୍ର୍ୟ ଅଧିକ ମାରାତ୍ମକ । ଦାରିଦ୍ର୍ୟ ତ ଦୋଷ ନୁହେଁ, ପାପ ନୁହେଁ, ଗାନ୍ଧିଜୀଙ୍କପରି ମହାପୁରୁଷ ତ ଦାରିଦ୍ର୍ୟ ବରଣ କରିଥିଲେ-।’’

 

ଆଶା–‘‘ଠିକ୍‌ ଆମ ନେତାମାନଙ୍କ ପରି ବକିବା ଆରମ୍ଭ କଲ ଯେ, ଆମମାନଙ୍କପରି ଲୋକ ଆଉ ଗାନ୍ଧିଜୀ ! ସମସ୍ତ ଯଦି ଗାନ୍ଧି ହୋଇଯିବା, ତା’ହେଲେ ପୃଥିବୀରେ ଦୁଃଖ ଦୈନ୍ୟ ରହିବ ନାହିଁ । ମଣିଷ ମଣିଷ ଭିତରେ ହିଂସା ଓ ଭେଦଭାବ ରହିବ ନାହିଁ । ଦୁନିଆଁଟା ସ୍ୱର୍ଗ ହୋଇଯିବ । ସେ ଯୁଗଜନ୍ମା ମହାପୁରୁଷ । ଯାହା ସେ କହିଛନ୍ତି, ସବୁ ଠିକ୍‌; କିନ୍ତୁ ଆମପରି ସାଧାରଣ ଲୋକଙ୍କର ସେ ଶକ୍ତି କାହିଁ, ସେ ସତ୍‌ ସାହସ କାହିଁ ?’’

 

ଲତା–‘‘ଶକ୍ତି ସାହସ ନ ଥାଉ, ଆକାଶରେ ଧ୍ରୁବତାରା ଯେପରି ରାତିରେ ଦିଗ୍‌ଦର୍ଶକର କାର୍ଯ୍ୟ କରେ, ସେହିପରି ତାଙ୍କ ଆଦର୍ଶ ଦିଗ୍‌ଦର୍ଶକ ତ ହୋଇପାରେ ! ସେତିକି ହେଲେ ଯଥେଷ୍ଟ ।’’

 

ଆଶା–‘‘ତାଙ୍କ ଆଦର୍ଶକୁ ଦିଗ୍‌ଦର୍ଶକ ରୂପେ ସ୍ୱୀକାର କରିବା ମଧ୍ୟ କଷ୍ଟକର । ଆମେ ତ ଅଜ୍ଞ; ତାଙ୍କର ପଟ୍ଟଶିଷ୍ୟମାନେ କ’ଣ କରୁଛନ୍ତି ଦେଖୁନା, ଗାନ୍ଧି ବଞ୍ଚିଥିଲେ ହୁଏତ ଆତ୍ମହତ୍ୟା କରିଥାନ୍ତେ ।’’

 

ଲତା କହିଲା, ‘‘ହେଉ ହେଉ, ଛାଡ଼ ସେସବୁ କଥା । ସେଥିରୁ ଆମକୁ କ’ଣ ମିଳିବ ? ଆମ ନିଜ ଦୁଃଖ ନିଜେ ଭୋଗିବା, କେହି ଆମକୁ ରକ୍ଷାକରିପାରିବେନାହିଁ । ଆମ ବୋଝ ଆମକୁ ମୁଣ୍ଡାଇବାକୁ ପଡ଼ିବ । କେହି ଆମପାଇଁ କିଛି କରିବେ ନାହିଁ । ବଡ଼ ବଡ଼ ଲୋକଙ୍କର ସମୟ ଅଛି, ସମ୍ବଳ ଅଛି, ସେମାନେ ବଡ଼ ବଡ଼ ବକ୍ତୃତା ଦେବେ, ବଡ଼ ବଡ଼ ପ୍ରତିଶ୍ରୁତି ଦେବେ, କିନ୍ତୁ ଦାନା ମୁଠାଏ ବା’ ଛିଣ୍ଡାକନା ଖଣ୍ଡେ କାହାରିକୁ ଦେବେ ନାହିଁ । ସେମାନ ସମାଜବାଦ ପ୍ରଚାର କରିବେ, ଧନୀମାନଙ୍କଠୁ ଧନ ନେଇ ବାଣ୍ଟିବେ ବୋଲି କହିବେ; କିନ୍ତୁ ନିଜ ଧନ କଥା ଉଠାଇବେ ନାହିଁ । ସେମାନେ ତ ସର୍ବହରାଙ୍କ ନେତା, ତାଙ୍କ ଧନ ସେହି ସର୍ବହରାଙ୍କ ଧନ, ସେଥିରେ ହାତ ଦେବ କିଏ-? ବାଣ୍ଟିବାକୁ ହେଲେ ଦାରିଦ୍ର୍ୟ ବାଣ୍ଟିବେ; କିନ୍ତୁ ନିଜେ ନିଜେ ନେବେ ନାହିଁ । କାରଣ ସେମାନେ ତ୍ୟାଗୀ । ସେମାନେ ସାଧାରଣ ସଭାରେ ଧନୀମାନଙ୍କୁ ଗାଳିଗୁଲଜ କରି କରତାଳି ପାଇବେ, ଭୋଟ ପାଇବେ, ଶିଳ୍ପ ନାମରେ ପର୍‌ମିଟ୍‍ ବିକି ଟଙ୍କା ନେଇ ଘର ତୋଳିବେ ଭୋଟ୍‌ କିଣିବେ, ଗଣତନ୍ତ୍ର ପ୍ରଚାର କରୁଥିବେ; କିନ୍ତୁ ବିରୁଦ୍ଧ ଦଳକୁ କଳେବଳେ କୌଶଳେ ନିର୍ମୂଳ କରିବାପାଇଁ ଚେଷ୍ଟା କରୁଥିବେ । ଦୁର୍ନୀତି ନିବାରଣ ନାମରେ ଦୁର୍ନୀତି ବଢ଼ାଇ ଚାଲିଥିବେ । ସେମାନେ ଯାହା କରୁଛନ୍ତି, କରନ୍ତୁ ଭଉଣୀ, ଆମର କିଛି ଯାଏ ଆସେ ନା । ମୁଁ କ’ଣ କହୁଥିଲି କି, ତୁମେ ବୋଧହୁଏ ଭାବିଛ, ଦାରିଦ୍ର୍ୟ କ’ଣ ମୁଁ ଜାଣେନା; କିନ୍ତୁ ତା’ ନୁହେଁ, ଗରିବ ଘରେ ମୋର ଜନ୍ମ-। ପିଲାଦିନୁ ଅଭାବ ଅନଟନ ସହିତ ମୋର ଯଥେଷ୍ଟ ପରିଚୟ । ଗରିବର ଦୁଃଖ ଯନ୍ତ୍ରଣା ମୁଁ ଭୋଗୁଛି, ତାହା ନ ହେଲେ ମୋର ମା’ ବାପା ମୋତେ କେତେଟା ଟଙ୍କାରେ ଏହି ୬୦ ବର୍ଷର ବୁଢ଼ାକୁ ବିକି ନ ଥାନ୍ତେ-। ଗରିବ ଥିଲି, ଭଳକରି ମୁଠାଏ ଖାଇବା, ଖଣ୍ଡେ ପିନ୍ଧିବାପାଇଁ ପାଉନଥିଲି; କିନ୍ତୁ ଧନର ଅଭାବ ଥାଇ ସୁଦ୍ଧା ମୁଁ ସୁଖରେ ଥିଲି । ବର୍ତ୍ତମାନ ଅଜସ୍ର ଧନର ଅଧିକାରିଣୀ ହୋଇ ସୁଦ୍ଧା ଦୁଃଖିନୀ । ମୋ ନିଜ ଅନୁଭୂତିରୁ କହିଲି ଭଉଣୀ ।’’

 

କହିଲା ବେଳକୁ ଲତାର ଆଖି ଛଳ ଛଳ ହୋଇଗଲା ।

 

ଆଶା ଟିକିଏ ଅପ୍ରସ୍ତୁତ ହୋଇ ପଡ଼ିଲା । ସହାନୁଭୂତି ସ୍ୱରରେ କହିଲା, ‘‘କ’ଣ କରିବା ଭଉଣୀ, ଯାହାର ଯେପରି ଭାଗ୍ୟ ।’’

 

ଲତା ଆଖି ପୋଛୁ ପୋଛୁ କହିଲା–‘‘ଭାଗ୍ୟ–ଭାଗ୍ୟ–ଭାଗ୍ୟ ! କର୍ମଫଳ, ବିଧାତା, ଅଦୃଷ୍ଟ, ଏସବୁ ବାଜେକଥା । ମନୁଷ୍ୟ ନିଜର ମୂର୍ଖତା ଓ ଅପାରଗତାକୁ ଘୋଡ଼ାଇବାପାଇଁ ଏସବୁ ଗୋଟାଏ ଛଳନା । ଭାଗ୍ୟ କ’ଣ କରିବ ? ବାପାଙ୍କ ଋଣ ଶୁଝିବାପାଇଁ, ତାଙ୍କ ପାଖରେ କିଛି ସମ୍ବଳ ନ ଥିଲା । ତେଣୁ ତାଙ୍କର ଯୁବତୀ ଝିଅଟିକୁ ବିକ୍ରିକଲେ ଗୋଟାଏ ବୁଢ଼ାକୁ । ସେ କ’ଣ ବୁଢ଼ାଟାକୁ ଦେଖି ନ ଥିଲେ ନିଜର କାର୍ଯ୍ୟପାଇଁ ଭାଗ୍ୟକୁ ନିନ୍ଦିବା ଆତ୍ମପ୍ରତାରଣା ଭିନ୍ନ ଆଉ କ’ଣ ହୋଇପାର-?’’

 

ଆଶା ଦେଖିଲା, ଲତା ବିଚଳିତ ହୋଇ ପଡ଼ିଲାଣି । ତାକୁ ଆଶ୍ୱସନା ଦେବାପାଇଁ ଧୀରେ ଧୀରେ କହିଲା, ‘‘ତୁମେ ମୋର ସାନଭଉଣୀ ପରି, ଏତେ ବ୍ୟସ୍ତ ହେବା ତୁମେ ତୁମ ପକ୍ଷରେ ଉଚିତ ନୁହେଁ । ଜୀବନରେ ସବୁ ଆସେ, ତାକୁ ଧୀର ସ୍ଥିର ଭାବରେ ସହିବାକୁ ପଡ଼େ । ତୁମେ କହୁଛ, କରଜ ଶୁଝିବାପାଇଁ ତୁମକୁ ଜାଣିଶୁଣି ବିକ୍ରି କଲାପରେ ଭାଗ୍ୟ ଭାଗ୍ୟ କହି ଲାଭ କ’ଣ ? ଠିକ୍‌ ସେଥିପାଇଁ ତ ମୁଁ କହଛି ‘ଭାଗ୍ୟ’ । ମନୁଷ୍ୟ ଯେତେବେଳେ ଜାଣିଶୁଣି ପରିସ୍ଥିତିର ଚାପରେ ହେଉ ବା ସେହି ଧରଣର ଅନ୍ୟ କୌଣସି କାରଣରୁ ହେଉ, ଅନ୍ୟାୟ ବା ଭୁଲ୍‌ କରିବକୁ ବାଧ୍ୟ ହୁଏ, ସେତେବେଳେ ଭାଗ୍ୟ କଥା ଉଠେ । ଘଯଣାର କରଣ ଖୋଜି ନ ପାଇଲେ ମନୁଷ୍ୟ ଭାଗ୍ୟର ଦୋଷ ଦିଏ । ତାକୁ ଅଜଣା କାରଣ ବୋଲି କହିଲେ ଚଳିବ । ବୁଝିଲ, ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଚେଷ୍ଟା, ଜୀବନର ସମସ୍ୟା ସମାଧନପାଇଁ ଯଥାସାଧ୍ୟ ଉଦ୍ୟମ ପରେ ଯଦି କାର୍ଯ୍ୟ ସିଦ୍ଧ ନ ହୁଏ, ତେବେ କେଉଁଠି କ’ଣ ତ୍ରୁଟି ରହିଗଲା ବୋଲି ଧରି ନିଆହୁଏ । ତହିଁର କାରଣ ଖୋଜି ନ ପାଇଲେ, ଲୋକେ ଭାଗ୍ୟକୁ ଦୋଷ ଦିଅନ୍ତି । ଆଉ ଘରେ ଚୁପ୍‌ କରି ବସି, ଭାଗ୍ୟରେ ଥିଲେ ମିଳିବ ବୋଲି ଯଦି ମନେ କରାଯାଏ, ତା’ହେଲେ ତାହା ପୂରାପୂରି ଭୁଲ୍‌, ତାହା ଅଳସୁଆପଣ । କିନ୍ତୁ ସବୁ ଜଣାଶୁଣା ଉପାୟରେ ଚେଷ୍ଟା ସତ୍ତ୍ୱେ ଉଦ୍ଦେଶ୍ୟ ପଣ୍ଡହେଲେ, ତା’ପଛରେ ଥିବା ଅଜଣା କାରଣକୁ ଭାଗ୍ୟ ବୋଲାଯାଇପାରେ । ତମ କଥା କହୁଛି, ତୁମ ସ୍ୱାମୀ ବୁଢ଼ା ହୁଅନ୍ତୁ ବା ଟୋକା ହୁଅନ୍ତୁ, ସେ ତୁମର ପତି, ନାରୀର ପତିହିଁ ସର୍ବସ୍ୱ ।’’

 

ଲତା ଟିକିଏ ରାଗି ଯାଇ କହିଲା, ‘‘ଥାଉ ଥାଉ ଅପା, ମୋତେ ଏସବୁ କହି ଆଉ ରଗାଅ ନା । ପତି ? ପତି କ’ଣ ? ପତ୍ନୀ କ’ଣ ? ସବୁ ବଜାରର ସଉଦା । ସେ ମୋର କି ପତି ? ବାପାଙ୍କୁ ଟଙ୍କା ଦେଇ ସେ ମୋତେ କିଣି ଆଣିଲେ । ଆଉ ସେ ମୋର ପତି ହୋଇଗଲେ ? କଦାପି ନୁହେଁ । ସେ ମୋ ପକ୍ଷରେ ଗୋଟାଏ ଟଙ୍କା ଝାଡ଼ିବା ଯନ୍ତ୍ର । ଟଙ୍କା ଦେଇ ସେ ମୋର ଶରୀର କିଣିଛନ୍ତି । କିନ୍ତୁ ସେ କ’ଣ ମୋ ମନ କିଣିପାରିବେ ? କେବେ ନୁହେଁ । ସେ ଯଦି ଟଙ୍କା ଦେଇ ମୋ ପରି ଯୁବତୀକୁ କିଣି ପାରନ୍ତି, ମୁଁ ମଧ୍ୟ ଟଙ୍କା ଦେଇ ଜଣେ ଯୁବକକୁ କିଣି ପାରିବି । ମୁଁ ତ ଆଉ ଗରିବ ନୁହେଁ, ଲକ୍ଷାଧିକ ଟଙ୍କାର ମାଲିକ ।’’

 

ଆଶା ଚମକି ପଡ଼ିଲା, ତା’ମନରେ ଏକା ସଙ୍ଗେ ଲତା ପ୍ରତି ଦୟା, ଘୃଣା ଓ କ୍ରୋଧ ଜାତ ହେଲା । କିଛିକ୍ଷଣ ଚୁପ୍‌ ରହି ଗମ୍ଭୀର ଭାବରେ କହିଲା, ‘‘ଲତା ! ତୁମେ ବାୟାଣୀ ନା କ’ଣ ? ଏସବୁ କଥା ମୋ’ ଆଗରେ କହି; ତୁମ ପ୍ରତି ମୋ ମନରେ ଯେଉଁ ଧାରଣା ଅଛି, ତାକୁ ଖରାପ କରନା । ଏ ଦେଶର ସଭ୍ୟତା ଓ ସଂସ୍କୃତିକୁ ଆମେ ଏଡ଼େ ସହଜରେ ଜଳାଞ୍ଜଳି ଦେଇପାରିବୁ ନାହିଁ-। ଭାରତ ଆଜି ଦରିଦ୍ର, ପୃଥିବୀର ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ଆଗରେ ତୁଚ୍ଛ, ତା’ର ଧନ ନାହିଁ, ଅସ୍ତ୍ର ନାହିଁ, କିନ୍ତୁ ଅଛି ଗୋଟାଏ ବଡ଼ ଶକ୍ତି, ସଂସ୍କୃତି । ତାହା ଶହ ଶହ ବର୍ଷର ପରାଧୀନତା ଭିତରେ ଭାରତକୁ ବଞ୍ଚାଇ ରଖିଛି । ସେହି ସଂସ୍କୃତି ଓ ସଭ୍ୟତାକୁ ବଞ୍ଚାଇ ରଖିବାରେ ଭାରତୀୟ ନାରୀର ଅବଦାନ କମ୍‌ ନୁହେଁ, ଏକଥାଟା ତୁମେ ଭୁଲି ଯାଉଛ ?’’

 

ଲତା ଆଖି ପୋଛୁ ପୋଛୁ କହିଲା, ‘‘ଅପା । ତୁମେ ମୋତେ ଘୃଣା କରିପାର, ହୁଏତ ମୋ ସହିତ କଥାବାର୍ତ୍ତା କରିବାକୁ ତୁମେ ଦ୍ୱିଧା ବୋଧ କରିପାର; ତଥାପି ମୁଁ ଆଜି କହିବି, ହୃଦୟ ଖୋଲି କହିବି । କ’ଣ ସେହି ସଭ୍ୟତା ସଂସ୍କୃତିରେ ଗଢ଼ି ଉଠିଥିବା ସମାଜ ଜାଣି ନ ଥିଲା ଯେ, ଏହି ୧୭।୧୮ ବର୍ଷର ଯୁବତୀ ସହିତ ୬୦ ବର୍ଷର ବୁଢ଼ାକୁ ଦେବାପରେ, ସେ ପତିବ୍ରତା ହେବ ବୋଲି ଦାବୀ କରିବା ଭୁଲ୍‌ ବୋଲି ? ମୋତେ ବିକ୍ରି କଲା ବେଳକୁ ବାପା କ’ଣ ଜାଣି ନ ଥିଲେ ଯେ, ସେ ଜାଣିଶୁଣି ତାଙ୍କ ଝିଅକୁ ବିପଥରେ ଯିବାପାଇଁ ପ୍ରଶ୍ରୟ ଦେଉଛନ୍ତି ? ଏ ବୁଢ଼ା, ମୋର ସ୍ୱାମୀ–ଦେବତା କ’ଣ ଜାଣି ନ ଥିଲେ ଯେ, ଟଙ୍କା ଦେଇ ସେ ଯାହାକୁ କିଣୁଛନ୍ତି; ନାରୀଧର୍ମର ଦ୍ୱାହିଦେଇ, ଟଙ୍କାର ପଲୋଭନ ଦେଖାଇ, ତା’ଠାରୁ କଦାପି ପତ୍ନୀତ୍ୱ ଆଦାୟ କରିପରିବେ ନାହିଁ ବୋଲି ? ସେମାନେ ତ ଜାଣିଶୁଣି ମୋ ଆଗରେ ଭ୍ରଷ୍ଟତାର ବାଟ ଫିଟାଇ ଦେଇଛନ୍ତି । ଆଉ ମୁଁ ଯଦି ସେ ବାଟ ଧରେ, କାହାରି କିଛି ଆପତ୍ତିର କାରଣ ଥିବ କହିଁକି ?’’

 

ଆଶା ଦେଖିଲା, ସେ ଲତାକୁ ଯେତିକି ବୁଝାଇବାପାଇଁ ଚେଷ୍ଟା କରିବ, ସେତିକି ସେ ଉତ୍ତ୍ୟକ୍ତ ହେବ । ଯୌବନର ଉନ୍ମାଦନା, ରୂପର ଅଭିମାନ, ଅର୍ଥର ପ୍ରାଚୁର୍ଯ୍ୟ ତାକୁ ଗୋଟାଏ କଣ୍ଟକିତ ପଥରେ ଠେଲି ନେଇଯାଉଛି, ଫେରାଇବା କଷ୍ଟକର ।

 

ଆଶା କହିଲା, ‘‘ଛାଡ଼ ସେସବୁ, ବର୍ତ୍ତମାନ ତୁମେ ବିଚଳିତା, ପରେ ସେ ବିଷୟ । ଖାଲି ଗପିବାପାଇଁ ଆସିଛି–ନାଁ କିଛି କାମ ଅଛି ?’’

 

ଲତା ଟିକିଏ ଶାନ୍ତ ହୋଇ କହିଲା, ‘‘ନାହିଁ ଅପା ! କିଛି କାମ ନାହିଁ । ଅନେକ ଦିନ ତମକୁ ଦେଖି ନ ଥିଲି । ମନ ବଡ଼ ଖରାପ ଲାଗିଲା । ମନ ହାଲୁକା କରିବାପାଇଁ ଚାଲିଆସିଲି । ଏସବୁ କଥା କାହା ଆଗରେ କହିବି ? ତୁମ ଛଡ଼ା ସମସ୍ତେ ତ ମୋତେ ଭୁଲ୍‌ ବୁଝୁଛନ୍ତି ।’’

 

ଆଶା କହିଲା, ‘‘ଆସିଲ ଭଲକଲ, ମୋତେ ମଧ୍ୟ ଟିକିଏ ଭଲଲାଗିଲା । ଆଚ୍ଛା, କହୁନା, ଏତେଦିନ କି କାମ ଲାଗିଥିଲା ଯେ, ତୁମେ ଏ ଆଡ଼କୁ ଆସିପାରୁ ନ ଥିଲ ?’’

 

ଲତା କହିଲା, ବର୍ତ୍ତମାନ ମୁଁ ଭଗବାନଙ୍କ ଆଶ୍ରା ଧରିଛି । ରାଧା-କୃଷ୍ଣ ମନ୍ଦିରରେ ବେଶୀ ସମୟ କଟାଏ । ସେଠିକୁ ଜଣେ ପୂଝାରୀ ଆସିଛନ୍ତି; ପ୍ରାୟ ଛଅ ମାସ ହେଲା । ଅତି ଭଲ ଲୋକ, ହାରମୋନିଅମ ବଜାଇ ଏଡ଼େ ସୁନ୍ଦର ଭଜନ ଗାଆନ୍ତି ଯେ, ମନ୍ଦିର ଛାଡ଼ି ଆସିବାକୁ ମନ ବଳେ ନାହିଁ । ସେଇଠି ସୁରଦାସ୍‌, ମୀରାବାଈଙ୍କ ଭଜନ ଶୁଣି ମୁଁ ଭୁଲିଯାଏ । ପୂଝାରୀଟି ଅତି ଭଲ ଲୋକ-। ତୁମେ ସେ ମନ୍ଦିରକୁ କାହିଁକି ଯାଉନା ? ଚାଲ ଦିନେ ଯିବା ।

 

ଆଶା କହିଲା, ‘‘ହଉ ଦେଖିବା, କେବେ ସମୟ ହେଲେ ଯିବା ।’’

 

ଏମିତି ଅନେକ କଥାବାର୍ତ୍ତା ପରେ ଲତା ଉଠି କହଲା–‘‘ଯାଏ ଅପା ! ଅନେକ ସମୟ ହେଲାଣି । ତୁମେ ଆମ ଘରକୁ ଆସିବ, ଆସୁନ କାହିଁକି ?’’

 

ଆଶା କହିଲା, ଯିବି ଯିବି । ଟିକିଏ ବ୍ୟସ୍ତ ଥିଲି, କୁଆଡ଼େ ଯାଇ ପାରୁ ନ ଥିଲି ।’’

 

ଲତା ଚାଲିଗଲା, ଆଶା ଗମ୍ଭୀର ହୋଇ ବସି ରହିଲା ।

 

Unknown

ଲତାର ପ୍ରତ୍ୟେକ କଥା ସେ ବିଶ୍ଳେଷଣ କଲା, ତା’ର ମାନସିକ ଅବସ୍ଥା ଓ ପ୍ରତିକ୍ରିୟା ବୁଝିବାପାଇଁ ଚେଷ୍ଟାକଲା ।

 

ଆଶା ବସି ଭାବୁଥାଏ, ଭାବୁ ଭାବୁ ଅନ୍ଧାର ହୋଇଗଲା । ପିଲାମାନେ ଖେଳି ଫେରିଲେ, ରଜନୀ ସଞ୍ଜବତୀ ଲଗାଇଦେଲା । ରଜନୀ ଏବେ ଘର କାମରେ ଆଶାକୁ ବେଶ୍‌ ସହାଯ୍ୟ କରୁଛି । ଆଶାର ଚିନ୍ତାର ଅନ୍ତ ନାହିଁ । ଲତା ଆଶାକୁ ଅବାକ୍‌ କରିଦେଇଛି ।

 

ଆଶା ଭାବୁଛି, ଏ ଦୁନିଆରେ କିଛି ନା କିଛି ଅଭାବ ସମସ୍ତଙ୍କପାଇଁ ଅଛି । ଲତାର ତ ବିଦ୍ୟାବୁଦ୍ଧି, ଧନଯୌବନ, ରୂପ ସବୁ ଅଛି; ତଥାପି ସେ ଉତ୍‌କ୍ଷିପ୍ତା କାହିଁକି ? ତା’ମନରେ ଏ ବିପ୍ଳବର ନିଆଁ ଜଳି ଉଠିଲା କାହିଁକି ? କିନ୍ତୁ କିଛି ବୁଝିପାରିଲା ନାହିଁ । ଲତା ତା’ ଆଗରେ ଯେଉଁ ଗୋଟାଏ ନୂଆ ନିଗନ୍ତର ସନ୍ଧାନ ଦେଇଯାଇଛି; ତାହା ଭୀଷଣ ଅନ୍ଧକାରମୟ, ସମାଜ ଦୃଷ୍ଟିରେ ତାହା କଳଙ୍କିତ–ଘୃଣ୍ୟ ସତ; କିନ୍ତୁ ଅସମ୍ଭବ ନୁହେଁ । ଲତା ତ କିଛି ଅନ୍ୟାୟ କଥା କହୁ ନ ଥିଲା ! ତା’ ପଛରେ ତ ଯୁକ୍ତିର ଅଭାବ ନ ଥିଲା ! ତଥାପି ସାଂସାରିକ ପରମ୍ପରା ଅନୁସାରେ ତ ଅନ୍ୟାୟ ! ସମାଜରେ ତ ଗୋଟାଏ ପରମ୍ପର ଅଛି । ସେ ପରମ୍ପରା ଲିଖିତ ନିୟମ ନ ହେଲେ ସୁଦ୍ଧା, ତାହାର ମୂଲ୍ୟ କିଛି କମ୍‌ ନୁହେଁ । ସେ ଦୃଷ୍ଟିରୁ ଦେଖିଲେ, ଲତାର କଥା ଠିକ୍‌ ନୁହେଁ । ଲତା ସମାଜର ପରମ୍ପରକୁ ମାଡ଼ି ଚକଟି ଚାଲିଯିବାକୁ ଚାହେଁ । କାହିଁକି ନ କରିବ ? ପାଠ ପଢ଼ିଛି, ଆଧୁନିକ ଯୁଗର ପ୍ରଭାବ ପାଇଛି, ଆଘାତ ପାଇଛି, ତା’ର ଯୌବନକୁ ସମ୍ମାନିତ କରାଯାଇ ନାହିଁ । ତେଣୁ ସେ ମର୍ମାହତ । ଆହତ ବାଘୁଣୀ ପରି ସେ ଉନ୍ମାଦିନୀ । ଆଦର ମିଳିବ କୁଆଡ଼ୁ ? ଗୋଟାଏ ୬୦ ବର୍ଷର ବୃଦ୍ଧ, ଧନ ସଞ୍ଚୟପାଇଁ କର୍ମ୍ୟବସ୍ତ ଲୋକ । ତା’ଠାରୁ ଆଦର ମିଳିବ କେଉଁଠୁ ? ସେ ବୋଧହୁଏ ଭୁଲି ଯାଇଥିବ, ଯୌବନର ଆବେଗ । ନିଜର ଅକ୍ଷମତା ବା ଅର୍ଥଚିନ୍ତା ଯୋଗୁ ସେ ହୁଏ ତ ତା’ର ସ୍ତ୍ରୀକୁ ଯଥାର୍ଥ ସମ୍ମାନ ଦେଇ ପାରୁନାହିଁ । ଲତା ମର୍ମାହତ ନ ହେବ କାହିଁକି ? ଧନ ସମ୍ପତ୍ତି ଜୀବନର ସବୁକଥା ପୂରଣ କରିପାରେନା । ମନୁଷ୍ୟ ଚାହେଁ, ଆଦର, ସ୍ନେହ, ସହାନୁଭୂତି, ତା’ ନ ପାଇଲେ ସେ ବିଦ୍ରୋହ କରିବ ହିଁ କରିବ । ତାହାହିଁ ଲତାକୁ ଆଜି ଭୁଲ୍‌ ରାସ୍ତାରେ ଟାଣି ନେଉଛି । ଭୁଲ୍‌ ବା କ’ଣ ? ଲତା ଯଦି ତା’ର ଅପୂର୍ଣ୍ଣ ବାସନାର ପୂର୍ଣ୍ଣତା ଚାହେଁ, ତା’ହେଲେ ସମାଜର ଆପତ୍ତି କରିବାର କି ଅଧିକାର ଅଛି ?

 

ତା’ପରେ ସମାଜ କ’ଣ ତା ପ୍ରତି ଅନ୍ୟାୟ କରିନାହିଁ ! ସେ ଯଦି ସେହି ଅନ୍ୟାୟର ପ୍ରତିଶୋଧପାଇଁ ସମାଜ ବିରୁଦ୍ଧରେ କିଛି କରିବସେ, ସେଥିପାଇଁ ଲତା ଅପେକ୍ଷା ସମାଜ ଅଧିକ ଦାୟୀ ନୁହେଁ କି ?

 

ଆଶ ବୁଝିଲା, ଲତାର ମନରେ ଆଜି ଦ୍ୱନ୍ଦ୍ୱ ଜାଗିଛି । ଗୋଟାଏଆଡ଼େ ସାମାଜିକ, ପରମ୍ପରା, ନାରୀ ଧର୍ମ, ନୈତକତା, ଅନ୍ୟଦିଗରେ ଭୋଗ ବିଳାସର ଉଦ୍ଦୀପିତ ବାସନା ଓ ଯୌବନର ମୋହ । ଏହି ଦ୍ୱନ୍ଦ୍ୱ ଯୋଗୁଁ ସେ ଅସ୍ଥିର ହୋଇ ପଡ଼ିଛି; କିନ୍ତୁ ଏହାର ଶେଷ ପରିଣାମ କ’ଣ ? ପ୍ରଲୋଭନ ଏଡ଼ି ନ ପାରି ସେ ଯଦି ଭୁଲ୍‌ ରାସ୍ତା ଧରେ, ତେବେ ? ଭବିଷ୍ୟତ ବିଭୀଷିକାମୟ, ଅନ୍ଧକାର ।

 

ଭବୁଁ ଭବୁଁ ଆଶା ନିଜେ ବିଚଳିତ ହୋଇପଡ଼ିଲା । ସେ ଲତାର ତର୍କକୁ ଖଣ୍ଡନ କରିପାରୁ ନଥାଏ; କିନ୍ତୁ ଭବିଷ୍ୟତ ପରିଣତି, ସାମାଜିକ ପରମ୍ପରା ଆଦି ଯୋଗୁଁ ତାକୁ ସ୍ୱୀକାର ମଧ୍ୟ କରି ପାରୁ ନଥାଏ ।

 

ଲତା ପ୍ରତି ଘୃଣା ଓ ରାଗ ପରିବର୍ତ୍ତେ ତା’ର ଦୟା ଓ ସହାନୁଭୂତି ଜାଗ୍ରତ ହେଲା । ସେ ବୁଝିପାରିଲା, ଲତାର ମାନସିକ ଅବସ୍ଥା, ତା’ର ଅଶାନ୍ତି, ଦୈନ୍ୟ–ଦୁର୍ବଳତା ।

 

ଆଶା ଭୁଲି ଯାଇଥାଏ ନିଜ ସମସ୍ୟା । ଳତାର ମର୍ମନ୍ତୁଦ କାହାଣୀ ତୁଳନାରେ ତା’ର ନିଜ ଦୁଃଖ ହାଲୁକା ପରି ଲାଗୁଥାଏ ।

 

ଅସିତ ଆସି ପହଞ୍ଚି, ହାତ ଗୋଡ଼ ଧୋଇ କହିଲା, ‘‘ଆଜି କ’ଣ ତମେ ତପସ୍ୟା କଲାପରି ଚିନ୍ତାମଗ୍ନ ? ଉଠ, ଖାଇବାକୁ କିଛି ଦିଅ ।’’

 

ଦୁଇଟି ଆସନ ପଡ଼ିଲା, ଆଶା ଅସିତ ଦୁହେଁ ଖାଇ ବସିଲେ । ଖାଉଁ ଖାଉଁ ଅସିତ ପଚାରିଲା, ‘‘ଆଜି ତ ବଡ଼ ଚିନ୍ତିତ ପରି ଦିଶୁଛ ?’’

 

ଆଶା ଟିକିଏ ଶୁଖିଲା ହସି କହିଲା, ‘‘ଭାବୁଛି ଗୋଟାଏ କଥା । ଭଗବାନଙ୍କ ହାତରେ ତ ସବୁ ଅଛି, ସେ ଚାହିଁଲେ ସମସ୍ତଙ୍କୁ ସୁଖରେ ରଖି ପାରନ୍ତେ । ତେବେ ସମସ୍ତଙ୍କୁ କିଛି ନା କିଛି ଅଭାବ ଦେଇ ଜୀବନକୁ ବ୍ୟସ୍ତ ବିକଳ କରୁଛନ୍ତି କାହିଁକି ?’’

 

ଅସିତ ହସି ହସି କହିଲା, ‘‘ଆଜି ତ ତୁମେ ଭଗବାନଙ୍କ ଦୋଷ ବାଛିବା ଆରମ୍ଭ କଲଣି, ପୁଣି କିଛି ନୂଆ କଥା ହେଲା କି ? ଅଭାବ ତ ଆମର ଚିର ସହଚର । ଏ ଭାବନା ତୁମର ଆସିଲା କିପରି ? କଥାଟା ଟିକିଏ ତଳେଇ ବୁଝ । ମନୁଷ୍ୟ ଏଡ଼େ ଉଚ୍ଛୃଙ୍ଖଳ ଯେ, ଯଦି ଅଭାବ ଅସୁବିଧା, ଦୁଃଖ ଯନ୍ତ୍ରଣା ନ ଥାନ୍ତା, ହୁଏତ ସେ ଭଗବାନଙ୍କୁ ନେଇ ଯାଦୁଘରେ ରଖିଦେଇ ସାରନ୍ତାଣି ଏବଂ ଆହୁରି କେତେ ଯେ ବିଭ୍ରାଟ ସୃଷ୍ଟି ନ ହୁଅନ୍ତା, ତାହା କଳ୍ପନା କରିବା କଷ୍ଟକର ।’’

 

ଆଶା କହିଲା ‘‘ହଁ, ସତ ଯେ, ଏହା ଛଡ଼ା କ’ଣ ତାଙ୍କ ହାତରେ ଆଉ କିଛି ନାହିଁ ମନୁଷ୍ୟକୁ ଜବତ କରିବାକୁ ? ଏପରି କଲବଲ କରିବାକୁ ପଡ଼ୁଛି ? ଆଜି ଲତା ଆସିଥିଲା । ତା’ର ଦୁଃଖ କାହାଣୀ ଶୁଣି ଟିକିଏ ବିଚଳିତ ହୋଇ ପଡ଼ିଥିଲି, ତା’ କଥାହିଁ ଭାବୁଥିଲି ।’’

 

ଅସିତ ପୁଣି ଥଟ୍ଟା କଲାଭଳି କହିଲା, ‘‘ଭଗବାନ କ’ଣ ଠେଙ୍ଗାରେ ଆସି ବାଡ଼ାନ୍ତେ, ନା ଆଉ କିଛି ଦଣ୍ଡ ଦିଅନ୍ତେ ? ଏହାହିଁ ତାଙ୍କର ଅସ୍ତ୍ର, ଏହାରି ଜରିଆରେ ସେ ମନୁଷ୍ୟକୁ ଜବତ୍‌ କରି ରଖିଛନ୍ତି । ସେ କଥା ଥାଉ, ଆମର ତ ନିଜ ଦୁଃଖ ବୁଝିବାପାଇଁ ସମୟ ନାହିଁ; ପର ଦୁଃଖରେ ବିଚଳିତ ହେଲେ ଚଳିବ ? ଲତାପାଇଁ ଭାବିବାକୁ କ’ଣ ଆଉ କେହି ନାହାନ୍ତି ଯେ, ତା’ପାଇଁ ତୁମେ ନ ଭାବିଲେ ଚଳିବ ନାହିଁ ?’’

 

ଆଶା କହିଲା, ‘‘ତୁମେ ତ ସବୁବେଳେ ଏପରି କଥା କହିବ, କେହି ଜଣେ ଆସି ତା ଦୁଃଖ କଥା କହିଲେ, ଶୁଣିବାକୁ ମନା କି ?’’

 

ଅସିତ କହିଲା, ‘‘ମନା କରିବି କାହିଁକି ? ଖୁବ୍‌ ଆଗ୍ରହ ସହିତ ଶୁଣ; ହେଲେ ଏତେ ଚିନ୍ତିତ ହେବ କାହିଁକି ? ହଉ ଛାଡ଼ ! ଘର ଖବର କ’ଣ ? ପିଲାଏ ସମସ୍ତେ ତ ଶୋଇଗଲେଣି । ମା ରଜନୀ, ତୁ ଏକା ଚେଇଁ ରହିଛୁ ? ତୁ କାମ କଲାରୁ ତୋ ମା’କୁ ପର ଦୁଃଖରେ ବିଚଳିତ ହେବାପାଇଁ ଯଥେଷ୍ଟ ସୁଯୋଗ ସୁବିଧା ଓ ସମୟ ମିଳୁଛି, ନୁହେଁ ? ବୁଝିଲ, ମୋ ପୁଅ ବଡ଼ ହୋଇ ରୋଜଗାର କଲେ ମୁଁ ମଧ୍ୟ ବିଚଳିତ ହୋଇ ବସିଥିବି ।’’

 

ଆଶା, ରଜନୀ ଓ ଅସିତ ସମସ୍ତେ ହସିଲେ । ମନେ ହେଉଥାଏ, ଯେପରି ଗୋଟାଏ ଅଭାବଗ୍ରସ୍ତ ପରିବାରରେ ମଧ୍ୟ ସ୍ୱର୍ଗସୁଖ ମିଳିପାରେ ।

 

ଖାଇସାରି ହାତ ଧୋଉ ଧୋଉ ଆଶା କହିଲା, ‘‘ପ୍ରକୃତରେ ପଇସା ମନୁଷ୍ୟର ସବୁ ଅଭାବ ପୂରଣ କରିପାରେନା । ଦାରିଦ୍ର୍ୟରେ ଯେଉଁ ସୁଖ ମିଳେ, ପଇସାରେ ସେ ସୁଖ କାହିଁ ? ଭଗବାନ ଆମକୁ ଗରିବ କରିଛନ୍ତି, ତଥାପି ତ ଆମେ ବେଶ୍‌ ସୁଖରେ ଦିନ କାଟୁଛୁ ।’’

 

ଅସିତ ଗାମୁଛାରେ ହାତ ପୋଛୁ ପୋଛୁ କହିଲା । ‘‘ଅଭାବ କ’ଣ ଆଶା, ଅନ୍ନ ବସ୍ତ୍ର ଛଡ଼ା । ଆଉ ଯେତିକି ଅଭାବ ତାହା ସବୁ କାଳ୍ପନିକ, ତାକୁ ଧରି ସେ ଦୁଃଖ ଭୋଗକରେ । ବୁଦ୍ଧଦେବ ଛଅବର୍ଷ କାଳ ତପସ୍ୟା କରି ଏହି ସତ୍ୟ ଆବିଷ୍କାର କରିଥିଲେ ପରା ! ତାଙ୍କର ଶେଷ ସିଦ୍ଧାନ୍ତ ହେଲା, କାମନାର ବିନାଶରେ ଦୁଃଖର ବିନାଶ । ମନକୁ ଯଦି ସେ ବୁଝାଇ ପାରିଲା –ତା’ର ଆଉ ଦୁଃଖ କ’ଣ ?’’

 

ଆଶା କହିଲା, ‘‘ଅନ୍ନ ବସ୍ତ୍ର ଯେ କେବଳ ମନୁଷ୍ୟପାଇଁ ପ୍ରୟୋଜନ, ତା’ ତ ନୁହେଁ । ସ୍ନେହ ସହାନୁଭୂତି, ଆତ୍ମୀୟତା ଏସବୁ ମଧ୍ୟ ମଣିଷ ଭଳି ବଞ୍ଚି ରହିବାପାଇଁ ପ୍ରୟୋଜନ । ତାହା ନ ହେଲେ ମନୁଷ୍ୟ ପାଗଳ ହୋଇଯିବ ନାହିଁ ?’’

 

ଅସିତ କହିଲା, ‘‘ଲତା, ତା’ ମନକୁ ବୁଝାଇ ନ ପାରିଲେ, ତା’ର ଯାହା ଇଚ୍ଛା କରୁ । ଆମର ପୁଣି ସକାଳୁ ଉଠି ଦାନା କନାର ଚିନ୍ତା ନ କଲେ ଚଳିବ କିପରି ?’’

Image

 

ଛଅ

 

ମହାନଦୀର ଗୋଟିଏ ଘାଟ, ଘାଟ ଉପରେ ରାସ୍ତା । ରାସ୍ତାର ଦୁଇ କଡ଼ରେ ବଡ଼ ବଡ଼ କୋଠା । ମଝିରେ ମଝିରେ ଭଙ୍ଗା ଦଦରା ପୁରୁଣା ଖପର ଘର ।

 

ଘାଟରୁ ଉଠିଲା ବେଳକୁ ଡାହାଣ କଡ଼ରେ ଗୋଟାଏ ବଡ଼ ଚଉତରା । ମଝିରେ ଗୋଟାଏ ବଡ଼ କଦମ୍ବ ଗଛ । ଚଉତରା ଆରପଟେ ଗୋଟିଏ ସାନ ମନ୍ଦିର ରାଧାକୃଷ୍ଣଙ୍କର ।

 

ମନ୍ଦିରର ଗୋଟିଏ ପାଖରେ ତିନୋଟି ସାନ ସାନ କୋଠରୀ–ଖପର ଛାଉଣୀ । କୋଠରୀଗୁଡ଼ିକରେ ପୂଜାରୀ ରହେ, ଅତିଥି ଅଭ୍ୟାଗତ ଆସିଲେ ରହନ୍ତି । ସେ ମନ୍ଦିର ଓ କୋଠରୀ ସବୁ କେବେ ତିଆରି ହୋଇଥିଲା ବା କିଏ ତିଆରି କରିଥିଲା, ତା’ କାହାରିକୁ ଜଣା ନାହିଁ । ତାହା ଦେଖିଲେ ଜଣାପଡ଼େ, ଅତି ପୁରୁଣା । ମନ୍ଦିରର କିଛି ଜମିଜମା ନାହିଁ । ପୂଜାରୀପାଇଁ କୌଣସି ବ୍ୟବସ୍ଥା ନାହିଁ । ଭକ୍ତମାନଙ୍କ ଦାନରେ ମନ୍ଦିର ଓ ପୂଜାରୀ ଚଳନ୍ତି । ଆଖପାଖର ବହୁତ ଲୋକ ବରାବର ମନ୍ଦିରକୁ ଆସନ୍ତି, ଦାନ ଧର୍ମ କରନ୍ତି । ମନ୍ଦିରର ମରାମତି ଆଦି କରିବାକୁ ହେଲେ ସମସ୍ତେ ମଳିମିଶି ଖର୍ଚ୍ଚ ତୁଲାନ୍ତି । ପୂଜାରୀ ଭକ୍ତମାନଙ୍କ ଦକ୍ଷିଣା ଓ ସିଧାରେ ଚଳେ । କେହି ଅତିଥି ଅଭ୍ୟାଗତ ଆସିଲେ, ସେମାନଙ୍କପାଇଁ ମଧ୍ୟ ତାହା ଯଥେଷ୍ଟ ହୋଇଯାଏ । ବେଳେ ବେଳେ ଚାଉଳ, ଡାଲି, ଘିଅ, ପନିପରିବା ଏତେ ବେଶି ହୁଏ ଯେ, ରଖିଲେ ଖରାପ ହୋଇଯିବ ବୋଲି ବଜାରରେ ପୂଜାରୀ ତାହା ବିକ୍ରି କରି ଦୁଇ ପଇସା କରିନିଏ ।

 

ଛଅମାସ ତଳେ ପୁରୁଣା ପୂଜାରୀ ଛାଡ଼ି ଚାଲିଗଲା । ତା’ର ବୟସ ବେଶୀ ହୋଇଥାଏ-। ଭଗବାନଙ୍କ କୃପାରୁ ଗାଁରେ ତା’ର ଜମିଜମା କିଛି ଥାଏ । ପୁଅମାନେ ମଧ୍ୟ ଦୁଇ ପଇସା ରୋଜଗାର କରୁଥାନ୍ତି । ଆଖପାଖର ମୁଖିଆ ଲୋକେ ଆଉ ଜଣେ ପୂଜାରୀ ନିଯୁକ୍ତ କରିବାପାଇଁ ଭାବୁଥିବା ସମୟରେ ଉତ୍ତର ପ୍ରଦେଶର ଜଣେ ବ୍ରାହ୍ମଣ ଆସି ସେ କାମ କରିବାପାଇଁ ଇଚ୍ଛା ପ୍ରକାଶ କଲା । ସମସ୍ତେ ଭାରି ଖୁସି ହେଲେ । ଏକେ ତ କାଶୀର ବ୍ରାହ୍ମଣ । ତା’ପରେ ବୟସ ବେଶୀ ନୁହେଁ, ପ୍ରାୟ ୪୦-୫୦ । ତାକୁ ସେହି ମନ୍ଦିରରେ ରଖାଗଲା, ନାମ–ଜୀବନରାମ ଚତୁର୍ବେଦୀ ।

 

ଜୀବନରାମ ଦାୟିତ୍ୱ ତୁଲାଇଲା ଦିନଠୁ ମନ୍ଦିରର ଅନେକ ଉନ୍ନତି ହୋଇ ପାରିଛି । ମନ୍ଦିରରେ ରଙ୍ଗ ଦିଆଯାଇଛି, ରାଧାକୃଷ୍ଣଙ୍କ ଆଭୂଷଣ, ମନ୍ଦିରର ଧ୍ୱଜା ଆଦି ନୂଆ ହେଲାଣି । ପୂଜା ବିଧିରେ ତା’ର ବିଶେଷ ନିଷ୍ଠା, ବିଧିବଦ୍ଧ ଭାବରେ ମନ୍ଦିରର ସବୁ କାମ ଚାଲିଥାଏ । ପୂଜାରୀର ସୁନାମ ସର୍ବତ୍ର ଶୁଣା ଯାଉଥାଏ । ଭକ୍ତଙ୍କ ଭିଡ଼ ଦିନକୁ ଦିନ ବଢ଼ୁଥାଏ । ପୂଜାରୀର ସବୁଠୁ ବଡ଼ ଶକ୍ତି ଈଶ୍ୱର ଦତ୍ତ ସୁମଧୁର କଣ୍ଠ । ହାରମୋନିୟମ୍‌ ଧରି ଯେତେବେଳେ ସେ ସୁରଦାସ୍‍ ବା ମୀରାବାଈଙ୍କ ଭଜନ ଗାନ କରେ, ଶ୍ରୋତାମାନେ ତନ୍ମୟ ହୋଇପଡ଼ନ୍ତି । ତା’ ସାଙ୍ଗକୁ ଆଉ କେତେକ ଗାୟକ ଓ ତବଲାବାଦକ ମଧ୍ୟ ସେଠି ଯୁଟିଲେଣି । ଭଜନ ସଭା ବେଶ୍‌ ଜମେ ।

 

ସନ୍ଧ୍ୟା ଆଳତୀ ଶେଷ ହେବା ପରେ ଭାଗବତ ବୋଲାହୁଏ । ସେତିକିବେଳେ ବେଶ୍‌ ଭିଡ଼ ଜମେ । ସେମାନଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ନାରୀଙ୍କ ସଂଖ୍ୟା ବେଶୀ । ଏହାର କାରଣ ଅଛି, ସ୍ତ୍ରୀମାନଙ୍କ ଭକ୍ତି ଓ ଶ୍ରଦ୍ଧା ଅଧିକ ବୋଲି କୁହାଯାଏ । ପୁରୁଷମାନେ ତ କାମ ଧନ୍ଦାରେ ବ୍ୟସ୍ତ, ତାଙ୍କୁ ସମୟ କାହିଁ ? ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ବିଧବାଙ୍କ ସଂଖ୍ୟା ବେଶି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁବେଳେ ଅନ୍ତତଃ ୨/୪ ଜଣ ହେଲେ ସ୍ତ୍ରୀ ଲୋକ ନିଶ୍ଚୟ ଦେଖାଯାନ୍ତି ।

 

ମନ୍ଦିରର ଆୟ ବଢ଼ି ଚାଲିଛି । କିଏ ପଇସା ଦେଉଛି ତ କିଏ ନଡ଼ିଆ, କିଏ ବା ସିଧା ଦେଉଛି । ଯା’ର ଯେତେ ଶ୍ରଦ୍ଧା ବା ଭକ୍ତି, ତା’ର ମୂଲ୍ୟ ରୂପେ ମନ୍ଦିରକୁ ସେ ସେତିକି ଦାନ କରନ୍ତି । ପୂଜାରୀ ମଧ୍ୟ ସେମାନଙ୍କ ସହିତ ଚିହ୍ନା ପରିଚୟ ହୋଇସାରିଲାଣି । ପର୍ବପର୍ବାଣିରେ ଅନେକେ ତାଙ୍କ ଘରକୁ ଭୋଜନପାଇଁ ଡାକନ୍ତି । ସମ୍ମାନ ବହୁତ ବଢ଼ିଗଲାଣି ।

 

ସେ କହନ୍ତି, ଏ ସଂସାରରେ ନିଜର ବୋଲି କେହି ନାହାନ୍ତି । ତାଙ୍କ ପତ୍ନୀ, ସନ୍ତାନ ଓ ପରିବାରର ଅନ୍ୟାନ୍ୟ ଲୋକେ କଲେରାରେ ମରିବା ପରେ ତାଙ୍କ ମନରେ ବୈରାଗ୍ୟ ଜାତ ହେଲା-। ସେ ତୀର୍ଥ ପର୍ଯ୍ୟଟନ କରୁ କରୁ ଏଇଠି ରହିଯାଇଛନ୍ତି । ଏଠି ସେ କେତେ ଦିନ ରହିବେ, ତାହା ସେ ଠିକ୍‌ କରି କହିପାରିବେ ନାହିଁ; କାରଣ ଗୋଟାଏ ସ୍ଥାନରେ ବଦ୍ଧଜୀବ ଭଳି ସେ ବେଶୀ ଦିନ ରହିବାକୁ ଭଲ ପା’ନ୍ତି ନାହିଁ । ଏମିତି ବୁଲି ବୁଲି ଭଜନ କରି, ଭଗବାନଙ୍କ ସେବା କରି ତାଙ୍କର ଅବଶିଷ୍ଟ ଜୀବନ କଟାଇ ଦେବାକୁ ଚାହାଁନ୍ତି ବୋଲି ସେ ପ୍ରଚାର କରନ୍ତି ।

 

ନିନ୍ଦା ବା ପ୍ରଶଂସା ଥରେ ଲୋକମୁଖରେ ଆରମ୍ଭ ହୋଇଗଲେ, ତାହା ବରାବର ସୀମା ଟପିଯାଏ । ଧୀରେ ଧୀରେ ଆରମ୍ଭ ହୋଇ ଜଙ୍ଗଲ ନିଆଁ ଭଳି ବ୍ୟାପିଯାଏ । କୌଣସି ଲୋକ ଭଲ ବୋଲି ଥରେ ପ୍ରଚାର ଆରମ୍ଭ ହୋଇଗଲେ ସେ ଭଲ, ତା’ କଥା ଭଲ, ରୂପ ଗୁଣ ସବୁ ଭଲ । ସେ ସମୟରେ ଯଦି କେହି ଲୋକ ତା’ର ଦୋଷ ତ୍ରୁଟି ଦେଖେ, ତେବେ ସେ ପ୍ରକାଶ କରିବାକୁ ସାହସ କରିପାରେନା । କାରଣ ପ୍ରଶଂସାର ବାତ୍ୟାରେ ତାଙ୍କର ମତାମତ କୁଆଡ଼େ ଉଡ଼ିଯିବ, ଶତ୍ରୁ ସୃଷ୍ଟି କରିବା ଛଡ଼ା ଲାଭ ମଧ୍ୟ କିଛି ହେବ ନାହିଁ । ତେଣୁ ଲୋକେ ଜାଣି ସୁଦ୍ଧା ଚୁପ୍‌ ପଡ଼ିଯାନ୍ତି । ଥରେ କାହାରି ବିରୁଦ୍ଧରେ ନିନ୍ଦା ଆରମ୍ଭ ହୋଇଗଲେ, ଲୋକେ ତାକୁ ନିନ୍ଦା କରିବାପାଇଁ ଶତଜିହ୍ୱ ହୋଇପଡ଼ନ୍ତି, ଏହାହିଁ ଦୁନିଆର ନିୟମ ।

 

ଜୀବନରାମଙ୍କ ପ୍ରଶଂସା ଆରମ୍ଭ ହୋଇ ଏପରି ସ୍ତରରେ ପହଞ୍ଚି ଯାଇଥାଏ ଯେ, ସେ ଚଳନ୍ତି ବିଷ୍ଣୁରେ ପରିଣତ ହୋଇଗଲେ । ନୈତିକତା, ନୈଷ୍ଠିକତା, ଭକ୍ତି, ପାଣ୍ଡିତ୍ୟ, ଗୀତବାଦ୍ୟ ସବୁଥିରେ ସେ ପାରଙ୍ଗମ । ଧୀରେ ଧୀରେ ତାଙ୍କଠାରେ ଐଶ୍ୱରିକ ଶକ୍ତି ଥିବା କଥା ମଧ୍ୟ ପ୍ରଚାର ହୋଇଗଲା । ଦଳେ ଲୋକ ଜୀବନରାମଙ୍କ ଗୁଣଗାନ କାର୍ଯ୍ୟରେ ଅବିରତ ଲାଗିପଡ଼ିଲେ । ବିଧବାମାନେ ତ ବିଭୋର । ଜୀବନରାମଙ୍କ ଅଲଭ୍ୟ ଅପ୍ରାପ୍ୟ କିଛି ନଥାଏ । ଇତି ମଧ୍ୟରେ ଲତା ହୃଦୟରେ ଟିକିଏ ବେଶୀ ଭକ୍ତିଭାବ ଦେଖାଦେଲାଣି । ଅଜସ୍ର ଟଙ୍କା ମୂଲ୍ୟରେ ସେ କ୍ରମେ କ୍ରମେ ଭକ୍ତି ତତ୍ତ୍ୱର ସନ୍ଧାନ ପାଉଛି । କ୍ରମେ ଭଜନ କୀର୍ତ୍ତନ ବଢ଼ି ବଢ଼ି ରାସଲୀଳାରେ ପହୁଞ୍ଚି ଯାଇଛି । ରାତିରେ ରାଧାକୃଷ୍ଣଙ୍କ ରାସଲୀଳା ବେଶ୍‌ ମନୋମୁଗ୍‌ଧକର ହୁଏ ।

 

ପଡ଼ୋଶୀ ପିଲାମାନେ ସେହି କଦମ୍ବମୂଳ ଚଉତରାକୁ ଖେଳିବାକୁ ଆସନ୍ତି । ପୂଜାରୀ ସମୟବିଶେଷରେ ସେମାନଙ୍କୁ ପ୍ରସାଦ ଦିଅନ୍ତି । ତା’ଫଳରେ ପିଲାମାନେ ମଧ୍ୟ ତାଙ୍କର ଭକ୍ତ ହୋଇଗଲେ ।

 

ଚଉତରାରେ ସ୍ଥାନ ସଂକୀର୍ଣ୍ଣ ହେବାରୁ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ, ଏବେ ଲତାଙ୍କ ଘରେ ରାମଲୀଳା ଚାଲିଲାଣି । ତାଙ୍କ ପତି ବରାବର ରାତି ୧୦ ଟାରେ ଘରକୁ ଫେରନ୍ତି । ସେତେବେଳକୁ ସେ କ୍ଳାନ୍ତ ହୋଇପଡ଼ିଥାନ୍ତି, ଘରେ ଗୋଟିଏ କୋଣରେ ଶୋଇ ପଡ଼ନ୍ତି-। ବିରାଟ ଘର, ଗୋଟାଏ ଅଗଣାରେ ଯେତେ କୋଳାହଳ ହେଲେ ସୁଦ୍ଧା ସେଠାକୁ ଶୁଭେ ନାହିଁ ।

 

ପ୍ରଥମେ ପ୍ରଥମେ ସେ ଏ ବିଷୟରେ ଲତାକୁ ଉତ୍ସାହିତ କରୁଥିଲେ । ସେ ଭାବୁଥିଲେ ଯେ, ଧର୍ମ ଆଡ଼କୁ ମନ ଗଲେ ଲତା ହୁଏତ ଶାନ୍ତ ପଡ଼ିଯିବ । ସେ ମଧ୍ୟ ଲତାର କ୍ରୋଧମୁଖରୁ ରକ୍ଷା ପାଇଯିବେ । ଧର୍ମ ଅନୁସାରେ ତ ପତି ପରମେଶ୍ୱର, ଲତା ପକ୍ଷରେ ସେ ମଧ୍ୟ ସେ ସ୍ଥାନକୁ ଉଠିଯିବେ ବୋଲି ତାଙ୍କର ଆଶା ଥାଏ ।

 

ବୃଦ୍ଧ ବୟସରେ ତରୁଣୀ ଭାର୍ଯ୍ୟା ଗ୍ରହଣର କାରଣ, ତାଙ୍କର ପୂର୍ବବର୍ତ୍ତୀ ଦୁଇପକ୍ଷ ଆଡ଼କୁ କୌଣସି ସନ୍ତାନ ନ ଥିଲେ । ତେଣୁ ସେ ଆଶା କରିଥିଲେ ଯେ, ତୃତୀୟପକ୍ଷଙ୍କ ଆଡ଼ୁ ସନ୍ତାନଟିଏ ହେଲେ ତାଙ୍କର ବଂଶ ରହିବ, ତାହା ସହିତ ତାଙ୍କର ଅଚଳାଚଳ ସମ୍ପତ୍ତିପାଇଁ ଉତ୍ତରାଧିକାରୀ କିଏ ହେବ, ସେ ବିଷୟରେ ଭାବନା ନ ଥିବ ।

 

ଏ ଉଦ୍ଦେଶ୍ୟ ସାଧନପାଇଁ ସେ ଶିଳାଜିତ, ସ୍ୱର୍ଣ୍ଣଘଟିତ ମକରଧ୍ୱଜ, କାମେଶ୍ୱର ମୋଦକ ଆଦି ସେବନ କରିବା ଆରମ୍ଭ କଲେ । ଲତାକୁ ଖୁସି କରିବାପାଇଁ ପ୍ରାଣପ୍ରଣେ ଚେଷ୍ଟା କଲେ । ତାହା ସଫଳ ନ ହେବାରୁ ଧର୍ମ ଆଡ଼କୁ ମତି ଦେବାପାଇଁ ତାକୁ ଉତ୍ସାହିତ କଲେ । ହୁଏତ ସେ ବୁଝିପାରିଲେ ନାହିଁ ଯେ, ନିଜେ ଅଧର୍ମର ଆଶ୍ରୟ ନେଇ ଅନ୍ୟଠାରୁ ଧର୍ମ ଆଶା କରିବା ହାସ୍ୟାସ୍ପଦ-

 

ଲତାର ଭକ୍ତି କ୍ରମେ ଉତ୍କଟ ଆକାର ଧାରଣ କଲା । ସେଥିରେ ବାଧା ଦେବାକୁ ଯାଇ ବୃଦ୍ଧ ପତିଙ୍କୁ ବିଡ଼ମ୍ବନାର ସମ୍ମୁଖୀନ ହେବାକୁ ପଡ଼ିଲା । ପ୍ରତ୍ୟେକ ବିଷୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିଲା । ଶେଷରେ ବୃଦ୍ଧ ବିଚାରା ନିଃସହାୟ ହୋଇ ଲତାର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବାପାଇଁ ସାହସ କଲେ ନାହିଁ । ଟଙ୍କା ଖର୍ଚ୍ଚ ସୁଅପରି ଚାଲିଥାଏ ।

 

ଦିନେ ବୁଢ଼ା କହିଲେ, ‘‘ହଇ ହେ ! ଦିନକୁ ଦିନ ତ ତୁମ ଖର୍ଚ୍ଚ ବଢ଼ୁଛି !’’

 

ଲତା ଉତ୍ତର ଦେଲା, ‘‘ତାହା ହେଲେ କ’ଣ ତୁମ ଧନର ଚୌକିଦାରୀ କରିବାପାଇଁ ମୋତେ କିଣି ଆଣିଛ ? ପୂର୍ବ ଜନ୍ମରେ କେଉଁ ପାପ କରିଥିଲି ଯେ, ଏ ଅବସ୍ଥା ! ଏ ଜନ୍ମରେ ଦାନ ଧର୍ମ ଯଦି ନ କରେଁ, ତାହାହେଲେ ପରଜନ୍ମ ଯେ କିପରି ହେବ, ଭାବି ପାରୁନାହିଁ । ପାପରେ ସଞ୍ଚିତ ଧନ, ପୁଣ୍ୟ କାମରେ ଲାଗୁଛି, ବ୍ୟସ୍ତ ହେଉଛ କାହିଁକି ?’’

 

ସ୍ୱାମୀ କହିଲେ, ‘‘ସବୁ ସତ; କିନ୍ତୁ ମୁଁ ଯାହା କରୁଛି; ତୁମରିପାଇଁ । ମୁଁ ମଲାପରେ ତୁମର ଅସୁବିଧା ନ ହେବ ବୋଲି ସିନା ଧନ ସଞ୍ଚି ରଖିବାପାଇଁ କହୁଛି, ନ ହେଲେ ମୋର ଆଉ କିଏ ଅଛି ଯେ ଖାଇବ ?’’

 

ଲତା କହିଲା, ‘‘ଥାଉ ଥାଉ, ତୁମେ ତୁମର ଚିନ୍ତାକର, ମୋପାଇଁ ଚିନ୍ତା କରିବାର ଦରକାର ନାହିଁ । ମୋ’କଥା ମୁଁ ନିଜେ ଭାବୁଛି, ଭାବିବି ।’’ ଏହାପରେ ଆଉ କିଛି କହିବାର ନ ଥିଲା-। ବୁଢ଼ା ବିଚାରା ଚୁପ୍‌ ନ ହେଲେ ଏପରି କଳି ଆରମ୍ଭ ହେବ ଯେ, ସାଇ ପଡ଼ିଶା ଧାଇଁ ଆସିବେ । ତାଙ୍କ ନିଜ ସମ୍ମାନ ରହିବ ନାହିଁ । ଚୁପ୍‌ କରି ସେ ଖସିଗଲେ ।

 

ଲତା ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କ ଆଗ୍ରହରେ, ଦିନେ ଆଶା ମନ୍ଦିରକୁ ଗଲା ।

 

ସେତେବେଳେ ପୂଜାରୀ ହାରମୋନିୟମ୍‌ ଧରି ମୀରାବାଈଙ୍କର ଗୋଟିଏ ଭଜନ ଗାଉଥାନ୍ତି । ଆଉ ଜଣେ ଭକ୍ତ ତବଲା ବଜାଉଥାନ୍ତି । ଭଜନ ପରେ ପ୍ରସାଦ ବଣ୍ଟନ । ପୂଜାରୀ ହାରମୋନିୟମ୍‌ ଉପରେ ଆଣ୍ଠୁଟିଏ ଥୋଇ ସେ ଦୃଶ୍ୟ ବସି ଦେଖୁଥାନ୍ତି ।

 

ଆଶା ଲକ୍ଷ୍ୟ କଲା ଯେ, ପୂଜାରୀ ତା’ ଆଡ଼କୁ କଣେଇଁ କଣେଇଁ ଚାହୁଛନ୍ତି ।

 

ଆଶା ଅପ୍ରସ୍ତୁତ ହୋଇପଡ଼ିଲା । ତାକୁ ଏହା ଭଲ ଲାଗିଲା ନାହିଁ । ତଥାପି ଜନ ଗହଳି, ସେଇଠି ଆଉ କ’ଣ କରିବ ? ମୁଣ୍ଡ ତଳକୁ କରି ବସିଥାଏ ।

 

ଭିଡ଼ କମିଲା ପରେ ପୂଜାରୀ ଓ ତାଙ୍କର ଜଣେ ଦୁଇଜଣ ଭକ୍ତ, ଦୁଇ ତିନିଜଣ ବିଧବା ଥାଆନ୍ତି । ଧ୍ୟାନରୁ ଉଠିଲାପରି ଅଭିନୟ କରି ପୂଜାରୀ ପଚାରିଲେ, ‘‘ଲତାବାଈ ! ଏ ବାଈ ତ କେବେ ଆସନ୍ତି ନାହିଁ । ତାଙ୍କ ସହିତ ଟିକିଏ ପରିଚୟ କରାଇ ଦିଅ ।’’

 

ଲତା ଆଗ୍ରହର ସହିତ ଆଶାର ପରିଚୟ ଦେବାକୁ ଯାଇ ତା’ ସ୍ୱାମୀଙ୍କ ବିଷୟରେ, ତାଙ୍କର କର୍ମ ଓ ଜ୍ଞାନ, ଆର୍ଥିକ ଅବସ୍ଥା, ସନ୍ତାନ-ସନ୍ତତି ଆଦି ବିଷୟରେ କହିଗଲା ।

 

ପୂଜାରୀ ମହାରାଜ କହିଲେ, ‘‘ଆଶା ବାଈ ! ତୁମେ ଏତେ ଜ୍ଞାନୀ; ଭଗବତ୍‌ ଭକ୍ତି ଆଡ଼କୁ ଏତେ ଅଶ୍ରଦ୍ଧା କାହିଁକି ? କାହିଁକି ତୁମେ ଏଠାକୁ ବରାବର ଆସୁନାହଁ ? ଏଠାରେ ଭଜନ କୀର୍ତ୍ତନ ହୁଏ, ଭଗବତ୍‌ ପାଠ ହୁଏ, ଭଗବାନଙ୍କ ରାସଲୀଳା ମଧ୍ୟ ଚାଲେ । ମନୁଷ୍ୟ ଜନ୍ମ ପାଇ ଏସବୁ ଆମେ ଯଦି ନ କରୁଁ, ତାହାହେଲେ ଆମର ମନୁଷ୍ୟ ଜନ୍ମ ବୃଥା ।’’

 

ଆଶା କହିଲା, ‘‘ନା –ମହାରାଜ, ଅଶ୍ରଦ୍ଧା ନୁହେଁ । ଘର କାମଧାମ ଯୋଗୁଁ ସମୟ ମିଳେ ନାହିଁ ।’’ ପୂଜାରୀ କହିଲେ, ‘‘ଭଗବାନଙ୍କ ଆରାଧନାପାଇଁ ତୁମର ସମୟ ଅଭାବ ହେଉଛି ? ଭକ୍ତି ପରା ଗୋଟାଏ ନିଶା । ରାଧାକୃଷ୍ଣଙ୍କ ଭକ୍ତି ଜୀବନର ସବୁ ଦୁଃଖକଷ୍ଟ ଦୂର କରିପାରେ ।’’

ଆଶା ପୂଜାରୀ ସହିତ ତର୍କ କରିବାକୁ ଚାହିଁଲା ନାହିଁ । ସେ କହିଲା, ‘‘ଆସିବାକୁ ଚେଷ୍ଟା କରିବି ।’’

ପୂଜାରୀ କହିଲେ, ‘‘ଚେଷ୍ଟା ନୁହେଁ । ନିଶ୍ଚୟ ଆସ, ତୁମର ମଙ୍ଗଳ ହେବ ।’’

କ୍ରମେ ଆଶା ମନ୍ଦିରକୁ ନିୟମିତ ରୂପେ ଯିବା ଆସିବା କଲା । ପୂଜାରୀ ସହିତ ତାହାର ପରିଚୟ ବଢ଼ିବାରେ ଲାଗିଲା । ଆଶା ଧୀରେ ଧୀରେ ତା’ର ବିଚାରଶକ୍ତି ହଜାଇ ବସିଲା । ତା’ର ଚିନ୍ତାଧାରା, ଜ୍ଞାନ, ବୁଦ୍ଧି ସବୁ କୁଆଡ଼େ ଅନ୍ତର୍ହିତ ହୋଇଗଲା । ମନ୍ଦିର ପ୍ରତି ତା’ର ଯାହା ଭାବ ବା ମନ୍ତବ୍ୟ, କ୍ରମେ ସେସବୁ ପରିବର୍ତ୍ତିତ ହେବାରେ ଲାଗିଲା । ଦିନେ ସକାଳୁ ଉଠିଲାବେଳକୁ ଅସିତ କହିଲା, ‘‘ମୋ ମୁଣ୍ଡ ଭାରି ବିନ୍ଧୁଛି, ମୁଁ ଉଠିପାରିବି ନାହିଁ ।’’

ଆଶା ତା’ ଦେହରେ ହାତ ଦେଇ ପଚାରିଲା, ‘‘କ’ଣ ହେଲା ?’’

ଅସିତ କହିଲା, ‘‘ମୁଣ୍ଡ ଭାରି ବିନ୍ଧୁଛି; ଜ୍ୱର ହେଲାଭଳି ଲାଗୁଛି ।’’

ସକାଳୁ ଚା’ ପିଇ ସେ ବିଛଣାରେ ଶୋଇ ରହିଲା । କାମକୁ ଗଲାନାହିଁ । ଆଶା ଘର କାମ ସାରି, ପିଲାମାନଙ୍କୁ ଖୁଆଇ ପିଆଇ ସ୍କୁଲକୁ ପଠାଇଦେଲା । ଅସିତ ପାଖକୁ ଆସି ପଚାରିଲା, ‘‘ତୁମେ କିଛି ଖାଇବ ନାହିଁ ?’’

ଅସିତ କହିଲା, ‘‘ନା, କିଛି ଖାଇବି ନାହିଁ ।’’

 

ଆଶା ତା’ ପାଖରେ ବସି ମୁଣ୍ଡ ଆଉଁସି ଦେଉଥାଏ ।

 

ଲତା ଆସି କହିଲା, ‘‘ଅପା ! ମନ୍ଦିରକୁ ଯିବ ?’’

 

ଆଶା କହିଲା, ‘‘ନା, ଆଜି ଯିବି ନାହିଁ, ରଜନୀ ବାପାଙ୍କ ଦେହ ଅସୁସ୍ଥ । ଘରେ କେହି ନାହାନ୍ତି ।’’

 

ଅସିତ କହିଲା, ‘‘ଯିବ ଯଦି ଯାଅ । ମୁଁ ଶୋଇଛି ତୁମେ ଶୀଘ୍ର ଆସିବ ।’’

 

ଆଶା କହିଲା, ‘‘ନା, ଯିବି ନାହିଁ । ତୁମ ଦେହ ଭଲ ହେଲେ ଯିବି ।’’

 

ଆଠଦିନ କଟିଗଲା । ଜ୍ୱରର ଉପଶମ ହେଲା ନାହିଁ । ବରଂ ଅସିତର ଦୁର୍ବଳତା ବଢ଼ିଲା-। ଆଶା ଚିନ୍ତିତ ହୋଇପଡ଼ିଲା । ଭାବିଲା, ଏମିତି କେତେଦିନ ପଡ଼ିଥିବେ ? ଡାକ୍ତର ଚିକିତ୍ସା ନ ହେଲେ ଚଳେ ।

 

ମାସ ଶେଷ, ହାତରେ ପଇସା ନାହିଁ । ଡାକ୍ତର ଡାକିବା ସହଜ ନୁହେଁ । ଡାକ୍ତର ଫିସ୍‌ ଯାହାହେଉ, ତାଙ୍କର ପ୍ରେସ୍‌କ୍ରିପ୍‌ସନ୍‌ଟା ବିପଦ । ପୂର୍ବେ ଭଲ ବୈଦ୍ୟ ଥିଲେ, କମ୍‌ ଖର୍ଚ୍ଚରେ ଚେର ମୂଳ କରି ଚିକିତ୍ସା ହେଉଥିଲା, କିନ୍ତୁ ଆଜିକାଲି ତା’ ନାହିଁ ।

 

କ’ଣ କରିବ ବସି ଭାବୁଥାଏ । କାହାଠାରୁ ସାହାଯ୍ୟ ମିଳିବାର ଆଶା ନାହିଁ । କ’ଣ କରିବ ?

 

ଅସିତ କଡ଼ ଲେଉଟାଇ ଦେଖିଲା, ଆଶା କାନ୍ଦୁଛି ।

 

ଘରେ କେହି ନ ଥିଲେ ।

 

ଅସିତ କହିଲା, ‘‘କାନ୍ଦୁଛ ? ଛି ! ଏତେ ଦୁର୍ବଳ ତୁମେ ? ଦିନ ଆଠଟା ଖଟରେ ପଡ଼ିଲି ବୋଲି ଏତେ ବ୍ୟସ୍ତ ?’’

 

ଆଶା ଆଉ ସମ୍ଭାଳି ପାରିଲା ନାହିଁ, କଇଁ କଇଁ ହୋଇ ପିଲାଙ୍କ ପରି କାନ୍ଦି ପକାଇଲା ।

 

ଅସିତ ଟିକିଏ ବ୍ୟସ୍ତ ହୋଇ କହିଲା, ‘‘କାନ୍ଦି କିଛି ଲାଭ ନାହିଁ । ଭଗବାନ କାନ୍ଦିବା ଲୋକଙ୍କପାଇଁ ଏ ଦୁନିଆଁ ସୃଷ୍ଟି କରିନାହାନ୍ତି । ଜୀବନ ଆମର ସମସ୍ୟାପୂର୍ଣ୍ଣ । ଏତେ ସମସ୍ୟାର ସମ୍ମୁଖୀନ ହୋଇ ଆସିଛ, କେବେ ତ ତୁମର ଦୁର୍ବଳତା ଦେଖି ନ ଥିଲି ! ଆଜି କାହିଁକି ? ମୋ ଜ୍ୱରପାଇଁ, ନା’ ପଇସା ଅଭାବପାଇଁ ? ବୋଧହୁଏ ଟାଇଫଏଡ୍‍ ହୋଇଛି, ଔଷଧ କିଛି ନ ଖାଇଲେ ସୁଦ୍ଧା ଛାଡ଼ିଯିବ । ବ୍ୟସ୍ତ ହୁଅନା । ପଇସାର ଅଭାବ ? ହଁ ଅବଶ୍ୟ ଦିନକୁ ଦିନ ତାହା ଉତ୍କଟ ହୋଇପଡ଼ୁଛି; କିନ୍ତୁ ଯେ କୌଣସି ପ୍ରକାରେ ଚଳି ତ ଯାଉଛି । ଭଗବାନ ଆଜି ପର୍ଯ୍ୟନ୍ତ କୌଣସି କାମ ଅଟକାଇ ନାହାନ୍ତି, ଭବିଷ୍ୟତକୁ ଦେଖାଯିବ । ଘରେ ବସି କାନ୍ଦିଲେ କିଛି ଲାଭ ନାହିଁ । କାନ୍ଦୁଥିବା ଲୋକ ଦୁନିଆଁରେ କାନ୍ଦୁଥିବେ; ଦୁନିଆଁ ଆଗକୁ ଚାଲିବ, କାହାପାଇଁ ଅପେକ୍ଷା କରିବ ନାହିଁ ।’’

ଆଶା ଆଖି ପୋଛୁପୋଛୁ କହିଲା, ‘‘ଆଠଦିନ ହେଲାଣି, ତମର ଜ୍ୱର ଛାଡ଼ୁ ନାହିଁ, ପଇସା ଅଭାବ, ନିଜର ବୋଇଲେ କେହି ନାହିଁ । ମୋତେ ଏକୁଟିଆ ଲାଗୁଛି । କିଛି ଭଲ ଲାଗୁ ନାହିଁ ।’’

ଅସିତ କହିଲା, ‘‘ନିଜର ବୋଲି କେହି ନାହାନ୍ତି, ତା’ନୁହେଁ । ଭଗବାନ ଅଛନ୍ତି । କିନ୍ତୁ ତୁମେ ଲୋକଙ୍କ ଭିତରେ ନିଜର ବୋଲି କାହାକୁ ଖୋଜୁଛ ? ତା’ହେଲେ ଭୁଲ୍‌ କରୁଛ । ମନୁଷ୍ୟ ଜଗତକୁ ଏକା ଆସେ, ଏକା ରହେ ଓ ଏକା ଯାଏ । କେହି ତାହାର ସାଙ୍ଗ ହେବେ ନାହିଁ । ଜୀଇଁଥିବା ଯାଏ ଯାହାର ଯାହାଠାରେ ମତଲବ୍‌ ଥାଏ, ସେହି କ୍ଷଣକପାଇଁ ସେ ତା’ର ସାଙ୍ଗ ହୁଏ, ରେଳଗାଡ଼ିରେ ପାସେଞ୍ଜର ପରି । ତେଣୁ ନିଜର ବୋଲି କାହାକୁ କହିହେବ ନାହିଁ । କାମ ସରିଲା, ସମ୍ପର୍କ ତୁଟିଲା । ନିଜର ନିର୍ଦ୍ଦିଷ୍ଟ ଷ୍ଟେସନ ଆସିଲା, ଯାତ୍ରୀ ଗାଡ଼ିରୁ ଓହ୍ଲାଇଗଲା । ତେଣୁ ନିଜର ଲେକ କେହି ନାହିଁ ବୋଲି ବ୍ୟସ୍ତ ହେବାର କିଛି ନାହିଁ । ଆମର ଭଗବାନ ଅଛନ୍ତି । ଯାହାର କେହି ନାହିଁ, ତା’ର ଭଗବାନ ଅଛନ୍ତି । ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ଆତ୍ମବିଶ୍ୱାସ ଅଟଳ ରହିବ । ବାପା ମା’ଙ୍କ କଥା ତ ଜାଣ । ଆଉ ବନ୍ଧୁସହୋଦରଠାରୁ କ’ଣ ବିଶେଷ ଆଶା କରିବ ? ସେଥିପାଇଁ ଆମେ ମୂଳରୁ ପ୍ରସ୍ତୁତ ହୋଇସାରିଛୁଁ । ଦୀର୍ଘ ୧୫ ବର୍ଷ ପରେ ଏ ଦୁର୍ବଳତା କାହିଁକି ?’’

ଆଶା କହିଲା, ‘‘ଠିକ୍‌ କଥା, କିନ୍ତୁ କାହିଁକି କେଜାଣି ତୁମେ ବେରାମ ହେଲା ଦିନୁ, ଆମ ଗାଁ, ଆମ ସମାଜ, ମୋ ଆଈ ସମସ୍ତେ ମନେ ପଡ଼ୁଛନ୍ତି । ଆଉ ଏଠି ରହିବାପାଇଁ ମୋଟେ ଇଚ୍ଛା ହେଉ ନାହିଁ । ତା’ପରେ ରଜନୀର ବୟସ ଚଉଦ ହେଲାଣି । ତା’ପାଇଁ ତ କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ! ଗାଁରେ ବୁଢ଼ା ବୁଢ଼ୀମାନେ ଏସବୁ ବ୍ୟାପାରରେ ପାରଙ୍ଗମ । ଦେହ ଭଲ ହେଲେ ଚାଲ ଗାଆଁକୁ ଫେରିଯିବା ।’’

ଅସିତ କହିଲା, ‘‘ଫେରିଯିବା କୁଆଡ଼େ ? ଆମପାଇଁ ସ୍ଥାନ କେଉଁଠି ? କିନ୍ତୁ ହଁ, ରଜନୀର ତ କିଛି ଗୋଟାଏ ବ୍ୟବସ୍ଥା ନିଶ୍ଚୟ କରିବାକୁ ହେବ । ହଉ, ମୋ ଦେହ ଭଲ ହେଲେ ବାପାଙ୍କୁ ଚିଠି ଲେଖି ଅନୁରୋଧ କରିବି । ମୋର ମନେହୁଏ, ସେ ଏ ବିଷୟରେ କିଛି ଗୋଟାଏ ସ୍ଥିର କରିବେ, ସେଥିପାଇଁ ବ୍ୟସ୍ତ ହୁଅନା ।’’

 

ଆଶା କହିଲା, ‘‘ଯାହା ହେଉ, ଏଥର ଗାଆଁକୁ ଯିବା । ସେଇଠି ଗୋଟାଏ ଚାକିରୀ ଖୋଜି ରହିଗଲେ ହେବ । ଏତେ ଦୂର ବାଟରେ ରହିବା ବଡ଼ କଷ୍ଟକର । ଯିବା ଆସିବା କରି ହେଉ ନାହିଁ, ନ ଗଲେ ଚଳୁ ନାହିଁ !’’

 

ପୂଜାରୀ ଆସି ପହୁଞ୍ଚିଗଲେ । କହିଲେ, ‘‘ଅସିତବାବୁ ! କିପରି ଲାଗୁଛି ?’’

 

ଏ ମଧ୍ୟରେ ପ୍ରାୟ ପ୍ରତିଦିନ ପୂଜାରୀ ଆସି ଅସିତର ଦେହ ବିଷୟରେ ପଚରାପଚରି କରୁଛନ୍ତି, ଟିକିଏ ଟିକିଏ ବସି ମଧ୍ୟ ଯାଉଛନ୍ତି । ଅସିତ ସାଙ୍ଗରେ ବନ୍ଧୁତା ମଧ୍ୟ କମିଗଲାଣି । ମଝିରେ ମଝିରେ ଥରେ ଦୁଇଥର ଡାକ୍ତର ଡାକି ଆଣିବାପାଇଁ ସେ ଆଗ୍ରହ ଦେଖାଇଥିଲେ; କିନ୍ତୁ ଆଶା ଓ ଅସିତ କଥାକୁ ଆଡ଼େଇ ଦେଉଥିଲେ ।

 

ପୂଜାରୀ ଯେ କେବଳ ଅସିତକୁ ଦେଖୁଥିଲେ ତାହା ନୁହେଁ, ସେ ଦେଖୁଥିଲେ ତାଙ୍କର ଦାରିଦ୍ର୍ୟ, ପରିବାରର ଅବସ୍ଥା, ଆଶାର ବିମର୍ଷତା । ସେ ବୁଝି ପାରିଥିଲେ ଯେ, ଅର୍ଥାଭାବ ହେତୁ ଡାକ୍ତର ଡାକିବା କିମ୍ବା ଚିକିତ୍ସା କରିବାପାଇଁ ଉଭୟେ ଅସମ୍ମତ ।

 

ଦୁଇ ଚାରି ଦିନ ପରେ ପୂଜାରୀ କହିଲେ, ‘‘ଅସିତବାବୁ ! ଆପଣ ଦୁଃଖିତ ହେଲେ ହୁଅନ୍ତୁ, ଏପରି ଭାବରେ ମୁଁ ଆପଣଙ୍କୁ ଛାଡ଼ି ଦେଇପାରିବି ନାହିଁ । ଆଜି ଡାକ୍ତରବାବୁଙ୍କୁ ଡାକି, ଆପଣଙ୍କ ଚିକିତ୍ସା ଆରମ୍ଭ ନ କଲେ ନ ଚଳେ । ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛନ୍ତି, ଘରର ଅବସ୍ଥା କ’ଣ ହେଲାଣି ଦେଖୁ ନାହାନ୍ତି ?’’

 

ଅସିତ କହିଲା, ‘‘ଥାଉ, ଭାଗବାନଙ୍କର ଯାହା ଇଚ୍ଛା । ଦରିଦ୍ରଙ୍କପାଇଁ ଏସବୁ ବିଳାସ ଶୋଭାପାଏ ନା । ମାସ ଶେଷ, ହାତରେ ପଇସାଟିଏ ନାହିଁ । ଦରମା ଯାହା ମିଳିବ, ଏ ମାସର ଉଧାର ଶୁଝିବାରେ ଯିବ । କାଲିକି ପିଲାମାନେ କ’ଣ ଖାଇବେ ? ତହିଁର ଠିକଣା କ’ଣ । ଏତେବେଳେ ଡାକ୍ତର, ଔଷଧ ଏସବୁ ଆସିବ କୁଆଡ଼ୁ ?’’

 

ଆଶା, ମୁହଁକୁ ବୁଲାଇ କାନ୍ଦୁଥାଏ ।

 

ପୂଜାରୀ କହିଲେ, ‘‘ସେସବୁ ବିଷୟ ତୁମେ ଭାବ ନାହିଁ । ସେସବୁ ଭାର ମୋର । ମୁଁ ବ୍ରାହ୍ମଣ, ତୁମେ ମଧ୍ୟ ଗୋଟିଏ ବ୍ରାହ୍ମଣ ପରିବାର । ମନ୍ଦିରରେ ଅନେକ ଆୟ ଭଗବାନଙ୍କ ଜିନିଷ । ମୁଁ ଯେପରି ଖାଉଛି, ତୁମେ ମଧ୍ୟ ଖାଇବ । ସେଥିରେ ଦୋଷ କ’ଣ ? ମୋର ତ ଆଉ ଟ୍ରେଜେରୀ ଭରି ଲକ୍ଷପତି ହେବାର କଥା ନୁହେଁ । ଡାକ୍ତର, ଔଷଧ ଓ କାମକୁ ଯାଇ ଦରମା ପାଇବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ମୋର । ତାଙ୍କରି ପ୍ରସାଦ, ମୁଁ ଯେମିତି ପାଉଛି, ତୁମେ ପାଇବ । ଚିନ୍ତା କ’ଣ ?’’

 

ଅସିତ କୃତଜ୍ଞତା ସହିତ ମନା କରିବାକୁ ଯାଉଥିଲା । ଆଶା ଆଉ ସମ୍ଭାଳି ପାରିଲା ନାହିଁ-। କହିଲା, ‘‘ମହାରାଜ ! ଆପଣଙ୍କ ଦୟା ଏ ଜନ୍ମରେ ଭୁଲିପାରିବୁ ନାହିଁ ।’’

 

ରଜନୀ କହିଲା, ‘‘ଆପଣ ବାପାଙ୍କପାଇଁ ଚିକିତ୍ସା ବ୍ୟବସ୍ଥା କରନ୍ତୁ ।’’

 

ପୂଜାରୀ ହସି ହସି କହିଲେ, ‘‘କୌଣସି ଚିନ୍ତା ନାହିଁ, ଭଗବାନ ବୃନ୍ଦାବନ ବିହାରୀ ସମସ୍ତଙ୍କ ବ୍ୟବସ୍ଥା କରନ୍ତି । ମନୁଷ୍ୟ ନିମିତ୍ତ ମାତ୍ର । ହଉ, ମୁଁ ଡାକ୍ତରବାବୁଙ୍କୁ ଡାକି ଆଣେ ।’’

 

ଅସିତ ତୁନି ରହିଲା । ତା’ର ଇଚ୍ଛା ନ ଥିଲେ ମଧ୍ୟ ଉପାୟ ନ ଥିଲା ।

Image

 

ସାତ

 

ଡାକ୍ତର ଆସିଲେ, ରୋଗୀକୁ ଦେଖି ପ୍ରେସ୍‌କ୍ରିସନ୍‌ ଲେଖିଦେଲେ । ଔଷଧ କିଣିବା କଥା-। ତା’ପରେ ଡାକ୍ତରବାବୁ କହିଛନ୍ତି, ଫଳ ରସ ଦେବାପାଇଁ । ପୂଜାରୀ ସବୁ ବ୍ୟବସ୍ଥା କରିଦେଲେ ।

 

ତାଙ୍କର ଉପକାର ବୋଝ ବଢ଼ି ଚାଲିଥାଏ । ପ୍ରତିଦିନ ସକାଳ ସନ୍ଧ୍ୟାରେ ଆସି ପୂଜାରୀ ସବୁ ବୁଝି ଯାଉଛନ୍ତି । ଜଣେ ଲୋକକୁ ମଧ୍ୟ ସେଠାରେ ରଖାଇଦେଲେ । କେତେବେଳେ କିଛି ଦରକାର ହେଲେ ସେ ଆଣିଦେବ ।

 

ପନ୍ଦର ଦିନ ପରେ ଅସିତ ଆରୋଗ୍ୟ ଲାଭ କଲା, କିନ୍ତୁ ଭୀଷଣ ଦୁର୍ବଳତା । ଖଟରୁ ଉଠିପାରୁ ନାହିଁ । ଆଶା ରାତିଦିନ ତା’ର ସେବା ଶୁଶ୍ରୂଷା କରୁଛି । ଅସିତ କହିଲା, ‘‘ଦେଖୁଛ, ଭଗବାନ ନିଃସହାୟଙ୍କୁ କିପରି ସାହାଯ୍ୟ କରନ୍ତି । ଜଣାନାହିଁ ଶୁଣାନାହିଁ, ଭଗବାନ କିପରି ଏ ପୂଜାରୀଙ୍କ ମନରେ ପ୍ରେରଣା ଦେଇ ଆମ ଭଳି ନିଃସହାୟ ଦରିଦ୍ରଙ୍କୁ ସାହାଯ୍ୟ କଲେ !’’

 

ଆଶା କହିଲା, ‘‘ତୁମେ କହୁଥିଲ–ଡାକ୍ତର ଡାକିବା ନାହିଁ, ଔଷଧ ପତ୍ର ନ କଲେ ମଧ୍ୟ ଛାଡ଼ିଯିବ । ଔଷଧପତ୍ର କରି ନ ଥିଲେ ଅବସ୍ଥା କ’ଣ ହୋଇଥାନ୍ତା କହିଲ ? ବିଚାରା ପୂଜାରୀ ଦେବତାଟିଏ, ନ ହେଲେ ସେ କାହିଁକି ଆମପାଇଁ ଏତେ ଖର୍ଚ୍ଚ, ଏତେ ପରିଶ୍ରମ କରିଥାନ୍ତେ ।’’

 

ଅସିତ କହିଲା, ‘‘ପ୍ରକୃତରେ ସେ ଲୋକର ଅନେକ ସଦ୍‌ଗୁଣ ଅଛି । ଆଜିକାଲିକା ଯୁଗରେ ତା ମିଳିବା ସହଜ ନୁହେଁ ।’’

 

ଦିନ କଟି ଯାଉଥାଏ । ମାସକ ପରେ ଅସିତ କାମରେ ଯୋଗଦେବାପାଇଁ ଗଲା । ସେଠି ପୁଣି ବାକିଆ କାମ କରିବାକୁ ପଡ଼ିଥାଏ । ଦୁର୍ବଳତା କମି ନଥାଏ; ତା’ ଉପରେ ପରିଶ୍ରମ ଚାଲିଥାଏ ।

 

ଆଶା ପୁଣି ମନ୍ଦିର ଯିବା ଆସିବା ଆରମ୍ଭ କଲା । ମନ୍ଦିର ପ୍ରତି ତା’ର ଯାହା ଶ୍ରଦ୍ଧା ଥାଉ ବା ନ ଥାଉ, ପୂଜାରୀଙ୍କ ପ୍ରତି ତା’ର ଅଗାଧ କୃତଜ୍ଞତା । ଏହାର ନିଦର୍ଶନ ସ୍ୱରୂପ ସେ ବରାବର ମନ୍ଦିରକୁ ଯିବା ଆସିବା କରୁଥାଏ ।

 

ଏବେ ପୂଜାରୀ ସହିତ କଥାବାର୍ତ୍ତା କରିବାପାଇଁ ସେ ସଙ୍କୋଚବୋଧ କରେ ନା । ଦରକାର ପଡ଼ିଲେ ଟଙ୍କା ପଇସା ମଧ୍ୟ ମାଗେ । ଘରେ ଏକା ବୋଧକଲେ, ମନ ଖରାପ ଲାଗିଲେ, ମନ୍ଦିରକୁ ଯାଏ । ପୂଜାରୀ ସାଙ୍ଗରେ କଥାବାର୍ତ୍ତା, ଦର୍ଶକମାନଙ୍କ ସହିତ ମିଳାମିଶା କରି, ମନକୁ ଭୁଲାଇଦିଏ । ତା’ର ସମସ୍ୟାବହୁଳ ଜୀବନ । ସାନ୍ତ୍ୱନା ନିହାତି ଦରକାର । କ୍ରମେ ପୂଜାରୀ ସହିତ ତା’ର ସଦ୍‌ଭାବ ବୃଦ୍ଧି ପାଇଲା ।

 

ଦିନେ ଅସିତ କାମକୁ ଗଲା । ପିଲାଏ ପଢ଼ିବାକୁ ଯାଇଥାନ୍ତି । ରଜନୀ ପଡ଼ିଶା ଘରକୁ ବୁଲିଯାଇଥାଏ । ଆଶା ଘରେ ଏକା । ଦରିଟାରେ ପଡ଼ି ଗଡ଼ୁଥାଏ, ଭାବୁଥାଏ । ଏତକିବେଳେ ହଠାତ୍‌ ବାହାର କବାଟ ଫିଟାଇ ପୂଜାରୀ ଘର ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ଆଶା ତରବର ହୋଇ ଉଠିପଡ଼ିଲା, କହିଲା –‘‘ଆସ ମହାରାଜ !’’

 

ଆଶାର ବୟସ ତିରିଶ । ପାଞ୍ଚଟି ସନ୍ତାନର ମା । ତଥାପି ତା’ ରୂପ କିଛି ମଉଳି ନଥାଏ-। ତାହାର ଦେହର ଗଠନ ଏପରି ଯେ, ତାକୁ କେହି କହି ପାରିବେ ନାହିଁ –ପାଞ୍ଚଟିର ମା କିମ୍ବା ବୟସ ତିରିଶ ଯାଏ ହୋଇଯିବ ବୋଲି । ସେ ଚବିଶ ପଚିଶ ବର୍ଷର ଯୁବତୀ ଭଳି ଦିଶୁଥାଏ । ପୂଜାରୀ ଆସି ବିଛଣା ଉପରେ ବସୁ ବସୁ କହିଲେ, ‘‘ଅନେକ ଦିନରୁ ତୁମକୁ କହିବି ବୋଲି ଭାବୁଛି; କହି ପାରୁନାହିଁ, କାଳେ ତୁମେ ଚିଡ଼ିଯିବ !’’

 

ପୂଜାରୀ ବିଛଣାର ବସିପଡ଼ିଲେ । ଆଶା ଉଠି ଛିଡ଼ା ହେବାକୁ ଉଦ୍ୟତ ହେବାରୁ, ସେ ଆଶାର ହାତ ଧରି ପକାଇ କହିଲେ, ‘‘ବସ ବସ, ମୋ ସାଙ୍ଗରେ ଏସବୁ ଆଡ଼ମ୍ବର କାହିଁକି ? ଭଦ୍ରତାର କୃତ୍ରିମ ଢଙ୍ଗ ମୋତେ ଭଲ ଲାଗେନା ।’’

 

ଆଶାର ମୁହଁ ରଙ୍ଗ ପଡ଼ିଗଲା ସେ ଚମକିପଡ଼ିଲା । କିନ୍ତୁ କୃତଜ୍ଞତାର ବୋଝ ଏତେ ବେଶୀ ତା’ ଉପରେ ଲଦି ହୋଇ ପଡ଼ିଥିଲା ଯେ, ମୁହଁ ଫିଟାଇ କିଛି କହିବା ତା’ ପକ୍ଷରେ ସମ୍ଭବ ହେଲା ନାହିଁ । ସେ ତୁନି ହୋଇ ବସିପଡ଼ିଲା ।

 

ପୂଜାରୀ କହିଲେ, ‘‘ରାଗିଲ କି ?’’

 

ଆଶା ଉତ୍ତର ଦେଲା, ‘‘ନା ।’’

 

କିଛି ସମୟ ଗଡ଼ିଗଲା, ଉଭୟେ ନୀରବ ।

 

ପୂଜାରୀ ମସ୍ତିଷ୍କ ଭିତରେ ଦୁର୍ବୁଦ୍ଧି କୁଣ୍ଡଳି ସୃଷ୍ଟି କରି ଫୁଲି ଫୁଲି ଉଠୁଥିଲା । ସେ ଆଉଜା ହୋଇଥିବା କବାଟ ଆଡ଼କୁ ଚାହିଁ ଚାହିଁ କହିଲା, ‘‘ମୋର ଅନେକ ଦିନର ଲୁପ୍ତ ବାସନା ତୁମକୁ ଦେଖି ଜାଗିଉଠିଛି । ତୁମେ ମୋର ଶୁଷ୍କ ହୃଦୟରେ ପୁଣି ପାଣି ସିଞ୍ଚି ଉର୍ବର କରିପାରିଛ, ମୁଁ ତୁମର କୃପା ଭିକ୍ଷା କରୁଛି ।’’

 

ସେ ଆଶାକୁ ପାଖକୁ ଟାଣି ଆଣିବାପାଇଁ ଉଦ୍ୟତ ହେବାରୁ ଆଶା ପଛକୁ ଘୁଞ୍ଚିଯାଇ କହିଲା, ‘‘ଆପଣ ଏସବୁ କ’ଣ କରୁଛନ୍ତି ? ଏତ ଅତି ପାପ ।’’ ପୂଜାରୀ କହିଲେ, ‘‘ଗୋଟିଏ ମୃତ ହୃଦୟରେ ତୁମେ ଆଶାର ସଞ୍ଚାର କରିଛ । ଆଜି ମୁଁ ତୁମ ଭିକାରୀ, ଆଶା ।’’

 

X X X

 

ରାତିରେ ଅସିତ ଫେରି ଦେଖିଲା, ଘର ଅନ୍ଧାର । ପିଲାଏ ଶୋଇଛନ୍ତି । ରଜନୀ ବସି ବହି ପଢ଼ୁଛି ।

 

ଅସିତ କହିଲା, ‘‘ତୋ ମାଆ କୁଆଡ଼େ ଗଲା ?’’

 

ରଜନୀ କହିଲା, ‘‘ସେ ଘରେ ଶୋଇଛି, କହୁଛି ଦେହ ଭଲ ନାହିଁ ।’’

 

ଅସିତ କହିଲା, ‘‘ଘରଟା ଅନ୍ଧାର କାହିଁକି ? ଆଲୁଅ ଜାଳିଦେ ।’’

 

ରଜନୀ କହିଲା, ‘‘ଆଲୁଅ ଜାଳୁଥିଲି, ମା’ ମନା କଲା ।’’

 

ଅସିତ ଆଶା ଶୋଇଥିବା ଘରକୁ ଯାଇ ଆଲୁଅ ଜାଳି, ତା’ ଦେହରେ ହାତ ଦେଇ ଦେଖିଲା । କହିଲା, ‘‘କ’ଣ ହେଲା ? କେମିତି ଲାଗୁଛି ?’’

 

ଆଶା କହିଲା, ‘‘ସେମିତି କିଛି ନୁହେଁ, ଭଲ ଲାଗୁନାହିଁ ।’’

 

ଅସିତ କହିଲା, ‘‘ଖାଇବ ନାହିଁ ?’’

 

ଆଶା ମନା କଲା । ଅସିତ ଖାଇପିଇ ଶୋଇବା ବନ୍ଦୋବସ୍ତ କଲା ।

 

ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି, କେବଳ ଆଶାର ଆଖିରେ ନିଦନାହିଁ । ସେ କେବଳ ଭାବୁଛି, ପୂଜାରୀ ଚାଲିଗଲା ପରଠାରୁ ସେ ପଡ଼ି ପଡ଼ି କେବଳ ଭାବୁଛି, ସେହି କଥାକୁ ନେଇ । ତା’ ମନରେ ନାନା ତର୍କ ବିତର୍କ, ନ୍ୟାୟ-ଅନ୍ୟାୟ, ନୀତି-ଅନୀତି, ଧର୍ମ-ଅଧର୍ମ, ଦର୍ଶନ, ବାସ୍ତବ ଆଦର୍ଶ, କୃତଜ୍ଞତା, କର୍ତ୍ତବ୍ୟ, ସବୁ ବିଷୟରେ ଭାବି ଭାବି କୌଣସି କୂଳ କିନାରା ପାଉ ନଥାଏ । ସମୟ ସମୟରେ ନିଜକୁ ଦୋଷୀ ସାବ୍ୟସ୍ତ କରି ଘୃଣା କରେ ! କେତେବେଳେ ପୂଜାରୀକୁ ଘୃଣାକରେ । କେତେବେଳେ ପୁଣି ଅସିତକୁ ମଧ୍ୟ ଘୃଣା କରେ ।

 

ସମୟେ ସମୟେ ସମସ୍ତ ପରିସ୍ଥିତି ବିଷୟ ଚିନ୍ତାକରି କାତରା ହୋଇପଡ଼େ । କାହାକୁ କହିବ ? କ’ଣ କରିବ ? କିଛି ସ୍ଥିର କରିପାରେନା । ପୁଣି ଭାବେ ପୂଜାରୀର ଦୋଷ ! ସେ ତ ମନୁଷ୍ୟ, ସେ ଉପକାର କରିଛି, ତା’ର ମୂଲ୍ୟ ନ ନେବ କାହିଁକି ? ପ୍ରତ୍ୟୁପକାରର ଆଶା ନ ରଖି ଦୁନିଆଁରେ କିଏ କାହାର ଉପକାର କରେ ? ପୂଜା ଆରାଧନାରେ ମଧ୍ୟ ପ୍ରତ୍ୟୁପକାର ଆଶା ଥାଏ । ତେବେ ମନୁଷ୍ୟଠାରୁ କାହିଁକି ସେ ଆଶା ନ କରିବ ? ପୂଜାରୀ ଅନେକ ସାହାଯ୍ୟ କରିଛି, ତା ସ୍ୱାମୀଙ୍କୁ ବଞ୍ଚାଇଛି । ତା’ର କି ପ୍ରତ୍ୟୁପକାର ସେ ପାଇଛି ?

 

ଆଶା ଭାବୁଥାଏ, ତା’ ଭାବନାର ଅନ୍ତ ନାହିଁ । ଘୂରି ଫେରି ପୁଣି ସେ ଘଟଣା ତା’ ଆଖି ଆଗରେ ନାଚି ଯାଉଥାଏ । ସେ ଭାବୁଥାଏ, ଯାହା ହୋଇଛି ଠିକ୍‌ ହୋଇ ନାହିଁ । ନା-ନା, ତା’ର ପତନ ହୋଇଛି, ସେ ପତିତା, ତଳକୁ ଖସିଯାଇଛି । ତା’ର ନୀତି ନିୟମ ଗଲା କୁଆଡ଼େ ? ତା’ର ଆଦର୍ଶ ଗଲା କୁଆଡ଼େ ? ତା’ର ଭାବିବା ଶକ୍ତି ବିକୃତ ହୋଇ ଯାଇ ନାହିଁ ତ ? ଅସିତକୁ ସେ ଭଲପାଏ-ପ୍ରାଣ ଦେଇ ଭଲପାଏ । ଏହି ଭଲପାଇବା ଯୋଗୁଁ ସେ ନିରବଚ୍ଛିନ୍ନ ଦୁଃଖ ମଧ୍ୟରେ ସୁଖର ସ୍ପର୍ଶ ପାଇଥାଏ । ଆଜି ତାହା ଉଭେଇ ଯାଇଛି । ତା’ର ସଂସାର ଭାଙ୍ଗିପଡ଼ିଛି । ସେସବୁ ହରାଇ ନିଃସ୍ୱ ହୋଇପଡ଼ିଛି । ଭୋର ବେଳକୁ ତା’ ଆଖି ଲାଗିଗଲା । ସେହି ତନ୍ଦ୍ରା ଭିତରେ ଗୋଟାଏ ଦୁଃସ୍ୱପ୍ନ ତା’ର ମସ୍ତିଷ୍କକୁ ଆଲୋଡ଼ିତ କରି ପକାଇଲା । ସେ ଦେଖିଲା, ଅସିତ ମରିଯାଇଛି, ନିଃସହାୟ ଅବସ୍ଥାରେ ପିଲାଏ କାନ୍ଦୁଛନ୍ତି । ନିଜେ ଚୁପ୍‌ କରି ବସିଛି । କୁଆଡ଼େ କାହା ପାଖକୁ ଯିବ, କିଛି ସ୍ଥିର କରିପାରୁ ନାହିଁ । ଆଦୌ କିଛି ଭାବି ପାରୁ ନାହିଁ । କ’ଣ କରିବ ? ନିଦ ଭାଙ୍ଗିଗଲା, ସକାଳ ହୋଇ ଯାଇଥାଏ । ଉଠି ନିତ୍ୟକର୍ମ ସାରି ତା’ଘର କଣରେ ରଖା ହୋଇଥିବା ଛବି ପାଖରେ ବସି, ପୂଜା ଅର୍ଚ୍ଚନା କରି ଅନେକ ସମୟ ବସି ରହିଲା । ସେ ମନେ ମନେ ଭାବୁଥାଏ, ମୁଁ କ’ଣ କରିବି ? ଭଗବାନ ମୋତେ ବାଟ ଦେଖାଅ, ମୁଁ ଆଜି ଦୁର୍ବଳ, ନିଃସହାୟ, ଆଜି ମୋର ଆଦର୍ଶ ନୀତି ନିୟମ ସବୁ ଚୂର୍ଣ୍ଣୀଭୂତ ହୋଇଯାଇଛି, ପ୍ରଭୁ ! ମୋତେ ସାହସ ଦିଅ, ରକ୍ଷାକର ।

 

ପୂଜାରୁ ଉଠି, ତା’ ହୃଦୟ ସାମାନ୍ୟ ହାଲୁକା ଲାଗିଲା । ସେ ତା’ର ଘରକରଣା ଆରମ୍ଭ କଲା । କିନ୍ତୁ ସେଥିରେ ମଧ୍ୟ ତା’ ମନ ଲାଗୁ ନଥାଏ । ପୂର୍ବଦିନ ଘଟଣା ମନେ ପଡ଼ିଲେ ଲଜ୍ଜା ଓ ଘୃଣାରେ ସେ ସଙ୍କୁଚିତା ହୋଇପଡ଼େ । ଏମିତି ସାରାଦିନ କଟିଗଲା । ରାତିରେ ଅସିତ ଫେରି ଆଶା ଭିତରେ ଗୋଟାଏ ପରିବର୍ତ୍ତନ ଲକ୍ଷ୍ୟକଲା । ପଚାରିଲା, ‘‘ଆଜି ତୁମ ମନ ଭଲ ଲାଗୁନାହିଁ କି-? ମୁହଁ ଶୁଖି ଯାଇଛି ?

 

ଆଶା କହିଲା, ‘‘କିଛି ନୁହେଁ । ସମୟ ସମୟରେ ଏପରି ଲାଗେ ।’’

 

ଦୁଇ ତିନି ଦିନ କଟିଗଲା । ଆଶା ମନ୍ଦିରକୁ ଯାଏ ନାହିଁ । କଥାଟା ଭୁଲିଯିବାପାଇଁ ଚେଷ୍ଟା କରୁଥାଏ । କିନ୍ତୁ ପାରୁ ନଥାଏ ।

 

ଅସିତ ଲକ୍ଷ୍ୟ କରୁଥାଏ, ଆଶାର ଉଦାସୀନତା । ତାକୁ ଟିକିଏ ଖାପ୍‌ଛଡ଼ା ମନେ ହେଉଥାଏ । ତଥାପି ସେ କିଛି କହୁ ନଥାଏ । କେବଳ ସାଧାରଣ କଥାବାର୍ତ୍ତା ଛଡ଼ା ସେମାନଙ୍କ ମଧ୍ୟରେ କଥାବାର୍ତ୍ତାରେ ପୂର୍ବ ପରି ଆଗ୍ରହ ନଥାଏ ।

 

ଅସିତ ମନେ ମନେ ଭାବେ ଯେ, ଆଶାର ବୋଧହୁଏ ଗାଁ ମନେ ପଡ଼ିଛି । ବିଶେଷ ଚିନ୍ତା କରିବାପାଇଁ ଅସିତର ସମୟ ନଥାଏ । ସେ ବୁଝି ପାରୁଥାଏ ଯେ, ଗାଁକୁ ଯିବା ଭଳି ସମ୍ବଳ ତା’ର ନାହିଁ । ତେଣୁ ସେ ବରାବର ଏପରି ଚିନ୍ତାକୁ ଏଡ଼ାଇ ଚାଲିଥାଏ । ତିନି ଚାରି ଦିନ ଘରେ ବନ୍ଦ ରହି ଆଶାକୁ ଅଥୟ ଲାଗୁଥାଏ । ମନ ଚଞ୍ଚଳ ହୋଇ ପଡ଼େ । କ’ଣ କରିବ କିଛି ଭାବିପାରେ ନାହିଁ-। ମନ୍ଦିରକୁ ଯିବାପାଇଁ ତା’ର ଇଚ୍ଛା, କିନ୍ତୁ ପ୍ରଥମେ ରାଗରେ ଓ କ୍ଷୋଭରେ, ପରେ ଲଜ୍ଜା ଓ ସଂକୋଚପାଇଁ ଯାଇପାରୁ ନଥାଏ ।

 

ଦିନେ ଲତା ଆସି କହିଲା, ‘‘ଅପା ! ଆଜିକାଲି ମନ୍ଦିରକୁ ଯାଉନାହ କାହିଁକି ? ଚାଲ ଯିବା ।’’

 

ଆଶା କହିଲା, ‘‘ଘରକାମରେ ଟିକିଏ ବ୍ୟସ୍ତଥିଲି, ଯାଇ ପାରୁ ନ ଥିଲି ।’’

 

ଲତା କହିଲା, ‘‘ଆସ ଯିବା, ଘରେ କେତେ ପଡ଼ିରହିଥିବ ।’’

 

ଆଶାର ମନର ସଂକୋଚ ଭାଙ୍ଗିଗଲା, ସେ ଲତା ସାଙ୍ଗରେ ମନ୍ଦିରକୁ ବାହାରିଲା ।

 

ମନ୍ଦିରରେ ପହଞ୍ଚିଲା ବେଳକୁ ଭଜନ ଜୋରସୋର୍‌ରେ ଚାଲିଥାଏ । ଦର୍ଶକମାନେ ବିଭୋର ହୋଇ ଯାଇଥାନ୍ତି । ଭଜନରେ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣନା ଚାଲିଥାଏ । କୃଷ୍ଣଙ୍କ ପ୍ରେମରେ ପାଗଳିନୀ ହୋଇ ରାଧା କୃଷ୍ଣଙ୍କୁ ଖୋଜୁଥାଆନ୍ତି । ଗଛ ପତ୍ରକୁ ପଚାରୁଥାଆନ୍ତି । ଏସବୁ ବିଷୟ ଭଜନରେ ବର୍ଣ୍ଣିତ ହୋଇଥାଏ ।

 

ଜଭନରେ ଜୀବନରାମ ରାଧାକୃଷ୍ଣଙ୍କ ମଧୁର ପ୍ରେମ ବିଷୟରେ ବୁଝାଇବାକୁ ଯାଇ ତାଙ୍କର ବକ୍ତୃତା ଦେଲେ ।

 

ଭାଷଣ ପରେ ପ୍ରସାଦ ବଣ୍ଟନ । ପ୍ରସାଦ ପାଇ ଧୀରେ ଧୀରେ ସମସ୍ତେ ଉଠିଗଲେ । ବସି ରହିଥାଏ ଆଶା । ଆଉ ଦୁଇ ଚାରିଜଣ ମଧ୍ୟ ଥାଆନ୍ତି । ପୂଜାରୀ କହିଲେ, ‘‘ଆଶା ବାଈ ! ତୁମେ ତ ଅନେକ ଦିନ ହେଲା ଆସୁ ନାହଁ । କଥା କ’ଣ ?’’

 

ଆଶା କହିଲା, ‘‘ସେମିତି କିଛି ନୁହେଁ, ଟିକିଏ ଘର ଜଞ୍ଜାଳରେ ପଡ଼ିଥିଲି ।’’

 

ପୂଜାରୀ କହିଲେ, ‘‘ଘର ଜଞ୍ଜାଳ, ସଂସାର ଜଞ୍ଜାଳ କରି ଏହି ଜନ୍ମଟି ସାରିବ, ଭଗବାନ ତାଙ୍କ ଘରେ ବସିଥାନ୍ତୁ ।’’

 

ଏତକ କହି ସେ ହସିଲେ । ଉପସ୍ଥିତ ଲୋକେ ମଧ୍ୟ ହସିଲେ । ଆଶା ଲଜ୍ଜିତା ହୋଇପଡ଼ିଲା ।

 

ତା’ପରେ ପୁଣି ଆଶାର ଯିବା ଆସିବା ଚାଲିଲା । ପୂଜାରୀ ଓ ଆଶା ମଧ୍ୟରେ ଘନିଷ୍ଠତା ବଢ଼ି ଚାଲିଲା । କ୍ରମେ ଆଶା ରାସଲୀଳାରେ ଯୋଗ ଦେବା ଆରମ୍ଭ କଲା । ଦିନେ ଲତା ରାଧା ହୁଏ ତ ଦିନେ ଆଶା, ପୂଜାରୀ କୃଷ୍ଣ ହୁଅନ୍ତି ।

 

ଏଆଡ଼େ ଆଶା ଘର କଥା ଭୁଲିଗଲା । ଯେତେବେଳେ ଦେଖ, ସେ ମନ୍ଦିରରେ ବା ରାସସ୍ଥଳୀରେ ।

 

ଅସିତ ଆସି ଦେଖେ, ଆଶା ପ୍ରାୟ ଘରେ ନଥାଏ । ଏଣେ ଟଙ୍କା ପଇସାର ମଧ୍ୟ ଅଭାବ ପଡ଼ୁ ନଥାଏ । ଆଶାର ଏ ପରିବର୍ତ୍ତନ ଅସିତ ବୁଝିବାକୁ ଚେଷ୍ଟାକରେ, ପାରେ ନାହିଁ । କ’ଣ କରିବ, କିଛି ଭାବି ପାରୁ ନଥାଏ । ଦିନକୁ ଦିନ ତା’ର ବ୍ୟସ୍ତତା ବଢ଼ିଲା ।

 

ଦିନେ ଆଶା ଘରକୁ ଅଧରାତିରେ ଫେରିଲା । ଅସିତ ଅପେକ୍ଷା କରିଥାଏ । ମନରେ କ୍ରୋଧ ଫୁଲି ଫୁଲି ଉଠୁଥାଏ । ଆଶା ଆସିଲାକ୍ଷଣି ରାଗିଯାଇ ସେ କହିଲା, ‘‘ତୁମେ କେଉଁଠିକି ଯାଇଥିଲ ? ଘରଦ୍ୱାର ଗଲା, ପିଲା ଛୁଆ ଗଲେ, ତୁମେ ରାତି ଅଧଯାଏ କେଉଁଠି କ’ଣ କରୁଛ ? ମୁଁ ବୁଝି ପାରୁ ନାହିଁ ।’’

 

ଆଶା ଶାନ୍ତସ୍ୱରରେ କହିଲା, ‘‘ମୁଁ କ’ଣ ଚିରକାଳ ଘର ଦ୍ୱାର ପିଲା ଛୁଆ ନେଇ ବସିଥିବି, ଆଉ ମୋ ଜୀବନଟାକୁ ବ୍ୟର୍ଥରେ ଉଜାଡ଼ି ଦେଉଥିବ ? କେଉଁ ପାପ ଫଳରେ ତ ଏ ଦୁଃଖ ଭୋଗ କରୁଛି । ଏ ଜନ୍ମରେ କେବଳ ଘର ଘର କରି ମଲେ, ପର ଜନ୍ମ ମଧ୍ୟ ପୋଡ଼ି ଜଳି ଯିବ ।’’

 

ଅସିତର କ୍ରୋଧ କମିଗଲା, ସେ କହିଲା, ‘‘ମୁଁ ତର୍କ କରିବାକୁ ଚାହେଁ ନାହିଁ । ମୁଁ ତୁମଠୁ ଜବାବ ଚାହେଁ । ତୁମେ ପ୍ରତିଦିନ ଏତେ ରାତିଯାଏ କେଉଁଠି ରହୁଛ ?’’

 

ଆଶା ଉତ୍ତର ଦେଲା, ‘‘ଆଜି ମୁଁ ରାସଲୀଳାକୁ ଯାଇଥିଲି । ମୁଁ ସବୁଦିନ ମନ୍ଦିରକୁ ଯାଉଛି, ଆଉ ଯାଉଥିବି । ଏଥିରେ ତୁମର କ’ଣ କହିବାର ଅଛି ? ମୋ ଜୀବନଟା କଅଣ ତୁମକୁ ବିକି ଦେଇଛି ଯେ, ସବୁ ଦିନ ତୁମ କଥାରେ ଚଳିବ ?’’

 

ଅସିତ କ୍ରୋଧ ସମ୍ଭାଳି ପାରିଲା ନାହିଁ । ତାହାର ସଂଯମର ବନ୍ଧ ଭାଙ୍ଗିଗଲା । ତା’ର ବିବାହିତ ଜୀବନରେ କୌଣସି ଦିନ ଯାହା ସେ କରିନାହିଁ, କରିବ ବୋଲି କଳ୍ପନା କରି ନାହିଁ, ଆଜି ସେ ତାହା କରି ବସିଲା । ଇତର ଲୋକ ପରି ସେ ଆଶାକୁ ଦୁଇ ଚାପୁଡ଼ା ମାରିଲା । ଆଉ ତାହା ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା, ‘‘ଏପରି ଭକ୍ତି କରିବାକୁ ମୁଁ ଅନୁମତି ଦେଇପାରିବି ନାହିଁ । ଏହା ଭକ୍ତି ନୁହେଁ –ବ୍ୟଭିଚାର ।’’

 

ଆଶା ରାଗିଯାଇ କହିଲା, ‘‘ତୁମର ଅନୁମତି ମୋର ପ୍ରୟୋଜନ ନାହିଁ । ମୁଁ ତୁମ୍ଭର କ୍ରୀତଦାସୀ ନୁହେଁ । ବିବାହ ହେଲାପରେ ତୁମେ ଯାହା ସୁଖ ଦେଇଛ, ତାହା କହିଲେ ନ ସରେ । ତା’ପରେ ପୁଣି ପ୍ରଭୁତ୍ୱ ? ମାଡ଼ ମାରି ମୋତେ ଡରାଇବ ବୋଲି ଭାବୁଛ, ନା ?’’

 

ଅସିତ ଦେଖିଲା, ଆଶାକୁ କହି କିଛି ଲାଭ ନାହିଁ । ଆଶା ଏ ପର୍ଯ୍ୟନ୍ତ ଏପରି ଔଦ୍ଧତ୍ୟ କେବେ ଦେଖାଇ ନ ଥିଲା । ଏଥିରେ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲା ।

 

ଅସିତ ମନରେ କ୍ରୋଧର ଉଗ୍ରତା ଯେତିକି କମିଲା, ସମୁଦାୟ ଘଟଣା ତା’ ଆଖି ଆଗରେ ସେତିକି ଜଟିଳ ଆକାର ଧାରଣ କଲା ।

 

ବିଛଣାରେ ପଡ଼ି ପଡ଼ି ସେ ଭାବିଲା, ଆଶା ମନରେ ଏ ଯେଉଁ ପରିବର୍ତ୍ତନ ଦେଖାଦେଇଛି, ତହିର କାରଣ କ’ଣ ? ବିବାହିତ ଜୀବନ ଆରମ୍ଭଠାରୁ ସେ ଦୁହେଁ ସୁଖ ଦୁଃଖର ଭାଗିଦାର ରୂପେ ଚଳି ଆସିଛନ୍ତି । ନାନା ଜଞ୍ଜାଳ, ନାନା ସମସ୍ୟା ସେ ଦୁହିଁଙ୍କୁ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ରଖିଥିଲା । ଆଜି ଏ ହେଲା କ’ଣ !

 

ଆଶା ମନକୁ ମନ କେତେ କଅଣ କହି ଚାଲିଥାଏ । ତା’ର ସୀମା ନାହିଁ । ସେ ନିଜେ ବୁଝି ପାରୁ ନଥାଏ; ସେ କ’ଣ କହୁଛି, କାହାକୁ କହୁଛି–କିଏ ଶୁଣୁଛି ।

 

ସକାଳେ ଆଶା ଗମ୍ଭୀର ଭାବରେ ନିଜ କାମ କରି ଚାଲିଥାଏ ।

 

ଅସିତ କାମକୁ ଗଲା, କିନ୍ତୁ ତା’ର ଚିନ୍ତାର ବିରାମ ନଥାଏ ।

 

ଅସିତ କାମକୁ ଗଲାପରେ, ଆଶା ମନ୍ଦିରକୁ ଯାଇ ପୂଜାରୀଙ୍କ ନିକଟରେ ସବୁକଥା ବର୍ଣ୍ଣନା କରି କହିଲା, ‘‘ମୋତେ ଏ ଅତ୍ୟାଚାରରୁ ରକ୍ଷାକର ।’’

 

ଜୀବନରାମ କହିଲେ–‘‘ବଡ଼ ଅନ୍ୟାୟ, ତୁମର ଏଠି ଆଉ କେହି ନାହାନ୍ତି !’’

 

ଆଶା କହିଲା–‘‘ଏ ସଂସାରରେ ମୋର ବୋଲି କେହି ନାହିଁ ।’’

Image

 

ଆଠ

 

ଜୀବନରାମ ଚତୁର୍ବେଦୀ ଯାହା ଦେଖାଇ ହେଉଛି, ପ୍ରକୃତରେ ତାହା ନୁହେଁ । ତା’ର ପ୍ରକୃତ ନାମ ‘ଯୁଗ୍‌ନୁରାମ ଶର୍ମା’ । ସେ କାଶୀନିବାସୀ ନୁହେଁ । ପଞ୍ଜାବ, ଉତ୍ତର ପ୍ରଦେଶର ସୀମାନ୍ତବର୍ତ୍ତୀ ଗୋଟାଏ ଛୋଟ ଗାଁର ଲୋକ ।

 

ତା’ ବାପା ପୁରୋହିତ କାମ କରୁଥିଲେ । ଯୁଗ୍‌ନୁର ବୟସ ସତର ବର୍ଷ ହେଲାବେଳକୁ ସେ ମରିଗଲେ । ପିଲାଦିନେ ଯୁଗ୍‌ନୁ ବାପାଙ୍କଠାରୁ ସଂସ୍କୃତ ଓ କର୍ମକର୍ମାଣି କିଛି କିଛି ଶିଖିଥାଏ । ଗାଁ ମନ୍ଦିରରେ ସୁବିଧା ଅସୁବିଧା ବେଳେ ପୂଜା ଆଦି ଚଳାଇଦିଏ । ବାପାଙ୍କ ପରେ ଯାହା ଜମିଜମା ମିଳିଲା, ବର୍ଷକ ଚଳିଯିବାପାଇଁ ଯଥେଷ୍ଟ । ବାପାଙ୍କ ମୃତ୍ୟୁ ପରେ ଘରର ଭାର ତା’ ଉପରେ ପଡ଼ିଲା-। ମା ଧର୍ମପରାୟଣା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଘରକାମ ଓ ପୂଜା ପୂଜିରେ ସମୟ କଟାନ୍ତି । ମା ଆଉ ପୁଅ, ତାଙ୍କ ମନ ମାନିଲା ନାହିଁ । ପୁଅକୁ ବିବାହ କରିଦେବାପାଇଁ ଚାହିଁଲେ । ଯୁଗ୍‌ନୁର ବୟସ ଊଣେଇଶ ବର୍ଷ ବେଳେ ଗାଁର ଗୋଟିଏ ବ୍ରାହ୍ମଣ ପରିବାରର କନ୍ୟା ସହିତ ତା’ର ବିବାହ ହୋଇଗଲା ।

 

ସଂସାର ବାନ୍ଧିବାପାଇଁ ଯୁଗ୍‌ନୁର ବିଶେଷ ଇଚ୍ଛା ନଥାଏ । ଗାଆଁରେ ପଡ଼ି ରହିବାକୁ ସେ ପସନ୍ଦ କରୁ ନ ଥିଲା । ଆଧୁନିକ ସଭ୍ୟତାର ମୋହ ତାକୁ ବଡ଼ ସହର ଆଡ଼କୁ ଟାଣୁଥିଲା । କିନ୍ତୁ ମା’ଙ୍କ ଆଗ୍ରହ ଏଡ଼ି ନ ପାରି ବାଧ୍ୟ ହୋଇ ସେ ଗାଁରେ ପଡ଼ିରହିଲା ।

 

ବିବାହର ଦୁଇବର୍ଷ ପରେ ମା ମଧ୍ୟ ମରିଗଲେ । ସ୍ତ୍ରୀ ସୁଶୀଳା କାମ ଧନ୍ଦାରେ ପାରଙ୍ଗମ-। ଜମିବାଡ଼ି ବିଷୟ ସେ ବୁଝାବୁଝି କରେ । ଯୁଗ୍‌ନୁ ଗାଆଁରେ ବୁଲି ବୁଲି ତାସଖେଳି, ଜୁଆ ଖେଳି ସମୟ କଟାଏ । ଇତିମଧ୍ୟରେ ଯୁଗ୍‌ନୁର ଦୁଇଟି ପୁଅ ମଧ୍ୟ ହୋଇ ସାରିଥାଏ ।

 

ଦିନେ ତା’ର ସ୍ତ୍ରୀ ତାକୁ କହିଲା, ‘‘ଏମିତି କେତେଦିନ ଚଳିବ ? କେବଳ ତାସ୍‌ ଓ ଜୁଆ ଖେଳୁଥିବ, ନା କିଛି ରୋଜଗାର ଧନ୍ଦା ଦେଖିବ ? ଦିନୁ ଦିନ କୁଟୁମ୍ବ ବଢ଼ୁଛନ୍ତି, ବଢ଼ିବେ । ଜମିଜମା ଆୟରେ ଚଳିବା କଷ୍ଟକର ହେଲାଣି । କେମିତି ଚଳିବା ?’’

 

ଯୁଗ୍‌ନୁ କହିଲା, ‘‘ଦେଖ, ମୁଁ ପରୋହିତ କାମ କରିପାରିବିନାହିଁ । କହିବ ଯଦି ଦିଲ୍ଲୀକୁ ଯାଇ କିଛି ଗୋଟାଏ କାମ କରିବି ।’’

 

ସ୍ତ୍ରୀ କହିଲା, ‘‘ଦିଲ୍ଲୀ ଯାଅ ବା କଲିକତା ଯାଅ, କିଛି ରୋଜଗାର କର ।’’

 

ଯୁଗ୍‌ନୁ ଦିଲ୍ଲୀ ଯିବାର ସ୍ଥିର ହୋଇଗଲା । ସ୍ତ୍ରୀ ପାଖରେ ପଚାଶ ଟଙ୍କା ଥିଲା । ସେତକ ଧରି ଯୁଗ୍‌ନୁ ଉତ୍ସାହ ଦେଖାଇ ଦିଲ୍ଲୀକୁ ବାହାରିଗଲା ।

 

ଦିଲ୍ଲୀରେ ସେ ଚାକିରୀ ଖୋଜିଲା; କିନ୍ତୁ ମିଳିଲା ନାହିଁ । ଇତିମଧ୍ୟରେ ଜଣେ ଲୋକ ସହିତ ତା’ର ଦେଖାହେଲା । ସେ ଯୁଗ୍‌ନୁକୁ ବେଶ୍‌ ଭଲଭାବରେ ସତ୍କାର କରି ନିଜ ପାଖରେ ରଖିଲା । ଏହିପରି ଭାବରେ ସାତ ଆଠଦିନ ବିତିଗଲା ।

 

ଲୋକଟି ଯୁଗ୍‌ନୁକୁ ଦିନେ କହିଲା, ‘‘ଚାକିରୀ କରିବ ? ଚାକରୀ କରିବା ସହଜ ନୁହେଁ, ପାରିବ ?’’

 

ଯୁଗ୍‌ନୁ କହିଲା, ‘‘ନିଶ୍ଚୟ ପାରିବି, କାହିଁକି ନ ପାରିବି ?’’

 

ସେତେବେଳକୁ ଲୋକଟି ଯୁଗ୍‌ନୁର ସବୁ ଖବର ବୁଝି ସାରିଥାଏ । କହିଲା, ‘‘ଚାକିରୀ କରିବା ଅପେକ୍ଷା ତୁମେ ଆମ ଦଳରେ ମିଶ । କମିଶନ୍‌ ମିଳିବ । ଯଦି ରାଜି, କହ, ମୁଁ ଆମ ଦଳରେ ତୁମ କଥା ପକାଇବି । କିନ୍ତୁ ଏ କଥା କାହାକୁ କହିବ ନାହିଁ, କହିଲେ ବିପଦରେ ପଡ଼ିବ ।’’

 

ତା’ପରେ ସବୁ ଠିକ୍‌ଠିାକ୍‌ ହୋଇଗଲା । ତାଲିମ୍‌ ଆଡ଼ାରେ ଯୁଗ୍‌ନୁ ତାଲିମ୍‌ ପାଇ କାମରେ ଲାଗିଗଲା ।

 

ଭାରତର ପ୍ରତ୍ୟେକ ପ୍ରଦେଶରେ ଏ ଦଳର ଶାଖା ଅଛି । ଦଳର କାମ ହେଉଛି ଚୋରି ଡକାୟତି କରିବା, ନାରୀହରଣ କରି ପାକିସ୍ଥାନରେ ବା ପଞ୍ଜାବରେ ବିକ୍ରି କରିବା, ପିଲାମାନଙ୍କୁ ଭୁଲେଇ ନେଇ ତାଙ୍କୁ ଭିକାରୀ କରିବା ।

 

ପ୍ରଥମେ ପ୍ରଥମେ ଯୁଗ୍‌ନୁକୁ ଏସବୁ କାମ ଭଲ ଲାଗୁ ନଥାଏ । ତେଣୁ ଟିକିଏ ଅନିଚ୍ଛା ପ୍ରକାଶ କରିଥିଲା । କିନ୍ତୁ, ପରେ କାମରେ ଅଭ୍ୟସ୍ତ ହୋଇଗଲା ।

 

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ କିଛିଦିନ କାମ ଚାଲିଲା । ସେତେବେଳେ ହୀରାକୁଦ ବନ୍ଧ ନିର୍ମାଣ କାମ ଆରମ୍ଭ ହେଲା । ଦଳର ସର୍ଦ୍ଦାର ତାକୁ ଓ ଆଠଜଣ ସାଥୀକୁ ହୀରାକୁଦକୁ ପଠାଇଲେ । ହୀରାକୁଦରେ କିଏ ପାନ ଦୋକାନ କଲା ତ, କିଏ ଚା’ ଦୋକାନ । କିଏ ଚୌକିଦାର କାମ କଲା ତ କିଏ ମନ୍ଦିର ପୂଜାରୀ ।

 

ସେମାନଙ୍କ ମଧ୍ୟରୁ କେତେ ଜଣ ସମ୍ବଲପୁରକୁ ବାହାରିଗଲେ । ଯୁଗ୍‌ନୁ ‘ଜୀବନରାମ’ ହୋଇଗଲେ । ତାଙ୍କ ସାଥୀ କେତେଜଣ ସେଠାରେ ପାନ ଦୋକାନ, ଚା’ ଦୋକାନ, କେହି ବା କାହା ଦୋକାନରେ ଚାକିରୀ କରି କାମ ଆରମ୍ଭ କରିଦେଲେ । ହୀରାକୁଦ, ବୁର୍ଲା, ସମ୍ବଲପୁର ଅଞ୍ଚଳର ସ୍ଥାନୀୟ ଦୁର୍ବୃତ୍ତମାନଙ୍କ ସହିତ ଯୋଗାଯୋଗ ରଖି ସେମାନେ ନିଜପାଇଁ ଗୋଟାଏ କର୍ମକ୍ଷେତ୍ର ଗଢ଼ି ସାରିଥାନ୍ତି ।

 

Unknown

ଯୁଗ୍‌ନୁ ସମ୍ବଲପୁରକୁ ଆସି ଖୋଜାଖୋଜି କରି ମନ୍ଦିରରେ ପୂଜାରୀ କାମ ଆରମ୍ଭ କଲା-। ସେହି କାମରେ ଯୋଗଦେବା ଦିନୁ ତା’ର ରୋଜଗାର ବେଶ୍‌ ହେଉଥାଏ । ତା’ପରେ ଲତା ପରି ଯୁବତୀଙ୍କ ମୁକ୍ତହସ୍ତ ଦାନ । ସେ ପ୍ରଥମେ ଲତାକୁ ନେଇଯିବା କଥା ଭାବୁଥିଲା । କିନ୍ତୁ ସମସ୍ତ କଥା ବିଚାର କରି, ତା’ଠାରୁ କେବଳ ଟଙ୍କା ଟାଣିବା ବ୍ୟବସ୍ଥା କଲା ।

 

ତା’ପରେ ନଜର ପଡ଼ିଲା ଆଶା ଉପରେ । ଦେଖିଲା ଯେ, ଆଶା ସୁନ୍ଦରୀ, ତା’ର ବଡ଼ ଝିଅ ଚଉଦ ବର୍ଷର, ଆଉ ୪ଟି ସନ୍ତାନ । ସେମାନଙ୍କୁ ୧୦, ୮,୬,୪ ବର୍ଷ । ଏମାନଙ୍କୁ ନେଇ ପାରିଲେ ସମ୍ବଲପୁର ଆସିବା ସଫଳ ହେବ । କେବଳ ଆଶା ନୁହେଁ, ରଜନୀକୁ ମଧ୍ୟ ଭଲ ଦରରେ ବିକ୍ରି କରାଯାଇ ପାରିବ । ବାକୀମାନଙ୍କୁ କେଉଁ ଭିକାରୀ ସର୍ଦ୍ଦାରକୁ ବିକ୍ରି କରିଦେଲେ ଭଲ ଲାଭ ମିଳିବ । ସେହିଦିନୁ ତା’ର ଚେଷ୍ଟା ଚାଲିଥାଏ, ଆଶାକୁ ଜାଲରେ ପକାଇବାପାଇଁ; କିନ୍ତୁ କାମଟା ସହଜ ନୁହେଁ । ଆଶ ଖୁବ୍‌ ହୁସିଆର ବୋଲି ତା’ର ଧାରଣା; ତଥାପି ତା’ର ଚେଷ୍ଟା ଚାଲିଥାଏ । ଲତାର ପଇସା, ଆଶାର ଦାରିଦ୍ର୍ୟ ଓ ଆଖପାଖ ସମାଜରୁ ଅଲଗା ହୋଇ ରହିଥିବା ଘଟଣା ତା’ ଉଦ୍ଦେଶ୍ୟ ସିଦ୍ଧି ପଥରେ ସାହାଯ୍ୟ କରୁଥାଏ । ସେ ସାବଧାନତା ସହିତ ପାଦେ ପାଦେ ଆଗକୁ ଚାଲିଥାଏ ।

 

ସେ’ଦିନ ଆଶା ଆସି ଗୁହାରୀ କଲା । ଇତି ମଧ୍ୟରେ ଜୀବନରାମ ତା’ ଜୀବନରେ ଗୋଟାଏ ନିଭୃତ ସ୍ଥାନ ଅଧିକାର କରିଛି । ଆଶାର ତ ଏପରି କେହି ନ ଥିଲେ, ଯାହାକୁ ମନଖୋଲି ଦୁଇପଦ କଥା କହିପାରିବ ! ମନ୍ଦିରର ପୂଜାରୀ ତା’ ଦୁଃଖରେ ବିପଦରେ ସାହାଯ୍ୟ କରି ତା’ପକ୍ଷରେ ଦେବତାର ସ୍ଥାନ ଅଧିକାର କରିଛି । ଅସିତଠାରୁ ଆଘାତ ପାଇ ସେ ତା’ ପାଖକୁ ଧାଇଁ ଯାଇଥିଲା ।

 

ଜୀବନରାମ କ୍ଷୁଧିତ ବ୍ୟାଘ୍ରପରି ଏପରି ଏକ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲା । ସେ କହିଲା, ‘‘ଦେଖ ଆଶା, ସଂସାରରେ ମୋର କେହି ନାହିଁ, ତୁମେ ଯଦି ଚାହଁ; ମୁଁ ତୁମକୁ ଓ ତୁମର ପିଲା ଛୁଆମାନଙ୍କର ଭରଣପୋଷଣ କରିପାରିବି । କିନ୍ତୁ ଏଠି ରହି ଏହା ତ ହୋଇପାରିବ ନାହିଁ, ଦୂରକୁ–କୌଣସି ଅଜଣା ସ୍ଥାନକୁ ଚାଲିଯିବାକୁ ପଡ଼ିବ । ସେଠି ମୁଁ କୌଣସି ମନ୍ଦିରରେ ପୂଜା ଅର୍ଚ୍ଚନା ବା ଅନ୍ୟ କିଛି କାମ କରିବି । ସେଥିରେ ଆମେ ସମସ୍ତେ ଚଳିଯିବା ।’’

 

କଥାର ଇଙ୍ଗିତଟା ଏପରି କୁତ୍ସିତ ଯେ, ଶୁଣିଲା ମାତ୍ରେ ଆଶାର ଦେହ ଶୀତେଇ ଉଠିଲା-। ସେ କହିଲା, ‘‘ତାହା କେମିତି ହୋଇପାରିବ, ମହାରାଜ୍‌ ? ନା, ତା ହୋଇପାରିବ ନାହିଁ-।’’

 

ଜୀବନରାମ କହିଲା, ‘‘ହଁ, କଥାଟା ଅତି ଜଟିଳ, ଅତି ଅସୁନ୍ଦର, ମୁଁ ବୁଝୁଛି । କିନ୍ତୁ ଏଥିରେ ମୋର ତ କିଛି ସ୍ୱାର୍ଥ ନାହିଁ । ତୁମପାଇଁ ସିନା ମୁଁ ଏହା କହିଲି । ଏଥର ତୁମର ଇଚ୍ଛା ।’’

 

ଆଶା ତୁନି ହୋଇ ଶୁଣୁଥାଏ, କ’ଣ କରିବ ଭାବିପାରୁ ନଥାଏ ।

 

ଜୀବନରାମ ପୁଣି କହିଲା, ‘‘ଦେଖ, ତୁମେ ଭାବିଚିନ୍ତି, ଭଲଭାବରେ ଆଗ ପଛ ସବୁ ବିଚାର କରି ଯାହା କରିବାର ଠିକ୍‌ କର । ତରବର ହେବା ଦରକାର ନାହିଁ । ତୁମପାଇଁ ସବୁ କିଛି ତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ ।’’

 

ଆଶା ଘରକୁ ଫେରିଲା । ତା’ ମନରେ ଗୋଟାଏ କଥା ବରାବର ଭାସି ଉଠୁଥାଏ । ଜୀବନରାମ ତା’ପାଇଁ କେତେ ତ୍ୟାଗ କରିବାକୁ ପ୍ରସ୍ତୁତ । ପ୍ରକୃତରେ ସେ ତାକୁ ଭଲପାଏ । ଆଉ ଅସିତ ? ତଥାପି ଆଶା ମନରେ ଗୋଟାଏ ଶଙ୍କା, ଗୋଟିଏ ଅଜଣା ବାଧା, ଗୋଟାଏ ପ୍ରତିବନ୍ଧକ, ବରାବର ଚେଇଁ ରହିଥାଏ ।

 

ଆଶା ଯେତିକି ଭାବୁଥାଏ, ସେତିକି ତା’ ମନ ପଛକୁ ଘୁଞ୍ଚି ଆସୁଥାଏ ।

 

ନିଜ ସହିତ ଗୋଟାଏ କିଛି ସମାଧାନ କରିବାପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତା’ ଜୀବନର ଗତି ବିଷୟ ଭାବିବସିଲା ।

 

ଅସିତ ସହିତ ପନ୍ଦର ବର୍ଷ ତଳେ ତା’ର ବିବାହ । ଯେତେବେଳେ ନୀଡ଼ବିହୀନ ପକ୍ଷୀପରି ସେମାନେ ଭାରତର ପଶ୍ଚିମପ୍ରାନ୍ତରୁ ପୂର୍ବପ୍ରାନ୍ତର ଗୋଟାଏ ଅଜଣା ଅଶୁଣା ରାଜ୍ୟକୁ ଉଡ଼ି ଆସିଥିଲେ, ସେତେବେଳେ ତ ତା’ର ମନ ପଛଘୁଞ୍ଚା ଦେଇ ନ ଥିଲା । ତେବେ ଆଜି ଗୋଟିଏ ନୂତନ ଜୀବନ ଆରମ୍ଭ କରିବାପାଇଁ କାହିଁକି ତାହା ପଛଘୁଞ୍ଚା ଦେଉଛି ? କିନ୍ତୁ ଅସିତ ଯେ ତା’ର ବିବାହିତ ପତି ! ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ସେ ତା’ର ସମସ୍ତ ଭାର ବହନ କରିଥିଲା । ତା’ର ସୁଖ ଦୁଃଖପାଇଁ ଦାୟିତ୍ୱ ନେଇଥିଲା । ସେ ମଧ୍ୟ ତା’ର ସହଧର୍ମିଣୀ ହେବ ବୋଲି ଶପଥ ନେଇଥିଲା । ତେଣୁ ଭବିଷ୍ୟତର ଭାବନା ସେମାନଙ୍କର ନ ଥିଲା । ଏଥିରେ ଥିଲା ସମାଜର ସମ୍ମତି-। ଲୋକ ସାଧାରଣଙ୍କ ସମର୍ଥନ ।

 

କିନ୍ତୁ ଜୀବନରାମ ? ସେ’ ତା’ର କିଏ ? ହଁ, ସେ’ ତାକୁ ଭଲପାଏ । ଆପଦ ବିପଦରେ ସାହାଯ୍ୟ କରେ । ଲୋକଟି ସାଧୁ, ପୁଣି ସେ ଯାହାକରିବାକୁ ଯାଉଛି, ତାହା ତ ତାହାରିପାଇଁ; ସେଥିରେ ଜୀବନରାମର ବେଶୀ କିଛି ସ୍ୱାର୍ଥ ତ ନାହିଁ ।

 

ହଁ, ଆଶା ତା’ର ପିଲାମାନଙ୍କୁ ଧରି ଜୀବନରାମ ସହିତ ଚାଲିଯିବ । କିନ୍ତୁ ଲୋକେ କ’ଣ କହିବେ ? ତା’ପାଇଁ ଚିନ୍ତା କରିବା ଲାଗି କାହାର ସମୟ ଅଛି ? ହଁ, ଚିହ୍ନା ପରିଚିତ ଲୋକ କିଛି ଦିନ ନିନ୍ଦା କରିବେ । ତା’ପରେ ସବୁକଥାପରି ଏ କଥାକୁ ମଧ୍ୟ ସେମାନେ ଭୁଲିଯିବେ । କେହି ତ ତା’ପାଇଁ ଦୁଇଟୋପା ଲୁହ ଗଡ଼ାଇବେ ନାହିଁ ! ତାହାହେଲେ କାହିଁକି ସେଥିପାଇଁ ସେ ଚିନ୍ତା କରିବ-? ସେ ଥିଲାବେଳେ ଯେଉଁମାନେ ତା’ପାଇଁ କିଛି ଭାବୁ ନ ଥିଲେ, ସେଠାରେ ସେମାନଙ୍କ ମତାମତର ମୂଲ୍ୟ କ’ଣ ?

 

କିନ୍ତୁ ଅସିତ ? କେଡ଼େ ଆଘାତ ନ ପାଇବ ସେ ? ଜୀବନର ପନ୍ଦର ବର୍ଷ ହୃଦୟ ଢାଳି ଆଶା ତା’ର ସେବା କରିଛି; ସେ ମଧ୍ୟ ତା’ର ଶକ୍ତିମତେ ରକ୍ତନିଗାଡ଼ି ଆଶାର ଭରଣପୋଷଣ କରିଛି । ଆଜି ସେ ତାକୁ ଏଡ଼େ ବଡ଼ ଦଣ୍ଡ କାହିଁକି ଦେବ ? ଦୀର୍ଘ ପନ୍ଦର ବର୍ଷ ମଧ୍ୟରେ ସେ ତ ତା’ ପ୍ରତି କେବେ ଖରାପ ବ୍ୟବହାର ଦେଖାଇ ନାହିଁ । ଜୀବନରେ ଦୁଃଖ ଦାରିଦ୍ର୍ୟ ଭୋଗକରି ମଧ୍ୟ ସେମାନେ କେବେହେଁ ବିଚଳିତ ହୋଇ ନ ଥିଲେ । ତେବେ ସେଦିନ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଲେ କାହିଁକି ? ହଠାତ୍‌ ଦୁହିଁଙ୍କ ଜୀବନରେ କି ପରିବର୍ତ୍ତନ ହେଲା ଯେ, ସେମାନେ ପରସ୍ପରକୁ ଘୃଣା କରିବାରେ ଲାଗିଲେ ? ଏହି ପୂଜାରୀ ସେମାନଙ୍କ ଜୀବନରେ ବିତୃଷ୍ଣାର ବୀଜ ପୋତିଛନ୍ତି କି ? ସେ ତ ତାଙ୍କ ବେରାମ ଅବସ୍ଥାରେ କେତେ ସାହାଯ୍ୟ କରିଛନ୍ତି ! ସେ ଉପକାରୀ, ତାଙ୍କଠାରେ ସେମାନେ କୃତଜ୍ଞ ।

 

ଆଶା ଭାବୁଥାଏ; କିଛି କୂଳ କିନାରା କିନ୍ତୁ ପାଉ ନଥାଏ । ଶେଷରେ ତା’ର ଦୃଷ୍ଟି ନିଜ ଆଡ଼କୁ ଫେରିଆସିଲା । ସେ ଭାବିଲା, ତାହାର ଦୁର୍ବଳତା ଯୋଗୁଁ ହୁଏ ତ ଅସିତ ମନରେ ସନ୍ଦେହ ଦେଖାଦେଇଛି । ହୁଏ ତ ସେଥିପାଇଁ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଛି ।

 

କିନ୍ତୁ ଏଥିପାଇଁ ଦାୟୀ କିଏ ? ସେ ଏକା, ନା ଅସିତ ମଧ୍ୟ ? ଗତ ପନ୍ଦର ବର୍ଷକାଳ ବନ୍ଧୁ ସହୋଦର ବିହୀନ ସ୍ଥାନରେ ପକାଇ, ନିଜେ ଦିନସାରା ବାହାରେ ରହି, ସେ କ’ଣ ଆଶା ଉପରେ କିଛି ଅତ୍ୟାଚାର କରି ନାହିଁ । ସେ କ’ଣ ବନ୍ଧୁ ଆତ୍ମୀୟଙ୍କ ସାଙ୍ଗରେ ରହି ହସି ଖୁସିରେ ଦିନ କାଟିବାପାଇଁ ଆଦୌ ଚାହେଁ ନା ? ଫେରିଯିବାପାଇଁ ଯେତେ ଥର କହିଲେ ଅସିତ ତାହା କଲା ନାହିଁ । ବାଟ କଡ଼ରେ ପଡ଼ିଥିବା ଛିନ୍ନପତ୍ର ପରି କେତେଦିନ ସେ ନିଃସଙ୍ଗ ଜୀବନ କଟାଇବ ? କେତେଦିନ ନିରବଚ୍ଛିନ୍ନ ଅଭାବ ଅନାଟନ ମଧ୍ୟରେ ଅଭିଶପ୍ତ ଜୀବନ କଟାଇବ ? ଅସିତ ଆବଶ୍ୟକ ଅର୍ଥର ସଂସ୍ଥାନପାଇଁ ଅକ୍ଷମ, ବନ୍ଧୁ ସହୋଦର ଯୋଗାଇବାରେ ଅକ୍ଷମ, ତା’ର କ୍ଳାନ୍ତ ହୃଦୟକୁ ସାନ୍ତ୍ୱନା ଦେବାରେ ଅକ୍ଷମ । ତଥାପି ସେ କାହିଁକି ପତିତ୍ୱ ଅଧିକାର ଦାବୀ କରିବସିବ ? ଅସିତ ସହିତ ଜୀବନରାମର ତୁଳନା କରି ସେ ଦେଖିଲା, ପୂଜାରୀର ସୁନାମ, ଆୟ, ପୁଣ୍ୟ ସବୁ ଅଛି । ଆଶାପାଇଁ ଏସବୁକୁ ସେ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ । ନୂତନ ଜୀବନର ଗୋଟାଏ ସୁଯୋଗ ତା’ ଆଗରେ ଉପସ୍ଥିତ । ସେ ଛାଡ଼ିବ କାହିଁକି ? ଛାଡ଼ି ଲାଭ କଅଣ ?

 

ଭାବୁ ଭାବୁ ଦୁଇଦିନ ବିତିଗଲା । ଅସିତ ଓ ତା’ମଧ୍ୟରେ କଥାବାର୍ତ୍ତା ପ୍ରାୟ ନାହିଁ । ଦିନେ ରାତିରେ ଅସିତ ଆଶାକୁ ଡାକି କହିଲା–‘‘ଆଶା, ଆମର ଦୁଃଖମୟ ଜୀବନରେ ଆହୁରି ଦୁଃଖ ବଢ଼ାଇବା କାହିଁକି ? ପ୍ରକୃତରେ ମୁଁ ସେଦିନ ରାଗିଗଲି, କାରଣ ତୁମେ ଏତେ ରାତିରେ ଫେରିଲ ଓ ପଚାରିଲାରୁ ଯାହା ତାହା କହିଲ । ଦିନ ସାରା ଖଟି ଖଟି ଘରକୁ ଆସେ ତୁମଠୁ ସାନ୍ତ୍ୱନା ପାଇବା ଆଶାରେ । ତୁମ ସହିତ ଦୁଇପଦ କଥା ହୋଇ ମୋର ସାରା ଦିନର କ୍ଳାନ୍ତି ଦୂର କରିଥାଏ । କିନ୍ତୁ ସେଥିରେ ବ୍ୟାଘାତ ହେଲା ସେଦିନ; ତେଣୁ ରାଗିଗଲି । ତୁମେ କଥାକୁ ଧରି ବସିଲେ ଚଳିବ ? ଏଥିରେ ଦୁଃଖ ବଢ଼ିବ ସିନା, ଲାଭ ତ କିଛି ହେବ ନାହିଁ !’’

 

ଆଶା ତୁନି ହୋଇ କିଛିକ୍ଷଣ ରହିଲା ପରେ କହିଲା –‘‘ଥାଉ ସେସବୁ କଥା । ଯେଉଁ ଲୋକ ନାରୀର ହୃଦୟକୁ ବୁଝିପାରେନା, ନାରୀ ସହିତ କୌଣସି ବନ୍ଧନରେ ବାନ୍ଧି ହେବା ତା’ ପକ୍ଷରେ ଅନ୍ୟାୟ । ପନ୍ଦର ବର୍ଷ ଧରି ସାଙ୍ଗରେ ରହିଲି । ବନବାସ ଗଲାଭଳି ତୁମ ସହିତ ମୁଁ ଏହି ଅଜଣା ରାଜ୍ୟକୁ ଆସିଲି । ତଥାପି ତୁମେ ମୋ ହୃଦୟକୁ ଚିହ୍ନିଲ ନାହିଁ । ତେବେ ମୋ ଉପରେ ତୁମର କିଛି ଅଧିକାର ରହିବା ଉଚିତ ନୁହେଁ ।’’

 

ଅସିତ କହିଲା–‘‘ସେସବୁ ଭୁଲିଯାଅ, ତୁମେ ଓ ମୁଁ ଛଡ଼ା ଏ ଜଗତରେ ଆମର ଆଉ କିଏ ଅଛି ? ତା’ପରେ ଏହି ବିଦେଶରେ । ଗାଁରୁ ବାହାରିଲା ବେଳକୁ ବାପା ଆଶଙ୍କା ପ୍ରକାଶ କରିଥିଲେ । ଏତେଦିନେ ତାହାର କାରଣ ମୁଁ ବୁଝୁଛି । ଆମ ଭିତରେ ମେଳରଖି ଚଳି ନ ପାରିଲେ ଜୀବନ ଦୁର୍ବହ ହୋଇପଡ଼ିବ । ପରସ୍ପର ପ୍ରତି ଆମର ପ୍ରେମ ହିଁ ଏ ଜୀବନର ମରୁଭୂମିକୁ ଛାୟାଶୀତଳ କରିଛି । ସେଥିରୁ କାହିଁକି ବଞ୍ଚିତ ହେବା ଆମେ ।

 

ଆଶା କହିଲା–‘‘ଥାଉ ସେସବୁ କଥା । ମୁଁ କିଛି ଶୁଣିବାକୁ ଚାହେଁ ନାହିଁ । ମୋତେ ଗାଁରେ ଛାଡ଼ି ଆସ ।’’

 

ଅସିତ କିଛିକ୍ଷଣ ନୀରବ ରହି କହିଲା–‘‘ମୋର ଆର୍ଥିକ ଅବସ୍ଥା ତ ଜାଣ । ଜ୍ୱର ହେଲା, ଚିକିତ୍ସା ପୂଜାରୀ ସାହାଯ୍ୟରେ ହେଲା । ତାଙ୍କ ଟଙ୍କା ଫେରାଇବାର ମଧ୍ୟ ଶକ୍ତି ନାହିଁ । ବର୍ତ୍ତମାନ ତୁମକୁ ଗାଁକୁ ନେଇ ଯିବାପାଇଁ ଟଙ୍କା କେଉଁଠୁ ଆସିବ ?’’

 

ଆଶା ତୀକ୍ଷ୍‌ଣ ସ୍ୱରରେ କହିଲା–‘‘ତାହାହେଲେ ତୁମ ଅପାରଗତାପାଇଁ ମୋତେ କଅଣ ଏଇଠି ମରିବାକୁ ହେବ ? ତୁମ ପାଖରେ କେବେ ଯେ ପଇସା ହେବ, ଭଗବାନ ଜାଣନ୍ତି । କି ଗ୍ରହ ଦୋଷରୁ ତୁମ ପରି ଜଣେ ପତି ମିଳିଲେ ଯେ, ଆଜି ନିଜ ଗାଁକୁ ମଧ୍ୟ ଫେରିଯିବାପାଇଁ ଶକ୍ତି ନାହିଁ ।’’

 

ଅସିତ ଦେଖିଲା–ଆଶାର ରାଗ ଶାନ୍ତ ହୋଇନାହିଁ । ତାକୁ ଯାହା କହିଲେ ଠିକ୍‌ ତା’ର ଓଲଟା ଅର୍ଥ କରୁଛି । ତେଣୁ ଚୁପ୍‌ ହୋଇ ରହିଲା ।

 

ଅସିତ ବିଛଣାରେ ପଡ଼ି ପଡ଼ି ଭାବୁଥାଏ । ସେ ବୁଝୁଥାଏ, ତା’ର ସୁନାର ସଂସାର ଚୂନା ହୋଇଯାଉଛି । କାହିଁକି ? ଦୋଷ କାହାର ? ତା’ର ନା ଆଶାର ? ସେ କ’ଣ ବା କରିବ ? ଦେଢ଼ଶହ ଟଙ୍କାର ଚାକିରୀ । ବେଶୀ ମିଳିବା ମଧ୍ୟ ସମ୍ଭବ ନୁହେଁ । ତାହାହେଲେ ସେ କେଉଁ ଉପାୟରେ ଖର୍ଚ୍ଚ କାଟି ସଞ୍ଚୟ କରିବ ? ଅନ୍ୟମାନେ କେମିତି ଚଳୁଛନ୍ତି ? ସେ କାହିଁକି ଚଳି ପାରିବ ନାହିଁ ? ସେ ପୁଣି ଭାବିଲା, ତା’ଠାରୁ କମ୍‌ ଆୟର ଲୋକ ତ ଅଛନ୍ତି, ସେମାନେ ତ ଭଲରେ ଚଳୁଛନ୍ତି ! ଖର୍ଚ୍ଚ ବଢ଼ାଇ ଚାଲିଲେ ଅଭାବ ବଢ଼ି ଚାଲିବ; ଦାରିଦ୍ର୍ୟ ଲୁଚାଇବାକୁ ଯାଇ ସେମାନେ ଦାରିଦ୍ର୍ୟ ବଢ଼ାଇବାରେ ଲାଗିଛନ୍ତି । କି ଦରକାର ବଡ଼ ଲୋକୀରେ ? ଗରିବ ହୋଇ ଚାଲିଲେ ଲଜ୍ଜା କରିବାର କିଛି ନାହିଁ ।

 

ତାର ଚିନ୍ତାର ବିରାମ ନାହିଁ । ସେ ପୁଣି ଭାବିଲା, ପଇସାପାଇଁ ତ କେବେ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ଘଟିନାହିଁ । ତାହାହେଲେ ଆଶା କଅଣ ତାକୁ ସନ୍ଦେହ ଚକ୍ଷୁରେ ଦେଖୁଛି ? ଆଶାକୁ ତ ସେ ଭଲପାଏ, ଜୀବନରେ ତା’ ହୃଦୟରେ ଅନ୍ୟ ସ୍ତ୍ରୀର ସ୍ଥାନ ନାହିଁ । ତେବେ ହେଲା କଅଣ ? କାହିଁକି ଆଶା ମୋଠୁ ଦୂରେଇ ଯାଉଛି ? ହୁଏତ ଏହି ସ୍ଥାନରେ ରହି ରହି ତା’ର ବିରକ୍ତି ଆସିଛି । ଆଉ ତାକୁ ହିଁ ବିରକ୍ତିର କାରଣ ବୋଲି ଧରିନେଉଛି । ସେ କ’ଣ ଏଠି ଏକା ବୋଧକରୁଛି-? ସେଇଥିପାଇଁ ବୋଧହୁଏ ବାର ବାର ଗାଁକୁ ନେଇଯିବେ କଥା କହୁଛି ।

 

ଏଆଡ଼ୁ ସେଆଡ଼ୁ ଭାବି ଭାବି, ଅସିତ ନିଦରେ ଶୋଇପଡ଼ିଲା । ସକାଳୁ ଉଠି କାମକୁ ଗଲା । ବାଟରେ ମନେ ମନେ ଭାବିଲା, ତାଙ୍କ ମାଲିକଠୁଁ ଦୁଇଶହ ଟଙ୍କା ଧାର କରି ଆଶା ଓ ପିଲାମାନଙ୍କୁ ଗାଁରେ ଛାଡ଼ି ଆସିବ । କିନ୍ତୁ ମାଲିକ ଦେବେ କି ନାହିଁ, ଏହି ସନ୍ଦେହରେ ମାଗିବାପାଇଁ ସାହସ ସଞ୍ଚୟ କରିପାରୁ ନଥାଏ । ଏହିପରି ଅନେକ କଥା ଭାବି ଭାବି ସେ କାମକୁ ଗଲା ।

 

ଏଆଡ଼େ ଆଶା ନିଜ ନିତ୍ୟକର୍ମ ସାରି, ମନ୍ଦିରକୁ ଗଲା ।

Image

 

ନଅ

 

ମନୁଷ୍ୟ ନାନା କଥା କଳ୍ପନା ଜଳ୍ପନା କରିଥାଏ । ତା’ର ଆଶା ଆକାଙ୍‌କ୍ଷାର ସୀମା ନଥାଏ । ତା’ର ଆଦର୍ଶ ହୁଏତ ଗୋଟାଏ କିଛି ଥାଏ । ତା’ର ନାନା ପ୍ରକାର ଚିନ୍ତାଧାରା ଥାଏ; କିନ୍ତୁ ଗୋଟାଏ ଗୋଟାଏ ଝଡ଼ ଆସିଲେ ବଡ଼ ବଡ଼ ଗଛ ମୂଳରୁ ଉପୁଡ଼ିଯିବା ପରି ତା’ର ସମସ୍ତ ଦର୍ଶନ ତତ୍ତ୍ୱ, ଆଦର୍ଶ, ଆଶା-ଆକାଙ୍‌କ୍ଷା, ଚିନ୍ତାଧାରା, ବିଚାର ଶକ୍ତି ଭୁଲ୍‌ ହୋଇଯାଏ । ତେଣୁ ଯାହା ଭାବେ ଓ କରେ, ତା’ର ପରିଣାମ ବଷମୟ ହୋଇଯାଏ ।

 

ଆଜି ଆଶାର ମଧ୍ୟ ସେହି ଅବସ୍ଥା । ତା’ର ଆଦର୍ଶ ଲୋପ ପାଇଯାଇଛି । ଦର୍ଶନ ଭୁଷୁଡ଼ିପଡ଼ିଛି । ଚିନ୍ତାଧାରା ଭ୍ରମାତ୍ମକ ହୋଇପଡ଼ିଛି । ବିଚାର ଶକ୍ତି ନିର୍ଜୀବ ହୋଇପଡ଼ିଛି । ଆଜି ସେ ପାଗଳିନୀ, ଉନ୍ମାଦିନୀ । ଯାହା ଭାବୁଛି, ସବୁ ତାକୁ ଧ୍ୱଂସ ଆଡ଼କୁ ଟାଣି ନେଉଛି । ଆଜି ତା’ର ସଂଯମ ନାହିଁ । ଅଛି କେବଳ ଗୋଟାଏ ପରିବର୍ତ୍ତନର କାମନା । ଅସିତ ଭଲ କଥା କହିଲେ ସେ ଭୁଲ ବୁଝୁଛି, ଯେଉଁ ଅସିତର ସେବା ଶୁଶ୍ରୂଷା ସେ ରାତିଦିନ ନ ଖାଇ, ନ ପିଇ, ନ ଶୋଇ ଦୀର୍ଘ ମାସେ ପର୍ଯ୍ୟନ୍ତ କରିଥିଲା, ତାକୁ ଦେଖିଲେ ତାକୁ ବିରକ୍ତ ଲାଗୁଛି କାହିଁକି ? ଅସିତ ବଦଳି ଯାଇଛି, ନା ନିଜେ ସେ ବଦଳିଛି ?

 

ଘରକୁ ଫେରି ଆଶା ପୁଣି ପୂଜାରୀ କହିଥିବା କଥା ଭାବିଲା । ପୂଜାରୀକୁ କଅଣ ସେ ଭଲପାଏ ? ତା’ ସାଙ୍ଗରେ ତା’ ଜୀବନ ସୁଖମୟ ହୋଇପାରିବ କି ? ପୂଜାରୀର ପରିଚୟ ସେ ଭଲ ଭାବରେ ଜାଣେ ନାହିଁ, ଅଥଚ ତାହାରି ଭରସାରେ ନିଜର ଓ ନିଜର ସନ୍ତାନମାନଙ୍କ ଭବିଷ୍ୟତକୁ ଅନିର୍ଦ୍ଦିଷ୍ଟତା ମଧ୍ୟକୁ ଠେଲିଦେବ । କ’ଣ ସେ କରିବ, କିଛି ସ୍ଥିର କରି ପାରୁ ନଥାଏ ।

 

ଝିଅ ରଜନୀକୁ ଡାକି ସେ କହିଲା, ‘‘ରଜନୀ, ଆମେ ଗାଁକୁ ଯିବା । ସେଠି ମୋ ଆଈମା’ ଅଛନ୍ତି । ଏଠି ସବୁବେଳେ ଅଜଣା ଅଶୁଣା ଲୋକଙ୍କ ସାଙ୍ଗରେ ରହି ରହି ଭାରି ବିରକ୍ତ ଲାଗିଗଲାଣି-?’’

 

ରଜନୀ କହିଲା, ‘‘କେବଳ ଯିବା ମା ? ବାପା କହୁଥିଲେ କି ?’’

 

ଆଶା କହିଲା, ‘‘ନା, ତୋ ବାପା କହୁ ନ ଥିଲେ, ସେ କାମ ଛାଡ଼ି କୁଆଡ଼େ ଯାଇ ପାରିବେ ? ଆମେ ଯିବା ।’’

 

ରଜନୀ–‘‘ଏତେ ବାଟ କାହା ସାଙ୍ଗରେ ଯିବା ? ତା’ପରେ ବାପା ଏଠି କେମିତି ଚଳିବେ-?’’

 

ଆଶା–‘‘ତୋ ବାପାର ଅବଶ୍ୟ ଟିକିଏ ଅସୁବିଧା ହେବ; କିନ୍ତୁ ଉପାୟ ନାହିଁ । ଆମେ ଜୀବନରାମ ମହାରାଜଙ୍କ ସଙ୍ଗରେ ଯିବା, ସେ ଆମକୁ ଆମ ଗାଁରେ ଛାଡ଼ି ଆସିବେ ।’’

 

ଜୀବନରାମ ପ୍ରତି ଘରର ସମସ୍ତଙ୍କର ମନରେ ଦୁର୍ବଳତା ଆସିଛି । ସେ ଆଉ ବାହାର ଲୋକ ହୋଇ ରହିନାହାନ୍ତି । ତେଣୁ ରଜନୀ ଖୁସି ହେଲା ।

 

ତା’ପରେ କହିଲା, ‘‘ବାପାଙ୍କୁ ଏ କଥା କହିଛୁ ?’’

 

ଆଶା କହିଲା, ‘‘ନା, ତୋ ବାପାଙ୍କୁ କହିଲେ ସେ ଯିବାପାଇଁ ମନା କରିଦେବେ । ତେଣୁ ବର୍ତ୍ତମାନ କିଛି ନ କହି ଗାଁରେ ପହଞ୍ଚି ଚିଠି ଦେବା ।’’

 

ରଜନୀ–‘‘ସେ ଚିଠି ନ ପାଇବା ଯାଏ ବ୍ୟସ୍ତ ହୋଇ ପଡ଼ିବେ, ତୁ କହିଲେ କାହିଁକି ମନା କରିବେ ?’’

 

ଆଶା, ‘‘ସେସବୁ ତୁ ବୁଝି ପାରିବୁ ନାହିଁ । ଦେଖ୍‌ ତାଙ୍କୁ ତୁ କିଛି କହିବୁ ନାହିଁ ।’’

 

ରଜନୀ ମନେମନେ କ’ଣଗୁଡ଼ାକ ଭାବିବାକୁ ଲାଗିଲା । ତା’ର ବିଚାର କରିବା ବୁଦ୍ଧି ହୋଇଥାଏ । ଏଇ କେତେ ଦିନ ହେଲା ସେ ଲକ୍ଷ୍ୟ କରୁଛି, ତା’ର ବାପ ମା’ର ସମ୍ପର୍କ । ସେଥିରୁ ସେ ବିଶେଷ କିଛି ବିଝି ପାରୁନାହିଁ ଯଦିଓ, ତଥାପି ମନରେ ଶାନ୍ତି ପାଉନାହିଁ ।

 

ତା’ର ଜନ୍ମ ଏ ସମ୍ବଲପୁରରେ । ତା ଗାଁଟା ତା’ପାଇଁ କଳ୍ପନା ମାତ୍ର । କଳ୍ପନାରେ ଗଢ଼ି ପକାଇଛି ଗୋଟାଏ ସ୍ୱର୍ଗ । ତା’ ବାପା ମାଙ୍କଠାରୁ ସମୟ ସମୟରେ ସେ ତା’ ଗାଁ କଥା ଶୁଣିଛି । ତହିଁରୁ ସେ ଧରି ନେଇଛି ଯେ, ସ୍ଥାନଟି ଏକାନ୍ତ ରମଣୀୟ । ସେଥିଲାଗି ଗ୍ରାମ ପ୍ରତି ତାହାର ଏତେ ଆକର୍ଷଣ ।

 

ଆଶା ଅନେକ ଭାବିଲା, ଶେଷକୁ ସ୍ଥିରକଲା ଯେ, ସେ ଯିବ, ନ ଗଲେ ଶାନ୍ତି ପାଇବ ନାହିଁ । ତା’ପରେ ତା’ ବାଟ ସରଳ ହୋଇଗଲା । ପୂଜାରୀ ପାଖରେ ପହଞ୍ଚି ଦେଖିଲା, ଜୀବନରାମ ଏ ବିଷୟରେ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି ।

 

ନିର୍ଲିପ୍ତ ଭାବ ଦେଖାଇ ପୂଜାରୀ କହିଲେ, ‘‘କଅଣ ଠିକ୍‌ କଲ ତୁମେ ?’’

 

ଆଶା ଉତ୍ତର ଦେଲା, ‘‘ତୁମେ ଯାହା କହିବ, ତାହାହିଁ ହେବ ।’’

 

ପୂଜାରୀ ଟିକିଏ ଗମ୍ଭୀର ଭାବ ଅବଲମ୍ବନ କରି କହିଲେ–‘‘ତେବେ ଯିବାକଥା ସ୍ଥିର କରିବା ? ଦେଖ, ତୁମପାଇଁ ମୋର ସୁନାମ, ଆୟ ସବୁ ଯିବ । କିନ୍ତୁ ତୁମେ ମୋତେ ପରେ ଦୋଷ ଦେଇ ପାରିବ ନାହିଁ । ନ ହେଲେ ମୁଁ ଏଆଡ଼ୁ ଗଲି, ସେଆଡ଼ୁ ମଧ୍ୟ ଗଲି ।’’

 

ଆଶା କହିଲା, ‘‘କାହାକୁ କାହିଁକି ଦୋଷ ଦେବି, ସବୁ ମୋ ଭାଗ୍ୟ । ଭାଗ୍ୟ ଯେଉଁଆଡ଼କୁ କଢ଼ାଇ ନେବ, ଯିବି । ସେଥିରେ ତୁମର ଦୋଷ କ’ଣ ? ମୁଁ ନିଜେ ଏହି ଦୁଃଖମୟ ଜୀବନରୁ ରକ୍ଷା ପାଇବାପାଇଁ ସିନା ତୁମ ଆଶ୍ରୟ ଲୋଡ଼ୁଛି ! ତୁମେ କେବଳ ମୋର ଆଶ୍ରୟଦାତା-।’’

 

ପୂଜାରୀ ମନେ ମନେ ଖୁସି ହେଲା, କିନ୍ତୁ ଚିନ୍ତିତ ହେଲାପରି ଅଭିନୟ କରି କହିଲା, ‘‘ତାହାହେଲେ ସବୁ ବ୍ୟବସ୍ଥା ଗୁପ୍ତରେ କରିବାକୁ ହେବ । ତୁମେ ନିଜେ ପ୍ରସ୍ତୁତ ହୁଅ, ମୁଁ ମଧ୍ୟ ମୋର ବ୍ୟବସ୍ଥା କରୁଛି । ଟଙ୍କା ପଇସା ବ୍ୟବସ୍ଥା କରିବାକୁ ହେବ । ଯିବା ବାଟ ଠିକ୍‌ କରିବାକୁ ହେବ । ଆହୁରି ଅନେକ ବ୍ୟବସ୍ଥା, ସେସବୁ ମୁଁ ଠିକ୍‌ କରିନେବି । ଯେପରି କେହି ଏକଥା ନ ଜାଣନ୍ତି, ସେଥିପାଇଁ ତୁମେ ସାବଧାନ ଥିବ, ନ ହେଲେ ସବୁ ପଣ୍ଡ ହୋଇଯିବ ।’’

 

ଆଶା କହିଲା, ‘‘ମୁଁ କେବଳ ରଜନୀକୁ ଗାଁକୁ ଯିବାକଥା କହିଛି ଏବଂ କାହାକୁ କହିବାପାଇଁ ମନା କରି ଦେଇଛି । ଯେତେ ଶୀଘ୍ର ହୁଏ ଭଲ, ନ ହେଲେ ଅଡ଼ୁଆରେ ପଡ଼ିବା ।’’

 

ଆଶା ଘରକୁ ଫେରି ମନ୍ତ୍ରମୁଗ୍‌ଧ ପରି ଭାବୁଥାଏ ତା’ର ଭବିଷ୍ୟତ ଜୀବନ ବିଷୟ ।

 

ପୂଜାରୀ ଏହି ସୁଯୋଗକୁ ଅପେକ୍ଷା କରି ରହିଥିଲା । ଏଥିପାଇଁ ତ ସେ ଏତେଦିନ ଧରି ସବୁ ଉଦ୍ୟମ କରିଆସିଛି । ସଙ୍ଗେସଙ୍ଗେ ସେ ଲାଗିପଡ଼ିଲା । ତା’ ଦଳର ଲୋକଙ୍କୁ ତା’ ସ୍ଥାନରେ ପୂଜାରୀ କାମ କରିବାପାଇଁ ଖବର ଦେଲା । ଦଳ ମଧ୍ୟରୁ ଜଣେ ଲୋକ ବାହାରି ପଡ଼ିଲା । ତା’ପରେ ବୁର୍ଲାରେ ଦୁଇ ତିନି ଦିନ ରହିବା ବ୍ୟବସ୍ଥା । ସେଠାରୁ ବଲାଙ୍ଗିର ଟିଟିଲାଗଡ଼ ବାଟେ ରାୟପୁର ଟ୍ରେନ୍‌ ଧରିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ହୋଇଗଲା । ଯେପରି କୌଣସିଠାରେ ଧରା ନ ପଡ଼ିବ, ସେଥିପାଇଁ ତା’ ଦଳର ଲୋକେ ପ୍ରସ୍ତୁତ ହୋଇ ରହିଲେ ।

 

ବୁର୍ଲାରେ ଦୁଇ ତିନି ଦିନ ରହିବାରେ ତା’ର ଗୋଟାଏ ଉଦ୍ଦେଶ୍ୟ ଥାଏ । ସେ ଜାଣିବାକୁ ଚାହୁଁଥାଏ, ଅସିତର ପ୍ରତିକ୍ରିୟା ଓ ଲତାର କାର୍ଯ୍ୟ କଳାପ । ସେ ଜାଣେ, ଅସିତ ଗରିବ, ଚାକିରୀଜୀବୀ, ତାଦ୍ୱାରା ବିଶେଷ କିଛି ଅନିଷ୍ଟ ହୋଇ ପାରିବାର ଆଶଙ୍କା ନାହିଁ । ତଥାପି କାଳେ ଲୋକଙ୍କ ସହାନୁଭୂତି ପାଇ କିଛି ଗୋଟାଏ କରିବସିବ ! ସେଥିପାଇଁ ଆଗରୁ ସେ ପ୍ରସ୍ତୁତ ହେଲା । ପୋଲିସରେ ଜଣେ ସବ୍‌ଇନିସପେକ୍ଟର୍‌ବାବୁଙ୍କ ହାତ ଚିକ୍‌କଣ କଲା । ଏସବୁ ବ୍ୟବସ୍ଥା ପରେ ଲତା ଘରକୁ ଯାଇ କହିଲା, ‘‘ଦେଖ, ମୋର ପାଞ୍ଚହଜାର ଟଙ୍କା ଦରକାର ।’’ ଲତା ପଚାରିଲା, ‘‘ଏତେ ଗୁଡ଼ାଏ ଟଙ୍କା କ’ଣ କରିବ ? ଏକାଠି ଏତେ ଟଙ୍କା ପାଇବି କୁଆଡ଼ୁ ?’’

 

ଜୀବନରାମ କହିଲା–‘‘ଆମ ଗାଁରେ ଗୋଟିଏ ଦେଉଳ ତିଆରି ହେଉଛି, ଏ ଟଙ୍କା ସେଇଠାକୁ ପଠାଇବି ।’’

 

ଲତା କହିଲା–‘‘ମୋ ପାଖରେ ତ ଏତେ ଟଙ୍କା ନାହିଁ, କରିବି କ’ଣ ?’’

 

‘‘ସେ ଯାହାକର, ମୋର ଟଙ୍କା ଦରକାର’’ ପୂଜାରୀ କହିଲା । ପୂଜାରୀକୁ ମନା କରିବାପାଇଁ ଲତାର ସାହସ ନଥାଏ । ଶେଷରେ ସେ କହିଲା, ‘‘ମହାରାଜ ! ବର୍ତ୍ତମାନ ମୋ ପାଖରେ ଯାହା ଅଛି ଦେଉଛି, ତା’ପରେ ମୁଁ ଟଙ୍କା ଆଣି ଧୀରେ ଧୀରେ ତମକୁ ଦେବି । ତୁମ କାମ ଅଟକି ଯିବ ନାହିଁ ।’’

 

ଜୀବନରାମ ବୁଝିପାରିଲା; ପ୍ରକୃତରେ ଲତା ପାଖରେ ଟଙ୍କା ନାହିଁ । ତେଣୁ ଯାହା ମିଳିବାର ମିଳୁ ବୋଲି ଭାବି କହିଲା, ‘‘ହେଉ, ଦେଖ କେତେ ଅଛି ?’’

 

ଲତା ବାକ୍‌ସ ଖୋଲି ଦେଖାଇ ଦେଲା, ମାତ୍ର ତହିଁରେ ହଜାର ଟଙ୍କା ଥାଏ । ଏସବୁ ଟଙ୍କା ଜୀବନରାମ ହାତକୁ ସେ ବଢ଼ାଇଦେଲା ।

 

ଜୀବନରାମ ପାଖରେ ଯାହା ଟଙ୍କା ଆଦି ଥିଲା, ସେସବୁକୁ ସେ ଦଳର ଜଣେ ବିଶ୍ୱାସୀ ଲୋକ ପାଖକୁ ପଠାଇଦେଲା । ନିଜ ପାଖରେ କେବଳ ଶହେ ଟଙ୍କା ରଖି, ଯିବାପାଇଁ ପ୍ରସ୍ତୁତ ହେଲା ।

 

ଆଶାକୁ ଡକାଇ ସେ କହିଲା, ‘‘ଦେଖ, କାଲି ସକାଳୁ ମୁଁ ବୁର୍ଲା ବାହାରିଯିବି । ଦିନ ପ୍ରାୟ ଦୁଇଟା ବେଳକୁ ଗୋଟାଏ ଟେକ୍‌ସି ଆସିବ । ତୁମେ ପିଲାଛୁଆ ଆଦି ଧରି ସେ ଗାଡ଼ିରେ ଥାନାକୁ ଆସିବ । ସେଇଠି ଜଣେ ଥାନାବାବୁ ଥିବେ, ତାଙ୍କୁ କହିବ ଯେ, ସ୍ୱାମୀର ଅତ୍ୟାଚାର ସହି ନ ପାରି ଜୀବନରାମ ମହାରାଜ ସହିତ ମୁଁ ମୋ ବାପଘର କଚ୍ଛକୁ ଯାଉଛି । ସେଇଠି ଏ ରିପୋର୍ଟ ଦେଇ ବୁର୍ଲାକୁ ଆସିବ । ସେ ଗାଡ଼ିରେ ମୋର ଜଣେ ବନ୍ଧୁ ଥିବେ । ସେ ତୁମକୁ ସବୁ ବୁଝାଇ ବୁର୍ଲାରେ ମୁଁ ଯେଉଁଠି ଥିବି, ସେଠାକୁ ନେଇ ଆସିବେ । ତମ ଘରୁ ବାହାରିଲା ବେଳକୁ ଯଦି କେହି ପଚାରନ୍ତି–କହିବ, ଗୋଟାଏ ଭଲ ଘର ପାଇଛୁଁ, ସେଠିକି ଯାଉଛୁଁ । ଆଉ କାହାକୁ କିଛି କହିବ ନାହିଁ । ରିପୋର୍ଟ ଦେବା ଅର୍ଥ ହେଉଛି, ଯଦି ଅସିତ ବା ଅନ୍ୟ କେହି ଥାନାରେ ଏତଲା ଦିଅନ୍ତି, ତେବେ ତାହା ଅକାମୀ ହୋଇଯିବ । ଆମେ ବଞ୍ଚି ପାରିବା । ନ ହେଲେ, ପରେ ବିପଦରେ ପଡ଼ିବା, ବୁଝିଲ-? ଭୁଲ୍‌ କରିବ ନାହିଁ ।’’

 

ଆଜିକାଲି ଅସିତର ମନ ମଧ୍ୟ ଠିକ୍‌ ନାହିଁ । ଗୋଟାଏ ପକ୍ଷକଟା ପକ୍ଷୀପରି ସେ ବୁଲୁଛି-। ଦିନବେଳେ କେବେ ଘରକୁ ଖାଇବାକୁ ଆସୁଛି ତ କେବେ ଆସୁ ନାହିଁ । ଆଶାର ସବୁ ଢଙ୍ଗ ଦେଖି ତା’ ହୃଦୟ ଭାଙ୍ଗିପଡ଼ିଛି । କାମରେ ମନ ଲାଗୁ ନାହିଁ । ସେ କେବଳ ଜୀବନର ଗୋଟାଏ ଶୂନ୍ୟତା ଉପଲବ୍‌ଧି କରୁଛି । ସେ କାହିଁକି ଗାଁ ମାଟି ଛାଡ଼ି ଏତେ ଦୂରକୁ ଆସିଲା ! ତାହା ପରେ ମନେ ପଡ଼ିଲା –ସାବତ ମାଙ୍କ ଦାଉରୁ ଆଶାକୁ ରକ୍ଷା କରିବାପାଇଁ ସିନା ସେ ଏହା କରିଛି । ଏକଶହ ପଚାଶ ଟଙ୍କାରେ ମୁଣ୍ଡ ବିକିଛି । ପନ୍ଦର ବର୍ଷକାଳ ଗଧ ପରି ଖଟି ଜୀବନର ସମସ୍ତ ସୁଖ ସମ୍ଭୋଗକୁ ଜଳାଞ୍ଜଳି ଦେଇଛି । ଆଶାକୁ ସେ କେତେ ଭଲପାଇ ନାହିଁ ! କିନ୍ତୁ ଆଶାର ଆଜି ଏ ପରିବର୍ତ୍ତନ କାହିଁକି ? ତା’ର ବା ଉପାୟ କ’ଣ ? ପରିସ୍ଥିତି ଯୋଗୁ ତା’ର ଓ ଆଶାର ଏ ଅବସ୍ଥା । ସେ ଭାବୁଥିଲା, ସବୁବେଳେ ତା’ର ମନ ଭାରାକ୍ରାନ୍ତ । ଆଶାର ପରିବର୍ତ୍ତନର ନାନା କାରଣ ସେ ମନେ ମନେ ଖୋଜୁଥାଏ । ଥରେ ଥରେ ସେ ଭାବୁଥାଏ–ଆଶା ଗାଆଁକୁ ଯିବାକୁ ଚାହୁଁଥିଲା, ତାହା ହୋଇ ନ ପାରିବାରୁ ତା’ର ଏ ପରିବର୍ତ୍ତନ । ଏ ବିଷୟରେ ସେ ବା କ’ଣ କରିପାରେ ? ଅର୍ଥ ଅଭାବ । ସେ ମାସ ଶେଷରେ ଯାହା ପାଏ, ତାହା ଆଶା ହାତକୁ ବଢ଼ାଇଦିଏ । ସେ ଯଦି ସବୁ ଖର୍ଚ୍ଚ କରିପକାଏ, ଅସିତର ଦୋଷ କ’ଣ ? ଦରମାରୁ କିଛି କିଛି ସଞ୍ଚୟ କରିଥିଲେ, ଆଜି ହୁଏତ ସେମାନଙ୍କର ଏ ଅବସ୍ଥା ହୋଇ ନ ଥାନ୍ତା । କିନ୍ତୁ ବର୍ତ୍ତମାନ ଆଉ ଉପାୟ କ’ଣ ?

 

ଦୋଷ ବାଛିଲେ ଲାଭ ନାହିଁ, ବୋଝ ଉପରେ ବୋଝ ମୁଣ୍ଡ ଉପରେ ଲଦି ହୋଇପଡ଼ିଛି-। ରଜନୀ ବଡ଼ ହେଲାଣି, ତା’ପାଇଁ କିଛି ଗୋଟାଏ କରିବାକୁ ହେବ, ପିଲାମାନଙ୍କ ଖର୍ଚ୍ଚ ଦିନୁ ଦିନ ବଢ଼ି ଚାଲିଛି । ଏସବୁ ସମସ୍ୟାର ସମାଧାନ କେଉଁଠି ? ଆଶାର ବ୍ୟବହାର ତା’ ପକ୍ଷରେ କ୍ରମେ ଅସହ୍ୟ ହୋଇ ଉଠୁଛି, କିନ୍ତୁ ବାଟ ମିଳୁନାହିଁ । ପଇସାର ଅଭାବ, ଅଥଚ ଆୟ ବୃଦ୍ଧିର ପନ୍ଥା ନାହିଁ । ଗାଆଁ ମାଟିର ମାୟା ବିଚଳିତ କରି ପକାଉଛି, କିନ୍ତୁ ପାଥେୟ କାହିଁ ? ମନରେ ଅଶାନ୍ତିର ଅନ୍ତ ନାହିଁ, ସାନ୍ତ୍ୱନା ଦେବାପାଇଁ ଆତ୍ମୀୟ କେହି ନାହାନ୍ତି । ଏକା ଆଶା ଥିଲା ତା’ର ସର୍ବସ୍ୱ । ସେ ମଧ୍ୟ ଛାଡ଼୍‌ ଛାଡ଼୍‌ ହେଉଛି । ତା’ ଜୀବନ ଦୁର୍ବହ ହୋଇପଡ଼ିଛି । ସରସତା ଆଉ ନାହିଁ, ସତେ ଯେପରି ସେ ମଝି ଦରିଆରେ ଭାସି ଯାଉଛି ।

 

ଯିବା ସମୟ ପାଖେଇ ଆସିଲା ବେଳକୁ ଭୟ ଓ ଆଶଙ୍କାରେ ଆଶାର ମନ ଦବି ଯାଉଥାଏ । ସେ କାହାକୁ କିଛି କହି ପାରୁ ନଥାଏ, ତଥାପି ତା’ର ଛାତି ଧଡ଼୍‌ ଧଡ଼୍‌ ହେଉଥାଏ । ଥରେ ଥରେ ଜୀବନରାମକୁ ମନା କରିଦେବାପାଇଁ ବାହାରେ; କିନ୍ତୁ ପାରେ ନାହିଁ । ସେ କିଛି ବୁଝିପାରୁ ନଥାଏ । ତା’ ମନ ଏତେ ଚଞ୍ଚଳ ହୋଇଥାଏ ଯେ, କେତେବେଳେ କ’ଣ କହି ପକାଏ, ତା’ର ଠିକଣା ନଥାଏ ।

 

ପୁଣି ଜୀବନରାମ କହିଛି–ଟେକ୍‌ସି ଆସିବ । ସେ ଥାନାକୁ ଯିବ, ସେଠି ରିପୋର୍ଟ୍‌ ଦେବ-। କେବେ ତ ସେ ପଡ଼ିଶା ଘରକୁ ଯାଏ ନାହିଁ, ଥାନାକୁ କେମିତି ଯିବ ? ସେଠି ଥାନାରେ ଡାଏରୀ କେମିତି କରିବ ? ମିଛ କଥା କହି । ଅସିତ ତ ତା’ ପ୍ରତି କିଛି ଅତ୍ୟାଚାର କରୁନାହିଁ, କିପରି ତା’ର ବଦନାମ କରିବ ? କିନ୍ତୁ ନ କଲେ ନ ଚଳେ । ସେ ଯେଉଁ ବାଟରେ ଯିବା ଆରମ୍ଭ କରିଛି, ସେଥିରେ ତାକୁ ସବୁ କରିବାକୁ ପଡ଼ିବ । ନ ହେଲେ ପୂଜାରୀ ବିଚରା ବିପଦରେ ପଡ଼ିବ । ତାହାର ଉପକାର କରିବାକୁ ଯାଇ ସେ ଯଦି ବିପଦରେ ପଡ଼େ-ଘୋର ଅନ୍ୟାୟ ହେବ । ତା’ପାଇଁ ସବୁଦ୍ୱାର ବନ୍ଦ ହୋଇଯିବ । ସେତେବେଳେ ପିଲାଛୁଆଙ୍କୁ ଧରି ଜୀବନ ନିର୍ବାହ କରିବ କିପରି ?

 

ଏସବୁ ଚିନ୍ତା ଆଶାକୁ ବିବ୍ରତ କରୁଥାଏ, ସତ; କିନ୍ତୁ ତା’ ସଙ୍ଗେ ସଙ୍ଗେ ଗୋଟିଏ ନୂଆ କାଳ୍ପନିକ ଦୁନିଆର ପ୍ରଲୋଭନ ତାକୁ ଅଗ୍ରସର ହେବାପାଇଁ ଇଙ୍ଗିତ ଦେଇ ଉତ୍ସାହିତ କରୁଥାଏ । ସେ ଭାବୁଥାଏ–ଏଠାରୁ ଚାଲିଯାଇ ପାରିଲେ ପୁଣି ଗୋଟାଏ ସୁନାର ସଂସାର ଗଢ଼ିବା ଦିଗରେ ତା’ ପକ୍ଷରେ କିଛି ବାଧା ନ ଥିବ । ସେହି କଳ୍ପିତ ସଂସାରରେ ଅନ୍ତତଃ ଦୁଃଖ ଦୈନ୍ୟ ଏଭଳି ନ ଥିବ । ତା’ହେଲେ, ଏତିକି ସାହସ ନ ବାନ୍ଧିଲେ ଚଳିବ ? ଦୁନିଆରେ ଯେ କୌଣସି ଜିନିଷପାଇଁ ମୂଲ୍ୟ ଦେବାକୁ ହୁଏ, ଟଙ୍କାରେ ହେଉ ବା ଅନ୍ୟ କିଛି ଆକାରରେ ହେଉ । ଏଥିରେ ମଧ୍ୟ ତାକୁ ମୂଲ୍ୟ ଦେବାକୁ ପଡ଼ିବ । ଭବିଷ୍ୟତ ସୁଖପାଇଁ ଲୋକେ କେଡ଼େ ବଡ଼ ବଡ଼ ବିପଦ ବରଣ କରୁଛନ୍ତି । ତା’ ତୁଳନାରେ ଏ ତ ସାମାନ୍ୟ !

 

ପୁଣି ଭାବିଲା, ବର୍ତ୍ତମାନ ପଛକୁ ଫେରିବା ବାଟ ନାହିଁ । ଏକ୍ଷଣି ଧୈର୍ଯ୍ୟ ଓ ସାହସ ଦରକାର । କିନ୍ତୁ ଯଦି ତା’ର କଳ୍ପିତ ସଂସାର ମିଥ୍ୟା ହୁଏ ! ତେବେ ଭାବିବାର ଆଉ କିଛି ନାହିଁ । ସେ ବିଷୟରେ ଭାବିବାର ସମୟ ଗଡ଼ିଗଲାଣି । ବର୍ତ୍ତମାନ ଆଗକୁ ଚାଲିବାକୁ ହିଁ ହେବ । ବିଛଣାରେ ପଡ଼ି ନିଜ ସହିତ ନିଜେ ଯୁକ୍ତିକରି କ୍ଳାନ୍ତ ହୋଇପଡ଼ିଲା । କେତେବେଳେ ଯେ ତାକୁ ନିଦ ଆସିଲା, ତାହା ସେ ଜାଣିପାରି ନ ଥିଲା ।

 

ସକାଳୁ ଉଠି ଅସିତ କାମକୁ ଗଲା । ଆଶା ଘରୁ ବାହାରିଲା ବେଳକୁ ପୂଜାରୀ ଦ୍ୱାର ପାଖରେ ଛିଡ଼ା ହୋଇ କହିଲା–‘‘ମୁଁ ଚାଲିଲି ’’ ।

Image

 

ଦଶ

 

ଗୋଟାଏ ଅଦୃଶ୍ୟ ହାତର ଇଙ୍ଗିତରେ ଯନ୍ତ୍ରଚାଳିତ ପରି, ନୂଆ ବାଟରେ ଆଶା ଅଗ୍ରସର ହେଲା । ପିଲାମାନଙ୍କୁ ସ୍କୁଲକୁ ପଠାଇବା ପରେ; ଆଶା ଜିନିଷପତ୍ର ଲୁଗାପଟା ସଜଡ଼ାସଜଡ଼ି ବନ୍ଧାବନ୍ଧିରେ ଲାଗିଗଲା । ଖାଇବା ଛୁଟି ବେଳକୁ ଘରକୁ ଚାଲି ଆସିବାପାଇଁ ସେମାନଙ୍କୁ କହି ରଖିଲା । ଖାଇବା ଛୁଟି ଦେଢ଼ଟାରେ ହୁଏ । ତା’ପରେ ସେ ଅପେକ୍ଷା କରି ବସି ରହିଲା । ତା’ ମନରେ ଗୋଟାଏ ଝଡ଼ ଚାଲିଥାଏ ।

 

ଖାଇବା ଛୁଟିରେ ପିଲାମାନେ ଘରକୁ ଫେରିଲେ । ଅସିତ ଆସିଲା ନାହିଁ । ଆଶା ଧରି ନେଲା ଯେ, ଆଜି ସେ ଆଉ ଆସିବେ ନାହିଁ । ଆଜିକାଲି ବରାବର୍‌ ସେ ସେମିତି କରୁଛନ୍ତି । କେବେ ଦିନବେଳେ ଆସନ୍ତି ତ କେବେ ନାହିଁ ।

 

ପିଲାଏ ଖାଇ ପିଇ ସାରିଲା ପରେ ଆଶା ସେମାନଙ୍କୁ ଓ ରଜନୀକୁ କହିଲା, ‘‘ଆଜି ଆମେ ଗାଁକୁ ଯିବା ।’’

 

ପିଲାଏ ପଚାରିଲେ, ‘‘କେତେବେଳେ ? କେଉଁବାଟେ ଯିବା ? କେମିତି ଯିବା ?’’

 

ପିଲା ବିଚରାଏ କ’ଣ ବୁଝିବେ ? ସେମାନେ ଯେ ଗୋଟାଏ ନୂଆ ସ୍ଥାନକୁ ଯିବେ, ଏଥିରେ ହିଁ ଆନନ୍ଦିତ ।

 

ଆଶା ବିଶେଷ କିଛି କହୁ ନଥାଏ; ପଚାରିଲେ ରାଗୁଥାଏ । ରଜନୀ ମା’ର ମାନସିକ ଅବସ୍ଥା ଦେଖି ତ୍ରସ୍ତ । ସେ ଯନ୍ତ୍ରଚାଳିତ ପରି ଘରକାମ କରୁଥାଏ ।

 

ଦିନ ଦୁଇଟାରେ ଟେକ୍‌ସି ଆସି ଗଳି ମୁହଁରେ ଛିଡ଼ା ହେଲା । ସେଥିରୁ ଜଣେ ଅପରିଚିତ ଲୋକ ଓହ୍ଲାଇ ଆସି ଆଶାକୁ କହିଲେ, ‘‘ଗାଡ଼ି ଆସିଲା, ଜିନିଷପତ୍ର ଦିଅନ୍ତୁ ।’’

 

ଆଶା ନିଦ୍ରିତାବସ୍ଥାରୁ ହଠାତ୍‌ ଚେଇଁଲା ପରି ହୋଇ କହିଲା, ‘‘ଏସବୁ ନେଇଯାଅ ।’’

 

ଦୁଇଟି ବାକ୍‌ସ, ବିଛଣାଟିଏ, ଦୁଇଟି ବେଗ୍‌, ସବୁ ନିଆ ହେଲା । ଘର ବନ୍ଦ କରି ତାଲା ବନ୍ଦ କରିବାର ପ୍ରୟୋଜନ ନଥାଏ । ଘରେ ତ କିଛି ନଥାଏ ! ଘରେ ଶିକୁଳୀ ଦେଇ ସମସ୍ତେ ଯାଇ ଟେକ୍‌ସିରେ ବସିଲେ ।

 

ସାନ ପିଲାଟି କହିଲା, ‘‘ମା ! ବାପା କାହାନ୍ତି ?’’

 

ଆଶା କହିଲା–‘‘ଚୁପ୍‌ କର ବଦମାସ୍‌ । ନ ହେଲେ ତଣ୍ଟି ଚିପି ଦେବି ।’’

 

ସେ ବିଚରା ଭୟରେ ଥରହର ।

 

ସମସ୍ତେ ବସିଲା ପରେ ସେ ଲୋକଟି ଆଗ ଆଡ଼େ ବସି ଡ୍ରାଇଭରକୁ ଗାଡ଼ି ଚଳାଇବାକୁ କହିଲା । ରକ୍ଷା ହେଲା ଯେ, କେହି ପରିଚିତ ପୁରୁଷ ବା ସ୍ତ୍ରୀ ଲୋକଙ୍କ ସହିତ ସେତେବେଳେ ଦେଖାହେଲା ନାହିଁ ।

 

ଟେକ୍‌ସି ଆସି ସଦର ଥାନା ସାମନାରେ ଛିଡ଼ା ହେଲା । ସେ ଲୋକଟି ଓହ୍ଲାଇ ପ୍ରଥମେ ଥାନା ଭିତରକୁ ଏକା ଗଲେ । ତା’ପରେ ଆଶାକୁ ଡାକି ନେଲେ । ଆଶା ଗଲାବେଳକୁ ଥାନାର ଜଣେ ଇନ୍‌ସପେକ୍ଟର ବସିଥାନ୍ତି ଓ ଗୋଟିଏ କନେଷ୍ଟବଲ୍‌ ଥାଏ । ଏହା ଛଡ଼ା ସେତେବେଳେ ଆଉ କେହି ନ ଥାନ୍ତି । ନିଛାଟିଆ ସମୟ । ସବ୍‌ଇନିସପେକ୍ଟରବାବୁ ମଧ୍ୟ ରହିବା କଥା ନୁହେଁ; କିନ୍ତୁ ଆଗରୁ ସବୁ ବନ୍ଦୋବସ୍ତ ହୋଇଥିବାରୁ ସେ ଜଗି ବସିଥିଲେ । ଥାନା ଭିତରକୁ ଆଶା ଗଲାକ୍ଷଣି ଷ୍ଟେସନ୍‌ ଡାଏରୀରେ ଦସ୍ତଖତ ଦେବାପାଇଁ ସେ କହିଲେ । ସବୁକଥା ସେ ଆଗରୁ ଲେଖି ସାରିଥାନ୍ତି, ପଢ଼ି ଶୁଣାଇ ଦେଲେ । ସେଥିରେ ଆଶା ଦସ୍ତଖତ୍‌ କଲା । ଥାନାରୁ ଫେରି ଟେକ୍‌ସିରେ ବସିଲା । ସେ ଲୋକଟି ଟେକ୍‌ସି ଚଳାଇବାକୁ କହିଲା ।

 

ଟେକ୍‌ସି ଚାଲିଛି, ଏଆଡ଼େ ଆଶାର ମନ ଟେକ୍‌ସିଠୁ ବେଗରେ ଧାଇଁ ଚାଲିଛି । ସେ କେଉଁଆଡ଼େ ଚାଲିଛି, କଅଣ ଭାବୁଛି, ତାକୁ କିଛି ଜଣା ପଡ଼ୁ ନଥାଏ । ମନରେ ତା’ର ଭୟ, ଆଶଙ୍କା, ଲଜ୍ଜା, କ୍ଷୋଭ, କଳ୍ପନା ଓ ସାହସ ସମସ୍ତେ ଏକା ସାଙ୍ଗରେ ତା’ମୁଣ୍ଡରେ ନୃତ୍ୟ ଲଗାଇଥାନ୍ତି-। ପଥର ପରି ସେ ଚୁପ୍‌ ହୋଇ ବସିଛି ।

 

ଟେକ୍‌ସି ଆସି ବୁର୍ଲା ବସଷ୍ଟାଣ୍ଡ ପାଖରେ ଛିଡ଼ା ହେଲା । ତିନୋଟି ରିକ୍‌ସାରେ ସବୁ ଜିନିଷପତ୍ର ଲଦା ହେଲା, ସମସ୍ତେ ବସିଲେ, ନିର୍ଦ୍ଦେଶମତେ ରିକ୍‌ସା ଚାଲିଲା ।

 

ରିକ୍‌ସା ଯାଇ ଗାଁ ବାହାରେ ଗୋଟାଏ ମନ୍ଦିର ସାମନାରେ ଛିଡ଼ା ହେଲା । ଆଶା ରଜନୀ ଓ ପିଲାମାନଙ୍କୁ ମନ୍ଦିର ଆଡ଼କୁ ନେଇଗଲା ।

 

ମନ୍ଦିରଟି ଗାଁ ବାହାରେ ଟିକିଏ ନିଛାଟିଆ ସ୍ଥାନରେ । ଅତି ପୁରୁଣା ମନ୍ଦିର, ଚାରିଆଡ଼େ ବଡ଼ ବଗିଚା । ମନ୍ଦିର ପଛଆଡ଼େ ସାନ ବଡ଼ ହୋଇ କେତେଗୁଡ଼ିଏ ଘର । ସେଥିରେ ସେ ମନ୍ଦିରର ପୂଜାରୀ, ଚାକର ବାକର ରହନ୍ତି । ବାକୀ ସବୁ କୋଠରୀ ଖାଲି ପଡ଼ିଥାଏ । ଅତିଥି ଅଭ୍ୟାଗତ ଆସିଲେ ରହନ୍ତି । ତା’ ପଛକୁ ଜଙ୍ଗଲ ଓ ପାହାଡ଼ ।

 

ମନ୍ଦିରର ଅବସ୍ଥିତି ଓ ଉପକଣ୍ଠ ଅତି ସୁନ୍ଦର । ସହର, ଜଙ୍ଗଲ, ପାହାଡ଼–ସବୁ ପାଖରେ । କେଉଁ ଧର୍ମାତ୍ମା ଗୋଟାଏ ବଡ଼ କୂଅ ଖୋଳାଇ ଦେଇଅଛନ୍ତି । ସେହିଟା ଶିବ ମନ୍ଦିର ।

 

ମନ୍ଦିର ପଛରେ ଥିବା ଘରମାନଙ୍କ ଭିତରୁ ସବାଶେଷ ଘରକୁ ଆଶାକୁ ନିଆଗଲା । ସେଠାରେ ଜୀବନରାମ ମଧ୍ୟ ବାହାରକୁ ଆସି ସେମାନଙ୍କୁ ପାଛୋଟି ଘର ଭିତରକୁ ନେଲେ । ତାହାପରେ ବାହାରକୁ ଆସି ସେ ଲୋକଟି ସହିତ କ’ଣ ଫୁସ୍‌ ଫୁସ୍‌ କଥାବାର୍ତ୍ତା ହେଲେ । ସେ ଲୋକଟି ଚାଲିଗଲା । ଗଲାବେଳେ ବରାବର ଖବର ଦେବାପାଇଁ ଜୀବନରାମ ତାକୁ ନିର୍ଦ୍ଦେଶ ଦେଲେ ।

 

ଘର ଭିତରକୁ ଫେରି ଜୀବନରାମ ପିଲାମାନଙ୍କ ସହିତ ଖେଳିବା ଆରମ୍ଭ କରିଦେଲେ । ଆଶା ଗୋଟାଏ କଣରେ ତୁନିହୋଇ ବସିଥାଏ ।

 

ସନ୍ଧ୍ୟା ହେଲା, କ୍ରମେ ରାତି ହେଲା । କିନ୍ତୁ ଆଶା ମୂକ ହୋଇ ପଡ଼ିଥାଏ । ପିଲାମାନେ କିଛି ବୁଝିପାରୁ ନ ଥାନ୍ତି । ରଜନୀ ବିଚାରୀ ଏକା ବସି, ଏସବୁ କଅଣ ହେଉଛି ତାହା ବୁଝିବାପାଇଁ ଚେଷ୍ଟା କରେ, କିନ୍ତୁ ପାରେ ନାହିଁ ।

 

ରାତିରେ ଜୀବନରାମ ଖାଇବା ଜିନିଷ ଆଣି ଖାଇବାକୁ ଦେଲେ । ପିଲାଏ ଖାଇଲେ । ତା’ପରେ ତଳେ ଗଡ଼ି ଗଡ଼ି ଶୋଇପଡ଼ିଲେ । ଆଶା ଓ ରଜନୀ କିଛି ଖାଇଲେ ନାହିଁ ।

 

ଆଶା ସେମିତି ପଡ଼ିଥାଏ । ତା’ର ମନର ଝଡ଼ ବଢ଼ି ଚାଲିଥାଏ । ରଜନୀ ବିଚାରୀ ଆଶାର ଅବସ୍ଥା ଦେଖି କଅଣ କରିବ କିଛି ବୁଝିପାରୁ ନଥାଏ ।

 

ଜୀବନରାମ ଆସି କହିଲା, ‘‘ତୁମେ ଖାଇଲ ନାହିଁ ?’’

 

ଆଶାଠାରୁ କିଛି ଉତ୍ତର ମିଳିଲା ନାହିଁ ।

 

ଜୀବନରାମ ପୁଣି କହିଲା, ‘‘ଆଶା, ତୁମେ ଶୋଇପଡ଼ିଛ କି ?’’

 

ଆଶା କହିଲା, ‘‘ନା, ଶୋଇନାହିଁ । କିନ୍ତୁ ଖାଇବାପାଇଁ ଇଚ୍ଛା ନାହିଁ; ମୋର ଭୟ ହେଉଛି ।’’

 

ଜୀବନରାମ ହସି ହସି କହିଲା, ‘‘ଏତେ ଭୟ ତୁମ ମନରେ ଥିଲା ତ ଏପରି କାମ କଲ କାହିଁକି ? ତୁମପାଇଁ ମୁଁ ମଧ୍ୟ ବିପଦ ବରଣ କଲି ସିନା ।’’

 

ଆଶା ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠିଲା । କିଛି କହିପାରୁ ନଥାଏ ।

 

ଜୀବନରାମ ବିରକ୍ତ ହୋଇ କହିଲା, ‘‘ବର୍ତ୍ତମାନ ଏସବୁ ଅଭିନୟ କରି କିଛି ଲାଭ ନାହିଁ-। ତୁମେ ନିଜେ ନିଜ ଇଚ୍ଛାରେ ଚାଲିଆସିଛ । ବରଂ ମୋତେ ମଧ୍ୟ ବିପଦ ଭିତରକୁ ଟାଣି ନେଇଛ । କନ୍ଦାକଟା କରି ବିପଦ ବଢ଼ାଇବା ଦରକାର ନାହିଁ । ବର୍ତ୍ତମାନ ସାହସର ସହିତ ଯାହା କରିବା କଥା କରିବାକୁ ହେବ । ସେଆଡ଼ୁ ତ ସବୁ ଗଲା, ଏଆଡ଼ୁ ମଧ୍ୟ ସବୁ ହରାଇ ବସିବ, ନା କଅଣ ?’’

 

ଅନେକ ସମୟ ପରେ, ଆଶା ନିଜକୁ ସମ୍ଭାଳି ନେଇ ଆର୍ତ୍ତକଣ୍ଠରେ କହିଲା, ‘‘ମହାରାଜ-! ମୁଁ ଯାଇପାରିବି ନାହିଁ, ମୋର ସାହସ ହେଉ ନାହିଁ । ମୋତେ ଫେରାଇ ଦିଅ ।’’

 

ଜୀବନରାମ ଆହୁରି ବିରକ୍ତ ହୋଇ କହିଲା, ‘‘ମୁଁ କ’ଣ ଫେରାଇ ଦେବି ? ତୁମର ଯଦି ନ ଯିବାର ଥିଲା, ଆସିଲ କାହିଁକି ? ତୁମେ ଚାଲିଯାଅ, ମୋର ଏଥିରେ ଯାଏ କେତେ ଆସେ କେତେ । ମୁଁ ଅନ୍ୟ ସ୍ଥାନକୁ ଚାଲିଯିବି । ନିର୍ଲ୍ଲଜ୍ଜ ପରି ମୁଁ ତ ସେ ମନ୍ଦିରକୁ ଆଉ ଫେରିଯାଇ ପାରିବି ନାହିଁ ! ତୁମେ ଫେରିଯିବ, କଅଣ କରିବ ? ତୁମେ ଫେରିଗଲେ ଅସିତ କଅଣ ତୁମକୁ ଆଉ ଗ୍ରହଣ କରିବ ବୋଲି ଭାବୁଛ ? ତଥାପି ଦେଖ, ତୁମର ଇଚ୍ଛା । ତୁମେ କାଲି ସକାଳୁ ଚାଲି ଯାଇପାର । ମୋର କିଛି ଆପତ୍ତି ନାହିଁ । କିନ୍ତୁ ମୋର ଜୀବନ ତୁମେ କଳଙ୍କିତ କଲ ।’’

 

ଆଶା ଆଖି ପୋଛୁ ପୋଛୁ କହିଲା, ‘‘ମୋତେ ଗ୍ରହଣ କରିବେ ନାହିଁ ? ସେ ମୋତେ ଏତେ ଭଲପାଆନ୍ତି, ମୋର ଦୋଷ କ’ଣ କ୍ଷମା କରିବେ ନାହିଁ ? କାଲି ସକାଳୁ ମୁଁ ଫେରିଯିବି । ମୋର ଦୋଷ ସବୁ ସ୍ୱୀକାର କରି ତାଙ୍କ ଗୋଡ଼ତଳେ ପଡ଼ିବି । ସେ ନିଶ୍ଚୟ ମୋତେ କ୍ଷମା ଦେବେ-।’’

 

ଜୀବନରାମ ହସିଉଠିଲା । କହିଲା, ‘‘ପୋଡ଼ିଗଲା ତିଅଣରେ ସୁଆଦ ନଥାଏ । ତୁମର ଓ ଅସିତର ସମ୍ପର୍କ ତୁମରି ଯୋଗୁ ଛିଣ୍ଡିଯାଇଛି । ଭାଙ୍ଗିଗଲା କାଚ ଆଉ ଯୋଡ଼ିହେବ ନାହିଁ ।’’

 

ଆଶା ତୁନି ହୋଇ ଶୁଣୁଥାଏ । ପରେ ଜୀବନରାମ ଚାଲିଗଲା; ଆଶା ଶୋଇପଡ଼ିଲା ।

 

ସକାଳେ ଜୀବନରାମ ଆସି ପହୁଞ୍ଚିଗଲା । ଆଶାକୁ ଟିକିଏ ପ୍ରଫୁଲ୍ଲ ଥିବାର ଦେଖି କହିଲା, ‘‘ଭଲ ଲାଗୁଛି ? ଜୀବନରେ କିଛି ନୂତନ କାର୍ଯ୍ୟ କରିବାକୁ ହେଲେ ସାହସ ଆବଶ୍ୟକ । ଭୀରୁମାନଙ୍କପାଇଁ ତ ଦୁନିଆଁ ଗଢ଼ା ହୋଇନାହିଁ ! କଅଣ ଠିକ୍‌ କଲ, ଭଲରୂପେ ଚିନ୍ତା କରି କହ । ବର୍ତ୍ତମାନ ମଧ୍ୟ ସମୟ ଅଛି । ମୁଁ ତା’ର ବ୍ୟବସ୍ଥା କରିବି ଏବଂ ମୋର ମଧ୍ୟ ବ୍ୟବସ୍ଥା କରିପାରିବି ।’’

 

ଆଶା କିଛି ନ କହି ଚୁପ୍‌ ରହିଲା । କିଛିକ୍ଷଣ ପରେ କହିଲା–‘‘ମହାରାଜ ! ମୋର ଆଉ ଭାବିବାପାଇଁ ଶକ୍ତି ନାହିଁ । ତୁମେ ଯାହା କହିବ, କରିବି !’’

 

ଜୀବନରାମ ଖୁସି ହୋଇ କହିଲା–‘‘ହଉ, ତା’ହେଲେ ସାହସ ବାନ୍ଧ । ସାହସ ଛାଡ଼ିଦେଲେ ବିପଦ ।’’

 

ଜୀବନରାମ ଚାଲିଗଲା । ଆଶା ତୁନି ହୋଇ ବସିରହିଲା ।

 

ମନେ ମନେ ଭାବିଲା, ଜୀବନରାମ ଠିକ୍‌ କହୁଛି । ପୁଅ ଝିଅଙ୍କ ଆଡ଼କୁ ଦୃଷ୍ଟିଦେବାରୁ ତା’ର ଅନ୍ତରାତ୍ମା ଶୁଖିଗଲା । ସମସ୍ତଙ୍କୁ ସେ ନିଜ ପାଖକୁ ଟାଣିଆଣିଲା ।

 

ସାନ ପିଲାଟି କହିଲା–‘‘ମା ! ଚାଲ, ଘରକୁ ଯିବା ।’’

 

ଆଶା ତା’ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲା, ‘‘ଆମେ ପରା ଗାଁକୁ ଯିବା, ସେଠି ତୁମର ଅଜା, ଆଈ ଆଉ କେତେଲୋକ ଅଛନ୍ତି, କେଡ଼େ ମଜା ସେଇଠି ।’’ ମଝିଆଁଟି ପଚାରିଲା, ‘‘ବାପା ଆମ ସାଙ୍ଗରେ ଯିବେ ନାହିଁ ?’’

 

ଆଶା କହିଲା ‘‘ଆମକୁ ପରା ମହାରାଜଙ୍କ ସାଙ୍ଗରେ ପଠାଇଦେଲେ ! ସେ ପରେ ଆସିବେ ।’’ ରଜନୀକୁ କହିଲା, ‘‘ତୁ ମୁହଁ କାହିଁକି ଶୁଖାଇ ବସିଛୁ ?’’

 

ରଜନୀ କହିଲା–‘‘ତୋ’ ଅବସ୍ଥା ଦେଖି ମୁଁ ତ ଛାନିଆଁ । ତା’ପରେ ଘର ଦ୍ୱାର ଛାଡ଼ି ଏଠି ରହିବା ମୋତେ ପସନ୍ଦ ଲାଗୁନାହିଁ ।’’

 

ଆଶା କହିଲା, ‘‘ମୋ ଦେହ ଟିକିଏ ଖରାପ ହୋଇ ଯାଇଥିଲା, ସେଥିରେ ଡରୁଛୁ କାହିଁକି ? ଏତେ ବାଟ ଯିବା, ଟିକିଏ ବ୍ୟବସ୍ଥା ନ କଲେ ଚଳିବ ? ଯିବା ତ ଆଉ ଭାବିଲେ କ’ଣ ହେବ ?’’

 

ରଜନୀ ପଚାରିଲା ‘‘ସମ୍ବଲପୁରରୁ ବାହାରିଲା ବେଳେ ତୁ ଥାନାକୁ କାହିଁକି ଯାଇଥିଲୁ ?’’

 

ଆଶା କହିଲା, ‘‘ସେଇଠି ପରା କହି ଦେଇଆସିଛି ! ଯଦି ତୋ ବାପା ଆମକୁ ନ ଦେଖି ଥାନାକୁ ଯାଆନ୍ତି, ତେବେ ସେମାନେ ଆମର ଗାଆଁକୁ ଯିବାକଥା କହିଦେବେ ।’’

 

ରଜନୀ କହିଲା, ‘‘ଥାନାରେ କାହାକୁ କହିଲୁ ?’’

 

ଆଶା କହିଲା, ‘‘ସେଇଠି ତୋ ବାପାଙ୍କର ଜଣେ ସାଙ୍ଗ ଅଛନ୍ତି, ତାଙ୍କୁ କହିଆସିଲି ।’’

 

ଜୀବନରାମ ଗୋଟିଏ ଷ୍ଟୋଭ୍‌ ଆଉ ଅଟା ଘିଅ ଆଦି ରାନ୍ଧିବା ଜିନିଷ ଆଣି ପହଞ୍ଚିଗଲା-

 

ଅସିତ ଘରକୁ ଫେରି ଦେଖିଲା, ଦ୍ୱାରରେ ଶିକୁଳୀ ଲାଗିଛି । ଘର ଭିତରକୁ ଗଲାବେଳକୁ ଅନ୍ଧାର । ଆଲୁଅ ଜାଳି ଦେଖିଲା, ଘରେ ଜିନିଷପତ୍ର କିଛି ନାହିଁ । ସେ କିଛି ବୁଝିପାରିଲା ନାହିଁ । ସକାଳୁ କିଛି ଖାଇ ନ ଥିଲା; କିନ୍ତୁ ଏ ଦୃଶ୍ୟ ଦେଖି ତା’ର ଭୋକ ଶୋଷ କୁଆଡ଼େ ଉଡ଼ିଗଲା । ସେମାନେ କେଉଁଠିକି ଯଦି ବୁଲି ଯାଇଥାନ୍ତେ, ଜିନିଷପତ୍ର କୁଆଡ଼େ ଯାଆନ୍ତା-?

 

ସେ ବୁଝି ପାରିଲା, ଆଶା ଓ ପିଲାମାନେ କୁଆଡ଼େ ଚାଲି ଯାଇଛନ୍ତି ।

 

କିଛି ବୁଝି ନ ପାରି ପାଗଳଙ୍କ ପରି ସେମାନଙ୍କୁ ଖୋଜିବାପାଇଁ ମନ୍ଦିରକୁ ଗଲା । ସେଠି କାହାରିକୁ ଦେଖିଲା ନାହିଁ । ଆଖପାଖ ଘରେ ପଚାରିଲା, କେହି କିଛି କହିପାରିଲେ ନାହିଁ ।

 

ଅସିତ ଘର ଆଗରେ ପ୍ରଥମେ ପ୍ରଥମେ ଲୋକ ଜମା ହୋଇଗଲେ । ସେମାନଙ୍କ ମଧ୍ୟରୁ ଜଣେ ବାର ତେର ବର୍ଷର ପିଲା କହିଲା, ସେମାନେ ପ୍ରାୟ ଦୁଇଟା ବେଳେ ଗୋଟାଏ ଟେକ୍‌ସିରେ ବସି ଯାଇଥିବାର ସେ ଦେଖିଛି । ସେ ସେହି ଗଳି ମୁହଁରେ ଖେଳୁଥିଲା ।

 

ଅସିତ ଭାବିଲା, ‘‘କାଳେ ବରଗଡ଼ରୁ ଆଶାର କାକା ଆସି ତାକୁ ନେଇ ଯାଇଥିବେ !’’

 

ରାତିଟା କଟିଗଲା । ଆରଦିନ ସକାଳୁ ଅସିତ ବରଗଡ଼କୁ ଫୋନ୍‌କଲା । ବରଗଡ଼ରୁ କାକା ଦୀନେଶବାବୁ କଥା କ’ଣ ବୋଲି ପଚାରିବାରୁ ଅସିତ କହିଲା–‘‘ଗତ କେତେ ଦିନ ହେଲା ଆଶାର ମନ ଖରାପ ଥିଲା, ସେ କାଲିଠାରୁ କୁଆଡ଼େ ଚାଲିଯାଇଛି । ମୁଁ ଭାବିଲି କାଳେ ଆପଣ ନେଇ ଯାଇଥିବେ । କୁଆଡ଼େ ଗଲା କିଛି ଜାଣି ହେଉନାହିଁ ।’’

 

ଦୀନେଶବାବୁ କହିଲେ, ‘‘ଖୋଜାଖୋଜି କର, ମୁଁ ଆସୁଛି ।’’

 

ଏଆଡ଼େ ଅସିତ ପାଗଳଙ୍କ ପରି ବୁଲୁଥାଏ । କ୍ରମେ କ୍ରମେ ଶୁଣିଲା ଯେ, ମନ୍ଦିରର ପୂଜାରୀ ଜୀବନରାମ ମଧ୍ୟ ନାହିଁ । ସେ ଭାବିଲା, ତାହାହେଲେ କ’ଣ ପୂଜାରୀ ସାଙ୍ଗରେ ଚାଲିଯାଇଛି !

 

ସେ ସେହି ପିଲାଟିକୁ ପୁଣି ପଚାରିଲା । ସେ କହିଲା, ଆଶା ଓ ପିଲାଏ ଯିବା ସେ ଦେଖିଛି; ଜୀବନରାମକୁ ଦେଖିନାହିଁ ।

 

ଅନୁସନ୍ଧାନ କଲେ ମିଳିଯିବେ ବୋଲି ଅସିତ ସାରା ସହର ବୁଲୁଥାଏ । ସେ ଭାବୁଥାଏ, ପୋଲସ୍‌କୁ ଗଲେ ଆହୁରି ଅସୁବିଧା । ସାହାଯ୍ୟ ତ ଦୂରର କଥା, ସେମାନେ ଏତେ ପଚରା ପଚରି ଆରମ୍ଭ କରିବେ ଯେ, ବର୍ତ୍ତମାନ ଅବସ୍ଥାରେ ଏ ସମ୍ବନ୍ଧରେ ଜବାବ୍‌ ଦେବା ତା’ପକ୍ଷରେ କଷ୍ଟକର । ସେ ଗରିବ, ତଥାପି ତା’ର ମାନ ସମ୍ମାନ ତ ଅଛି ! ସେତକ ମଧ୍ୟ ଯିବ । ପହିଲେ ତାକୁ ହଇରାଣ କରାଯିବ ! ଆଶାକୁ ବର୍ତ୍ତମାନ ସେ ଘୃଣା କରିବା ଆରମ୍ଭ କରିଥିଲା । ତଥାପି ତା’ ମନରେ ତା’ପ୍ରତି ଗୋଟାଏ ଦୁର୍ବଳତା ରହିଯାଇଥାଏ ।

 

ପରଦିନ ଦୀନେଶବାବୁ ଆସି ପହଞ୍ଚିଲେ । ସବୁକଥା ଶୁଣିଲାପରେ କହିଲେ, ‘‘ତାହାହେଲେ ସେ ପୂଜାରୀ ସାଙ୍ଗରେ ପଳାଇଛି, ଦେଖିବା ।’’

 

ଦୀନେଶବାବୁ ତାଙ୍କର ବନ୍ଧୁ ରମାକାନ୍ତବାବୁଙ୍କୁ ସବୁକଥା କହି ଅସିତକୁ ସାହାଯ୍ୟ କରିବାପାଇଁ ଅନୁରୋଧ କଲେ । ରମାକାନ୍ତବାବୁ ସମ୍ବଲପୁରରେ ଜଣେ ପ୍ରତିଷ୍ଠିତ ଲୋକ । ତାଙ୍କର ଅନେକ ଚିହ୍ନା ପରିଚିତ ଲୋକ । ସେ ଖୋଜ ଖବର ନେବାରେ ଲାଗିପଡ଼ିଲେ ।

 

ଦୀନେଶବାବୁ ବରଗଡ଼କୁ ଫେରିଗଲେ । ଫେରିବା ଆଗରୁ ଅସିତକୁ ସାନ୍ତ୍ୱନା ଦେଇ କହିଲେ, ‘‘ବୁଝିଲ ଅସିତ, ମନୁଷ୍ୟ ଜୀବନରେ ଅନେକ ବିପଦ ଆସେ, ତା’ର ସମ୍ମୁଖୀନ ହେବାକୁ ପଡ଼େ । ଭାଙ୍ଗି ପଡ଼ ନାହିଁ । ଧୈର୍ଯ୍ୟଧର, ସବୁ ଠିକ୍‌ ହୋଇଯିବ; ଭଗବାନ ଇଚ୍ଛାକଲେ ପୁଣି ତମର ସବୁ ଫେରି ପାଇବ ।’’

 

ସେସବୁ ସାନ୍ତ୍ୱନାରେ ତାକୁ ଆଉ ଶାନ୍ତି ମିଳିବ କି ? ସଂସାର ଭାଙ୍ଗିପଡ଼ିଛି । ସେ ଆଜି ଜଗତରେ ଏକା, ତା’ର ପତ୍ନୀ ନାହିଁ, ସନ୍ତାନ ନାହିଁ, ପିନ୍ଧିବାକୁ ଲୁଗାଖଣ୍ଡେ ନାହିଁ । ଜୀବନରେ ଆଶା ଆକାଙ୍‌କ୍ଷା ମଧ୍ୟ ନାହିଁ ।

 

ପିଲାମାନଙ୍କ କଥା ତା’ର ମନେପଡ଼ିଲା । ଆଶା ଗଲା ତ ଗଲା, ସେ ତା’ ପାଖରେ ସୁଖୀ ନ ଥିଲା, ପିଲାମାନଙ୍କୁ କାହିଁକି ନେଇଗଲା ? ବିଚାରା ଅବୋଧ ପିଲାଗୁଡ଼ାକ, ସେମାନେ କେମିତି ଚଳିବେ ? ତାଙ୍କ ଅବସ୍ଥା କଅଣ ହେବ ?

 

ଦୁର୍ଭାବନା ପରେ ଦୁର୍ଭାବନା । ଦୁଇ ତିନିଦିନ ହେଲାଣି ଖିଆପିଆ ନାହିଁ, ଶୋଇବା ମଧ୍ୟ ବନ୍ଦ । କେବଳ ଗୋଟାଏ କଥା ସେ ବୁଝିପାରୁ ଥାଏ, ତା’ର ସୁନାର ସଂସାର ଚୂନା ହୋଇଯାଇଛି ।

Image

 

ଏଗାର

 

ଦୀନେଶବାବୁ ଗୁଜରାଟର ଲୋକ । ତାଙ୍କ ପୂର୍ବପୁରୁଷ ଅନେକ ଦିନ ହେଲା ବରଗଡ଼ରେ ବସବାସ କରି ରହିଛନ୍ତି । ଦୀନେଶବାବୁଙ୍କ ଜନ୍ମ ବରଗଡ଼ରେ । ତାଙ୍କର ଶିକ୍ଷା ଦୀକ୍ଷା ସବୁ ଓଡ଼ିଆରେ । ତାଙ୍କର ବନ୍ଧୁ ସହୋଦର ସମସ୍ତେ ସ୍ଥାନୀୟ ଲୋକ । ସ୍ଥାନୀୟ ସମସ୍ୟା ହିଁ ତାଙ୍କର ସମସ୍ୟା । ସ୍ଥାନୀୟ ପ୍ରତ୍ୟେକ କଥାରେ ସେ’ ଭାଗ ନିଅନ୍ତି । ସେ ସେଠା ସମାଜରେ ମିଶି ଯାଇଅଛନ୍ତି । ସମାଜର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇ ଚଳୁଛନ୍ତି । ବୈବାହିକ ସମ୍ପର୍କ ବ୍ୟତୀତ ଗୁଜରାଟ ସହିତ ତାଙ୍କର ଅନ୍ୟ ସମ୍ପର୍କ ନାହିଁ ।

 

ସେ ଜଣେ ଲବ୍ଧପ୍ରତିଷ୍ଠ ଲୋକ, ସମାଜରେ ତାଙ୍କ ସ୍ଥାନ ଉଚ୍ଚରେ । ତାଙ୍କର ବନ୍ଧୁ ଯେତିକି, ଶତ୍ରୁ ମଧ୍ୟ ସେତିକି । କେତେବେଳେ ଶତ୍ରୁଙ୍କୁ ହତାଶ ହେବାର ଦେଖିଲେ, ତାଙ୍କ ବନ୍ଧୁ ମିତ୍ରଙ୍କ ସହିତ ସେ ଆନନ୍ଦ ଅନୁଭବ କରି ସୁଖୀ ହୁଅନ୍ତି । କେତେବେଳେ ନିଜେ ବା ନିଜର କୌଣସି ବନ୍ଧୁଙ୍କୁ ନିରାଶ ହେବାର ଦେଖିଲେ ଦୁଃଖୀ ହୋଇ ପଡ଼ନ୍ତି । ଶତ୍ରୁମାନଙ୍କ ସମାଲୋଚନାକୁ ଭୟ, ତେଣୁ କୌଣସି ଅସୁନ୍ଦର ବା ଅସୌଜନ୍ୟ କଥା ଓ କାମପାଇଁ ସବୁବେଳେ ସଜାଗ ଥାଆନ୍ତି । ଶତ୍ରୁଙ୍କ ବୈରତା ଯେତିକି ତାଙ୍କୁ ସଚେତ ଓ ସୁବ୍ୟବସ୍ଥିତ କରେ, ବନ୍ଧୁଙ୍କ ସ୍ନେହ ଓ ଶ୍ରଦ୍ଧା ମଧ୍ୟ ତତୋଽଧିକ ତାଙ୍କୁ ସଚେତ ଓ ସୁବ୍ୟବସ୍ଥିତ କରେ ।

 

ହାତରେ ଦୁଇପଇସା ଥାଏ, ରୋଜଗାର ମଧ୍ୟ ଭଲ ହୁଏ ।

 

ଦୀନେଶବାବୁ ଆଶାର ଦୂର ସମ୍ପର୍କୀୟ କକା । କିନ୍ତୁ ଆଶାକୁ ସେ ପ୍ରଥମେ ଚିହ୍ନି ନ ଥିଲେ, ସମ୍ବଲପୁରକୁ ଆସିଲାପରେ ଥରେ ଅଧେ ଦେଖା ସାକ୍ଷାତ୍‌ । ତା’ସହିତ ଦୀନେଶବାବୁଙ୍କର ବେଶୀ କିଛି ସମ୍ପର୍କ ନଥାଏ ।

 

ଦୀନେଶବାବୁଙ୍କ ସ୍ତ୍ରୀ କୃଷ୍ଣା, ଏକା ଗାଁର ଝିଅ । ପିଲାଦିନେ ଆଶା ଓ କୃଷ୍ଣା ଏକା ସ୍କୁଲରେ ପାଠ ପଢ଼ିଥିଲେ । ବିବାହ ହୋଇ ଦୁହେଁ ଯେ ଯାହା ଘରକୁ ଗଲେ । ତା’ପରେ ଦେଖା ସାକ୍ଷାତ ସମ୍ବଲପୁରକୁ ଆସିଲା ପରେ ।

 

ବେଶ୍‌ ଏତିକି ହେଲା ଦୀନେଶବାବୁଙ୍କର ଆଶା ସହିତ ସମ୍ପର୍କ । ତା’ ଜରିଆରେ ଅସିତ ସହିତ ଜଣାଶୁଣା ।

 

ଦୀନେଶବାବୁ ବିଚକ୍ଷଣ ଲୋକ । ଆଶାର ଚାଲିଯିବା ଶୁଣିଲା ମାତ୍ରେ, ସେ ତାଙ୍କ ବନ୍ଧୁମାନଙ୍କୁ ସୂଚାଇ ଦେଲେ, ଯଦି କେହି କିଛି ଖବର ପାଇବେ, ତା’ହେଲେ ତାଙ୍କୁ ଜଣାଇବେ । ସେ ଧରି ନେଇଥିଲେ ଯେ, ଆଶା ଓ ତା’ର ପିଲାମାନଙ୍କୁ କୌଣସି ଅସତ୍‌ ଉଦ୍ଦେଶ୍ୟରେ ପୂଜାରୀ ଠକି ନେଇଯାଇଛି । ସେମାନଙ୍କୁ ଉଦ୍ଧାର କରିବା କର୍ତ୍ତବ୍ୟ । ତେଣୁ ସେ ଲାଗି ପଡ଼ିଥାନ୍ତି । କିଛି ଖବର ନ ପାଇ ବ୍ୟସ୍ତ ହେଉଥାନ୍ତି ।

 

ତାଙ୍କ ସ୍ତ୍ରୀ କୃଷ୍ଣା, ଏସବୁ ଦେଖି କହିଲେ, ‘‘ତୁମେ ଏତେ ବ୍ୟସ୍ତ ହେଉଛ କାହିଁକି ? ତା’ର ଯିବାର ଥିଲା ଗଲା, ତାକୁ କଅଣ ଉଦ୍ଧାର କରିବ ? ସେ କ’ଣ ପିଲା ହୋଇଛି ଯେ, ତାକୁ କିଏ ଭୁଲାଇ ନେବ ? ପାଞ୍ଚଟାର ମା, ସେ କ’ଣ ବିନା ବୁଝି ବିଚାରି କିଛି କରିଛି ?’’

 

ଦୀନେଶବାବୁ କହିଲେ, ‘‘ତୁମେ ଜାଣି ନାହଁ କୃଷ୍ଣା ! ପରିସ୍ଥିତିର ଚାପରେ ପଡ଼ି, ମଣିଷ ଏପରି କାମ କରି ପକାଏ ଯେ, ଯାହା କି କଦାପି ତାଠୁ କେହି କେବେ ଆଶା କରିବେ ନାହିଁ । ଆଶାର ଆଜି ସେହି ଅବସ୍ଥା ।’’

 

କୃଷ୍ଣା କହିଲା, ‘‘ପରିସ୍ଥିତି ଚାପ କଥା ଉଠାଅ ନାହିଁ, ନିଜ ଚରିତ୍ର ଖରାପ ହେଲେ ସବୁ ଚାପ ଆସେ । ନ ହେଲେ ସବୁ ଚାପ ପାର ହୋଇଯାଏ । ସେ ଅତି ଭଲ ବୋଲି ତ ଆମେ ଶୁଣିଥିଲୁ, ଏହା ଭିତରେ ପୁଣି ଏତେ କଥା ଅଛି ବୋଲି କିଏ ଜାଣିଥିଲା ? ମନୁଷ୍ୟକୁ ଚିହ୍ନିବା କଷ୍ଟକର । ସେଇଥିପାଇଁ ପରା କଥାରେ ଅଛି–ନରମାୟା ନାରାୟଣଙ୍କୁ ଅଗୋଚର ।’’

 

ଦୀନେଶବାବୁ କହିଲେ, ‘‘ତୁମେ ଗୋଟାଏ କଥା ସବୁବେଳେ ଭୁଲି ଯାଉଛ । ଜାଣି ଶୁଣି କେହି ଚରିତ୍ର ଖରାପ କରେନା କୃଷ୍ଣା; ପରିସ୍ଥିତି ଚାପରେ ସେ ବାଧ୍ୟ ହୁଏ ।’’

 

‘‘ତାକୁ ଚରିତ୍ରହୀନ ନ କହି ବରଂ ଦୁର୍ବଳ କହିଲେ ଯଥାର୍ଥ ହେବ । ଦୁର୍ବଳତା ଯୋଗୁଁ ମଧ୍ୟ ମଣିଷ ଅବାଟରେ ଯାଏ । ସମସ୍ତେ ଉଚ୍ଚକୋଟୀର ଜୀବନ ଯାପନ ଚାହାଁନ୍ତି; କିନ୍ତୁ ପରିସ୍ଥିତି ଚାପରେ କେତେକ ଭାଙ୍ଗିପଡ଼ନ୍ତି । ଆଉ କେତେକ ଭୀଷଣ ଆଘାତ ପାଇ ସୁଦ୍ଧା ଭାଙ୍ଗି ନ ପଡ଼ି ତା’ର ସମ୍ମୁଖୀନ ହୁଅନ୍ତି । ସମ୍ମୁଖୀନ ହେବାକୁ ଯାଇ ଅନେକ ସମୟରେ ହୁଏ ତ ନିଜ ଜୀବନ ହରାଇ ବସନ୍ତି । ଏହା ହିଁ ଦୁର୍ବଳ ଓ ସବଳ ମଧ୍ୟରେ ପାର୍ଥକ୍ୟ ।’’

 

କୃଷ୍ଣା କହିଲା, ‘‘ଜନ୍ମଗତ ପ୍ରକୃତି ଥିଲେ କ’ଣ କରାଯିବ ? କେତେ ଦିନ ବଡ଼ ବଡ଼ କଥା କହି ଭଦ୍ରତାର ଖୋଳ ପିନ୍ଧାଇ ଲୁଚାଇ ରଖିବ ତାକୁ ? କୌଣସି ନା କୌଣସି ସମୟରେ ନିଶ୍ଚୟ ତା’ର ପ୍ରକୃତ ରୂପ ପ୍ରକାଶ ପାଇବ । ସେତେବେଳେ କିଛି ନା କିଛି କାରଣ ଖୋଜି ବାହାର କରିବ । ଗୋଟାଏ ପରିସ୍ଥିତି, କାଳ୍ପନିକ ହେଉ ବା ନିଜ ହାତରେ ଗଢ଼ା ହେଉ, କାରଣ ରୂପେ ଲୋକଙ୍କ ଆଗରେ ରଖିବ । ସେଥିରୁ ନିଜେ ସାନ୍ତ୍ୱନା ପାଇବ, ଏ ବାଟରେ ଯାଇ ଅନେକ ସମୟରେ ଆତ୍ମପ୍ରତାରଣା ମଧ୍ୟ କରିବ ।’’

 

ଦୀନେଶବାବୁ କହିଲେ, ‘‘ଜନ୍ମଗତ ପ୍ରକୃତି, ହୁଏତ କିଛି ଗୋଟାଏ ଅଛି; କିନ୍ତୁ ତାହା ସମସ୍ତଙ୍କର ସମାନ । ପାରିପାର୍ଶ୍ୱିକ ଅବସ୍ଥା ନେଇ ଅନେକ ପରିବର୍ତ୍ତନ ହୋଇଥାଏ, ଏ କ୍ଷେତ୍ରରେ ସଂସ୍କୃତି ମଧ୍ୟ କୌଣସି କାମକୁ ଆସେ ନାହିଁ । ଆଶାର ପିଲାଦିନର ସଂସ୍କାର ତ ଭଲ ଥିଲା, ତାହାହେଲେ ପାରିପାର୍ଶ୍ୱିକ ଅବସ୍ଥା, ପରିସ୍ଥିତିର ଚାପକୁ ଦୋଷ ନ ଦେଇ ଆଶାକୁ ଦୋଷ ଦେବା ଠିକ୍‌ ହେବ କି ? ମୋର ଯେତେଦୂର ମନେ ହେଉଛି, ଅଭାବହିଁ ତାକୁ ଏହି ପତନ ଆଡ଼କୁ ଟାଣି ନେଇଛି ।’’

 

କୃଷ୍ଣା କହିଲା, ‘‘ଅଭାବ କ’ଣ ? ଅସିତ ପରା ଦେଢ଼ଶହ ଟଙ୍କା ପାଉଛି ! ଏହାଠାରୁ କମରେ ଲୋକେ ତ ପୁଣି ଚଳୁଛନ୍ତି । ହଁ, ଫେସନ୍‌ କରିବେ, ବଡ଼ ଲୋକୀ ଦେଖାଇବେ, ତା’ହେଲେ ତ କୁବେର ଭଣ୍ଡାର ମଧ୍ୟ ଅଣ୍ଟିବ ନାହିଁ !’’

 

ଦୀନେଶବାବୁ କହିଲେ, ‘‘କହିବା ଅପେକ୍ଷା କରିବା କଷ୍ଟ । କୃଷ୍ଣା, ଯେଉଁ ସ୍ତରରେ ଆଶା ଓ ଅସିତ ପିଲାଦିନୁ ବଢ଼ି ଆସିଛନ୍ତି, ସେହି ସ୍ତରକୁ କମାଇଁ ଦେବା କ’ଣ ସହଜ ?’’

 

କୃଷ୍ଣା କହିଲା ‘‘ସହଜ ହୋଇ ନ ପାରେ, କିନ୍ତୁ ଅସାଧ୍ୟ ତ ନୁହେଁ । ଲୋକେ ଯଦି ପାଶବିକ ପ୍ରବୃତ୍ତି ସମୂହକୁ ସଂଯମରେ ରଖି ନ ପାରନ୍ତି, ତେବେ ପଶୁ ଓ ମଣିଷ ଭିତରେ ଆଉ ପ୍ରଭେଦ କ’ଣ ?’’

 

ଦୀନେଶବାବୁ ହସି ହସି କହିଲେ, ‘‘ବାସ୍ତବ ଅନୁଭୂତି ବା ଅଭିଜ୍ଞତା ନାହିଁ ବୋଲି ଏସବୁ କଥା କହୁଛ, ନ ହେଲେ ତୁମେ ଯେ ମୋତେ ଛାଡ଼ି କେବେଠୁଁ ପଳାଇଥାନ୍ତ–ଅସମ୍ଭବ କ’ଣ ?’’

 

କୃଷ୍ଣା କହିଲା, ‘‘ସମସ୍ତଙ୍କୁ ଗୋଟାଏ ମାପ କାଠିରେ ବିଚାର କରିବାକୁ ବସିଛ ବୋଧହୁଏ । ଗଳାରେ ଦଉଡ଼ି ଲଗାଇ ଦିଅନ୍ତି ନାହିଁ ଯେ, ଜୀବନରେ ଏପରି କଳଙ୍କ ଲଗାନ୍ତି ?’’

 

ଦୀନେଶବାବୁ କହିଲେ ‘‘ମୁଁ ଭାବୁଥିଲି ତୁମେ ସାହସିନୀ ବୋଲି, ଦେଖୁଛି ତୁମେ ତ ଓଲଟା । ଆଶାର ବଞ୍ଚି ରହିବାକୁ ହେଲେ ସାହସ ଅଛି । ତୁମର ତ ସେତିକି ସୁଦ୍ଧା ନାହିଁ !’’

 

କୃଷ୍ଣା କହିଲା, ‘‘ସେ ବଞ୍ଚିବାଠାରୁ ନ ବଞ୍ଚିବା ଭଲ ।’’

 

ଦୀନେଶବାବୁ କହିଲେ, ‘‘ସେଇଠି ତୁମର ଭୁଲ୍‌ ହେଉଛି କୃଷ୍ଣା; କଞ୍ଚିଥିଲେ ସୁଧୁରିବାର ସୁଯୋଗ ମିଳିପାରେ; କିନ୍ତୁ ମଲେ ଆଉ ମିଳିବ କ’ଣ ?’’

 

କୃଷ୍ଣା କହିଲା, ‘‘ଛାଡ଼ ସେ କଥା, ବର୍ତ୍ତମାନ କ’ଣ କରାଯିବ ?’’

 

ଦୀନେଶବାବୁ କହିଲେ, ‘‘ତା’ର ଉଦ୍ଧାରପାଇଁ ଚେଷ୍ଟା କରିବା ।’’

 

କୃଷ୍ଣା କହିଲା, ‘‘ଏକେ ତ ତାକୁ ପାଇବା ମୁସ୍କିଲ୍‌, ତା’ପରେ ପାଇଲେ ମଧ୍ୟ ଅସିତ ତାକୁ କ’ଣ ଆଉ ଗ୍ରହଣ କରିବ ? ଗ୍ରହଣ କଲେ ସୁଦ୍ଧା ସେମାନଙ୍କ ମନ ମିଳିବ କି ? ପୋଡ଼ିଗଲା ତିଅଣରେ ପରା ସୁଆଦ ନଥାଏ !’’

 

ଦୀନେଶବାବୁ କହିଲେ, ‘‘ତାକୁ ଖୋଜି ପାଇବା କଷ୍ଟକର; କିନ୍ତୁ ପାଇଲେ ସବୁ ଠିକ୍‌ କରିହେବ ବୋଲି ମୋର ଧାରଣା । ଉଡ଼ିଯାଇଥିବା ଶୁଆ ପୁଣି ଯଦି ପିଞ୍ଜରାକୁ ଫେରିଆସେ, ଆଦର କ’ଣ ପାଏ ନାହିଁ ? ଦୁହିଁଙ୍କୁ ବୁଝାଇ ଶୁଝାଇ ଏକତ୍ର କରିପାରିଲେ, ସମୟ ତା’ର କାମ ଆପେ ଆପେ କରିବ । ବଡ଼ରୁ ବଡ଼ ଦୋଷ ତ୍ରୁଟିକୁ ତ ସମୟ ପୋଛି ଦେଇପାରେ ।’’

 

କୃଷ୍ଣା କହିଲା, ‘‘ହଉ, ଦେଖାଯାଉ ।’’

 

ଦୀନେଶବାବୁ କହିଲେ ‘‘ହଁ, ଚେଷ୍ଟା କରିବା ଆମର କାମ, ତା’ପରେ କ’ଣ ହେବ ନ ହେବ ତା’ ସେମାନଙ୍କର ଭାଗ୍ୟ । ଆମେ ନିଶ୍ଚେଷ୍ଟ ହୋଇ ରହିବା ତ ଅନ୍ୟାୟ ହେବ ।’’

 

ଜୀବନରାମ ଚାରିଦିନ ପର୍ଯ୍ୟନ୍ତ ସବୁ ଘଟଣା ଲକ୍ଷ୍ୟ କରୁଥାଏ । ଆଶାର ପ୍ରତିକ୍ରିୟା, ପିଲାଙ୍କ ଉପରେ ପ୍ରଭାବ, ସେଆଡ଼େ ଅସିତର ଗତିବିଧି, ତା’ଦଳର ଲୋକେ ବରାବର ଏସବୁ ବିଷୟରେ ତାକୁ ଖବର ଦେଉଥାନ୍ତି ।

 

ଆଶାର ପ୍ରାଥମିକ ଦୁର୍ବଳତା ଭାଙ୍ଗି ଯାଇଛି । ପିଲାଏ ଆଉ ଯିବା ଆସିବା ବିଷୟ ବା ତାଙ୍କ ବାପାଙ୍କ ବିଷୟରେ କିଛି କହୁ ନାହାନ୍ତି । ମଉଜରେ ଖେଳାଖେଳି ଆରମ୍ଭ କରିଛନ୍ତି । ଜୀବନରାମ ସେସବୁ ଆଡ଼ୁ ଆଶ୍ୱସ୍ତ ହେଲାଣି । ଏବେ ଏଠାରୁ ଯିବା ବିଷୟରେ ବ୍ୟବସ୍ଥା ଆରମ୍ଭ କରିଛି ।

 

ସମ୍ବଲପୁରରୁ ସେ ଖବର ପାଇଲାଣି ଯେ–ଅସିତ ପାଗଳ ଭଳି ବୁଲୁଛି । ତା’ଦ୍ୱାରା ଆଉ କିଛି ବିପଦର ଆଶଙ୍କା ନାହିଁ । ଆଶା ବିଷୟରେ ଆଉ କେହି ଆଗ୍ରହ ଦେଖାଉ ନାହାନ୍ତି ।

 

ଜୀବନରାମ ବିଷୟରେ ମଧ୍ୟ କଥା ପଡ଼ୁଛି । ସେ ତ ଆଗରୁ ଚାଲି ଯାଇଥିଲା । ସେ ହେଉଛି ବୁଲିବା ଲୋକ; ଗୋଟାଏ ସ୍ଥାନରେ ରହିବା ଲୋକ ନୁହେଁ । ଜୀବନରାମ ସାଙ୍ଗରେ ଆଶାକୁ ମଧ୍ୟ ଯୋଡ଼ି ହେବ ନାହିଁ । ତେଣୁ ସମ୍ବଲପୁର ଆଡ଼ୁ ଆଉ କିଛି ଗୋଳମାଳର ଆଶଙ୍କା ନାହିଁ । ଯଦି କିଛି ହୁଏ, ଥାନାରେ ତ ଡାଏରୀ ହୋଇଛି । ଆଉ କ’ଣ ?
 

ଜୀବନରାମ ସବୁ ଆଡ଼ୁ ରାସ୍ତା ସଫା ଥିବା ଦେଖି, ବୁର୍ଲାରୁ ଯିବାର ବ୍ୟବସ୍ଥା କଲା । ସେ ମନେ ମନେ ଠିକ୍‌ କଲା ଯେ, ଟ୍ରେନରେ ଟିଟିଲାଗଡ଼ ବାଟେ ରାୟପୁର, ନାଗପୁର ଦେଇ ଦିଲ୍ଲୀକୁ ଯିବ । ସମ୍ବଲପୁର ଷ୍ଟେସନରୁ ଗଲେ କାଳେ କିଛି ବିପଦ ଘଟିପାରେ; ତେଣୁ ସେହି ଟିଟିଲାଗଡ଼ ବାଟରେ ଯିବା ସୁବିଧାଜନକ । ବୁର୍ଲାରୁ ଟିଟିଲାଗଡ଼କୁ ଗାଡ଼ି ନାହିଁ । ସେମାନେ ହୁଏ ତ ସମ୍ବଲପୁର ଯାଇ ଟିଟିଲାଗଡ଼ ଗାଡ଼ି ଧରିବେ, ନତୁବା ବରଗଡ଼କୁ ଯାଇ ଟିଟିଲାଗଡ଼ ଏକସପ୍ରେସ୍‌ ଧରିବେ । ଜୀବନରାମ ଭାବି ସ୍ଥିରକଲା ଯେ, ବରଗଡ଼ରେ ଗାଡ଼ି ଧରିଲେ ଠିକ୍‌ ହେବ । ଥରେ ଟିଟିଲାଗଡ଼ ପହଞ୍ଚିଗଲେ ଆଉ ଚିନ୍ତା ନାହିଁ । ସମ୍ବଲପୁରରୁ ସେମାନେ ଯେତେ ଯେତେ ଦୂରକୁ ଯିବେ, ବିପଦର ଆଶଙ୍କା ସେତେ ସେତେ କମୁଥିବ । ଆଶା ସଙ୍ଗରେ କଥାବାର୍ତ୍ତା କରି, ସବୁ ଠିକ୍‌ ହୋଇଗଲା ।

 

ଅସିତ ବିଚାରା ହତାଶ ହୋଇ ସାରିଲାଣି । କାମକୁ ଯାଉ ନାହିଁ । କେବଳ ଏଆଡ଼େ ସେଆଡ଼େ ବୁଲୁଛି । ସମସ୍ତେ ତାକୁ ପଦେ ଦୁଇପଦ ଆଶ୍ୱାସନା ବାଣୀ ଶୁଣାଇ ନିଜ ନିଜ କାମରେ ଲାଗି ପଡ଼ୁଛନ୍ତି । ଏଥିରେ ଦୁନିଆଁର ଯାଏ କେତେ, ଆସେ କେତେ । କେତେବେଳେ ସେ ଯେ କ’ଣ କରୁଥାଏ, ତାହା ନିଜେ ବୁଝି ପାରୁ ନଥାଏ । ଘର ଭିତରକୁ ପ୍ରାୟ ସେ ପଶେ ନାହିଁ । ଇଚ୍ଛା ହେଲେ କୌଣସି ହୋଟେଲକୁ ଯାଇ କିଛି ଚା’ ଜଳଖିଆ ଖାଇଦିଏ । ଗୋଟାଏ ଗୋଟାଏ ସ୍ଥାନରେ ତୁନି ହୋଇ ବସି ରହେ । ସେ ଉଠିଗଲା ପରେ ଲୋକେ କହନ୍ତି, ‘‘ଆହା, ବିଚରା ଅତି ଭଲ ଲୋକ, ଗୋଟାଏ ବେଶ୍ୟାପାଇଁ ପାଗଳ ହୋଇଗଲା ।’’ ଆଉ କେହି କେହି କହନ୍ତି, ‘‘ମୂର୍ଖଟା କୁଳଟା ଗୋଟାକପାଇଁ ଏତେ ଦୁଃଖ କରୁଛି ?’’ କିନ୍ତୁ କେହି ତା’ ମନ କଥା ବୁଝି ପାରନ୍ତି ନାହିଁ । ବୁଝିବାକୁ ସମୟ କାହିଁ ?

 

ଅସିତ ମନେ ମନେ ଭାବେ, ଏବେ ସେ କ’ଣ କରିବ ? ଚାକିରୀ କରିବ ନା ଗାଆଁକୁ ଚାଲିଯିବ । ଗାଆଁକୁ କେଉଁ ମୁହଁରେ ଯିବ ? ଲୋକେ କ’ଣ କହିବେ ? ତା’ପରେ ତା’ର ସାବତ ମା-। ତା’ ଆଗରେ କିପରି ମୁହଁ ଦେଖାଇବ ! ସେ ତ କହିବେ; ‘‘ମୁଁ ପରା ଜାଣିଥିଲି, ସେ ଗୋଟାଏ ବେଶ୍ୟା, ତା’ପାଇଁ ତୁ ପରା ପାଗଳ ହୋଇଥିଲୁ, ନେ ଏତେ ଦିନକେ ବୁଝିଲୁ–ମୁଁ ଖରାପ ନା ସେ ? ମୁଁ ସାବତ ମା ବୋଲି ସିନା ତୁ ଘର ଛାଡ଼ି ଚାଲିଗଲୁ, ନିଜ ମା ହୋଇଥିଲେ ଯାଆନ୍ତୁ ?’’ ନା, ଗାଆଁକୁ ସେ ଫେରିଯିବ ନାହିଁ । ତା’ହେଲେ କ’ଣ ଅନ୍ୟ ସ୍ଥାନକୁ ଚାଲିଯିବ, ଯେଉଁଠି କେହି ତାକୁ ଚିହ୍ନି ନ ଥିବେ, କେହି କିଛି ତାକୁ କହିବାକୁ ନ ଥିବେ ! କ’ଣ କରିବ ସେ ? ଭବିଷ୍ୟତ ତା’ର ଅନ୍ଧକାର ।

 

X X X

 

ଜୀବନରାମ, ଆଶା ଓ ପିଲାମାନେ, ଜିନିଷପତ୍ର ସହ ତିନିଟା ରିକ୍‌ସାରେ ଦେଉଳରୁ ବସ୍‌ ଷ୍ଟେସନକୁ ଆସିଲେ । ରିକ୍‌ସାଗୁଡ଼ାକ ଅଳ୍ପ ଦୂରରେ ଟିକିଏ ଅନ୍ଧାରୁଆ ସ୍ଥାନରେ ରଖି ଜୀବନରାମ ନିଜେ ଗଲେ ଟିକେଟ୍‌ ଆଣିବାକୁ । ଟିକେଟ୍‌ ନେଇ ଫେରିଲା ବେଳକୁ, ଗୋଟାଏ କାର୍‌ ସେ ବାଟରେ ଯାଉଥିଲା । ତାଙ୍କୁ ଦେଖି ହଠାତ୍‌ ଅଟକିଗଲା । ଜୀବନରାମ ଟିକିଏ ଶଙ୍କିତ ହୋଇ ପଡ଼ିଲେ; କିନ୍ତୁ ପରେ ଦେଖିଲେ ଯେ, କାର୍‌ଟି ଖାଲି ଓ ଡ୍ରାଇଭର୍‌ ହେଉଛି ବିଷ୍ଣୁ । ବିଷ୍ଣୁ ସହିତ ତାଙ୍କର ଚିହ୍ନା ପରିଚୟ ଥାଏ । ତା’ ଘର ସମ୍ବଲପୁରର ସେହି ମନ୍ଦିର ପାଖରେ । ସେ ଆଜିକାଲି ମାସେ ହେବ ବୁର୍ଲାରେ ରହୁଛି । ସେଇଠି ତା’ ମାଲିକ ରମାକାନ୍ତବାବୁଙ୍କ ଠିକାଦାରୀ କାମ ଲାଗିଛି-। ସେ ଯାଉଥିଲା ସମ୍ବଲପୁରକୁ । ସେ ଭାବିଲା, ହୁଏତ ପୂଜାରୀ ସମ୍ବଲପୁରକୁ ଯିବାପାଇଁ ବସ୍‌ ଷ୍ଟେସନକୁ ଆସିଛନ୍ତି । ତେଣୁ ଗାଡ଼ି ଅଟକାଇ କହିଲା, ‘‘ମହାରାଜ୍‌ ! ତୁମେ ସମ୍ବଲପୁରକୁ ଯିବ-? ଚାଲ, ଏବେ ମୁଁ ଯାଉଛି ।’’

 

ବିଷ୍ଣୁଙ୍କୁ ଦେଖି ଜୀବନରାମ କହିଲେ, ‘‘ତୁ ଏଠି କୁଆଡ଼େ ?’’

 

ବିଷ୍ଣୁ କହିଲା, ‘‘ଏଠି ବାବୁ ଠିକା ନେଇଛନ୍ତି । ମୁଁ ଏଇଠି ରହୁଛି । ଯିବ ଯଦି ଚାଲ, ବାଟରେ କଥା ହେବା ।’’

 

ଜୀବନରାମ କହିଲେ, ‘‘ନା, ସମ୍ବଲପୁର ଯାଉ ନାହିଁ, ବରଗଡ଼ ଆଡ଼କୁ ଯିବି ବୋଲି ଭାବୁଛି ।’’

 

‘‘ହଉ, ତା’ହେଲେ ମୁଁ ଆସେ’’ କହି ବିଷ୍ଣୁ ଚାଲିଗଲା । ଏସବୁ ବିଷୟ ସେ ଜାଣି ନ ଥିଲା-। ମନେ ମନେ ଭାବିଲା, ‘‘ପୂଜାରୀର କି କାମ ବୁର୍ଲା ଓ ବରଗଡ଼ରେ ? ବୋଧହୁଏ ତା’ର କେହି ଚିହ୍ନା ପରିଚିତ ଲୋକ ଥିବେ, ତାଙ୍କ ସଙ୍ଗେ ଦେଖା କରିବାକୁ ଯାଉଛି ।’’

 

ବିଷ୍ଣୁ ଆସି ରମାକାନ୍ତବାବୁଙ୍କ ସଙ୍ଗରେ କାମ ବିଷୟରେ କଥାବର୍ତ୍ତା ହୋଇ ବୁର୍ଲାକୁ ଫେରି ଯିବାକୁ ବସିଛି, ସେତିକିବେଳେ ଅସିତ କୁଆଡ଼ୁ ବୁଲି ବୁଲି ସେଠାରେ ଆସି ପହଞ୍ଚିଲା । ତାକୁ ଦେଖି ରମାକାନ୍ତବାବୁ ପଚାରିଲେ, ‘‘ସେ ପୂଜାରୀର କିଛି ଖବର ପାଇଲ ?’’

 

ଅସିତ କିଛି ଉତ୍ତର ଦେବା ପୂର୍ବରୁ ବିଷ୍ଣୁ କହିଲା–‘‘କେଉଁ ପୂଜାରୀ ଆଜ୍ଞା ? ଜୀବନରାମ ମହାରାଜ ବିଷୟରେ ପଚାରୁଛନ୍ତି ତ ? ତାଙ୍କୁ ମୁଁ ବୁର୍ଲାରେ ଦେଖିଲି । ସେ କହିଲେ, ବରଗଡ଼ ଆଡ଼କୁ ଯାଉଛନ୍ତି ।’’

 

ରମାକାନ୍ତବାବୁ କହିଲେ, ‘‘ବରଗଡ଼ ଆଡ଼କୁ ଯାଉଛନ୍ତି ? ଆଉ କେହି ତା’ ସାଙ୍ଗରେ ଥିଲେ ? ନା ସେ ଏକା ଥିଲା ?’’

 

ବିଷ୍ଣୁ କହିଲା, ‘‘ତାକୁ ତ ଏକା ଦେଖିଛି, କ’ଣ ହେଲା କି ?’’ ରମାକାନ୍ତ କହିଲେ, ‘‘ନା କିଛି ହୋଇନାହିଁ, ତୁମେ ଟଙ୍କା ନେଇ ଯାଅ ।’’ ତାକୁ ବିଦାୟକରି, ସଙ୍ଗେ ସଙ୍ଗେ ଟେଲିଫୋନ୍‌ ବୁକ୍‌ କଲେ ବରଗଡ଼କୁ । ଅସିତକୁ କହିଲେ, ‘‘ଗୋଟାଏ କାମ କର, ତୁମେ ଏଇଠି ଖାଇ ଶୋଇପଡ଼, ନ ହେଲେ ରାତିରେ ତୁମକୁ କେଉଁଠି ଖୋଜିବି ?’’

 

ପ୍ରାୟ ଅଧଘଣ୍ଟା ପରେ ଲାଇନ୍‌ ମିଳିଲା ।

Image

 

ବାର

 

ଦୀନେଶବାବୁ ରାତି ଆଠଟାରେ ଖାଇ ବସିଥାନ୍ତି, ପାଖରେ କୃଷ୍ଣା ବସିଥାଏ । ସେହି ଆଶା କଥା ।

 

କୃଷ୍ଣା କହିଲା, ‘‘ଚାରିଦିନ ହେଲା । କ’ଣ କିଛି ଖବର ମିଳି ନାହିଁ ? ସେ ଆଉ ଏଇଠି ଥିବ ? ଚାରିଦିନରେ ସେ ଭାରତର ଏପାରିରୁ ସେପାରିକୁ ଚାଲିଯାଇ ପାରିବ ! ଆଉ ମିଳିବ କୁଆଡ଼ୁ ?’’

 

ଦୀନେଶବାବୁ କହିଲେ, ‘‘ହଁ, ସତ ଯେ, ସେମାନେ ଏ ଅଞ୍ଚଳ ଛାଡ଼ି ହଠାତ୍‌ ଚାଳିଯିବା ପରି ମୋର ମନେ ହେଉ ନାହିଁ । ହୁଏତ ଲୋକଙ୍କ ଆଖିରେ ଧୂଳି ଦେବାପାଇଁ ସେ ଏଇ ପାଖରେ କେଉଁଠି କିଛିଦିନପାଇଁ ରହିଛି, ପରିସ୍ଥିତି ଶାନ୍ତ ପଡ଼ିଲେ ପରେ ଯିବା ଉଦ୍ଦେଶ୍ୟରେ । ଦେଖାଯାଉ କ’ଣ ହେଉଛି ।’’

 

ଅଫିସ୍‌ ଘରେ ଫୋନ୍‌ ଘଣ୍ଟି ବାଜିଲା । ସେତେବେଳକୁ ଦୀନେଶବାବୁ ଖାଇ ସାରିଥିଲେ-। ହାତ ମୁହଁ ଧୋଇ ଧାଇଁଲେ ଫୋନ୍‌ ପାଖକୁ । ଫୋନ୍‌ ଉଠାଇଲାରୁ ଜାଣିଲେ ଯେ, ସମ୍ବଲପୁରରୁ ଫୋନ୍‌ ଆସିଛି ।

 

ରମାକାନ୍ତବାବୁ କହିଲେ, ‘‘ଖବର ମିଳିଛି, ସେ ପୂଜାରୀ ବୁର୍ଲାରୁ ବରଗଡ଼ ଆଡ଼କୁ ସନ୍ଧ୍ୟା ସାତଟା ବସରେ ଯାଇଛି । ବସ୍‌ ଷ୍ଟେସନରେ ଆପଣ ଟିକିଏ ଜଗିଲେ ହେବ ।’’

 

ଦୀନେଶବାବୁ ପଚାରିଲେ, ‘‘ଆଶା ଆଦି କ’ଣ ସାଙ୍ଗରେ ଅଛନ୍ତି ?’’

 

ରମାକାନ୍ତବାବୁ କହିଲେ, ‘‘ସେ ଖବର ମିଳି ନାହିଁ । ସେ ପୂଜାରୀକୁ ପାଇଲେ ମନେହୁଏ ଅନେକ ଖବର ମିଳିଯିବ । ଆପଣ ଆଉ ବିଳମ୍ବ ନ କରି ବସ୍‍ ଷ୍ଟେସନକୁ ଯାଆନ୍ତୁ ।’’

 

ଦୀନେଶବାବୁ ଫୋନ୍‌ ରଖି ସଙ୍ଗେ ସଙ୍ଗେ ବସ୍‌ ଷ୍ଟେସନକୁ ଧାଇଁଲେ ।

 

ଜାନୁୟାରୀ-ଛବିଶ୍‌ । ଶୀତ ଚାଦର ଖଣ୍ଡିଏ ଧରି ବସ୍‌ ଷ୍ଟେସନରେ ସେ ପହୁଞ୍ଚିଲା ବେଳକୁ ବୁର୍ଲା ଗାଡ଼ି ପହଞ୍ଚି ସାରିଥାଏ । ଦୀନେଶବାବୁଙ୍କୁ ଏପରି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ତାଙ୍କୁ ସମସ୍ତେ ଚିହ୍ନନ୍ତି । ଷ୍ଟେସନ୍‌ ମାଷ୍ଟର୍‌ ଆଦି ଆସି ତାଙ୍କୁ ପଚାରିଲେ, ‘‘ଆଜ୍ଞା ! ଏ ଶୀତ ରାତିରେ ଆପଣ କୁଆଡ଼େ ?’’

 

ଦୀନେଶବାବୁ କ’ଣ କହିବେ ବୋଲି ଟିକିଏ ଭାବି କହିଲେ, ‘‘ଆମ ଘରକୁ କୁଣୁଆ ଆସିବାର ଥିଲା, ବୁର୍ଲା ଗାଡ଼ିରେ । ସେମାନେ ନୂଆ ଲୋକ, ଘର ଦେଖି ନାହାନ୍ତି । କାଳେ ହଇରାଣ ହେବେ, ସେଥିପାଇଁ ଆସିଥିଲି ।’’

 

ଷ୍ଟେସନ୍‌ ମାଷ୍ଟର୍‌ କଣ୍ଡକ୍ଟରକୁ ଡାକି ପଚାରିଲେ ।

 

କଣ୍ଡକ୍ଟର କହିଲା, ‘‘ଆଜ୍ଞା ! ଜଣେ ସ୍ତ୍ରୀ ଲୋକ, ଗୋଟିଏ ବାର ତେର ବର୍ଷର ଝିଅ । ତିନି ଚାରିଟା ପିଲା ଓ ଗୋଟିଏ ଲୋକ ମୋ ଗାଡ଼ିରେ ବୁର୍ଲାରୁ ତ ଆସିଛନ୍ତି ! କୁଆଡ଼େ ଗଲେ କହିପାରିବି ନାହିଁ ।’’

 

ଦୀନେଶବାବୁ କହିଲେ, ‘‘ହଉ ଦେଖେ, କୁଆଡ଼େ ଗଲେ ।’’

 

ସେ ଗୋଟିଏ ରିକ୍‌ସା କରି ଧର୍ମଶାଳା ଆଡ଼କୁ ବାହାରିଲେ । ରିକ୍‌ସାବାଲା କହିଲା, ‘‘ଏତେବେଳେ ଆପଣ କୁଆଡ଼େ ବାହାରି ପଡ଼ିଲେ ଆଜ୍ଞା ?’’

 

ଦୀନେଶବାବୁ ପୁଣି ସେ କୁଣିଆ କଥାର ପୁନରାବୃତ୍ତି କଲେ ।

 

ରିକ୍‌ସାବାଲା କହିଲା, ‘‘ଆଜ୍ଞା, ଏହି ବର୍ତ୍ତମାନ ମୁଁ ଗୋଟିଏ ପରିବାରକୁ ନେଇ ଯାଇଥିଲି । ଆଉ ଦୁଇଟି ରିକ୍‌ସାରେ ମଧ୍ୟ ତାଙ୍କର ମାଲପତ୍ର ସବୁ ଲଦା ହେଲା । ଧର୍ମଶାଳାରେ ଆମେ ତାଙ୍କୁ ଛାଡ଼ି ଆସିଛୁଁ ।’’

 

ଦୀନେଶବାବୁ ମନେ ମନେ ଭାବୁଥାନ୍ତି କ’ଣ କରିବେ, କ’ଣ ନ କରିବେ । ରିକ୍‌ସାବାଲାକୁ କହିଲେ, ‘‘ହଉ ତେବେ ସେଠିକି ଚାଲ୍‌ ।’’ ସେ ଭାବୁଥାନ୍ତି ଯେ, ପୂଜାରୀଟା ଯଦି ଗୁଣ୍ଡାମୀ କରେ, ତା’ହେଲେ ନିଜ ହାତରେ ତ କିଛି ନାହିଁ ! ନା, ଆଗ ଆଶା ଓ ତା’ର ପିଲାପିଲିଙ୍କୁ ଯେ କୌଣସି ପ୍ରକାରେ ଘରକୁ ନେଇଆସିବି, ତା’ପରେ ଦେଖାଯିବ ।

 

ଭାବୁ ଭାବୁ ଧର୍ମଶାଳା ଦ୍ୱାରରେ ରିକ୍‌ସା ପହଞ୍ଚିଲା । ଧର୍ମଶାଳା ଦରଓ୍ୟାନ୍‌ ଦୀନେଶବାବୁଙ୍କୁ ଦେଖି ଅବାକ୍‌ । ସଲାମ୍‌ ମାରି କହିଲା, ‘‘ଏତେବେଳେ ଆପଣ କେମିତି ଆସିଲେ-? କ’ଣ କାମ ଥିଲା କି ?’’

 

ଦୀନେଶବାବୁ ପୁଣି ସେହି କୁଣିଆ କଥା କହିଲେ । ସେମାନେ ବୋଧହୁଏ ଘର ନ ପାଇ ଧର୍ମଶାଳାରେ ରହିଛନ୍ତି । ତେଣୁ ସେ ଖୋଜିବାକୁ ଆସିଛନ୍ତି ବୋଲି ମଧ୍ୟ ପ୍ରକାଶ କଲେ ।

 

ଦରଓ୍ୟାନ୍‌ କହିଲା; ‘‘ସେହି କୋଠରୀରେ ବର୍ତ୍ତମାନ ଗୋଟିଏ ପରିବାର ଆସି ଅଛନ୍ତି । ଦେଖନ୍ତୁ ତ, କାଳେ ସେଇମାନେ ହୋଇଥିବେ !’’

 

ଦୀନେଶବାବୁ ‘ହଉ’ କହି, ସେହି କୋଠରୀ ପାଖକୁ ଯାଇ ଦେଖନ୍ତି ତ, କବାଟ ଭିତର ଆଡ଼ୁ ଆଉଜା ହୋଇଛି । ଦୁଆର ସାମନାରେ ଛିଡ଼ା ହୋଇ କ୍ଷଣକପାଇଁ ଭାବିଲେ । ସ୍ଥିର କଲେ ଯେ, ଡାକିବା ଅର୍ଥ ପୂଜାରୀକୁ ସତର୍କ କରିଦେବା । ବରଂ ହଠାତ୍‌ ଘର ଭିତରକୁ ପଶିଗଲେ ସେମାନଙ୍କୁ ଅତର୍କିତ ଭାବରେ ଧରିହେବ । ଦରଜା ଧଡ଼କରି ଠେଲି ଭିତରକୁ ପଶି କହିଲେ, ‘‘ଆଶା !’’

 

କୋଠରୀ ଭିତରେ କାନ୍ଥକୁ ଆଉଜି ଆଶା ବସିଥାଏ; ସାନ ସାନ ପିଲା ଦୁଇଟି ଗୋଟାଏ ଦରି ଉପରେ ଶୋଇ ପଡ଼ିଥାନ୍ତି । ବଡ଼ ପିଲା ଦୁଇଟା ଛିଡ଼ା ହୋଇଥାନ୍ତି ଆଶା ପାଖରେ । ଦୀନେଶବାବୁଙ୍କୁ ଦ୍ୱାର ଖୋଲି ଛିଡ଼ା ହେବାର ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ । ଦୀନେଶବାବୁ ଆଗ ପୂଜାରୀକୁ ଚାହିଁଲେ, ତା’ପରେ ଆଶାକୁ କହିଲେ, ‘‘ତୁ ଏଠି କ’ଣ କରୁଛୁ ?’’

 

ଆଶା କିଛି ନ କହି କାନ୍ଦିବା ଆରମ୍ଭ କଲା ।

 

ଦୀନେଶବାବୁ କ୍ରୋଧର ଅଭିନୟ କରି କହିଲେ, ‘‘କନ୍ଦାକନ୍ଦି ବନ୍ଦକର, ଘରକୁ ନ ଆସି ଏଠିକି ଆସିଲୁ କାହିଁକି ?’’

 

ଆଶା ଡରିଗଲା, କହିଲା, ‘‘ନାହିଁ, ଏମିତି ଚାଲି ଆସିଲି ।’’

 

ଦୀନେଶବାବୁ ପଚାରିଲେ, ‘‘କୁଆଡ଼େ ଯାଉଛୁ ତୁ ?’’

 

ଆଶା କହିଲା, ‘‘ଗାଆଁକୁ ।’’

 

ଦୀନେଶବାବୁ କହିଲେ, ‘‘ଚାଲ, ଘରକୁ ଚାଲ ।’’

 

ଆଶା କହିଲା ‘‘ନା, ଯିବି ନାହିଁ ।’’

 

ଦୀନେଶବାବୁ କହିଲେ, ‘‘କଅଣ କହିଲୁ ? ଯିବୁନାହିଁ ?’’

 

ଆଶା ପୁଣି କାନ୍ଦିଲା ।

 

ଦୀନେଶବାବୁ କହିଲେ, ‘‘ଦେଖ୍‌, ଯିବୁ ତ ଚାଲ୍‌, ନ ହେଲେ–ବିପଦରେ ପଡ଼ିବୁ । ତା’ପରେ ଏଇ ବଜାରରେ ବେ’ଇଜ୍ଜତ ହେବୁ ।’’

 

ଏହିସବୁ ଦୀନେଶବାବୁ ଅତି ଦୃଢ଼କଣ୍ଠରେ ହୁକୁମ୍‌ ଦେଲାପରି କହୁଥାନ୍ତି । ଆଶା ପୂଜାରୀ ଆଡ଼କୁ ଚାହିଁଲା, ପୂଜାରୀ ଶୁଣି ନ ଶୁଣିଲା ପରି ହୋଇ ଜିନିଷପତ୍ର ଖୋଲାଖୋଲିରେ ଲାଗିଥାଏ ।

 

ଦୀନେଶବାବୁ ରାଗରେ କହିଲେ, ‘‘କ’ଣ କହୁଛୁ ? ଯିବୁ ନା ନାହିଁ ?’’ ଆଶା କହିଲା, ‘‘ହଉ–ଚାଲ ।’’

ସଙ୍ଗେ ସଙ୍ଗେ ତିନିଟା ରିକ୍‌ସା ଅଣା ହେଲା । ଦୁଇଟିରେ ଆଶାର ଜିନିଷପତ୍ର ଲଦା ହେଲା, ପିଲାମାନଙ୍କୁ ବସାଗଲା । ଗୋଟିଏ ରିକ୍‌ସାରେ ଆଶା ବସିଲା ।

ଦୀନେଶବାବୁ ମନେ ମନେ ଭାବୁଥାଆନ୍ତି–ତା’ପରେ କ’ଣ କରିବେ ?

ଏଆଡ଼େ ପୂଜାରୀର ଓ ଆଶାର ଗତିବିଧି ଲକ୍ଷ୍ୟ କରୁଥାନ୍ତି ।

ଆଶା ରିକ୍‌ସାରେ ବସିଲାପରେ ପୂଜାରୀକୁ ଡାକି କହିଲା–‘‘ମହାରାଜ ! ଆସ ଯିବା ।’’

ପୂଜାରୀ କିଛି ନ କହି ରିକ୍‌ସାରେ ବସିପଡ଼ିଲା । ଦୀନେଶବାବୁ ରାଗରେ ଥରିଗଲେ । ତାଙ୍କ ଇଚ୍ଛା ହେଲା–ପୂଜାରୀକୁ ଟାଣି ରିକ୍‌ସାରୁ ତଳକୁ ଫିଙ୍ଗି ଦେବେ; କିନ୍ତୁ ବଜାରରେ ଏସବୁ ଅଶୋଭନୀୟ ଦୃଶ୍ୟ ଦେଖାଇବାପାଇଁ ସେ ପ୍ରସ୍ତୁତ ନ ଥିଲେ । ନିଜେ ଅନ୍ୟ ଗୋଟାଏ ରିକ୍‌ସାରେ ବସି ବସାଆଡ଼କୁ ଚାଲିଲେ ।

ଚାରିଟା ରିକ୍‌ସାର ଶୋଭାଯାତ୍ରା । ବାଟରେ ଆଶା ପୂଜାରୀକୁ ପଚାରିଲା, ‘‘ମହାରାଜ ! ବିପଦ ହେଲା, ଏଥର କ’ଣ କରିବା ?’’

ପୂଜାରୀ କହିଲା, ‘‘ଦେଖିଲ, ସମ୍ବଲପୁର ଥାନାରେ ଡାଏରୀ କରାଇ ନ ଥିଲେ କମିତି ହୋଇଥାନ୍ତା ? ଯାହାହେଉ, ବର୍ତ୍ତମାନ ଭୟ କରିବାର ପ୍ରଶ୍ନ ନାହିଁ । ତୁମକୁ ଖୁବ୍‌ ସାହସ ବାନ୍ଧି ଚଳିବାକୁ ହେବ, ନ ହେଲେ ଦୁହେଁ ବିପଦରେ ପଡ଼ିବା । ତୁମେ ବାୟାଣୀଙ୍କ ପରି ଅଭିନୟ କର ଓ ଏହାଙ୍କୁ ଗାଳି ଗୁଲ୍‌ଜ କର ।’’

 

ଆଶା କହିଲା, ‘‘ମୋ କାକାଙ୍କ ଆଗରେ ତ ମୁଁ ସେପରି କରିପାରିବିନାହିଁ, କି କିଛି କହିପାରିବି ନାହିଁ !’’

 

ପୂଜାରୀ କହିଲା, ‘‘କହିବାକୁ ହେବ, ଦରକାର ପଡ଼ିଲେ ହିଂସାଚରଣ ମଧ୍ୟ ଦେଖାଇବାକୁ ହେବ । ଭୟ କର ନାହିଁ, ମୁଁ ଅଛି । ସେ ଆମର କିଛି କରିପାରିବେନାହିଁ । ତୁମେ ସ୍ୱ ଇଚ୍ଛାରେ ଗାଆଁକୁ ଯାଉଛ, ତାଙ୍କର କି ଅଧିକାର ଅଛି ତୁମକୁ ଅଟକାଇବେ ? ତାଙ୍କ କଥା ମୋଟେ ଶୁଣ ନାହିଁ । ସେ ହୁଏତ ଡରାଇବେ, ବୁଝାଇବେ, ଏତିକି । ଆଉ କ’ଣ କରିପାରିବେ ସେ ?’’

 

ଦୀନେଶବାବୁଙ୍କ ମୁଣ୍ଡରେ ଝଡ଼ ନାଟ ଲଗାଇଥାଏ । କଅଣ କରିବେ, କିଛି ଠିକ୍‌ କରିପାରୁନଥାନ୍ତି । ଏମିତି ସମୟରେ ବାଟରେ ଦେଖିଲେ, ପ୍ରାଣବାବୁ ଏଡଭୋକେଟ୍‌ କ୍ଲବ୍‌ରୁ ଫେରୁଥାଆନ୍ତି ।

 

ତାଙ୍କୁ ଦେଖିଲା କ୍ଷଣି କହିଲେ, ‘‘ପ୍ରାଣବାବୁ ! ସାଙ୍ଗେ ସାଙ୍ଗେ ମୋ ବସାକୁ ଆସନ୍ତୁ ।’’

 

ପ୍ରାଣବାବୁ ଆଶ୍ଚର୍ଯ୍ୟ ହେଲେ । ସେ ଦୀନେଶବାବୁଙ୍କଠାରୁ ବର୍ଷେ ବା ଦୁଇବର୍ଷର ସାନ । ଦୀନେଶବାବୁଙ୍କୁ ବେଶ୍‌ ମାନନ୍ତି । ସାଙ୍ଗେ ସାଙ୍ଗେ ସେ ସାଇକେଲ ଘୂରାଇ ଦୀନେଶବାବୁଙ୍କ ରିକ୍‌ସା ସହିତ ଚାଲିଲେ ।

 

ବାଟରେ ଦୀନେଶବାବୁ ସଂକ୍ଷେପରେ ସବୁକଥା ବୁଝାଇ କହିଲେ, ‘‘କ’ଣ କହ ? ଧନୁବାବୁ ଆଉ ଯୋଗୀବାବୁ କେଉଁଠି ଅଛନ୍ତି ?’’

 

ପ୍ରାଣବାବୁ କହିଲେ, ‘‘ସେମାନେ କ୍ଲବ୍‌ରେ ଅଛନ୍ତି । ଆମେ ଭାବୁଥିଲୁ ଆପଣ ଆଜି କାହିଁକି କ୍ଲବ୍‌କୁ ଆସିଲେ ନାହିଁ ? ସେମାନଙ୍କୁ ମୁଁ ଡାକି ଆଣେ, ପରେ ଯାହାକିଛି ସ୍ଥିର କରିବା ।’’

 

ପ୍ରାଣବାବୁ ତରବର ହୋଇ କ୍ଲବ୍‌କୁ ଚାଲିଗଲେ ଏବଂ ସଙ୍ଗେ ସଙ୍ଗେ ଧନୁବାବୁ ଓ ଯୋଗୀବାବୁ, ଏହି ଦୁଇ ଏଡଭୋକେଟ୍‌ଙ୍କୁ ନେଇ ଦୀନେଶବାବୁଙ୍କ ବସାକୁ ଆସିଲେ ।

 

ରିକ୍‌ସା ସବୁ ଦୀନେଶବାବୁଙ୍କ ଘର ସାମନାରେ ଆସି ପହଞ୍ଚିଲା । ରଜନୀ ସାଙ୍ଗରେ ପିଲାଏ ଘର ଭିତରକୁ ଗଲେ, ଆଶା ବାହାର ବାରଣ୍ଡାରେ ଛିଡ଼ା ହୋଇଥାଏ ।

 

ଦୀନେଶବାବୁ ଆଶାକୁ କହିଲେ, ‘‘ଆଶା, ଭିତରକୁ ଯା । ଛିଡ଼ା ହୋଇଛୁ କାହିଁକି ?’’

 

ଆଶା ଭିତରକୁ ଯିବାପାଇଁ ବାହାରିଲା । ପୂଜାରୀକୁ କହିଲା–‘‘ମହାରାଜ ! ତୁମେ ମଧ୍ୟ ଆସ ।’’

 

ଦୀନେଶବାବୁ ରାଗରେ ଜର ଜର ହୋଇ କହିଲେ, ‘‘କଅଣ, ଏ ଚୋରଟା ଭିତରକୁ ପଶିବ ?’’

 

ଆଶା କହିଲା, ‘‘ଭଦ୍ରଲୋକଙ୍କୁ ଗାଳି ଦେଉଛ କାହିଁକି ? ମୁଁ ଯେଉଁଠାକୁ ଯିବି, ତାଙ୍କୁ ସାଙ୍ଗରେ ନେଇଯିବି, ନ ହେଲେ ଯିବି ନାହିଁ ।’’

 

ଏହା କହି ସେ ଦ୍ୱାର ପାଖରେ ଅଟକିଗଲା ।

 

ଦୀନେଶବାବୁ କହିଲେ, ‘‘ଏ ଭଣ୍ଡ ଚୋରଟା ପୁଣି ଭଦ୍ରଲୋକ ? ସେ ମୋ ଘର ଭିତରକୁ ଯାଇପାରିବ ନାହିଁ । ତୋ ମୁଣ୍ଡ ଖରାପ ହୋଇଯାଇଛି ନା କଅଣ ?’’

 

ଆଶା କହିଲା, ‘‘ତା’ହେଲେ ମୁଁ ମଧ୍ୟ ଯିବି ନାହିଁ ।’’

 

ବାରଣ୍ଡାରେ ଗୋଟାଏ ବେଞ୍ଚ ପଡ଼ିଥାଏ, ସେଇଠି ସେ ଯାଇ ବସିପଡ଼ି, ପୂଜାରୀକୁ ବସିବାକୁ କହିଲା ।

 

ବେଞ୍ଚରେ ବସି ଆଶା କହିଲା, ‘‘ଏ ତ ବଡ଼ ଭଲ ସତ୍କାର ? କିଏ କହିଲା ଧର୍ମଶାଳାକୁ ଯାଇ ଆମକୁ ଡାକିଆଣିବାପାଇଁ ?’’

 

ଦୀନେଶବାବୁ ମନେ ମନେ ଆଶ୍ଚର୍ଯ୍ୟ ହେଲେ, ନିଜର କ୍ରୋଧ ସମ୍ଭାଳି ନେଇ ଟିକିଏ ହସି କହିଲେ, ‘‘ବୁଝିଲୁ ଆଶା, ଯେମିତି ଦେବତା ସେମିତି ପୂଜା । ଅତିଥିର ସ୍ତର ଦେଖି ସତ୍କାର ହୁଏ ।’’

 

ଆଶା ରାଗିଯାଇ କହିଲା, ‘‘ଏପରି ବ୍ୟବହାର କଲେ ଆମେ ଚାଲିଯିବୁ । ତୁମର ବଡ଼ଲୋକୀ ଓ ଧନ ଦେଖି ଆମେ ଡରିଯିବୁ ନା କଅଣ ?’’

 

ଦୀନେଶବାବୁ କହିଲେ ‘‘ତୁମେ ମୋର ବଡ଼ଲୋକୀ ଦେଖି ଡରିବ ବୋଲି ମୁଁ କେବେ ଆଶା କରି ନାହିଁ । ତା’ ଯଦି ହୁଅନ୍ତା, ତେବେ ତୁମେ ଏପରି ଭାବରେ ବସି କଥା କହିପାରନ୍ତ ନାହିଁ-। ଆଉ ତୁମ ଚାଲିଯିବା କଥା ? ମୋ ହାତକୁ ଆସିଲାପରେ ତୁମେ ଚାଲିଯାଇ ପାରିବ କିପରି-? ଗୋଟିଏ ନାଟକ ଚାଲିଛି, ତାହା ଶେଷ ନ ହେବା ପୂର୍ବରୁ ତୁମେ ଯିବ କେମିତି ?’’

 

ଆଶା କହିଲା, ‘‘ତୁମେ ଭାବିଛ, ତୁମ ଧନ ବଳରେ ଯାହା ଇଚ୍ଛା ତାହା କରି ଦେଇପାରିବ ? କିନ୍ତୁ ମନେରଖ, ମୋ ବାଟରେ କେହି ଛିଡ଼ା ହୋଇପାରିବେ ନାହିଁ ।’’

 

ଏତିକିବେଳେ ପ୍ରାଣବାବୁ, ଧନୁବାବୁ ଓ ଯୋଗୀବାବୁ ଆସି ପହଞ୍ଚିଲେ । ଟିକିଏ ଦୂରକୁ ଯାଇ ଦୀନେଶବାବୁ ସେମାନଙ୍କୁ ସବୁ ପରିସ୍ଥିତି ବୁଝାଇଦେଲେ ।

 

ଧନୁବାବୁ କହିଲେ, ‘‘ଆମେ ଯାଇ କୈଳାସବାବୁଙ୍କ ସଙ୍ଗେ ପରାମର୍ଶ କରିଆସୁଁ ।’’

 

କୈଳାସବାବୁ ବରଗଡ଼ ଥାନାର ଅଫିସର୍‌ । ଦୀନେଶବାବୁ ଓ ଏମାନଙ୍କ ସଙ୍ଗେ ତାଙ୍କର ବେଶ୍‌ ବନ୍ଧୁତା । ଥାନାରେ କଥା ସ୍ଥିରହେଲା ଯେ, ଅସିତକୁ ଡକାଯିବ; ସେ ଆସିଲେ ଯାହା କିଛି କରାଯିବ ।

 

ଧନୁବାବୁ ଆସି କହିଲା ପରେ, ସମ୍ବଲପୁରକୁ ଫୋନ୍‌ ଲଗାଇ ରମାକାନ୍ତବାବୁଙ୍କୁ କହିଲେ, ‘‘ଅସିତକୁ ବର୍ତ୍ତମାନ ଯେ କୌଣସି ପ୍ରକାରେ ଏଠାକୁ ପଠାଇ ଦିଅନ୍ତୁ । ଆପଣଙ୍କ କାର୍‌ ନ ଥିଲେ ଟେକ୍‌ସି କରି ପଠାଇ ଦିଅନ୍ତୁ ।’’

 

ଆଶା ସବୁ ଶୁଣୁଥିଲା । ବାୟାଣୀ ପରି ଧାଇଁ ଆସି ଫୋନ୍‌ ଛଡ଼ାଇ ନେବାପାଇଁ ଚେଷ୍ଟା କଲା, କିନ୍ତୁ ଦୀନେଶବାବୁଙ୍କ ଧକ୍‌କାରେ ତଳେ ପଡ଼ିଗଲା । ଦୀନେଶବାବୁ ଆଶାକୁ ଅଫିସ୍‌ ବାହାରକୁ ଯିବାପାଇଁ କହିଲେ । ସେ ନ ଯାଇ ନିଜେ ଫୋନ୍‌ କରିବାପାଇଁ ଉଦ୍ୟମ କଲା, କିନ୍ତୁ ଦୀନେଶବାବୁ ଜୋର୍‌ ଜବର ଦସ୍ତି ଅଫିସ୍‌ରୁ ତାକୁ ବାହାର କଲେ ।

 

ତା’ପରେ ଆଶା ଗାଳିଦେବା ଆରମ୍ଭ କଲା । ଅନର୍ଗଳ ଭାବରେ ତା’ର ବକ୍ତୃତା ଚାଲିଥାଏ । ସାମନାରେ ଦୀନେଶବାବୁ ପରେଡ୍‍ କରୁଥାନ୍ତି, ମଝିରେ ମଝିରେ କ’ଣ ଟିକିଏ ଟିକିଏ କହି ଦେଉଥାନ୍ତି । କିଛି ଦୂରରେ ଚୌକି ପକାଇ ପ୍ରାଣବାବୁ, ଧନୁବାବୁ ଓ ଯୋଗୀବାବୁ ବସି ସବୁ ଶୁଣୁଥାନ୍ତି । ଥାନାରେ କୈଳାଶବାବୁ ଅପେକ୍ଷା କରି ବସିଥାଆନ୍ତି ।

 

ଆଶା କହିଲା, ‘‘ତୁମେ ଆମକୁ ବଳପୂର୍ବକ ଅଟକାଇ ରଖୁଛ, ତା’ର ପରିଣାମ କଅଣ ହେବ ବୁଝୁଛ ?’’

 

ଦୀନେଶବାବୁ କହିଲେ, ‘‘ମୋର ବୁଝିବା ଦରକାର ନାହିଁ, ବୁଝିବା ଲୋକ ବୁଝିବେ । ତୁମେ ଚୁପ୍‌ ରହ, ମୋର ଧୈର୍ଯ୍ୟଚ୍ୟୁତି ଘଟାଇବାର ଚେଷ୍ଟା କରନା ।’’

 

ଆଶା ପାଟିକରି କହିଲା, ‘‘ତୁମେ ମୋତେ ଧମକାଉଛ ? ମୁଁ ତୁମ ଘରେ ନିଆଁ ଲଗାଇ ଦେବି, କ’ଣ ଭାବିଛ ? ଦରମା ଦେଇ ପୋଷୁଛ ଯେ, ହାକିମୀ କରୁଛ ଆମ ଉପରେ ? ସୁଖ ଦୁଃଖରେ କେବେ କଅଣ ପଚାରିଥିଲ ଯେ, ଆଜି ଏ ବଡ଼ଲୋକୀ ଦେଖାଇ ହେଉଛ ?’’

 

ଆଶାର ଗାଳି ଓ ଅଭିଶାପ ଶୁଣି, କୃଷ୍ଣା ଘରେ ଥାଇ ମନେ ମନେ ଭାବୁଥାଏ, ଇଏ କାହିଁକି ଅଯଥା ଏ ଚେଷ୍ଟା କରୁଛନ୍ତି । ସେ ଯାଉ ଯେଉଁଠିକି ତା’ର ଇଚ୍ଛା । ଏପରି ନିର୍ଲ୍ଲଜୀକୁ ରକ୍ଷାକରି କିଛି ଲାଭ ନାହିଁ ।

 

କୃଷ୍ଣା ଦୀନେଶ ଉପରେ ଭାରି ବିରକ୍ତ; କିନ୍ତୁ କଅଣ କରିବ ? ବାହାରେ ସମସ୍ତେ ଅଛନ୍ତି-। କିଛି କହିପାରିବ ନାହିଁ ।

 

ଦୀନେଶବାବୁ ମନେ ମନେ ଭାବୁଥାନ୍ତି, କେଡ଼େ ସୁନ୍ଦର ଝିଅଟା ଆଜି କଅଣ ହୋଇ ଯାଇଛି । ଲୋକ ଭୁଲ କରେ । ଅନ୍ୟ କେହି ସେ ଭୁଲଟା ଦେଖାଇ ଦେଲା ପରେ ମଧ୍ୟ ତାକୁ ଠିକ୍‌ ବୋଲି ପ୍ରମାଣ କରିବାର ଚେଷ୍ଟା, ଦୀନେଶବାବୁ ଆଗରୁ କେବେ ଦେଖି ନ ଥିଲେ । ପତନ ସଙ୍ଗେ ସଙ୍ଗେ ମନୁଷ୍ୟ ତା’ ଜୀବନର ମୂଳସୂତ୍ର ବୋଧହୁଏ ଭୁଲିଯାଏ । ଆଶା ପରି ଝିଅ ମଧ୍ୟ ଏପରି ହୋଇପାରେ ! କଳ୍ପନାତୀତ । ସବୁକଥା ଜଣାପଡ଼ିବା ପରେ ହୁଏତ ସେ ଲଜ୍ଜାରେ ମୁଣ୍ଡଟେକି ପାରନ୍ତା ନାହିଁ, ତଥାପି ସେ ଏପରି କାହିଁକି ହେଉଛି ?

 

ପୂଜାରୀ ପଦେ ସୁଦ୍ଧା କିଛି ନ କହି, ନିର୍ବିକାର ଭାବରେ ବସିଥାଏ । ତା’ର ଭୟଭ୍ରାନ୍ତି ନଥାଏ, ଲଜ୍ଜା ବିଷାଦ କିଛି ନଥାଏ । ସତେ ଯେପରି ଗୋଟାଏ ପଥର ମୂର୍ତ୍ତି ।

 

ରାତି ପ୍ରାୟ ଦୁଇଟା । ଚାରିଆଡ଼େ ଅନ୍ଧକାର । ଦୀନେଶବାବୁ ଆଦି ଅସିତକୁ ଅପେକ୍ଷା କରିଛନ୍ତି । ସମୟଟା ଅଧିକ ବିଳମ୍ବ ହେଲାପରି ଲାଗିଲା ।

 

ଅଧ ଘଣ୍ଟା ପରେ ଅସିତ ଓ ରମାକାନ୍ତବାବୁ ଗୋଟାଏ ଟେକ୍‌ସିରେ ପହଞ୍ଚିଲେ । ପହଞ୍ଚିଲା କ୍ଷଣି ଦୀନେଶବାବୁ ଅସିତକୁ ଅଲଗା ଡାକି ନେଇ, ପ୍ରାଣବାବୁ ଓ ଧନୁବାବୁଙ୍କ ସଙ୍ଗେ ପରିଚୟ କରାଇ ଥାନାକୁ ପଠାଇଦେଲେ । ରମାକାନ୍ତବାବୁ, ଆଶା ଓ ପୂଜାରୀ ପାଖରେ ବସି, ଆଶାକୁ ବୁଝାଇବାରେ ଲାଗିଲେ । ଦୀନେଶବାବୁ ବିଚାରା ସେହିପରି ଟହଲ ମାରୁଥାନ୍ତି ।

Image

 

ତେର

 

ରମାକାନ୍ତବାବୁ, ଦୀନେଶବାବୁଙ୍କ ଅନ୍ତରଙ୍ଗ ବନ୍ଧୁ ହେଲେ ମଧ୍ୟ ବୟସରେ ତାଙ୍କଠୁ ଅନେକ ବଡ଼ ।

 

ସେ ଅତି ଭଦ୍ରଭାବରେ କହୁଥାନ୍ତି, ‘‘ବୁଝିଲ ଆଶା ଭଉଣୀ, ତୁମେ ମୋଠୁ ଅନେକ ସାନ-। ଦୁନିଆଁ ଦେଖି ନାହଁ, ଏ ଲୋକ ତୁମକୁ ନେଇ ପୋଷିବ ବୋଲି ଭାବୁଛ ? ତା’ପରେ ପୁଣି ପାଞ୍ଚଟି ପିଲାଛୁଆ । ବଡ଼ ଝିଅଟି ଯୋଗ୍ୟା ହେଲାଣି । ବର୍ଷେ ଅଧେ ଭିତରେ ତା’ର ବିବାହ ବ୍ୟବସ୍ଥା କରିବାକୁ ହେବ । ଏ ଲୋକ କଅଣ ଏସବୁ କରିବ ? ତୁମେ କେତେ ଉଚ୍ଚକୁଳରେ ଜନ୍ମ ହୋଇଛ । ବ୍ରାହ୍ମଣ ଘରର ଝିଅ । ତୁମକୁ ଏସବୁ ଶୋଭାପାଏ ନା ଆଶା ! ମନୁଷ୍ୟ ମାତ୍ରକେ ଭୁଲ କରିଥାଏ, ତୁମର ମଧ୍ୟ ହୋଇଛି । ବର୍ତ୍ତମାନ ଠିକ୍‌ ରାସ୍ତାକୁ ଫେରିଆସ । ବର୍ତ୍ତମାନ ମଧ୍ୟ ଅବସ୍ଥା ସୁଧାରି ହେବ-।’’

 

ଆଶା କହିଲା, ‘‘ଏ ଉପଦେଶ ମୁଁ ଅନେକ ଶୁଣି ସାରିଲିଣି । ଆପଣ ଦୟା କରି ଏସବୁ ବନ୍ଦ କରନ୍ତୁ । ମୁଁ ଆଦୌ ଭୁଲ୍‌ କରି ନାହିଁ । ମୁଁ ଅସିତକୁ ଘୃଣା କରେ । ସେ ମୋତେ ଦେଇଛି କଅଣ ? ଦାରିଦ୍ର୍ୟ, ଦୁଃଖ ଓ ମାଡ଼ । ବନ୍ଧୁ ସହୋଦର ପ୍ରିୟଜନଙ୍କଠାରୁ ଅଲଗା କରି ମୋତେ ରଖିଛି ବନ୍ଦିନୀ କରି । ଗତ ପନ୍ଦର ବର୍ଷ ଭିତରେ ଦିନେ ହେଲେ ତ କେହି ମୋପାଇଁ ଭାବି ନ ଥିଲେ । ଏସବୁ ନୀତିବାକ୍ୟ କୁଆଡ଼େ ଥିଲା ? ଆଜି କାହିଁକି ମୋ ଆଗରେ ଏ ଭଳି ନୈତିକତାର ଭେଳିକି ଦେଖାଇବାକୁ ଆସିଛ ?’’

 

ରମାକାନ୍ତବାବୁ କହିଲେ, ‘‘ଭଉଣୀ, ତୁମେ ଆଜି ପ୍ରକୃତରେ ବାୟାଣୀ ହୋଇଯାଇଛ । ଥରେ କହିଲି ପରା, ବ୍ରାହ୍ମଣ ଘର ଝିଅ ତୁମେ ! ତୁମର ଏ ଅବସ୍ଥା ଦେଖି ଦୁଃଖ ଲାଗୁଛି । ତୁମର ମୃତ ପିତା ମାତାଙ୍କ ପବିତ୍ର ନାମରେ କଳଙ୍କ କାଳିମା ବୋଳିବାକୁ ଯାଉଛ କାହିଁକି ଭଉଣୀ ? ମୋର ସ୍ୱାର୍ଥପାଇଁ କଅଣ ମୁଁ ଏକଥା କହୁଛି ? ମୁଁ କେବଳ ତୁମର ଭଲପାଇଁ କହୁଛି । ଏ ଲୋକଟା ତୁମ ପ୍ରତି ପ୍ରେମାଶକ୍ତ ହୋଇ ନେଉନାହିଁ । ଏ ନେଉଛି ତୁମକୁ, ତୁମ ପିଲାମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ । ଖବର କାଗଜରେ ପ୍ରତିଦିନ ଏପରି ଘଟଣା ବାହାରୁଛି । ତୁମେ ପରେ ଭାବିବ, ସେତେବେଳେ ଆଉ ଫେରିବାକୁ ବାଟ ନ ଥିବ ।’’

 

ଆଶା କହିଲା, ‘‘ଆପଣ ଉପଦେଶ ଦେଇ, କଥାରେ ଡରାଇ ମୋତେ ଫେରାଇ ପାରିବ ନାହିଁ । ମୋର ବାପ ମା ମୋତେ ବିବାହ ଦେଇ ଯେଉଁ ପାପ କରିଛନ୍ତି, ତା’ର ପ୍ରାୟଶ୍ଚିତପାଇଁ ତାଙ୍କ ମୃତ ଆତ୍ମାକୁ ଦୁଃଖ ଭୋଗିବାକୁ ହିଁ ପଡ଼ିବ । ସେମାନଙ୍କ ଇଜ୍ଜତ ସେମାନେ ସଙ୍ଗରେ ନେଇ ଯାଇଅଛନ୍ତି । ମୋ ଇଜ୍ଜତ, ମାନ ସମ୍ମାନ ମୋ ପାଖରେ, ତାହା ମୋର ନିଜସ୍ୱ, ସେଥିରେ ତାଙ୍କର ଯାଏ କେତେ, ଆସେ କେତେ ?’’

 

ଅଧଘଣ୍ଟା ପରେ ଅସିତ, ଧନୁବାବୁ ଓ ପ୍ରାଣବାବୁ ଥାନାରୁ ସବୁ ଠିକ୍‌ଠାକ କରି ଫେରିଲେ ।

 

ଧନୁବାବୁ ଦୀନେଶବାବୁଙ୍କୁ ଅଲଗା ଡାକି କହିଲେ, ‘‘ରାସ୍ତା ମୋଡ଼ରେ କୈଳାସବାବୁ ପୋଲିସ ଧରି ଛିଡ଼ା ହୋଇଛନ୍ତି, ଏ ପୂଜାରୀକୁ ବେଶ୍‌ ଉତ୍ତମ ମଧ୍ୟମ ଦେଇ ଏଠୁ ବାହାର କରି ଦେଲେ, ସେମାନେ ଆସି ତା’କୁ ଗିରଫ କରିନେବେ ।’’

 

ଦୀନେଶବାବୁ ସବୁ ଶୁଣି କହିଲେ, ‘‘ହଉ, ଟିକିଏ ରହ, ମୁଁ ତା’ର ବ୍ୟବସ୍ଥା କରୁଛି ।’’

 

ରମାକାନ୍ତବାବୁ ଆଶାକୁ ବୁଝାଇ ସୁଝାଇ ଥକିଲା ପରେ ପୂଜାରୀକୁ କହିଲେ, ‘‘ମହାରାଜ-! ଆପଣ ଜଣେ ଭଗବାନ ଭକ୍ତ, ମନ୍ଦିରର ପୂଜାରୀ ହୋଇ ଏପରି କୁକର୍ମ କରି ତାହାର ସୁନାର ସଂସାର ଚୂନା କରିବାକୁ ଯାଉଛନ୍ତି ? ଆପଣଙ୍କୁ ଲଜ୍ଜା ଲାଗୁ ନାହିଁ ?’’

 

ଜୀବନରାମ ସେତେବେଳ ଯାଏ ମୂକ ପରି ବସିଥିଲା । ଅତି ଗମ୍ଭୀର ସ୍ୱରରେ କହିଲା, ‘‘ମୋର ଏଥିରେ କରିବାର କ’ଣ ଅଛି ? ମୋର କିଛି ଦୋଷ ନାହିଁ । ଆଶା ଗାଁକୁ ଯିବାପାଇଁ ସାଙ୍ଗ ଖୋଜୁଥିଲେ; ମୋତେ ଡାକିଲେ । ମୁଁ ତାଙ୍କୁ ତାଙ୍କ ଗାଁରେ ପହୁଞ୍ଚାଇ ଦେବାପାଇଁ ଅନୁରୋଧ ରକ୍ଷାକରିଛି ମାତ୍ର । ନ ହେଲେ ମୋର କ’ଣ ଅଛି ?’’

 

‘‘ତୋର କିଛି ନାହିଁ ତ ତୁ ଏସବୁ କୀର୍ତ୍ତି କରିଛୁ କାହିଁକି ?’’ ଏତକ କହି ଦୀନେଶବାବୁ ଦଉଡ଼ି ଯାଇ ତା’କୁ ବେଞ୍ଚରୁ ଓଟାରି ଛିଡ଼ା କରି ଦୁଇ ଚାପୁଡ଼ା ବଜାଇ ଦେଲେ ।

 

ଆଶା ଦଉଡ଼ି ଆସି ତାକୁ ରକ୍ଷା କରିବାପାଇଁ ଚେଷ୍ଟା କଲା ବେଳକୁ, ଅସିତ ତାକୁ ଓଟାରି ଅନ୍ୟ ଆଡ଼କୁ ନେଇ ମାଡ଼ ଦେବା ଆରମ୍ଭ କଲା । ସମସ୍ତେ ତ ପୂଜାରୀ ଉପରେ ରାଗିଥାନ୍ତି, ସମସ୍ତଙ୍କ ଧୈର୍ଯ୍ୟ ସୀମା ଲଙ୍ଘନ କରିଥାଏ, ସମସ୍ତେ ପୂଜାରୀକୁ ମାଡ଼ ଦେବା ଆରମ୍ଭ କଲେ । ରାଗ କାହାର ଶାନ୍ତ ହେଉ ନଥାଏ । ପୂଜାରୀ ତଳେ ପଡ଼ିଗଲା । ଦୀନେଶବାବୁ ଗୁର୍ଖା-ଚୌକିଦାରକୁ କହିଲେ, ‘‘ଏହାକୁ ଏଠୁ ବାହାର କରି ଦିଅ ।’’

 

ଚୌକିଦାର ତାକୁ ଚାଲିଯିବାକୁ କହିଲା । ଜୀବନରାମ ମାଡ଼ଯୋଗୁ ଆଉ ଉଠିପାରିଲା ନାହିଁ । ତେଣୁ ଚୌକିଦାର ତା’ ହାତଧରି ଟାଣି ଟାଣି ନେଇ ବାହାର କରୁଥିଲା ବେଳକୁ ଆଶା ଦଉଡ଼ି ଦଉଡ଼ି ଆସି ପୂଜାରୀର ଅନ୍ୟ ହାତ ଧରି କହିଲା, ‘‘ପୂଜାରୀ ସାଙ୍ଗରେ ମୁଁ ମଧ୍ୟ ଯିବି, ତୁମେ ସମସ୍ତେ ରାକ୍ଷସ ।’’

 

ଅସିତ ଦଉଡ଼ି ଯାଇ ଆଶାକୁ ଟାଣି ଧରିଲା ବେଳକୁ ଦୀନେଶବାବୁ ତାକୁ ଅଟକାଇ କହିଲେ, ‘‘ଛାଡ଼ିଦିଅ ଯାଉ ସେ, ଭାବି ନିଅ ଆଜିଠୁ ସେ ଆମପାଇଁ ମରିଯାଇଛି । ପିଲାମାନଙ୍କୁ ଓ ଜିନିଷପତ୍ର ନେଇ ତୁମେ ଫେରିଯାଅ । ସବୁ ଠିକ୍‌ ହୋଇଯିବ ।’’

 

ଅସିତ ଚୁପ୍‍ ରହିଲା । ଆଶା ପୂଜାରୀ ସହିତ ଗଲାପରେ ଥାନାବାବୁ କହିଲେ ‘‘ଛିଡ଼ା ହୁଅ, ତୁମକୁ ମୁଁ ଗିରଫ୍‍ କଲି ।’’ ସିପାହୀକୁ ଡାକି, ପୂଜାରୀକୁ ହାତକଡ଼ି ପିନ୍ଧାଇ ହାଜତକୁ ନେଇଯିବାପାଇଁ କହିଲେ । ସିପାହୀ ଦୁଇଜଣ ପୂଜାରୀକୁ ହାତକଡ଼ି ପିନ୍ଧାଇ ଟାଣି ଟାଣି ଥାନାକୁ ନେଲେ । ତାଙ୍କ ପଛେ ପଛେ କୈଳାଶବାବୁ ଓ ତାଙ୍କ ପଛେ ଆଶା ।

 

ଥାନା ଗେଟ୍‌ ଭିତରକୁ ପଶିଲା ବେଳକୁ ଆଶା ମଧ୍ୟ ଯିବାକୁ ଚେଷ୍ଟା କଲା । କୈଳାଶବାବୁ ତାକୁ କହିଲେ, ‘‘ଖବରଦାର, ଭିତରକୁ ଆସନା, ନ ହେଲେ ଖରାପ ହେବ ।’’ ସେ ଥାନା ଭିତରକୁ ଚାଲିଗଲେ । ଆଶା ଟିକିଏ ଶଙ୍କି ଯାଇ ସେହି ବାଟ ମୁହଁରେ ବସିରହିଲା ।

 

ଭୋର ସମୟ, ଜାନୁୟାରୀ ସତେଇଶ ତାରିଖ । ଭୀଷଣ ଥଣ୍ଡା, ବାହାରେ ବସି ରହିବା ଅତି କଷ୍ଟକର । ତଥାପି ଆଶା ବସିଥାଏ ଖୋଲା ରାସ୍ତାରେ ।

 

ଦୀନେଶବାବୁ ଆଶାର ସବୁ ଜିନିଷପତ୍ର ଓ ପିଲାଛୁଆଙ୍କୁ ନିଜ ଗାଡ଼ିରେ ବସାଇ, ରମାକାନ୍ତବାବୁ ଓ ଅସିତକୁ କହିଲେ, ‘‘ତୁମେମାନେ ଫେରିଯାଅ ସମ୍ବଲପୁରକୁ । ଏଠାକାର ବ୍ୟବସ୍ଥା ମୁଁ କରିନେବି ।’’

 

ତା’ପରେ କଅଣ ଟିକିଏ ଭାବି କହିଲେ, ‘‘ହଇ ହେ ପ୍ରାଣବାବୁ ! ତୁମେ ଥାନା ବାଟ ପର୍ଯ୍ୟନ୍ତ ଯାଅ, ଆଶା ଥଣ୍ଡାରେ ମରୁଥିବ । ତାକୁ ବୁଝାଇ ଶୁଝାଇ ଗାଡ଼ିରେ ବସାଇ ସମ୍ବଲପୁରକୁ ପଠାଇଦିଅ ।’’

 

ଅସିତ କହିଲା, ‘‘ନାହିଁ ଆଜ୍ଞା, ଥାଉ । ତା’ ମୋ ଭିତରେ ଆଉ ପୁନର୍ବାର ସମ୍ପର୍କ ପ୍ରତିଷ୍ଠା ହୋଇ ନ ପାରେ । ମୁଁ ଏହି ଛୁଆପିଲା ଓ ଜିନିଷପତ୍ରପାଇଁ ବିଶେଷ ବ୍ୟସ୍ତ ଥିଲି । ତା’ପାଇଁ ନୁହେଁ । ତା’ଭାଗ୍ୟରେ ଯାହା ଥିବ, ସେ ଭୋଗୁ ।’’

 

ଦୀନେଶବାବୁ କହିଲେ, ‘‘ନା ଅସିତ, ତୁମେ ରାଗି ଯାଇଛ, ଠିକ୍‌ । କିନ୍ତୁ ମୋ କଥା ମାନି ତାକୁ ନେଇଯାଅ । ଦେଖିବା, ଯଦି କିଛି ସୁଧାରିବା ବାଟ ଦିଶିବ !’’

 

ଅସିତ ଆଉ କିଛି ନ କହି ଚୁପ୍‌ ହୋଇ ଗାଡ଼ିରେ ବସିଲା । ରମାକାନ୍ତବାବୁ ଗାଡ଼ିର ଆଗ ସିଟରେ ବସିଗଲେ । ଡ୍ରାଇଭର୍‌କୁ ସେ ଥାନାବାଟେ ଗାଡ଼ି ନେବାପାଇଁ କହିଲେ ।

 

ଗାଡ଼ି ଥାନା ଆଗକୁ ଆସିଲାରୁ ଦେଖାଗଲା ଯେ, ଆଶା ଖୋଲା ରାସ୍ତାରେ ତଳେ ବସି ଶୀତରେ ଥରୁଛି । ଗାଡ଼ି ସେଇଠି ଅଟକାଇ ରମାକାନ୍ତବାବୁ ଓହ୍ଲାଇ କହିଲେ, ‘‘ଭଉଣୀ ! ଏତେ ଥଣ୍ଡାରେ ବସି ଲାଭ କ’ଣ ? ତୁମେ ଫେରିଯାଅ, ନିଜ ଘର ସମ୍ବଲପୁରକୁ । ପରେ ସବୁ ଠିକ୍‌ ହୋଇଯିବ ।’’

 

ଆଶା ଏକଥା ଶୁଣି ରାଗହୋଇ କହିଲା, ‘‘ମୁଁ ଏ ମହାରାଜକୁ ଛାଡ଼ି କୁଆଡ଼େ ଯିବିନାହିଁ, ଏଇଠି ମରିବି ।’’

 

ରମାକନ୍ତବାବୁ କହିଲେ, ‘‘ଭଉଣୀ, ତାକୁ ଛାଡ଼ିବାକୁ ହିଁ ପଡ଼ିବ । ତୁମେ ମଲେ ସୁଦ୍ଧା ସେ ଆଉ ମୁକ୍ତି ପାଇବ ନାହିଁ, ବରଂ ତୁମେ ପୁଣି ଘରକୁ ଫେରିଲେ ଆମେମାନେ ଚେଷ୍ଟାକରି ତାକୁ ଛଡ଼ାଇ ପାରିବୁ ।’’

 

ଆଶା କହିଲା, ‘‘ତୁମେ ସମସ୍ତେ ବିନାଦୋଷରେ ତାଙ୍କୁ ବାଡ଼େଇଲ, ପୁଣି ପୋଲିସରେ ଧରାଇଛ । ତୁମେମାନେ ରାକ୍ଷସ, ତୁମ କଥା ବିଶ୍ୱାସ କରିବାପାଇଁ ମୁଁ ପ୍ରସ୍ତୁତ ନୁହେଁ ।’’

 

ଟିକିଏ ପରେ ଆଶା ମନେ ମନେ ଭାବିଲା, ବରଂ ସମ୍ବଲପୁରକୁ ଯାଇ ପୂଜାରୀର ସାଙ୍ଗମାନଙ୍କୁ କହିଲେ କିଛି ଲାଭ ହେବ । ସମ୍ବଲପୁର ଥାନାରେ କହିଲେ ହୁଏତ ସେମାନେ ସାହାଯ୍ୟ କରିବେ । ରାସ୍ତାରେ ବସି କିଛି ଲାଭ ହେବ ନାହିଁ । ତେଣୁ ପୁଣି ଯେତେବେଳେ ରମାକାନ୍ତବାବୁ ତାକୁ ବୁଝାଇ କହିଲେ, ସମ୍ମତ ହୋଇ ଗାଡ଼ିରେ ବସିଲା ।

 

ଦୀନେଶବାବୁ, ଧନୁବାବୁ ଆଦି ବସି ଭାବିଲେ ଯେ, ଥାନା ହାଜତରେ ତ ବେଶୀ ସମୟ ରଖାଯାଇ ପାରିବ ନାହିଁ, ତାକୁ କୋଟ୍‍ ହାଜତରେ ମାସେ ଖଣ୍ଡେ ରଖାଇ ଦେଲେ ହେବ । ସେହି ସମୟ ମଧ୍ୟରେ କୁଟୁମ୍ବ ସହିତ ଆଶାକୁ ଗାଁକୁ ପଠାଇ ଦେଲେ ହୁଏତ ସମସ୍ୟାଟା ସୁଧୁରି ପାରିବ । ସେଠାରେ ସେମାନଙ୍କର ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ ଅଛନ୍ତି । ଜ୍ଞାତି ସହୋଦରଙ୍କ ସହିତ ସମାଜ ବନ୍ଧନ ଭିତରେ ପଡ଼ିଲେ ଏ ଉଚ୍ଛୃଙ୍ଖଳତା ରହିବ ନାହିଁ । କିନ୍ତୁ ଏହା ହେବ କିପରି ? ପ୍ରଚଳିତ କାନୁନ ଅନୁସାରେ ନିର୍ଦ୍ଦୋଷକୁ ହଇରାଣ କରିବା ଯେତେ ସହଜ, ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ସେତିକି କଷ୍ଟ ।

 

ଦୀନେଶବାବୁ କହିଲେ, ‘‘ବୋଧହୁଏ ସେମାନେ ଏଥିପାଇଁ କୁଣ୍ଠିତ ହେବେ ନାହିଁ ।’’

 

ପ୍ରାଣବାବୁ, ଧନୁବାବୁ, ଯୋଗୀବାବୁ ତିନିହେଁ ନାମଯାଦା ଏଡଭୋକେଟ୍‌ । ତା’ପରେ ଦୀନେଶବାବୁ ମଧ୍ୟ ପ୍ରତିପତ୍ତିଶାଳୀ । ସମସ୍ତେ ଯାଇ କୋଟ୍‌ ବାବୁ ଓ ଫାଷ୍ଟ୍‌ କ୍ଲାସ୍‌ ମାଜିଷ୍ଟ୍ରେଟ୍‍ଙ୍କୁ ସବୁକଥା କହିଲେ ।

 

ସେ କହିଲେ, ‘‘ଭଲ କଥା । ତାକୁ କୋଟ୍‍ ହାଜତରେ ପନ୍ଦରଦିନ ଲେଖାଏଁ ଦୁଇ ଦଫା ରଖାଇ ଦେବା, ଦେଖାଯିବ । ଆମେ ତ କିଛି ମନ୍ଦ ଉଦ୍ଦେଶ୍ୟରେ କରୁନାହୁଁ । ଭଗବାନ ଆମକୁ ସାହାଯ୍ୟ କରିବେ ।’’

 

ଆଶା ସମ୍ବଲପୁରକୁ ଯାଇ ପହଞ୍ଚିଲା । ପୂଜାରୀର ସାଙ୍ଗମାନଙ୍କ ସଙ୍ଗେ ଦେଖାକଲା । ଅସିତକୁ ସେ ଖୋଲାଖୋଲି କହିଲା ଯେ, ସେ ତା’ ଘରକୁ ଯିବ ନାହିଁ । ଅସିତର ମଧ୍ୟ ତାକୁ ଘରକୁ ନେବାପାଇଁ ବିଶେଷ ଆଗ୍ରହ ନଥାଏ । ସେ ପିଲା ଛୁଆ ଓ ଜିନିଷପତ୍ର ଧରି ଘରକୁ ଗଲା ।

 

ରଜନୀକୁ କହିଲା, ‘‘ରନ୍ଧାବଢ଼ା କର, ମୁଁ ବଜାର ସଉଦା ନେଇ ଆସେ ।’’ ଅସିତ ବଜାରକୁ ଗଲା ସଉଦା ଆଣିବାକୁ ।

 

ଆଶା ପୂଜାରୀର ଯେତେ ବନ୍ଧୁଙ୍କୁ ଚିହ୍ନିଥାଏ, ସମସ୍ତଙ୍କ ପାଖକୁ ଯାଇ ସବୁକଥା କହିଲା-। ସେମାନେ ଦୀନେଶବାବୁଙ୍କ ନାମ ଶୁଣି କହିଲେ ‘‘ନା ବାବା, ନା, ଆମେ କିଛି କରିପାରିବୁ ନାହିଁ । ସେ ଯେମିତି ଲୋକ, ଆମକୁ ମଧ୍ୟ ବନ୍ଧାଇଦେବେ ।’’

 

ତା’ପରେ ଆଶା ସମ୍ବଲପୁର ଥାନାକୁ ଯାଇ କହିଲା, ‘‘ମୁଁ ଥାନାରେ ଡାଏରୀ ଦେଇ ମୋ ଗାଆଁକୁ ଯାଉଥିଲି, ଜୀବନରାମ ମହାରାଜ ସହିତ ; କିନ୍ତୁ ବାଟରେ ବରଗଡ଼ ପୋଲିସ୍‍ ଜୀବନରାମ ମହାରାଜକୁ ଅନ୍ୟାୟ ଭାବରେ ଗିରଫ୍‍ କରିଛନ୍ତି ।’’ ଥାନାବାବୁ ହାତ ତ ଆଗରୁ ଚିକ୍‌କଣ ହୋଇଥାଏ ! ସଙ୍ଗେ ସଙ୍ଗେ ବରଗଡ଼ ଥାନାକୁ ଫୋନ୍‌ କରି କହିଲେ, ‘‘ହାଲୋ, କୈଳାସବାବୁ ! ଜୀବନରାମକୁ ଶୀଘ୍ର ଛାଡ଼ିଦିଅ । ନ ହେଲେ ଅନ୍ୟାୟ ଗିରଫରେ ପଡ଼ିଯିବ । କାରଣ, ଯିବା ପୂର୍ବରୁ ଆଶା ଏଠି ଥାନାରେ ଡାଏରୀ କରାଇ ତା’ ସ୍ୱଇଚ୍ଛାରେ ଯାଉଥିବା କଥା ପ୍ରକାଶ କରିଛି । ଆଉ ଜୀବନରାମକୁ ଗିରଫ୍‍ କରିବା ତୁମର ଅନ୍ୟାୟ ହୋଇଛି ।’’

 

କୈଳାସବାବୁ କଥାଟା ବୁଝିନେଲେ, କିନ୍ତୁ ସେ ତ ଟାଣୁଆଁ ଲୋକ, କହିଲେ, ‘‘ସେ ପରା ରାତି ଦୁଇଟାରେ ବଡ଼ ସନ୍ଦେହଜନକ ଭାବରେ ବୁଲୁଥିଲା । ତା’ପାଖରୁ ଗୋଟାଏ ଛୁରା ମଧ୍ୟ ପାଇଛୁ; ତେଣୁ ତାକୁ ଗିରଫ୍‌ କରାଯାଇଛି । ଆଶା କ’ଣ ଡାଏରୀ ଦେଇଛି ନ ଦେଇଛି, ସେଥିରେ ଆମର ଯାଏ ଆସେ କେତେ ? ଆସାମୀକୁ ମାଜିଷ୍ଟ୍ରେଟ୍‍ କୋଟ୍‌ରେ ଦାଖଲ କରାଯାଇଛି । ତାଙ୍କ ହୁକୁମ୍‌ ଅନୁସାରେ ତାକୁ ହାଜତରେ ରଖାଯାଇଛି ।’’ ଏହି ପ୍ରତ୍ୟୁତ୍ତର ଶୁଣି ସମ୍ବଲପୁର ପୋଲିସ୍‍ କହିଲେ, ‘‘ଦେଖ ବାବା, ମୁଁ ବନ୍ଧୁ ଭାବରେ ଜଣାଇଁଦେଲି । ଏଥର ତୁମେ ଯାହା କରୁଛ କର ।’’

 

ତା’ପରେ ଆଶାକୁ କହିଲେ, ‘‘ତୁମେ ସେଠାକୁ ଯାଇ ଜୀବନରାମକୁ ଜାମିନରେ ଛଡ଼ାଇବାପାଇଁ ଚେଷ୍ଟାକର । କୌଣସି ଗୋଟାଏ ଓକିଲ ଲଗାଇ, ମାଜିଷ୍ଟ୍ରେଟ୍‍ଙ୍କ ପାଖରେ ଜାମିନ କରି ଆଣ । ତା’ପରେ ଦେଖିବା ।’’ ଆଶା ସେଇଠୁ ପୁଣି ବରଗଡ଼କୁ ଆସିଲା ।

 

ଏଆଡ଼େ କୈଳାସବାବୁ, ସମ୍ବଲପୁର ଥାନାବାବୁଙ୍କୁ ଯାହାକହିବାର କହିଲେ ସିନା, ତାଙ୍କର ଭୟ ହେଲା ! ସେ ଆସି ଦୀନେଶବାବୁଙ୍କୁ ସବୁକଥା ଜଣାଇଲେ ।

 

ଦୀନେଶବାବୁ ସମ୍ବଲପୁରକୁ ଏବଂ ରମାକାନ୍ତବାବୁ ଓ ପୋଲିସ୍‌ ସୁପରିନଟେଣ୍ଡେଣ୍ଟ୍‌ଙ୍କ ପାଖକୁ ଫୋନ୍‌ କଲେ । ରମାକାନ୍ତବାବୁଙ୍କୁ କହିଲେ, ‘‘ସେ ଥାନାବାବୁଙ୍କୁ କଥାଟା ଟିକିଏ ବୁଝାଇ ଦିଅନ୍ତୁ । ମୁଁ ଏସ୍‌.ପି.ଙ୍କୁ ଫୋନ୍‌କରି ଦେଇଛି ।’’

 

ତା’ପରେ ଏସ୍‌.ପି.ଙ୍କୁ ଫୋନରେ ସବୁକଥା ବୁଝାଇ, ଥାନାବାବୁଙ୍କୁ ବୁଝାଇ ଦେବାପାଇଁ ଅନୁରୋଧ କଲେ ।

 

ଏସ୍‌.ପି. କହିଲେ, ‘‘ଧନ୍ୟବାଦ ଦୀନେଶବାବୁ ! ଆପଣ ଗୋଟାଏ ବଡ଼ କାମ କରିଛନ୍ତି-। ମୁଁ ସବୁ ଠିକ୍‌ କରି ଦେଉଛି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’’ ତା’ପରେ ରମାକାନ୍ତବାବୁ ଯାଇ ଥାନାବାବୁଙ୍କୁ ସବୁକଥା କହିବା ପରେ କହିଲେ, ‘‘ଆପଣ ବରଗଡ଼ ଥାନାବାବୁଙ୍କୁ ବିପଦରେ ପଡ଼ିବ ବୋଲି କଅଣ କହୁଥିଲେ, ଆପଣ ନିଜେ ପଡ଼ିଯିବେ । ଟିକିଏ ବୁଝିବିଚାରି କାମ କରନ୍ତୁ ।’’

 

ଏସ୍‌.ପି.ଙ୍କ ଫୋନ୍‌ ଆସିଲା । ଥାନାବାବୁଙ୍କୁ ସେ କହିଲେ, ‘‘ତୁମେ କାହିଁକି ଜୀବନରାମକୁ ସାହାଯ୍ୟ କରୁଛ ?’’

 

ଥାନାବାବୁ କହିଲେ, ‘‘ନା ସାର୍‌, ମୁଁ କାହିଁକି ସାହାଯ୍ୟ କରିବି ? ସେ ଗୋଟିଏ ବଦମାସ୍‌ ଲୋକ ବୋଲି ମୋର ମଧ୍ୟ ଧାରଣା । କିନ୍ତୁ ଆଶା ଯିବାପୂର୍ବରୁ ଏପରି ଗୋଟାଏ ଷ୍ଟେସନ୍‌ ଡାଏରୀ କରାଇଛି ।’’

 

ଏସ୍‌.ପି. କହିଲେ, ‘‘ହଉ, ସେଥିରେ ତୁମର ମୁଣ୍ଡଖର୍ଚ୍ଚ କରିବା ଦରକାର ନାହିଁ । ଡାଏରୀ କରିଛି ତ କରିଥାଉ, ତୁମର କାହିଁକି ଏତେ ଆଗ୍ରହ ?’’

 

‘‘ନା, ସାର୍‌, ସେମିତି କିଛି ନୁହେଁ,’’ କହି ଥାନାବାବୁ ଥରୁଥାନ୍ତି । ଏସ୍‌.ପି. ଫୋନ୍‌ ରଖିଦେଲେ ।

 

ଏଆଡ଼େ ଆଶା ବରଗଡ଼କୁ ଆସି, ଜୀବନରାମର ଜାମିନ୍‌ପାଇଁ ଚେଷ୍ଟାକଲା । ଓକିଲ୍‌ ଦେଲା । କିନ୍ତୁ ଲାଭ କିଛି ହେଲା ନାହିଁ । ସମ୍ବଲପୁରକୁ ସେ ଫେରିଗଲା । ଥାନାବାବୁଙ୍କୁ ସବୁକଥା କହିବାରୁ ଥାନାବାବୁ କହିଲେ, ‘‘ଦେଖ ଆଶା, ତୁମେ ଆଉ ମୋ ପାଖକୁ ଆସିବ ନାହିଁ । ତୁମେ ତ ମୋତେ କହିଲ ନାହିଁ ଯେ, ଦୀନେଶବାବୁ ଏସବୁ ଭିତରେ ଅଛନ୍ତି ! ମୋ ଚାକିରୀ ଖାଇବ ନା କଅଣ ?’’

 

ଆଶା ଭାବିଲା–‘‘ବଡ଼ ମୁସ୍କିଲ, ଜୀବନରାମର ସାଙ୍ଗ ବନ୍ଧୁମାନେ କେହି ଆସିଲେ ନାହିଁ ବା ଥାନାବାବୁ ମଧ୍ୟ ସାହାଯ୍ୟ କରିବେ ନାହିଁ । ଏଥର କ’ଣ କରାଯିବ ! ସେ ନିଜେ ରହିବ କେଉଁଠି-?’’ ଭାବି ଭାବି ତା’ଘରକୁ ଫେରିଲା । ଘରେ ଯାଇ ଆଉ ଖିଆ ପିଆ ନ କରି ଗୋଟାଏ କଣରେ ପଡ଼ିରହିଲା ।

 

ଅସିତ ତା’ର ଆସିବା ଯିବା କିଛି ଖବର ରଖୁ ନ ଥିଲା । ସେ ଜାଣି ନ ଜାଣିଲା ପରି ଚଳୁଥାଏ । ଆଶା ଭାବିଲା, ଅସିତ ତ ତାକୁ କିଛି କହୁ ନାହିଁ, ପିଲାମାନେ ମଧ୍ୟ ତାକୁ କିଛି କହୁ ନାହାନ୍ତି । ସାରା ଦୁନିଆଁଟା ତାକୁ କ’ଣ ଛାଡ଼ିଦେଲା ?

Image

 

ଚଉଦ

 

ଯାହା ଚାଲେ ତାହାହିଁ ଜଗତ୍‌ । ଏ ଚାଲିର ବିରାମ ନାହିଁ, ବିଶ୍ରାମ ନାହିଁ, ଗତି ଆଉ ଗତି-। ଏହା ସରଳ ରେଖାରେ ଚାଲେ ନାହିଁ, ବୃତ୍ତ ଆକାରରେ ଚାଲେ । ଉତ୍‌ଥାନ, ପତନ, ଦୁଃଖ-ସୁଖ, ଅଶ୍ରୁ-ଆନନ୍ଦ, ଅନ୍ଧାର ଆଲୋକ ମଧ୍ୟରେ ଏହାର ଗତି । ଏହାର ଆରମ୍ଭ ଯେଉଁଠି, ପରିଶେଷରେ ପରିସମାପ୍ତି ମଧ୍ୟ ସେଇଠି । ବ୍ୟବଧାନ କେବଳ ସମୟର ଏବଂ କେଉଁଟା ଆଗ, କେଉଁଟା ପଛ, ପ୍ରଭେଦ ଏତିକି ମାତ୍ର ।

 

ଦୀନେଶବାବୁ, ଅସିତ ଓ ଆଶାର ମୁରବିମାନଙ୍କୁ ଜରୁରୀ ଟେଲିଗ୍ରାମ୍‌ ପଠାଇଲେ । ସେମାନେ ବରଗଡ଼ରେ ଆସି ପହଞ୍ଚିଲେ ।

 

ଘଟଣା ପ୍ରବାହର ଚୂଡ଼ାନ୍ତ ସମାଧାନ କରିବାପାଇଁ ଦୀନେଶବାବୁ ସମ୍ବଲପୁର ଗଲେ । ଅସିତ ଘରେ ପହଞ୍ଚି ଆଶାକୁ ଦେଖି ଚମକି ପଡ଼ିଲେ । ମନେକଲେ, ପ୍ରକୃତରେ ସେ ବାୟାଣୀ ହୋଇଯାଇଛି ।

 

ରଜନୀ ଖଣ୍ଡେ ଦରି ବିଛାଇ ଦେଲା । ସେଥିରେ ବସିପଡ଼ି ଦୀନେଶବାବୁ ସିଧା ସଳଖ କଥା ଆରମ୍ଭ କରିଦେଲେ । ଆଶାକୁ ସେ କହିଲେ, ‘‘ଗାଆଁକୁ ଯିବାପାଇଁ ପ୍ରସ୍ତୁତ ହୁଅ ।’’

 

ଆଶା କ୍ଷୁଧିତ ବାଘୁଣୀ ପରି ଗର୍ଜ୍ଜିଉଠି କହିଲା, ‘‘ନା, ନା, ନା,’’ କଥାରେ ତା’ର ଆକ୍ରୋଶ ପରି ରହିଥିଲା ।

 

ଟିକିଏ ରହି ସେ ଦୃଢ଼ ଭାବରେ କହିଲା, ‘‘ମହାରାଜଙ୍କୁ ସାଙ୍ଗରେ ନ ନେଇ ମୁଁ କୁଆଡ଼େ ଯିବି ନାହିଁ ।’’

 

ଦୀନେଶବାବୁ ଏପରି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ସେ କହିଲେ–‘‘ମହାରାଜ ! ସେ ବର୍ତ୍ତମାନ ବୋଧହୁଏ ଦିଲ୍ଲୀ ଜେଲରେ । ସେଠାର ଗୋଟାଏ ଦଳ ସ୍ତ୍ରୀଲୋକ ଓ ପିଲାମାନଙ୍କୁ ଭୁଲାଇ ନେଇ ପାକିସ୍ଥାନରେ ବିକ୍ରି କରୁଥିଲେ । ଜୀବନରାମ ଓରଫ୍‌ ଜୁଗ୍‌ନୁ ସେହି ଦଳର ଲୋକ । ତା’ ସହିତ ଆଉ କେତେ ଜଣ ଏ ଅଞ୍ଚଳକୁ ଆସି କାରବାର ଆରମ୍ଭ କରିଥିଲେ । ଦିଲ୍ଲୀ ଦଳ ଧରାପଡ଼ିବାରୁ ସବୁକଥା ଜଣାପଡ଼ିଲା । ସମ୍ବଲପୁରକୁ ଓ୍ୟାରେଣ୍ଟ୍‌ ଆସିଲା । ଜୀବନରାମ, ଆଉ ତା’ର କେତେକ ସାଙ୍ଗ ଧରାହୋଇ ଦିଲ୍ଲୀ ପଠାଯାଇଛନ୍ତି ।’’

 

ଆଶା ସ୍ତମ୍ଭୀଭୂତ ହୋଇ ବସିରହିଲା ; ତା’ ମୁହଁରୁ ଫିଟିପଡ଼ିଲା–‘‘ତେବେ ?’’

 

ଦୀନେଶବାବୁ ଧୀରେ ଧୀରେ କହିଲେ, ‘‘ତେବେ ଗାଁକୁ ଯିବାକୁ ହେବ । ପୁରୁଣା ସଂସାରକୁ ନୂଆ କରି ଗଢ଼ିବାକୁ ହେବ । ଭୁଲ୍‌ ସମସ୍ତେ କରନ୍ତି–ସେଥିରେ ଦୋଷ ନାହିଁ । ଭୁଲ୍‌କୁ ଧରି ପଡ଼ିରହିବା ହିଁ ଅପରାଧ ।’’

 

କଥାବାର୍ତ୍ତା ଚାଲିଛି, ଅସିତ ଆସି ପହଞ୍ଚିଲା ।

 

ଦୀନେଶବାବୁ କହିଲେ, ‘‘ଅସିତ ଜିନିଷପତ୍ର ବାନ୍ଧିନିଅ । ଗାଁକୁ ଯିବାକୁ ହେବ । ତୁମର ବାପା ଆସିଛନ୍ତି, ଆଶାର କାକା ଆସିଛନ୍ତି, ସେମାନେ ମୋ ଘରେ ଅଛନ୍ତି । ଶୀଘ୍ର ପ୍ରସ୍ତୁତ ହୁଅ । ବାହାରେ ମୋ ଗାଡ଼ି ଛିଡ଼ାହୋଇଛି–ଦେଖିଥିବ !’’

 

ଅସିତ, ଆଶା ଆଡ଼କୁ ଚାହିଁଲା ।

 

ଦୀନେଶବାବୁ କହିଲେ, ‘‘ସେ ମଧ୍ୟ ଯିବ–ଗାଁକୁ, ତା’ର ସଂସାରକୁ ।’’

 

ଛଅ ମାସ ପର କଥା ।

 

ଆଶା ଅସିତକୁ କହିଲା, ‘‘ଶୁଣିଲ, ମାରୁଆଡ଼ି ପଡ଼ାରେ ଯେଉଁ ଲତା ଥିଲା, ତା’ କଥା ମନେ ପଡ଼ୁଛି । ଆଜି ମୁଁ ଚିଠିପାଇଛି, ଜଣେ ମୁସଲମାନ ସହିତ ସେ ପାକିସ୍ଥାନ ପଳାଇ ଯାଇଛି ।’’

 

ଦୁହେଁ ନିର୍ବାକ୍‌ ।

 

ଅସ୍ତଗାମୀ ସୂର୍ଯ୍ୟର ଶେଷ କିରଣ ତାଙ୍କ ଘର ଭିତରକୁ ପଶି ଆସୁଥିଲା । ଦୂରରୁ ପିଲାମାନଙ୍କର କୋଳାହଳ ଶୁଣା ଯାଉଥିଲା ।

Image